“ଦୀର୍ଘ ୧୫ ବର୍ଷ ହେବ ଆମେ ଏକ ସ୍ୱାଭାବିକ ଜୀବନ ଜିଇଁ ପାରୁନାହୁଁ। ଆମର ସବୁକିଛି ଶେଷ ହୋଇଯାଇଛି। ସାରା ପରିବାର ଛାରଖାର ହୋଇଯାଇଛି। ମୋ ଗଳାରେ ଏବେ କେବଳ ଏହି ମଙ୍ଗଳସୂତ୍ର ହିଁ ବାକି ଅଛି। ହୁଜୁର… ଆମ ମାମଲାଟି ଶୁଣିନିଅନ୍ତୁ।” ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ସମୟରେ ଜଣେ ମହିଳା ଆବେଦନକାରୀ କାନ୍ଦି କାନ୍ଦି ସର୍ବୋଚ୍ଚ ଅଦାଲତଙ୍କ ଆଗରେ ଏଭଳି ଆକୁଳ ନିବେଦନ କରିଛନ୍ତି। ମହିଳାଙ୍କର ଏହି ଭାବବିହ୍ୱଳ ଗୁହାରି କୋର୍ଟ କକ୍ଷରେ ଉପସ୍ଥିତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା।

ସହାରା ଇଣ୍ଡିଆ ସମ୍ପତ୍ତି ବିକ୍ରି ମାମଲା ସହ ଜଡ଼ିତ ବିବାଦ
ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟର ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସହାରା ଇଣ୍ଡିଆ କମ୍ପାନୀର ସମ୍ପତ୍ତି ବିକ୍ରି ସହ ଜଡ଼ିତ ଏକ ଆବେଦନ ଉପରେ ଶୁଣାଣି କରୁଥିଲେ। ସେହି ସମୟରେ କୋର୍ଟରେ ଉପସ୍ଥିତ ଥିବା ଏହି ମହିଳା ଜଣକ ନିଜର ବେଦନା ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଦୀର୍ଘ ବର୍ଷ ଧରି ଚାଲିଥିବା ଏହି ଆଇନଗତ ବିବାଦ ଯୋଗୁଁ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାବେ ବର୍ବାଦ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ପିଲାମାନଙ୍କ ପାଠପଢ଼ା ତ ଦୂରର କଥା, ସେମାନଙ୍କୁ ଦୁଇ ଓଳି ଗଣ୍ଡେ ଖାଇବାକୁ ଦେବା ମଧ୍ୟ ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି।

ଯାତ୍ରାରେ ପଇସା ନଷ୍ଟ ନକରି ଅନଲାଇନ୍ ଯୋଡ଼ିହେବାକୁ ସିଜେଆଇଙ୍କ ପରାମର୍ଶ
ମହିଳାଙ୍କ କଥା ଶୁଣିବା ପରେ ଖଣ୍ଡପୀଠ ମାମଲାର ଗମ୍ଭୀରତାକୁ ବୁଝି ଏହାର ତୁରନ୍ତ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ସୋମବାର ଏକ ସ୍ୱତନ୍ତ୍ର ବେଞ୍ଚ ଦ୍ୱାରା ଏହି ମାମଲାର ବିଶେଷ ଶୁଣାଣି କରାଯିବ।
ଏହାସହିତ ଆର୍ଥିକ ଅନାଟନ ଦେଇ ଗତି କରୁଥିବା ମହିଳାଙ୍କୁ ଆଶ୍ୱାସନା ଦେଇ କୋର୍ଟ କହିଛନ୍ତି ଯେ, ଶୁଣାଣି ପାଇଁ କୋର୍ଟକୁ ଆସି ଯାତ୍ରା ଖର୍ଚ୍ଚ ବାବଦରେ ଟଙ୍କା ନଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ। ମହିଳା ଜଣକ ଚାହିଁଲେ ନିଜ ଘରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁପ୍ରିମକୋର୍ଟଙ୍କ ସହ ଯୋଡ଼ିହୋଇ ନିଜର ପକ୍ଷ ରଖିପାରିବେ। ତେବେ ମହିଳା ଜଣକ ନିଜ ଆଡ଼ୁ ଜିଦ୍ କରି କହିଥିଲେ ଯେ ଏହି ମାମଲା ତାଙ୍କ ଜୀବନ ମରଣ ସହ ଜଡ଼ିତ ଥିବାରୁ ସେ ନିଜେ କୋର୍ଟରେ ହାଜର ହେବାକୁ ଚାହାନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଏହି ସହାନୁଭୂତିପୂର୍ଣ୍ଣ ନିଷ୍ପତ୍ତି ପରେ ଆସନ୍ତା ସୋମବାର ଏହି ହାଇପ୍ରୋଫାଇଲ୍ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
Also read : https://purvapaksa.com/pakistan-loses-sleep-over-balochistan-crisis-general-asim-munirs-failure-exposed/


