ସ୍ୱୟଂସିଦ୍ଧ
୨୦୧୫ ମସିହାର ଏହି ଘଟଣା ଯେତିକି ହୃଦୟ ବିଦାରକ, ସେତିକି ଲୋମ ଟାଙ୍କୁରା ଓ ଛାତି ଥରା। କଟକ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ ଅଫ୍ ପେଡ଼ିଆଟ୍ରିକ୍ ଯାହା ଶିଶୁ ଭବନ ନାଁ’ରେ ପରିଚିତ; ସେଠାରେ ୨୦ ଦିନ ଭିତରେ ଜଣଙ୍କ ପରେ ଜଣେ କରି ୬୫ ଶିଶୁ ମା’ କୋଳରୁ ସବୁଦିନ ପାଇଁ ବିଦାୟ ନେଇଥିଲେ। ଏହି ଶିଶୁମାନେ ସୁସ୍ଥ ହେବାକୁ ଆସିଥିଲେ କିନ୍ତୁ ଶବ ହୋଇ ଫେରିଲେ। ଏହାକୁ ନେଇ ସାରାରାଜ୍ୟରେ ତୁମ୍ବିତୋଫାନ ପରେ ରାଜନୀତି କଡ଼ ଲେଉଟାଇଥିଲା।
କଂଗେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ରାଜନୈତିକ କର୍ମୀମାନଙ୍କ ଘନ ଘନ ଗସ୍ତ ଏହାକୁ ବଡ଼ ଏକ ଜନଅଶାନ୍ତିରେ ବଦଳାଇଥିଲା। ତଥ୍ୟ ଆଡ଼େଇବାବେଳେ ସାମ୍ନାକୁ ଆସିଥିଲା ବହୁ ବିସ୍ଫୋରକ ତଥ୍ୟ। ବିଜୁ ଜନତା ଦଳର ଶାସନ କାଳରେ ୨୦୧୫ରେ ଏଠାରେ ଭର୍ତ୍ତି ହୋଇଥିବା ୧୧୨୫୦ ଶିଶୁଙ୍କ ମଧ୍ୟରୁ ଆଖି ବୁଜିଥିଲେ ୯୬୫ ଶିଶୁ। ସେହିପରି ୨୦୧୪ ମସିହାରେ ୧୮୨୭୧ ଶିଶୁଙ୍କ ମଧ୍ୟରୁ ଶେଯରୁ ଉଠିନଥିଲେ ୧୫୨୨ ଶିଶୁ।
୨୦୧୩ ମସିହାରେ ଭର୍ତ୍ତି ହୋଇଥିବା ୧୨୬୮୩ ଶିଶୁଙ୍କ ମଧ୍ୟରୁ ସବୁଦିନ ପାଇଁ ଆଖିବୁଜିଥିଲେ ୧୦୩୩ ଶିଶୁ। ଶିଶୁ ଭବନ କାହିଁକି ଯମ ଭୁବନ ପାଲଟିଲା ତାକୁ ନେଇ ଲମ୍ବା ବିତର୍କ ଆରମ୍ଭ ହୋଇଥିଲା। ୨୦ ଦିନ ଭିତରେ ୬୫ ଶିଶୁଙ୍କ ମୃତ୍ୟୁ ସେପ୍ଟିସେମିଆ ଓ ନିମୋନିଆ କାରଣରୁ ହୋଇଥିବା ନେଇ ଶିଶୁ ଭବନ କର୍ତ୍ତୃପକ୍ଷ ସଫେଇ ଦେଇଥିବାବେଳେ ଏହାର ଦୁର୍ବଳ ଚିକିତ୍ସା ଭିତ୍ତିଭୂମି ଓ ଦକ୍ଷ କର୍ମଚାରୀଙ୍କ ଅଭାବ ତଥା ଚିକିତ୍ସାରେ ଅବହେଳା ହିଁ ଶିଶୁଙ୍କ ପାଇଁ କାଳଫାଶ ବୋଲି ଅବିଭାବକଙ୍କ କୋହଭରା ପ୍ରତିକ୍ରିୟା ଥିଲା।
ମାଳମାଳ ଘଟଣା
ମୟୁରଭଞ୍ଜରୁ ମାଲକାନଗିରି, ସୁବର୍ଣ୍ଣପୁରରୁ ସୁନ୍ଦରଗଡ଼, କେନ୍ଦୁଝରରୁ କୋରାପୁଟ ଓ ନୟାଗଡ଼ରୁ ରାୟଗଡ଼ା ସବୁଠି ଏବେ ଡାକ୍ତରୀ ଅବହେଳାକୁ ନେଇ ଶିଶୁ ମୃତ୍ୟୁର ମାଳମାଳ ଅଭିଯୋଗ। ଠିକ ସମୟରେ ଚିକିତ୍ସା ନ ପାଇ ଅନେକ ନିରୀହ ଶିଶୁଙ୍କ ଜୀବନ ଅକାଳରେ ଶେଷ ହେଉଛି । ଗତ କିଛିବର୍ଷ ମଧ୍ୟରେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି, ଯାହା ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଉଛି।
ବାଲେଶ୍ୱରରେ ଏକ ହୃଦୟବିଦାରକ ଘଟଣା ଚଳିତ ବର୍ଷ ଦେଖିବାକୁ ମିଳିଛି। ୧୧ ବର୍ଷୀୟ ଶେଖ୍ ହାଲିମ ନାମକ ଜଣେ ଶିଶୁଙ୍କୁ ଗୋପୀ କିଶନ ଭଟ୍ଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ଘୋଷଣା କରାଯାଇଥିଲା। କିନ୍ତୁ ପରିବାର ଲୋକେ ଶିଶୁଟିର ଶରୀରରେ ନିଶ୍ଚେତନ ଅବସ୍ଥାରେ ଶ୍ୱାସକ୍ରିୟା ଓ ଗତି ଦେଖି ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଓ ସ୍ଥାନୀୟ ଲୋକେ ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସେହିପରି ଗତ ମେ ମାସରେ ତ୍ରୁଟିପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କାରଣରୁ ଗର୍ଭସ୍ଥ ଶିଶୁକୁ ହରାଇ ଏକ ଦମ୍ପତ୍ତି ଭଦ୍ରକ-ଚାନ୍ଦବାଲି ରାସ୍ତାରେ ମୃତ ଭୃଣକୁ କପଡ଼ାରେ ଗୁଡ଼ାଇ ବସି ରହିଥିଲେ। ସେହିପରି ୨୦୨୨ ମସିହାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନ ମଧ୍ୟରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ପରିବାରର ଅଭିଯୋଗ ଥିଲା ଯେ ଡାକ୍ତରଙ୍କ ଅନୁପସ୍ଥିତି ଓ ଶିଶୁ ଯତ୍ନ ଚିକିତ୍ସା କେନ୍ଦ୍ରରେ ଅମ୍ଳଜାନ ଭଳି ମୌଳିକ ସୁବିଧାର ଅଭାବ କାରଣରୁ ଘଟିଥିଲା ଏତେ ବଡ଼ ଦୁଃଖଦ ଘଟଣା। ତତ୍କାଳୀନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ଏକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଏହି ରିପୋର୍ଟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହୋଇପାରିଲା ନାହିଁ। ଉପକୂଳଠାରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠୁ ଆସିଛି ସମାନ ଅଭିଯୋଗ।
ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୨୫ ମସିହାରେ ଜଣେ ୯ ବର୍ଷୀୟ ଶିଶୁଙ୍କ ମୃତ୍ୟୁ ରକ୍ତ ସଞ୍ଚାରଣରେ ବିଳମ୍ବ ଯୋଗୁଁ ହୋଇଥିଲା ବୋଲି ଅଭିଯୋଗ ହୋଇଛି। ସେହିପରି, ୨୦୦୮ ମସିହାରେ ପାରଳାଖେମୁଣ୍ଡିରେ ଜଣେ ୩ ବର୍ଷୀୟ ଶିଶୁଙ୍କ ମୃତ୍ୟୁ ଡାକ୍ତରଙ୍କ ଅନୁପସ୍ଥିତି ଓ ପ୍ରଭାବୀ ଚିକିତ୍ସାର ଅଭାବ ଯୋଗୁଁ ହୋଇଥିଲା।
ମାର୍ଚ୍ଚ ୩୧ ,୨୦୨୫ ମସିହାରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଭୁଲ ଇଞ୍ଜେକସନ ଦେବାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ଉଠିଥିଲା ଅଭିଯୋଗ। ଗର୍ଭ ବେଦନା ହେବାରୁ ପ୍ରଶାନ୍ତ ବିଶୋୟୀ ନିଜ ପତ୍ନୀ ଅମୃତାଙ୍କୁ ଉମରକୋଟ ନେବାକୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସ ନ ଆସିବାରୁ ସେ ଡାବୁଗାଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଗୁଗୁଲରୁ ସର୍ଚ୍ଚ କରି ଇଞ୍ଜେକ୍ସନ ଲେଖିଥିଲେ ଓ ଇଞ୍ଜେକ୍ସନ ଦେବାର ଅଳ୍ପ ସମୟ ମଧ୍ୟରେ ଅମୃତାଙ୍କ ମୃତ୍ୟୁ ଘଟିଥିବା ନେଇ ଉଠିଥିଲା ଝଡ଼।
ଦୁର୍ବଳ ଭିତ୍ତିଭୂମି, ବିପର୍ଯ୍ୟସ୍ତ ବ୍ୟବସ୍ଥା
ଡାକ୍ତରୀ ଅବହେଳା ପାଇଁ ଶିଶୁମୃତ୍ୟୁର ଏହି ଘଟଣା ଗୁଡ଼ିକ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସୂଚାଉଛି । ଓଡ଼ିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଅନେକ ସମସ୍ୟା ରହିଛି। ଗ୍ରାମାଞ୍ଚଳରେ ନର୍ସଙ୍କ ଅଭାବ, ଅପର୍ଯ୍ୟାପ୍ତ ଅମ୍ଳଜାନ ଓ ଔଷଧ ସୁବିଧା, ଆବଶ୍ୟକୀୟ ପାରା ମେଡିକାଲ କର୍ମୀ ଓ ଅଭିଜ୍ଞ ଫାର୍ମାସିଷ୍ଟଙ୍କ ଅଭାବ ସହିତ ଚିକିତ୍ସା କେନ୍ଦ୍ରଗୁଡ଼ିକରେ ମୌଳିକ ଭିତ୍ତିଭୂମିର ଅଭାବ ଏହାର ମୁଖ୍ୟ କାରଣ। ଅନେକ ସମୟରେ ଡାକ୍ତରମାନେ କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ମଧ୍ୟ ଉଠୁଛି। ଏହା ସହିତ, ସରକାରୀ ଡାକ୍ତରଖାନାଗୁଡ଼ିକରେ ଦାୟିତ୍ୱବୋଧର ଅଭାବ ଏହି ସମସ୍ୟାକୁ ଆହୁରି ଜଟିଳ କରୁଛି।
ପରିବାର ଉପରେ ପ୍ରଭାବ
ଏଭଳି ଘଟଣା କେବଳ ଏକ ଶିଶୁଙ୍କ ଜୀବନ ହାରିବା ନୁହେଁ, ଏହା ସମ୍ପୃକ୍ତ ପରିବାରର ମାନସିକ ଓ ଆର୍ଥିକ ସ୍ଥିତିକୁ ମଧ୍ୟ ଭାଙ୍ଗିଦିଏ। ମାତାପିତାଙ୍କ ପାଇଁ ଏହା ଏକ ଅସହ୍ୟ କ୍ଷତି। ଅନେକ ପରିବାର ନ୍ୟାୟ ପାଇଁ ଆନ୍ଦୋଳନ କରୁଛନ୍ତି, କିନ୍ତୁ ଅଧିକାଂଶ କ୍ଷେତ୍ରରେ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉନାହିଁ।
ସମାଧାନ କ’ଣ?
ଏହି ସମସ୍ୟାର ସମାଧାନ ପାଇଁ ସରକାର ଓ ସ୍ୱାସ୍ଥ୍ୟ ବିଭାଗକୁ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ିବ। ଡାକ୍ତର ଓ କର୍ମଚାରୀ ନିଯୁକ୍ତି; ଗ୍ରାମାଞ୍ଚଳରେ ଅଧିକ ଡାକ୍ତର ଓ ନର୍ସଙ୍କ ନିଯୁକ୍ତି ସହିତ ଗ୍ରାମୀଣ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଆବଶ୍ୟକୀୟ ବଜେଟ ବ୍ୟବସ୍ଥା ହେଉ । ପ୍ରତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଶିଶୁ ରୋଗ ବିଶେଷଜ୍ଞ ନିୟୋଜିତ ହୁଅନ୍ତୁ। ସରକାରୀ ହସ୍ପିଟାଲଗୁଡ଼ିକରେ ଆଧୁନିକ ଉପକରଣ, ସମସ୍ତ ପ୍ରକାର ପରୀକ୍ଷଣ ବ୍ୟବସ୍ଥା ଓ ପରାମର୍ଶ ସେବା ଆରମ୍ଭ କରାଯାଉ। ଦାୟିତ୍ୱବୋଧ; ଚିକିତ୍ସା ଅବହେଳା କରୁଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ। ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଅଧିକାର ସମ୍ପର୍କରେ ସଚେତନ କରାଯାଉ।
ଓଡ଼ିଶାରେ ଚିକିତ୍ସା ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ଏକ ଗମ୍ଭୀର ସମସ୍ୟା ହୋଇଛି। ଏହା କେବଳ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ତ୍ରୁଟିକୁ ସୂଚାଇ ନାହିଁ, ବରଂ ଆମ ସମାଜର ନୈତିକ ଦାୟିତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠାଉଛି। ଶିଶୁଙ୍କ ଜୀବନ ହେଉଛି ଅମୂଲ୍ୟ,ଏବଂ ତାଙ୍କୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ସରକାର, ସ୍ୱାସ୍ଥ୍ୟ ବିଭାଗ ଓ ଜନସାଧାରଣଙ୍କର ମିଳିତ ପ୍ରୟାସଦ୍ୱାରା ହିଁ ଏହି ଦୁଃଖଦ ଘଟଣାଗୁଡ଼ିକୁ ରୋକାଯାଇ ପାରିବ।
Also readhttps://purvapaksa.com/the-fate-of-the-union-minister/
The fate of the Union Minister ।। କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟଚକ୍ର!
1 Comment
Pingback: Page not found – purvapaksa.com