Hostel Life: ପିଲାବେଳେ ଆମ ସମସ୍ତଙ୍କୁ ସ୍କୁଲ ବା ଘରେ ନିଶ୍ଚୟ ପଚାରିଥିବେ, ଯେ ତମେ ବଡ଼ ହୋଇ କ’ଣ ହେବ ?
ଆମେ ମଧ୍ୟ ସେତେ ଉତ୍ସାହର ସହ କହୁ, ମୁଁ ବଡ଼ ହୋଇ ଡାକ୍ତର ହେବି, ଟିଚର ହେବି, ଇଞ୍ଜିନିୟର ହେବି। ସେହି ଛୋଟ ଛୋଟ ଆଖିରେ ଅନେକ ବଡ଼ ବଡ଼ ସ୍ୱପ୍ନ ନେଇ ଆମେ ଆସିଥାଉ ଗାଁ ରୁ ସହରକୁ । ନିଜ ସ୍ୱପ୍ନକୁ ବାସ୍ତବତାର ଛୁଆଁ ଦେବାପାଇଁ ଅନେକ ପରିଶ୍ରମ ମଧ୍ୟ କରୁ ।

ସ୍କୁଲ ସରିବା ପରେ ଛୋଟ ଛୋଟ କାନ୍ଧରେ ବଡ଼ ବଡ଼ ସ୍ୱପ୍ନର ବୋଝ ନେଇ ଗାଁରୁ ଚାଲି ଆସୁ ସହରରେ। ସହରରେ ଥିବା ବଡ଼ କଲେଜ, ବିଲଡିଂ, ବିଭିନ୍ନ ପ୍ରକାରର ଜିନିଷ ଆମକୁ ନେଇ ଯାଏ ଏକ ରଙ୍ଗୀନ ଦୁନିଆକୁ। ପ୍ରଥମେ ପ୍ରଥମେ ତ ଏହି ରଙ୍ଗୀନ ଦୁନିଆ ଆମକୁ ବେଶ ଭଲଲାଗେ। ହେଲେ ବାସ୍ତବତାର ଚୋଟ ବେଳେବେଳେ ଆମକୁ ଗଭୀର ଭାବରେ ଭାଙ୍ଗି ଦେଇଥାଏ।

ପ୍ରଥମେ, ଏହି ଅଜଣା ସହରରେ ରହିବା ପାଇଁ ଜାଗା ବା ହଷ୍ଟେଲ ଖୋଜ। ତାପରେ ସ୍ୱପ୍ନ ପୂରଣର ପ୍ରତିଯୋଗିତାରେ ବାହାରି ପଡ଼। ନିଜ ଘର, ରୁମ, ବେଡ଼, ମା’ ବାବାଙ୍କୁ ଛାଡ଼ି ବାହାରେ ରହିବାକୁ ଟିକେ କଷ୍ଟ ତ ହେବ, ହେଲେ ଧୀରେ ଧୀରେ ଠିକ ହୋଇଯିବ ଭାବି ଆମେ ସମସ୍ତେ ଖୁସି ଖୁସି ହଷ୍ଟେଲରେ ରହିବାକୁ ପ୍ରସ୍ତୁତ ହୋଇଯାଉ। ହେଲେ ହଷ୍ଟେଲରେ ପହଞ୍ଚିବା ପରେ ପ୍ରଥମ ନଜର ପଡ଼େ ସେହି ରୁମରେ। ଛୋଟ ଗୋଟିଏ ରୁମରେ ୪ଟି ବେଡ଼, ଠିକ ସେ ଯିବା ଆସିବା, ଚାଲିବା ବୁଲିବା ପାଇଁ ମଧ୍ୟ ଜାଗା ନାହିଁ । ଜିନିଷ ରଖିବା ପାଇଁ ଗୋଟିଏ ଥାକ, ଗାଧୋଇବା ପାଇଁ ୪ଟି ରୁମ ପିଲାଙ୍କୁ ଗୋଟିଏ ବାଥ୍ ରୁମ୍ । ବହୁତ କଷ୍ଟରେ ନିଜ ଜିନିଷ ପତ୍ର ଠିକରେ ରଖିବା ପରେ ଗାଧୋଇ ଯିବା ପାଇଁ ଘଣ୍ଟାଏ ୱେଟ କରିବା ସତରେ ବହୁତ କଷ୍ଟକର ।

ତେବେ କିଛି ନୂଆ ଅନୁଭୂତି ମଧ୍ୟ ଥାଏ ହଷ୍ଟେଲ ଜୀବନରେ । ଯେମିତି କି ନୂଆ ସହରରେ ନୂଆ ବନ୍ଧୁ ମଧ୍ୟ ମିଳିଥାଏ। ଆଉ ରୁମମେଣ୍ଟମାନଙ୍କ ସହ ଧୀରେ ଧୀରେ ସମ୍ପର୍କ ମଧ୍ୟ ବଢ଼ିଥାଏ। ସମସ୍ତଙ୍କ ସହ ମିଶି କ୍ୟାଣ୍ଟିନକୁ ଯିବା ଖାଇବା ଆଣିବା ପାଇଁ । ଲାଇନରେ ଛିଡ଼ା ହୋଇ ଖାଇବା ନେବା ଏବଂ ସମସ୍ତଙ୍କ ସହ ବସି ଖାଇବା। ସେହି ହଷ୍ଟେଲର ଭାତ ଆଉ ଡାଲି ପ୍ରଥମ ଥର ପାଇଁ ମୁହଁରେ ଦେଲେ ମନେ ପଡ଼ିଯାଏ ମା’ ହାତ ରନ୍ଧା ଖାଇବା। ଏମିତି କେତେଥର ଘରେ ଆମେ ଖାଇବା ପକେଇ ଦେଇଥିବା କି ମା’ଙ୍କୁ ଜିଦ୍ଦି କରିଥିବା ଯେ ନାଁ ମୁଁ ଏଇ ଖାଇବା ଖାଇବିନି। ଯେତେ କଷ୍ଟ ହେଲେ ମଧ୍ୟ ସେ ଆମ ପାଇଁ ଆମ ପସନ୍ଦର ଖାଇବା ବନେଇ କି ଦିଏ। ହେଲେ ଏଠି ନାଁ ଆମ ଜିଦ୍ଦି ଶୁଣିବା ପାଇଁ କେହି ଥିବେ ନାଁ ଆମ ଭୋକ ମେଣ୍ଟାଇବା ପାଇଁ ମା’।

ଏତେ କିଛି ପରେ ମଧ୍ୟ ଆମେ ସକାଳେ ଉଠି ବାଥରୁମ ଲାଇନରେ ଲାଗି ସେହି ହଷ୍ଟେଲର ଖାଇବା ଖାଇ ବାହାରି ପଡୁ ଆମ ସ୍ୱପ୍ନକୁ ପୂରଣ କରିବା ପାଇଁ। ନୂଆ ଜାଗାରେ ଖାପ ଖୁଆଇ ଚଳିବା ପାଇଁ ଅବଶ୍ୟ ଟିକେ ସମୟ ଲାଗିପାରେ। ଯେମିତି କି, ରାସ୍ତାରେ ଯିବା ବେଳେ ଟ୍ରାଫିକ ନିୟମ, କେଉଁ ଗାଡ଼ି କେତେବେଳେ ଆସିବ, ହଷ୍ଟେଲ ଠାରୁ କଲେଜ କେତେ ଦୂର, ଅଟୋରେ ଗଲେ କେତେ ଟଙ୍କା, ସମୟରେ ଯିବା ଆସିବା, ଆହୁରି ଅନେକ କିଛି କୁ ଏକା ମ୍ୟାନେଜ କରିବା ପଡ଼େ। ବୋଧହୁଏ ସେତେବେଳେ ହିଁ ଆମେ ମଚୁରିଟି(Maturity)ର ସଠିକ ମାନେ ବୁଝିଥାଉ।
ଅନ୍ୟପଟେ ଯେତେବେଳେ ଆମେ କିଛି ପଇସା ସଞ୍ଚୟ ପାଇଁ ସେଇ ଛୋଟ ଘରେ ନିଜେ ରୋଷେଇ କରିଥାଉ ସେତେବେଳେ ଆମକୁ ମିଳିଥାଏ ଆଉ ଏକ ନୂଆ ଅନୁଭୂତି। ଗୋଟିଏ ଛୋଟ ଘର ସେଥିରେ ଦୁଇଜଣ ମଣିଷକୁ ତା ପାଖରେ ରୋଷେଇ ପାଇଁ ଜାଗା। ଏମିତି ବିଶେଷ କିଛି ସମସ୍ୟା ହେଉ ନଥିଲେ ମଧ୍ୟ ନିଜ ରୋଷେଇ ନିଜେ କରିବା, ଘର ସଫା କରିବା, ନିଜ ଜିନିଷ ସଫା ରଖିବା, ବାଥରୁମ ସଫା କରିବା, ରୋଷେଇ ପାଇଁ ନିଜେ ଜିନିଷ ଆଣିବା, ବେସିଙ୍ଗର ନଳ ଖରାପ ହୋଇ ଗଲେ ନିଜେ ଠିକ କରିବା ଠୁ ଆରମ୍ଭ କରି ଆହୁରି ଅନେକ କିଛି ରହିଛି। ତାପରେ ରୋଷେଇକୁ ନେଇ ତ ଅନେକ ନୂଆ ନୂଆ ଏକ୍ସପେରିମେଣ୍ଟ, ଜାଳିବା ପୋଡିବା ଏ ସବୁ ତ ଅଛି ହିଁ।

ପାଖରେ ପଇସା ନ ଥିଲେ ବି ଚୁପ ରହିଯିବା, କାହାକୁ କିଛି ନ କହିବା, ଆଉ ପଚାରିଲେ କହିବା- ନାଁ ମୋର ଟଙ୍କା ଦରକାର ନାହିଁ। ବୋଧହୁଏ ଏହାକୁ ହିଁ କୁହନ୍ତି ଆତ୍ମନିର୍ଭର ହେବା। ଏହି ସବୁ ବି ଆମ ସମସ୍ତଙ୍କ ଜୀବନର ଗୋଟିଏ ଗୋଟିଏ ଶିକ୍ଷା। କୁହନ୍ତି ନାଁ… ସବୁ ଶିକ୍ଷା ବହିରେ ନଥାଏ, କିଛି ଆମକୁ ଜୀବନ ଶିଖେଇଥାଏ। ସେ ପୁଅ ହେଉ କି ଝିଅ ଏହି ଅନୁଭୂତି ସମସ୍ତଙ୍କ ପାଇଁ ସମାନ ହିଁ ଥାଏ । ଏହି ଯୁଦ୍ଧରେ ଲଢ଼ି ଲଢ଼ି କିଛି ଯୋଧ୍ୟା ଆଗକୁ ବଢି ବିଜୟୀ ହୁଅନ୍ତି ଆଉ କିଛି ଏହି ଲଢେଇରେ ହାର ମାନି ନିଅନ୍ତି।

ଦୁନିଆର ସବୁଠାରୁ ମହଙ୍ଗା ଗୋଲାପ, ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଆପଣ

