ଭାରତରେ ମଦ ସମ୍ବନ୍ଧୀୟ ନିୟମ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ। କାରଣ ମଦ ଭାରତୀୟ ସମ୍ବିଧାନର ସପ୍ତମ ଅନୁସୂଚୀ ଅନ୍ତର୍ଗତ ରାଜ୍ୟ ତାଲିକାର ବିଷୟ। ବିହାର, ଗୁଜରାଟ, ନାଗାଲାଣ୍ଡ ଓ ମିଜୋରାମ ସମେତ କିଛି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲକ୍ଷଦ୍ୱୀପରେ ମଦ ସେବନ ଉପରେ ପ୍ରତିବନ୍ଧ ରହିଛି। ମଣିପୁରର କିଛି ଜିଲ୍ଲାରେ ମଧ୍ୟ ମଦ ଉପରେ ଆଂଶିକ ପ୍ରତିବନ୍ଧ ରହିଛି। ଅନ୍ୟ ରାଜ୍ୟମାନଙ୍କରେ ମଦ ପିଇବାକୁ ଅନୁମତି ରହିଛି, କିନ୍ତୁ ସେଠାରେ ମଦ ପିଇବାର ଆଇନଗତ ବୟସ ନିର୍ଦ୍ଧାରିତ ହୋଇଛି।
ଅନେକ ଲୋକ ଯେଉଁମାନେ ମଦ ପିଇବାର ଶୌକୀନ, ସେମାନଙ୍କୁ ବିଭିନ୍ନ ବ୍ରାଣ୍ଡର ବୋତଲ ସଂଗ୍ରହ କରିବାର ମଧ୍ୟ ଶୌକ ଥାଏ। ଏପରି ଲୋକେ ଘରେ ବାର ମଧ୍ୟ ତିଆରି କରନ୍ତି। କିନ୍ତୁ ଯଦି ଆପଣ ନିୟମ କାନୁନ ନଜାଣନ୍ତି, ତେବେ ଏହି ଶୌକ ଆପଣଙ୍କୁ ମହଙ୍ଗା ପଡ଼ିପାରେ। ପ୍ରତ୍ୟେକ ରାଜ୍ୟର ନିଜସ୍ୱ ଅବକାରୀ ନିୟମ ରହିଛି। ଯାହା ଅନୁଯାୟୀ ଆପଣ ନିଜ ଘରେ କେତେ ବୋତଲ ରଖିପାରିବେ ତାହା ନିର୍ଦ୍ଧାରିତ। ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ବୋତଲ ନେବାର ମଧ୍ୟ ଏକ ସୀମା ରହିଛି। ଉଦାହରଣ ସ୍ୱରୂପ, ଉତ୍ତର ପ୍ରଦେଶରେ ଆପଣ ଅନ୍ୟ ରାଜ୍ୟରୁ କେବଳ ଗୋଟିଏ ସିଲବନ୍ଦ ବୋତଲ (ଏକ ଲିଟର ପର୍ଯ୍ୟନ୍ତ) ନେଇପାରିବେ। ଏହି ନିୟମର ଉଲ୍ଲଂଘନ କଲେ ଭାରୀ ଜୋରିମାନା ଏବଂ ଏପରିକି ଗିରଫ ମଧ୍ୟ ହୋଇପାରେ।
ଦିଲ୍ଲୀରେ କ’ଣ ନିୟମ ?
ଆସନ୍ତୁ ଜାଣିବା ଉତ୍ତର ଭାରତ ରାଜ୍ୟମାନଙ୍କରେ ଆପଣ ଆଇନଗତ ଭାବେ ଘରେ କେତେ ମଦ ରଖିପାରିବେ। ଦିଲ୍ଲୀର ନିବାସୀ ବିୟର ଓ ଓ୍ୱାଇନ ସମେତ ସର୍ବାଧିକ ୧୮ ଲିଟର ମଦ ଘରେ ରଖିପାରିବେ। ରମ, ହ୍ୱିସ୍କି, ଭୋଡକା ଓ ଜିନ ପରି ବର୍ଗ ପାଇଁ ସର୍ବାଧିକ ସୀମା ୯ ଲିଟର। ଏହି ସୀମା ୨୫ ବର୍ଷ ବା ତା’ଠାରୁ ଅଧିକ ବୟସର ଜଣେ ବ୍ୟକ୍ତି ପାଇଁ। ଏହି ନିୟମ ଦିଲ୍ଲୀ ଏକ୍ସାଇଜ ଆକ୍ଟ, ୨୦୦୯ ଅନ୍ତର୍ଗତ ପ୍ରଣୀତ। ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏକ ମାମଲାରେ ସ୍ପଷ୍ଟ କରିଛି ଯେ ଗୋଟିଏ ଘରେ ରହୁଥିବା ସମସ୍ତ ପ୍ରାପ୍ତବୟସ୍କ (୨୫ ବର୍ଷରୁ ଅଧିକ) ଏହି ସୀମା ଅନୁଯାୟୀ ଅଲଗା ଅଲଗା ପରିମାଣରେ ମଦ ରଖିପାରିବେ। ଯଦି ଆପଣ ଅନ୍ୟତ୍ର ପାର୍ଟି ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ଦିଲ୍ଲୀ ବାହାରେ କେବଳ ଏକ ଲିଟର ମଦ ନେବାକୁ ଅନୁମତି ରହିଛି, ଯଦି ତାହା ସିଲବନ୍ଦ ବୋତଲରେ ଥାଏ।
ହରିୟାଣାରେ କେତେ ଛାଡ଼ ?
ହରିୟାଣା ରାଜ୍ୟରେ ଘରେ ରଖାଯାଇପାରୁଥିବା ମଦର ପରିମାଣ ଉପରେ ବିଶେଷ ସୀମା ରହିଛି। ନିବାସୀମାନଙ୍କୁ ସ୍ଥାନୀୟ ମଦର ସର୍ବାଧିକ ୬ ବୋତଲ, ବିଦେଶୀ ମଦର ୧୮ ବୋତଲ (ଯେଉଁଥିରୁ ସର୍ବାଧିକ ୬ଟି ଆମଦାନୀ ହୋଇପାରେ), ବିୟରର ୧୨ ବୋତଲ, ରମର ୬ ବୋତଲ, ଭୋଡକା/ସାଇଡର/ଜିନର ୬ ବୋତଲ ଏବଂ ଓ୍ୱାଇନର ୧୨ ବୋତଲ ରଖିବାକୁ ଅନୁମତି ରହିଛି। କୌଣସି ଆଇନଗତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହି ସୀମାର ପାଳନ କରିବା ଜରୁରୀ।
ପଞ୍ଜାବରେ ଏତିକି ସୀମା…
ପଞ୍ଜାବରେ ଘରେ ମଦ ରଖିବାର ସୀମା ଏପରି: ଦୁଇ ବୋତଲ ଭାରତୀୟ ନିର୍ମିତ ବିଦେଶୀ ମଦ, ଏକ କେସ ବିୟର, ଦୁଇ ବୋତଲ ବିଦେଶୀ ମଦ, ଦୁଇ ବୋତଲ ଦେଶୀ ମଦ ଏବଂ ଗୋଟିଏ ବୋତଲ ବ୍ରାଣ୍ଡି।
ଯୁପିରେ ଏତିକି ଷ୍ଟୋର କରିପାରିବେ
ଉତ୍ତର ପ୍ରଦେଶ (ଯୁପି)ରେ ମଦ ଭଣ୍ଡାର ସୀମା ଅନୁଯାୟୀ ଘରେ ୧.୫ ଲିଟର ବିଦେଶୀ ମଦ (ଯେପରି ହ୍ୱିସ୍କି, ରମ, ଭୋଡକା) ରଖିବାକୁ ଅନୁମତି ରହିଛି। ଓ୍ୱାଇନ ପାଇଁ ଦୁଇ ଲିଟର ଏବଂ ବିୟର ପାଇଁ ୬ ଲିଟର ଅନୁମତି ରହିଛି, ଯାହା ସାଧାରଣତଃ ୧୨ କେନ (ପ୍ରତ୍ୟେକ ୫୦୦ ମିଲିଲିଟର) ସହ ସମାନ। ଯଦି ଆପଣଙ୍କ ପାଖରେ ମଦର ଲାଇସେନ୍ସ (ଏଲ-୫୦) ଅଛି, ତେବେ ଆପଣ ଘରେ ୭.୫ ଲିଟର ପର୍ଯ୍ୟନ୍ତ ବିଦେଶୀ ମଦ ରଖିପାରିବେ। ଦେଶୀ ମଦର ପରିମାଣ ମଧ୍ୟ ୧.୫ ଲିଟର ପର୍ଯ୍ୟନ୍ତ ସୀମିତ। ପାଉଚ ବା ପୌୱେ ପରିପ୍ରେକ୍ଷୀରେ ଏହି ପରିମାଣ ୭୫୦ ମିଲିଲିଟରର ଦୁଇ ବୋତଲ ସହ ସମାନ।
ରାଜସ୍ଥାନରେ ୧୨ ବୋତଲ
ରାଜସ୍ଥାନର ନିବାସୀ ସର୍ବାଧିକ ୧୨ ବୋତଲ ବା ୯ ଲିଟର ଆଇଏମଏଫଏଲ (ଭାରତୀୟ ନିର୍ମିତ ବିଦେଶୀ ମଦ) ଷ୍ଟୋର କରିପାରିବେ।
ମହାରାଷ୍ଟ୍ରରେ ଭିନ୍ନ ନିୟମ
ମହାରାଷ୍ଟ୍ରରେ ମଦ ପିଇବା କେବଳ ଲାଇସେନ୍ସ ସହିତ ଅନୁମତି ପ୍ରାପ୍ତ। ତେଣୁ, ମୁମ୍ବାଇର ନିବାସୀମାନଙ୍କୁ ମଧ୍ୟ ଘରୋଇ ଓ ଆମଦାନୀ ମାଦକ ପଦାର୍ଥ କିଣିବା, ପରିବହନ ଓ ସେବନ ପାଇଁ ପରମିଟର ଆବଶ୍ୟକତା ରହିଛି।
ଜମ୍ମୁ-କଶ୍ମୀରରେ କ’ଣ ନିୟମ ?
ଜମ୍ମୁ ଓ କଶ୍ମୀରରେ ଆଇନ ଅନୁଯାୟୀ ଆଇଏମଏଫଏଲର ୧୨ ବୋତଲ ଭଣ୍ଡାରଣର ଅନୁମତି ରହିଛି। ଯେଉଁଥିରେ ୭୫୦ ମିଲିଲିଟର ଦେଶୀ ହ୍ୱିସ୍କି ଓ ୬୫୦ ମିଲିଲିଟରର ୧୨ ବିୟର ବୋତଲ ସାମିଲ ରହିଛି।
ହିମାଚଳରେ ୩୬ ବୋତଲ ରଖିପାରିବେ ହିମାଚଳ ପ୍ରଦେଶରେ ଘରେ ୪୮ ବିୟର ଓ ୩୬ ହ୍ୱିସ୍କି ବୋତଲ ରଖିବାକୁ ଅନୁମତି ରହିଛି।
ଦିଲ୍ଲୀରେ ଘରେ ‘ପର୍ସନାଲ ବାର’
ଦିଲ୍ଲୀରେ ଘରେ ଅଧିକ ମଦ ରଖିବା ପାଇଁ ‘ପର୍ସନାଲ ବାର’ ବା ‘ହୋମ ଲାଇସେନ୍ସ’ ଆବଶ୍ୟକ। ଏହି ଲାଇସେନ୍ସ ବିଶେଷ ଭାବେ ସେହି ବ୍ୟକ୍ତିମାନଙ୍କ ପାଇଁ ଯେଉଁମାନେ ନିଜ ଘରେ ଆଇନଗତ ସୀମାରୁ ଅଧିକ ମଦ ରଖିବାକୁ ଚାହାଁନ୍ତି। ଦିଲ୍ଲୀ ଏକ୍ସାଇଜ ଆକ୍ଟ, ୨୦୦୯ ଅନ୍ତର୍ଗତ ଜଣେ ବ୍ୟକ୍ତି (ଯାହାଙ୍କ ବୟସ ୨୫ ବର୍ଷ ବା ତା’ଠାରୁ ଅଧିକ) ନିଜ ଘରେ ସୀମାରୁ ଅଧିକ ମଦ ରଖିବାକୁ ଚାହୁଁଛନ୍ତି, ତାଙ୍କୁ ଲାଇସେନ୍ସର ଆବଶ୍ୟକତା ରହିବ। ଏହା କେବଳ ସେହି ବ୍ୟକ୍ତିମାନଙ୍କୁ ଦିଆଯାଏ ଯାହାର ବାର୍ଷିକ ଆୟ ୨୦ ଲକ୍ଷ ଟଙ୍କାରୁ ଅଧିକ। ଏହା ପାଇବା ପାଇଁ ଆପଣଙ୍କୁ ପ୍ରତି ବର୍ଷ ୧୨,୦୦୦ ଟଙ୍କା ଶୁଳ୍କ ଏବଂ ୫୦,୦୦୦ ଟଙ୍କାର ସିକ୍ୟୁରିଟି ଜମା କରିବାକୁ ପଡ଼ିବ। ଲାଇସେନ୍ସ ଧାରୀ ନିଜ ଘରେ ୭.୫ ଲିଟର ପର୍ଯ୍ୟନ୍ତ ବିଦେଶୀ ମଦ ଓ ୧୮ ଲିଟର ପର୍ଯ୍ୟନ୍ତ ବିୟର ରଖିପାରିବେ। ଲାଇସେନ୍ସର ନିୟମ ଅନ୍ୟ ରାଜ୍ୟମାନଙ୍କ ପାଇଁ ମଧ୍ୟ ରହିଛି।
ଓଡ଼ିଶାରେ ଘରେ କେତେ ମଦ ରଖିପାରିବେ ?
ଓଡ଼ିଶାର ଅବକାରୀ ନିୟମ ଅନୁସାରେ ଜଣେ ବ୍ୟକ୍ତି ଘରେ ଦୁଇ ଲିଟର ଭାରତ ତିଆରି ବିଦେଶୀ ମଦ ରଖିପାରିବେ। ସେହିଭଳି ୫.୨ଲିଟର ବିୟର ଷ୍ଟୋର କରିପାରିବେ। ଯାହା ପ୍ପ୍ରାୟ ୮ ବୋତଲ, ଯଦି ପ୍ରତ୍ୟେକ ବୋତଲ ୬୫୦ ମିଲିଲିଟରର ହୋଇଥାଏ। ଓ୍ୱାଇନ୨ ଲିଟର ଘରେ ରଖିପାରିବେ। ଦେଶୀ ମଦ ୨ ଲିଟର ରଖିପାରିବେ। ତେବେ ଘରେ ମଦ ରଖିବା ପାଇଁ ଆପଣଙ୍କ ବୟସ ୨୧ବର୍ଷରୁ ଅଧିକ ହେବା ଆବଶ୍ୟକ। ଏହି ମଦ ମଧ୍ୟ ଲାଇସେନସ ପ୍ରାପ୍ତ ଦୋକାନରୁ କିଣା ହୋଇଥିବା ଆବଶ୍ୟକ। ଘରେ ପର୍ସନାଲ ବାର କରିବାକୁ ଚାହୁଁଥିଲେ,ଅବକାରୀ ବିଭାଗଠାରୁ ବିଶେଷ ଅନୁମତି ଓ ଲାଇସେନ୍ସ ଆଣିବା ବାଧ୍ୟତାମୁଳକ।
ALSO READ https://purvapaksa.com/great-news-for-odisha-construction-of-a-modern-and-large-port/
