ଭାରତର ପ୍ରତିରକ୍ଷା କ୍ଷେତ୍ରରୁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି, ଯାହା ଶତ୍ରୁ ଦେଶ ଚୀନ ଏବଂ ପାକିସ୍ତାନର ଚିନ୍ତାକୁ ବହୁ ଗୁଣିତ କରିଦେବ । ଭାରତ ଏବଂ ଋଷର ମିଳିତ ଉଦ୍ୟୋଗ ‘ବ୍ରହ୍ମୋସ ଏରୋସ୍ପେସ୍’ ଦେଶରେ ବିଶ୍ୱର ସବୁଠାରୁ ଦ୍ରୁତଗାମୀ ସୁପରସୋନିକ କ୍ରୁଜ୍ ମିସାଇଲ ‘ବ୍ରହ୍ମୋସ’ର ଉତ୍ପାଦନକୁ ୨୦% ପର୍ଯ୍ୟନ୍ତ ବୃଦ୍ଧି କରିଛି । ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ନୂତନ ଭାବେ ନିର୍ମିତ ଅତ୍ୟାଧୁନିକ ଉତ୍ପାଦନ କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପରେ ଏହି ସଫଳତା ମିଳିଛି । ବର୍ତ୍ତମାନ ଏହି ନୂଆ ପ୍ଲାଣ୍ଟ ବ୍ରହ୍ମୋସ ମିସାଇଲର ପ୍ରଥମ ବ୍ୟାଚ୍ ସଫଳତାର ସହ ପ୍ରସ୍ତୁତ କରିସାରିଛି ଏବଂ ଦ୍ୱିତୀୟ ବ୍ୟାଚ୍ର ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି ।

ବ୍ରହ୍ମୋସ ଏରୋସ୍ପେସ୍ର ସହ-ନିର୍ଦ୍ଦେଶକ ଆଲେକ୍ସଜାଣ୍ଡାର ମାକ୍ସିଚେଭ ଋଷ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,”ଲକ୍ଷ୍ନୌ କେନ୍ଦ୍ର ବର୍ତ୍ତମାନ କମ୍ପାନୀର ସବୁଠାରୁ ବଡ଼ ଉତ୍ପାଦନ କେନ୍ଦ୍ରରେ ପରିଣତ ହୋଇଛି । ଏହି ସୁବିଧା ଆରମ୍ଭ ହେବା ଦ୍ୱାରା ମିସାଇଲ ନିର୍ମାଣର ଗତି ଓ କ୍ଷମତା ଉଭୟ ବୃଦ୍ଧି ପାଇଛି।” ସୂଚନାଯୋଗ୍ୟ ଯେ, ‘ଭାରତରେ ପୂର୍ବରୁ ବ୍ରହ୍ମୋସର ୩ଟି ମାନୁଫ୍ୟାକ୍ଚରିଂ ୟୁନିଟ୍ ରହିଥିଲା, ଯାହା ଦକ୍ଷିଣ ଭାରତର ହାଇଦ୍ରାବାଦ ଓ ତିରୁବନନ୍ତପୁରମ ଏବଂ ରାଜସ୍ଥାନର ପିଲାନିଠାରେ ଅବସ୍ଥିତ । ବର୍ତ୍ତମାନ ଲକ୍ଷ୍ନୌର ଏହି ଚତୁର୍ଥ ୟୁନିଟ୍ ସାମରିକ ଦୃଷ୍ଟିକୋଣରୁ ଭାରତର ଶକ୍ତିକୁ ବହୁଗୁଣିତ କରିଦେଇଛି ।’
ବୈଶ୍ୱିକ ବଜାରରେ ବଢୁଛି ବ୍ରହ୍ମୋସର ଚାହିଦା

ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏବଂ ଋଷର ‘NPO Mashinostroyeniya’ ର ମିଳିତ ପ୍ରୟାସରେ ନିର୍ମିତ ଏହି ମିସାଇଲ ମ୍ୟାକ୍ ୨.୮ ର ପ୍ରବଳ ବେଗରେ ଗତି କରି ଶତ୍ରୁର ସ୍ଥଳଭାଗ ଓ ସମୁଦ୍ର ମଧ୍ୟରେ ଥିବା ଲକ୍ଷ୍ୟକୁ ସଠିକ୍ ଭାବେ ଧ୍ୱଂସ କରିବାର କ୍ଷମତା ରଖିଛି । ‘ଅପରେସନ ସିନ୍ଦୂର’ ସମୟରେ ପାକିସ୍ତାନ ସୀମାରେ ଏହାର ସଫଳ ପ୍ରୟୋଗ ପରେ ବିଶ୍ୱ ବଜାରରେ ଏହି ମିସାଇଲର ବିଶ୍ୱସନୀୟତା ଓ ଆଦୃତି ବହୁତ ବଢ଼ିଯାଇଛି । ଫିଲିପାଇନ୍ସ ପ୍ରଥମ ବିଦେଶୀ ଦେଶ ଭାବେ ଭାରତଠାରୁ ବ୍ରହ୍ମୋସର ତଟଭିତ୍ତିକ ଆଣ୍ଟି-ସିପ୍ ମିସାଇଲ ସିଷ୍ଟମ କ୍ରୟ କରିସାରିଛି । ଏହା ସହିତ ଦକ୍ଷିଣ-ପୂର୍ବ ଏସିଆର ଇଣ୍ଡୋନେସିଆ ଓ ଭିଏତନାମ ଏବଂ ମଧ୍ୟ-ପୂର୍ବର ସଂଯୁକ୍ତ ଆରବ ଏମିରେଟ୍ସ (UAE) ଭଳି ଦେଶଗୁଡ଼ିକ ମଧ୍ୟ ଏହି ପ୍ରଯୁକ୍ତିବିଦ୍ୟା ହାସଲ କରିବା ପାଇଁ ଭାରତ ସହିତ ଦ୍ରୁତ ଆଲୋଚନା ଚଳାଇଛନ୍ତି ।

ଲକ୍ଷ୍ନୌ ପ୍ଲାଣ୍ଟରେ ଉତ୍ପାଦନ ବୃଦ୍ଧି ପାଇବା ଫଳରେ ଭାରତୀୟ ସେନାର ଆବଶ୍ୟକତା ପୂରଣ ହେବା ସହ ବିଦେଶରୁ ମିଳୁଥିବା ବୃହତ ରପ୍ତାନି ଅର୍ଡରଗୁଡ଼ିକୁ ମଧ୍ୟ ସଠିକ୍ ସମୟରେ ପୂରଣ କରାଯାଇପାରିବ । ଏହି ପ୍ରକଳ୍ପ ଭାରତକୁ ବିଶ୍ୱର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର କ୍ରେତା ସ୍ଥିତିରୁ ହଟାଇ ଏକ ପ୍ରମୁଖ ପ୍ରତିରକ୍ଷା ଉପକରଣ ରପ୍ତାନୀକାରୀ ଦେଶ ଭାବେ ପ୍ରତିଷ୍ଠିତ କରିବା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ଏଥିସହିତ ଭାରତ ଓ ଋଷ ବର୍ତ୍ତମାନ ଆହୁରି ଶକ୍ତିଶାଳୀ ଏବଂ ଶବ୍ଦଠାରୁ ୫ ଗୁଣରୁ ଅଧିକ ବେଗରେ ଗତି କରୁଥିବା ଆଧୁନିକ ହାଇପରସୋନିକ ମିସାଇଲ ‘ବ୍ରହ୍ମୋସ-୨’ ଏବଂ ବ୍ରହ୍ମୋସ ନେକ୍ସଟ୍ ଜେନେରେସନ ବିକଶିତ କରିବା ପାଇଁ ବହୁ ପରିମାଣର ପୁଞ୍ଜିନିବେଶ କରୁଛନ୍ତି, ଯାହା ଶତ୍ରୁ ପକ୍ଷର ଯେକୌଣସି ଏୟାର ଡିଫେନ୍ସ ସିଷ୍ଟମକୁ ସହଜରେ ଚକମା ଦେଇପାରିବ ।


