Hamas Hostage: ଇସ୍ରାଏଲୀ ମହିଳା ଇଲାନା ଗ୍ରିଚୋଭ୍ସ ହମାସ୍ର ବନ୍ଦୀ ଭାବେ ନିଜର ଭୟାନକ ଅନୁଭବ ବିଷୟରେ ବର୍ଣ୍ଣନା କରିଛନ୍ତି। ୭ ଅକ୍ଟୋବର ୨୦୨୩ରେ ଅପହରଣ ପରେ ତାଙ୍କୁ ଜବରଦସ୍ତି ଏକ ସ୍ଥାନକୁ ନିଆଯାଇଥିଲା ଯେଉଁଠାରେ ତାଙ୍କର ଯୌନ ଉତ୍ପୀଡ଼ନ କରାଯାଇଥିଲା। ହମାସ୍ ଯୋଦ୍ଧାମାନଙ୍କ ସହ ବଳପୂର୍ବକ ବିବାହ କରାଇବାର ଧମକ ଦିଆଯାଇଥିଲା। ଇଲାନା କହିଛନ୍ତି ଯେ ସେଦିନ ତାଙ୍କୁ ପିରିୟଡ୍ସ ନ ହୋଇଥିଲେ ହମାସ୍ ଆତଙ୍କବାଦୀ ତାଙ୍କ ସହ ବଳାତ୍କାର କରିଥାନ୍ତେ।
ମୁକ୍ତ ହେବା ପରେ କହିଲେ ଭୟଙ୍କର କାହାଣୀ
ଗ୍ରିଚୋଭ୍ସଙ୍କ କହିବା ଅନୁସାରେ, ୭ ଅକ୍ଟୋବର ୨୦୨୩ରେ ହମାସର ଆତଙ୍କବାଦୀ ତାଙ୍କର ଅପହରଣ କରିଥିଲେ। ଏହାପରେ ତାଙ୍କୁ ବାଇକରେ ଏକ ସ୍ଥାନକୁ ନିଆଯାଇଥିଲା। ଗ୍ରିଚୋଭ୍ସ କହିଛନ୍ତି ଯେ ଯେତେବେଳେ ତାଙ୍କୁ ହୋସ୍ ଆସିଲା, ସେତେବେଳେ ସେ ଗୋଟିଏ ଘରେ ଚଟାଣ ଉପରେ ନିଜକୁ ଆବିଷ୍କାର କରିଥିଲେ। ସେ ଉଲଗ୍ନ ଥିଲେ ଏବଂ ସାମ୍ନାରେ ହମାସ୍ର ୭ ଜଣ ଆତଙ୍କବାଦୀ ତାଙ୍କ ନଗ୍ନ ଶରିରକୁ ଦେଖୁଥିଲେ।
ଦ’ ନ୍ୟୁୟର୍କ ଟାଇମ୍ସକୁ ଦିଆଯାଇଥିବା ସାକ୍ଷାତ୍କାରରେ ଗ୍ରିଚୋଭ୍ସ କହିଛନ୍ତି ଯେ ମୁଁ ଯନ୍ତ୍ରଣାରେ ଥରୁଥିଲି। ମୋତେ ଜଣାନଥିଲା ଯେ ମୋତେ ସେଠାକୁ କାହିଁକି ଅଣାଯାଇଛି। ମୁଁ ସେମାନଙ୍କୁ ସେତେବେଳେ କହିଥିଲି ଯେ ମୋର ଏବେ ପିରିୟଡ୍ସ ଚାଲିଛି, ଏହା ଶୁଣି ହମାସ୍ ଯୋଦ୍ଧାମାନେ ହସିବାକୁ ଲାଗିଲେ। ଗ୍ରିଚୋଭ୍ସ କହିଛନ୍ତି ଯେ ପିରିୟଡ୍ସ କାରଣରୁ ହିଁ ହମାସ୍ ଯୋଦ୍ଧାମାନେ ତାଙ୍କ ଦୁଷ୍କର୍ମ କରିନଥିଲେ। ନଚେତ୍ ସେଦିନ ତାଙ୍କ ସହ ଦୁଷ୍କର୍ମ ଘଟଣା ଘଟିଥାନ୍ତା।
ହମାସ୍ ଆତଙ୍କବାଦୀଙ୍କ ସହ ବିବାହ କରାଇବାକୁ ଧମକ
ଗ୍ରିଚୋଭ୍ସଙ୍କ କହିବା ଅନୁସାରେ, ବନ୍ଦୀ ଅବସ୍ଥାରେ ମୁଁ କିଛିଦିନ ସେଠାରେ ରହିଲି। ଏହାପରେ ମୋର ଅବସ୍ଥାନ ବଦଳାଇ ଦିଆଗଲା। ନୂଆ ସ୍ଥାନରେ ହମାସ୍ ଆତଙ୍କବାଦୀମାନେ ମୋର ବିବାହ ଜଣେ ହମାସ୍ ସଦସ୍ୟ ସହିତ ହେବ ବୋଲି କହିଥିଲେ। ଗ୍ରିଚୋଭ୍ସଙ୍କ ଅନୁସାରେ ହମାସ୍ ଆତଙ୍କବାଦୀ ତାଙ୍କୁ କହିଥିଲେ ଯେ, ତୁମେ ଏଠାରେ ବିବାହ କରିବ ଓ ପିଲା ଜନ୍ମ କରିବ।
ଗ୍ରିଚୋଭ୍ସଙ୍କ କହିବା ଅନୁସାରେ, ଯେତେବେଳେ ବନ୍ଦୀମାନଙ୍କୁ ଛାଡ଼ିବାର ଚୁକ୍ତି ହେଲା, ଜଣେ ହମାସ୍ ଆତଙ୍କବାଦୀ ତାଙ୍କ ପାଖକୁ ଆସିଥିଲେ। ସେହି ଆତଙ୍କାବଦୀ କହିଥିଲା ଯେ ତୁମ ମୁକ୍ତି ପାଇଁ ଚୁକ୍ତି ହୋଇଗଲେ ମଧ୍ୟ ତୁମକୁ ଯିବାକୁ ଦେବୁ ନାହିଁ। ମୁଁ ତୁମ ସହ ବିବାହ କରିବାକୁ ଚାହୁଁଛି। ଏହାପରେ ସେହି ଆତଙ୍କବାଦୀ ଜଣକ ତାଙ୍କ ହାତରୁ କଙ୍କଣ ଖୋଲି ନେଇଥିଲେ।
କିପରି ହମାସ୍ର କବଜାକୁ ଗଲେ ?
ଇଲାନା କହିଛନ୍ତି ଯେ ତାଙ୍କ ପରିବାର ମେକ୍ସିକୋରୁ ପଳାୟନ କରି ଇସ୍ରାଏଲର କିବୁତ୍କ ସହରକୁ ନିଜର ବାସସ୍ଥାନ ପରିବର୍ତ୍ତନ କରିଥିଲେ। ୩୧ ବର୍ଷୀୟା ଇଲାନା ଏଠାରେ ହିଁ ବିବାହ କରିଥିଲେ। ଇଲାନା ତାଙ୍କ ସ୍ୱାମୀଙ୍କ ସହ ମିଶି ଏଠାରେ କାମ କରୁଥିଲେ, କିନ୍ତୁ ଅକ୍ଟୋବରରେ ଯେତେବେଳେ ହମାସ୍ କିବୁତ୍କ ଉପରେ ଆକ୍ରମଣ କଲା, ଇଲାନା ଆତଙ୍କବାଦୀଙ୍କ କବଳରେ ପଡ଼ିଥିଲେ।
ଇଲାନା କହିଛନ୍ତି ଯେ ଅପହରଣ କରିବା ପରେ ହମାସ୍ର ୨ ଜଣ ଆତଙ୍କବାଦୀ ତାଙ୍କୁ ବାଇକରେ ଗାଜା ଆଡ଼େ ନେଇଯାଇଥିଲେ। ଜଣେ ଆତଙ୍କବାଦୀ ବାଇକ୍ ଚଳାଉଥିଲା, ଆଉ ଜଣେ ଆତଙ୍କବାଦୀ ତାଙ୍କୁ ପଛରୁ ଜାବୁଡ଼ି ଧରି ବସିଥିଲା।
ଇଲାନା କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ହମାସ୍ ଏପର୍ୟ୍ୟନ୍ତ ବନ୍ଦୀ କରି ରଖିଛି। ଇଲାନାଙ୍କ କହିବା ଅନୁସାରେ, ଅନେକ ଥର ତାଙ୍କର ମରିବାର ଇଚ୍ଛା ହୋଇଥିଲା, କିନ୍ତୁ ଶେଷରେ ସେ ଲୋକମାନଙ୍କ ପାଇଁ ଲଢ଼ିବା ଓ ସ୍ୱର ଉଠାଇବାର ନିଷ୍ପତ୍ତି ନେଇଥିଲେ।
Also readhttps://purvapaksa.com/4-2-drop-in-crimes-against-women-from-june-24-to-feb25/
୨୦୨୪ ଜୁନ୍ରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ୪.୨% ହ୍ରାସ ପାଇଛି: ହରିଚନ୍ଦନ
