ଜମ୍ମୁ କାଶ୍ମୀରର କାଠୁଆ ଜିଲ୍ଲାରେ ଭାରତୀୟ ସେନା, ସିଆରପିଏଫ (CRPF) ଏବଂ ଜମ୍ମୁ କାଶ୍ମୀର ପୋଲିସଙ୍କ ଦ୍ୱାରା ଚାଲିଥିବା ଏକ ମିଳିତ ଅପରେସନରେ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଏନକାଉଣ୍ଟର କରାଯାଇଛି । ନିହତ ଆତଙ୍କବାଦୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM) ସହିତ ଜଡ଼ିତ ଥିବା ପୋଲିସ ସୂଚନା ଦେଇଛି। ଏନକାଉଣ୍ଟର ପରେ ମଧ୍ୟ ଅଞ୍ଚଳରେ ଆଉ କୌଣସି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସୁରକ୍ଷା ବାହିନୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନା ଅନୁଯାୟୀ, ଗୁରୁବାର ସକାଳେ କାଠୁଆ ଜିଲ୍ଲାର ଚାଟରୁର ସିଙ୍ଗପୁରା ନିକଟସ୍ଥ ଆରିଗାମ ଦ୍ୱାଥର ଅଞ୍ଚଳରେ ଗୋଟିଏ ପାକିସ୍ତାନୀ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀଙ୍କୁ ବିଶେଷ ସୂଚନା ମିଳିଥିଲା। ସୂଚନା ମିଳିବା ସହିତ ସହିତ ଭାରତୀୟ ସେନା, ସିଆରପିଏଫ ଓ ଜମ୍ମୁ କାଶ୍ମୀର ପୋଲିସ ମିଳିତ ଭାବେ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରି ତଲାଶି ଚାଲାଉଥିବା ସମୟରେ ଲୁଚି ରହିଥିବା ଆତଙ୍କବାଦୀ ଗୁଳିଚାଳନା ଆରମ୍ଭ କରିଥିଲା। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳିବିନିମୟରେ ସୁରକ୍ଷା ବାହିନୀ ଆତଙ୍କବାଦୀକୁ ଏନକାଉଣ୍ଟର କରିଥିଲେ।
ଏହି ଗୁଳି ବିନିମୟ ସମୟରେ ଜଣେ ସୁରକ୍ଷା କର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ଆହତ ସୈନିକଙ୍କୁ ତୁରନ୍ତ ଉଧମପୁରର କମାଣ୍ଡ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ତାଙ୍କର ଅବସ୍ଥା ସ୍ଥିର ଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।ଏନକାଉଣ୍ଟର ପରେ ସୁରକ୍ଷା ବାହିନୀ ନିହତ ଆତଙ୍କବାଦୀଙ୍କ ନିକଟରୁ କିଛି ଅସ୍ତ୍ରଶସ୍ତ୍ର, ଗୁଳିବାରୁଦ ଏବଂ ଆପତ୍ତିଜନକ ସାମଗ୍ରୀ ଜବତ କରିଛନ୍ତି। ଏହି ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ସଂଗଠନ ପାଇଁ କାମ କରୁଥିବା ସହ ସୀମାପାରରୁ ଅନୁପ୍ରବେଶ କରିଥିବା ସନ୍ଦେହ କରାଯାଉଛି।
ସୁରକ୍ଷା ବାହିନୀଙ୍କ ପକ୍ଷରୁ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି। ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଆଉ କେହି ଆତଙ୍କବାଦୀ ଲୁଚି ରହିନାହାନ୍ତି କି ନାହିଁ, ସେନେଇ ଘରେ ଘରେ ତଲାଶି ସହ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ସୁରକ୍ଷା ବାହିନୀଙ୍କ ଦ୍ୱାରା ଏପରି ମିଳିତ ଅପରେସନକୁ ବଡ଼ ସଫଳତା ଭାବେ ଦେଖାଯାଉଛି। କର୍ତ୍ତୃପକ୍ଷ କହିଛନ୍ତି ଯେ, ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ରଖିବା ପାଇଁ ଏଭଳି ଅପରେସନ ଆଗକୁ ମଧ୍ୟ ଜାରି ରହିବ।
also read https://purvapaksa.com/explosion-in-pakistan/
Explosion in Pakistan ।। ପାକିସ୍ତାନରେ ବିବାହ ଉତ୍ସବ ସମୟରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ


