କାନାଡ଼ା, ଆମେରିକା କିମ୍ବା ୟୁରୋପରେ ବସିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର୍ମାନେ ଭାରତର ବ୍ୟବସାୟୀ, ବିଲ୍ଡର ଓ ଧନୀ ଲୋକଙ୍କ ଘରୋଇ ତଥ୍ୟ କିପରି ପାଉଛନ୍ତି? କିଭଳି ହେଉଛି ଟାର୍ଗେଟ୍ ଚୟନ ଏବଂ କୋଟି କୋଟି ଟଙ୍କାର ରଙ୍ଗଦାରୀ ଆଦାୟ? ରାଜଧାନୀ ଦିଲ୍ଲୀର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଜଣେ ୫୦ ବର୍ଷୀୟା ମହିଳାଙ୍କୁ ବିଦେଶୀ ନମ୍ବରରୁ କଲ୍ କରି ୨୦୦ କୋଟି ଟଙ୍କାର ରେକର୍ଡ ରଙ୍ଗଦାରୀ ମଗାଯିବା ଘଟଣା ପରେ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି କଲ୍ କୁଖ୍ୟାତ ଗ୍ୟାଙ୍ଗଷ୍ଟାର୍ ଗୋଲ୍ଡି ବ୍ରାର୍ ନାମରେ ଆସିଥିବା କୁହାଯାଉଛି। ଏତେ ବଡ଼ ପରିମାଣର ଟଙ୍କା ଦାବି ହେବା ପରେ ଗୁଇନ୍ଦା ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ବିଦେଶରେ ଲୁଚି ରହିଥିବା କ୍ରାଇମ୍ ସିଣ୍ଡିକେଟ୍ର ଭାରତୀୟ ନେଟୱାର୍କ ଉପରୁ ପରଦା ଉଠାଇଛନ୍ତି।
କିପରି ହୁଏ ଟାର୍ଗେଟ୍ ଚୟନ? ଭିତରର ଖବର ପହଞ୍ଚାଉଛନ୍ତି କିଏ?
ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଦେଶରେ ବସିଥିବା କୌଣସି ଗ୍ୟାଙ୍ଗଷ୍ଟାର୍ ନିଜେ ସିଧାସଳଖ ଭାରତରେ କାହାକୁ ଖୋଜନ୍ତି ନାହିଁ। ଏଥିପାଇଁ ଦେଶ ଭିତରେ ଲୋକାଲ୍ ଇନଫର୍ମର ଓ ଅପରାଧୀଙ୍କ ଏକ ମଜଭୁତ୍ ସିଣ୍ଡିକେଟ୍ କାର୍ଯ୍ୟ କରିଥାଏ:
ଲୋକାଲ୍ ମାଫିଆ ଓ ବ୍ୟବସାୟୀଙ୍କ ଲିଙ୍କ୍ :
ଦିଲ୍ଲୀ-ଏନ୍ସିଆର୍, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ସକ୍ରିୟ ଥିବା ସ୍ଥାନୀୟ ଅପରାଧୀ, ପ୍ରପର୍ଟି ଡିଲର, ବିଲ୍ଡର, ସଟ୍ଟା ଅପରେଟର ଏବଂ ହାୱାଲା କାରବାରୀମାନେ ଏହି ଗ୍ୟାଙ୍ଗଷ୍ଟାର୍ମାନଙ୍କ ସହ ସିଧାସଳଖ ଯୋଡ଼ି ହୋଇ ରହିଛନ୍ତି। ଏପରିକି କେତେକ ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀ ଓ ଓକିଲ ମଧ୍ୟ ଏହି ସୂଚନା ପ୍ରଦାନରେ ସହାୟତା କରୁଥିବା ଅଭିଯୋଗ ରହିଛି।
କାହା ଉପରେ ରହେ ନଜର :
ବିଶେଷ କରି ଜୁଏଲର୍ସ, ଧନୀ ବିଲ୍ଡର, କାର୍ ଡିଲର, ବଡ଼ ଟ୍ରାନ୍ସପୋର୍ଟର, ବେଆଇନ କଲ୍ ସେଣ୍ଟର ମାଲିକ ଓ ଡ୍ରଗ୍ସ ଡିଲରମାନଙ୍କ ଉପରେ ଏମାନଙ୍କ ତୀକ୍ଷ୍ଣ ନଜର ଥାଏ। କାରଣ ଏମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ କଳାଧନ ଥିବାରୁ ସେମାନେ ପୋଲିସ ନିକଟକୁ ଯିବାକୁ ଡରନ୍ତି।
ପାରିବାରିକ ବିବାଦର ସୁଯୋଗ :
ସିଭିଲ୍ ଲାଇନ୍ସ ମାମଲାରେ ଯେପରି ମହିଳାଙ୍କ ଶ୍ୱଶୁରଙ୍କ ମୃତ୍ୟୁ ପରେ ପରିବାରରେ କୋଟି କୋଟି ଟଙ୍କାର ସମ୍ପତ୍ତି ବିବାଦ ଚାଲିଥିଲା, ସେହିଭଳି ଘରୋଇ ଶତ୍ରୁତା ଓ ବିବାଦର ତଥ୍ୟ ପାଇବା ପରେ ସ୍ଥାନୀୟ ମଧ୍ୟସ୍ଥିମାନେ ବିଦେଶରେ ବସିଥିବା ମୁଖ୍ୟ ଗ୍ୟାଙ୍ଗଷ୍ଟାର୍କୁ ଟାର୍ଗେଟ୍ର ଫୋନ୍ ନମ୍ବର, ଠିକଣା, ଆର୍ଥିକ କ୍ଷମତା ଓ ପରିବାରର ସମସ୍ତ ବିବରଣୀ ହସ୍ତାନ୍ତର କରନ୍ତି।
କଲ୍ ପରେ ଭୟ ସୃଷ୍ଟି: ଟଙ୍କା ନମିଳିଲେ ଘର ଉପରକୁ ଗୁଳିଚାଳନା
ସୂଚନା ପାଇବା ପରେ ବିଦେଶରେ ଥିବା ଗ୍ୟାଙ୍ଗ୍ ଲିଡର୍ ଇଣ୍ଟରନେଟ୍ ଭର୍ଚୁଆଲ୍ ନମ୍ବର କିମ୍ବା ବିଦେଶୀ ନେଟୱାର୍କରୁ ହ୍ୱାଟ୍ସଆପ୍ କଲ୍ ମାଧ୍ୟମରେ ଧମକ ଦିଏ।
1. ଚୁକ୍ତି ବା ମାଣ୍ଡୱାଲି :
ଯଦି ଟାର୍ଗେଟ୍ ଭୟଭୀତ ହୋଇ ଟଙ୍କା ଦେବାକୁ ରାଜି ହୁଏ, ତେବେ ଲୋକାଲ୍ ମଧ୍ୟସ୍ଥି ଜରିଆରେ ନଗଦ ଟଙ୍କା ବୁଝାମଣା କରାଯାଇ ନିଆଯାଏ।
2. ଭଡ଼ାଟିଆ ସୁଟର୍ଙ୍କ ଦ୍ୱାରା ଫାୟାରିଂ :
ଯଦି କେହି ଟଙ୍କା ଦେବାକୁ ମନା କରନ୍ତି କିମ୍ବା ଡେରି କରନ୍ତି, ତେବେ ଜେଲ୍ରେ କିମ୍ବା ବାହାରେ ଥିବା ଗ୍ୟାଙ୍ଗ ମେମ୍ବରଙ୍କ ଜରିଆରେ ନୂଆ ଯୁବକମାନଙ୍କୁ ବିଦେଶ ପଠାଇବା କିମ୍ବା ମୋଟା ଅଙ୍କର ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଏ। ଏହାପରେ ଟାର୍ଗେଟ୍ର ଘର କିମ୍ବା ଅଫିସ୍ ଆଗରେ ଅନ୍ଧାଧୁନ୍ଧ ଗୁଳିଚାଳନା କରି ଆତଙ୍କ ଖେଳାଯାଏ।
କେଉଁଠି ଖର୍ଚ୍ଚ ହୁଏ ରଙ୍ଗଦାରୀ ଟଙ୍କା? କିଭଳି ଯାଏ ବିଦେଶ?
ପୋଲିସ ଅଧିକାରୀଙ୍କ ଅନୁସାରେ, ଦେଶର ବିଭିନ୍ନ ଜେଲ୍ରେ ବନ୍ଦୀ ଥିବା ଅପରାଧୀ ଓ ବିଦେଶ ପଳାଇଥିବା ଗ୍ୟାଙ୍ଗଷ୍ଟାର୍ମାନଙ୍କର ମାସିକ ଖର୍ଚ୍ଚ ଲକ୍ଷ ଲକ୍ଷ ଟଙ୍କାରେ ପହଞ୍ଚିଥାଏ।
ଜେଲ୍ ଭିତରେ ସୁବିଧା ଓ ନୂଆ ଅସ୍ତ୍ର କ୍ରୟ :
ଜେଲ୍ ଭିତରେ ମୋବାଇଲ୍ ଫୋନ୍, ସୁଖସୁବିଧା ଏବଂ ବାହାରେ ଥିବା ସୁଟର୍ମାନଙ୍କ ପାଇଁ ଅତ୍ୟାଧୁନିକ ମାରଣାସ୍ତ୍ର ଓ ଲଜିଷ୍ଟିକ୍ସ ଯୋଗାଡ଼ ପାଇଁ ବିପୁଳ ପାଣ୍ଠି ଆବଶ୍ୟକ ହୁଏ।
ହାୱାଲା ଓ କ୍ରିପ୍ଟୋକରେନ୍ସି (USDT) ମାଧ୍ୟମରେ ଚାଲାଣ :
ଆଦାୟ ହେଉଥିବା ରଙ୍ଗଦାରୀ ଟଙ୍କାକୁ ସ୍ଥାନୀୟ ସହଯୋଗୀମାନେ ହାୱାଲା ନେଟୱାର୍କ କିମ୍ବା କ୍ରିପ୍ଟୋକରେନ୍ସି ଜରିଆରେ ବିଦେଶକୁ ପଠାନ୍ତି। ସେହି ଟଙ୍କାରେ ବିଦେଶରେ ବିଳାସମୟ ଜୀବନ ବିତାଇବା ସହ ଭାରତ ଭିତରେ ପ୍ରପର୍ଟି, ହୋଟେଲ, ବାର୍-ରେଷ୍ଟୁରାଣ୍ଟ୍, ବିଟ୍କଏନ୍, ସୁନା ବ୍ୟବସାୟ ଓ ବେଆଇନ ମଦ ବ୍ୟବସାୟରେ ବିନିଯୋଗ କରାଯାଏ।
ସୁରକ୍ଷା ଏଜେନ୍ସିଙ୍କ ଆଗରେ ବଡ଼ ଆହ୍ୱାନ
ଗୋଲ୍ଡି ବ୍ରାର୍, ଲରେନ୍ସ ବିଷ୍ଣୋଇ ସିଣ୍ଡିକେଟ୍ ଭଳି ସଂଗଠିତ ଅପରାଧୀ ଗୋଷ୍ଠୀ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ଦିଲ୍ଲୀର ସ୍ଥାନୀୟ ଗ୍ୟାଙ୍ଗ୍ଗୁଡ଼ିକ ସହିତ ହାତ ମିଳାଇ ଏକ ବିଶାଳ ସାମ୍ରାଜ୍ୟ ଗଢ଼ି ତୋଳିଛନ୍ତି। ଭାରତ ସରକାର ଓ ଏନ୍ଆଇଏ ଇଣ୍ଟରପୋଲ୍ ଏବଂ ବିଦେଶୀ ସରକାରଙ୍କ ସହ ମିଶି ଏହି ପଳାତକ ଅପରାଧୀଙ୍କ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଚଳାଇଥିବା ବେଳେ, ଦେଶ ଭିତରେ ଥିବା ସେମାନଙ୍କ ଗୁପ୍ତଚର ଓ ସହାୟକ ନେଟୱାର୍କକୁ ମୂଳପୋଛ କରିବା ଏବେ ସୁରକ୍ଷା ବାହିନୀ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି।


