ଇରାନ ଏବେ ନିଜର ଶତ୍ରୁମାନଙ୍କୁ ସଫା କରିବାକୁ ଏବେ ଏଭଳି ଗୋଟିଏ ଫୋର୍ସ ତିଆରି କରିଛି,ଯେଉଁମାନେ ୟୁନିଫର୍ମ ପିନ୍ଧନ୍ତି ନାହିଁ କି କୌଣସି ଗୁପ୍ତ ଏଜେନ୍ସିରେ କାମ କରନ୍ତି ନାହିଁ । ସେମାନେ ହେଉଛନ୍ତି ଇଉରୋପର ବିପଜ୍ଜନକ ଅପରାଧୀ ଗ୍ୟାଙ୍ଗ, ଯେଉଁମାନଙ୍କ ହାତରେ ଇରାନ ଏବେ ନିଜର ଶତ୍ରୁମାନଙ୍କ ନାମ ତାଲିକା ଦେଇଛି। ଠିକ ଯେମିତି ଭାରତରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଈ ନିଜର ଶତ୍ରୁମାନଙ୍କୁ ନିପାତ କରିବା ପାଇଁ ଶୁଟରମାନଙ୍କ ଟିମ ତିଆରି କରେ, ସେଇମିତି ଇରାନ ନିଜର ଗୋଟିଏ ସାର୍ପ ସୁଟର ଗ୍ୟାଙ୍ଗ ତିଆରି କରିଛି । ତେବେ ଏଥିରେ ଇରାନର ଅଧିକାରୀ ସିଧାସଳଖ ସାମିଲ ନାହାନ୍ତି । ସେମାନେ କାମ ଆଉଟ୍ ସୋର୍ସ କରିଛନ୍ତି,ଅର୍ଥାତ ସେମାନଙ୍କ ପାଇଁ ଗୁଳି ଗ୍ୟାଙ୍ଗ ଚଳାଇବେ ।
ସ୍ୱୀଡେନର ସରକାରୀ ପ୍ରସାରକ SVTର ଏକ ନୂଆ ଡକ୍ୟୁମେଣ୍ଟାରୀ ଏହି ବିପଜ୍ଜନକ ମେଣ୍ଚର ପର୍ଦାଫାଶ କରିଛି। ରିପୋର୍ଟ ଅନୁସାରେ, ଇରାନର ଗୁପ୍ତଚର ଏଜେନ୍ସିମାନେ ଇଉରୋପର ଅପରାଧୀ ଗ୍ୟାଙ୍ଗମାନଙ୍କୁ ଟଙ୍କା ଓ ସହଯୋଗର ଅଫର କରୁଛନ୍ତି ଯାହା ଦ୍ୱାରା ସେମାନେ ଇରାନର ଶତ୍ରୁଙ୍କୁ ଆକ୍ରମଣ କରିପାରିବେ। ଏଥିରେ ସବୁଠାରୁ ପ୍ରମୁଖ ନାମ ହେଉଛି ଲଣ୍ଡନରୁ ପରିଚାଳିତ ଫାର୍ସୀ ନ୍ୟୁଜ ଚ୍ୟାନେଲ ଇରାନ ଇଣ୍ଟରନ୍ୟାସନାଲ।
SVTର ରିପୋର୍ଟ କହୁଛି ଯେ ଇରାନୀ ଏଜେଣ୍ଟମାନେ ସ୍ୱୀଡେନର ଅନେକ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ସହ ଯୋଗାଯୋଗ କରିଛନ୍ତି, ଯେଉଁଥିରେ ସବୁଠାରୁ ଚର୍ଚ୍ଚିତ ନାମ ହେଉଛି ରାୱା ମାଜିଦ, ଯାହାକୁ ‘କୁର୍ଦିଶ ଫକ୍ସ’ କୁହାଯାଏ। ଇଏ ସେହି ବ୍ୟକ୍ତି, ଯିଏ ଫକ୍ସଟ୍ରଟ ଗ୍ୟାଙ୍ଗର ମୁଖ୍ୟ। ଏହି ଗ୍ୟାଙ୍ଗ ସ୍ୱୀଡେନରେ ପ୍ରାୟତଃ ବୋମା ବିସ୍ଫୋରଣ, ଗୁଳିଚାଳନା ଓ କିଶୋରମାନଙ୍କ ଦ୍ୱାରା ହତ୍ୟା କରାଇବା ପାଇଁ କୁଖ୍ୟାତ।
ଫକ୍ସଟ୍ରଟ ଗ୍ୟାଙ୍ଗ ଉପରେ ଅଭିଯୋଗ ରହିଛି ଯେ ଏହା ସ୍ୱୀଡେନର ରାସ୍ତାଗୁଡ଼ିକୁ ଗ୍ୟାଙ୍ଗୱାରର ମୈଦାନ କରିଦେଇଛି, ଏବଂ SVTର ଡକ୍ୟୁମେଣ୍ଟାରୀ କହୁଛି ଯେ ଏହି ମେଣ୍ଟ ୨୦୨୩ର ଆରମ୍ଭ ହୋଇଥିଲା । ମାଜିଦ ଇରାନ ଯାଇଥିବା ବେଳେ ଇରାନୀ ସୁରକ୍ଷା ଏଜେନ୍ସି ତାକୁ ଦୁଇଟି ବିକଳ୍ପ ଦେଇଥିଲେ ଜେଲକୁ ଯାଅ, ନହେଲେ ଇରାନୀ ସରକାର ପାଇଁ କାମ କର। ମାଜିଦ ଦ୍ୱିତୀୟ ପଥ ବାଛିଲା ଓ ଟାର୍ଗେଟ ମିଳିଲା ଷ୍ଟକହୋମରେ ଥିବା ଇସ୍ରାଏଲୀ ଦୂତାବାସ ଉପରେ ଗ୍ରେନେଡ ଆକ୍ରମଣ। ଯଦିଓ ଗ୍ରେନେଡ ଫାଟି ନଥିଲା, କିନ୍ତୁ ଏହା ଇରାନର ଇରାଦାକୁ ସ୍ପଷ୍ଟ କରିଦେଇଥିଲା।
ଇରାନର ଟାର୍ଗେଟରେ କିଏ କିଏ?
ଇରାନ ଇଣ୍ଟରନ୍ୟାସନାଲ ଚ୍ୟାନେଲ ସର୍ବଦା ଇରାନୀ ସରକାରଙ୍କ ସମାଲୋଚନା ପାଇଁ ଜଣାଶୁଣା ଏବଂ ଏହାର ସାମ୍ବାଦିକମାନେ ପୂର୍ବରୁ ନିରୀକ୍ଷଣ, ସାଇବର ଆକ୍ରମଣ ଓ ଧମକର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଏବେ ମାମଲା ଶାର୍ପଶୁଟର ଓ ଗ୍ରେନେଡ ଆକ୍ରମଣ ପର୍ଯ୍ୟନ୍ତ ପହଞ୍ଚିଛି। ଏହା ବ୍ୟତୀତ ଇସ୍ରାଏଲୀ ଦୂତାବାସ, କୂଟନୈତିକ ସ୍ଥାନ ଏବଂ ଇଉରୋପରେ ଥିବା ଇହୁଦୀ ଧାର୍ମିକ ସ୍ଥଳ (ଯେପରିକି ସିନାଗଗ) ମଧ୍ୟ ଏହି ବିପଜ୍ଜନକ ତାଲିକାରେ ଅନ୍ତର୍ଭୁକ୍ତ, ଯେଉଁଗୁଡ଼ିକୁ ଗ୍ୟାଙ୍ଗଷ୍ଟରଙ୍କ ମାଧ୍ୟମରେ ଟାର୍ଗେଟ କରିବାର ଯୋଜନା ପ୍ରସ୍ତୁତ ହେଉଛି।
ଲରେନ୍ସ ବିଶ୍ନୋଈଠାରୁ ଅଧିକ ବିପଜ୍ଜନକ ଏହି ଗ୍ୟାଙ୍ଗ
SVTର ରିପୋର୍ଟ ଅନୁସାରେ, ସ୍ୱୀଡେନରେ ବର୍ତ୍ତମାନ ପ୍ରାୟ ୧୪,୦୦୦ ଲୋକ ସିଧାସିଧି ଅପରାଧୀ ଗ୍ୟାଙ୍ଗ ସହ ଜଡ଼ିତ ଏବଂ ପ୍ରାୟ ୪୮,୦୦୦ ଲୋକ କୌଣସି ନା କୌଣସି ରୂପରେ ଏମାନଙ୍କ ସହ ସମ୍ପର୍କ ରଖନ୍ତି। ଏହି ସଂଖ୍ୟା ନିଜେ କହୁଛି ଯେ ଏହା କେବଳ ଲରେନ୍ସ ବିଶ୍ନୋଈ ପରି କୌଣସି ଏକ ଗ୍ୟାଙ୍ଗଷ୍ଟରର କଥା ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ଅଣ୍ଡରୱାର୍ଲଡ ସିଷ୍ଟମର କଥା। ଭାରତରେ ଯେଉଁଠି ଲରେନ୍ସ ବିଶ୍ନୋଈଙର ନେଟୱାର୍କରେ ୪ଶହରୁ ଅଧିକ ସଦସ୍ୟ ଥିବାରୁ କୁହାଯାଏ, ସେଠାରେ ସ୍ୱିଡେନର ଗ୍ୟାଙ୍ଗ ନେଟୱାର୍କ ତା’ଠାରୁ ଅଧିକ ସଂଗଠିତ, ବିପଜ୍ଜନକ ଏବଂ ରାଜନୀତିକ ହୋଇପଡ଼ିଛି, ଯାହାର ବ୍ୟବହାର ଏବେ ଇରାନ ପରି ଦେଶମାନେ କରିବା ଆରମ୍ଭ କରିଛନ୍ତି।
Also read https://purvapaksa.com/diarrhoea-house-to-house-screening-for-2-months/
