ଦୀପ ତେଜିଲେ ହାତ ଚିକ୍କଣ । ଅନୁରୂପ ଭାବେ ଲୋକଙ୍କ ପାଇଁ ଆସୁଥିବା ଅର୍ଥକୁ ଖର୍ଚ୍ଚ କରିବାକୁ ଯାଇ ବାବୁ ମାନେ ନିଜ ଭୋଗ ବିଲାସରେ ବିନିଯୋଗ କରିବାରେ ଲାଗିଛନ୍ତି । ସରକାରୀ ଚାକିରୀକୁ ଅସ୍ତ୍ର କରି ବେଧଡକ ଚାଲିଛି ଲୁଟ ।ଲୋକଙ୍କ ସେବା ନୁହଁ ବରଂ ନିଜର ଲୋଭ ପାଇଁ କରାଯାଉଛି ବ୍ୟବହାର ।
ଦୁର୍ନୀତିରେ ଉବୁଟୁବୁ ହେଉଛନ୍ତି ବାବୁ । ଗତ ଜାନୁଆରୀ ୨୦୨୫ରୁ ଏପ୍ରିଲ ୨୦୨୫ ,୪ ମାସ ମଧ୍ୟରେ ବନ୍ଧାହେଲେଣି ୬୪ ବାବୁ । ଏପ୍ରିଲ ଠାରୁ ଜୁଲାଇ ୨୨ ମଧ୍ୟରେ ୨୦ ରୁ ଅଧିକ ସରକାରୀ ବାବୁଙ୍କୁ ଧରିଛି ଭିଜିଲାନ୍ସ । ପ୍ରତିଦିନ ବଢ଼ିବାରେ ଲାଗିଛି ଦୁର୍ନୀତି ଖୋର ବାବୁଙ୍କର ଲମ୍ବା ତାଲିକା । କାହାର ବିଳାସୀ ଗାଡି ସଉକ ତ କାହାର ସୁନା ଆଉ ଅନ୍ୟ ଧାତୁର ମୂଲ୍ୟବାନ ଅଳଙ୍କାର । କାହାର ଟଙ୍କାର ପାହାଡ଼ ଉପରେ ଶୋଇବାର ସଉକ ତ ଆଉ କାହାର ବିଦେଶ ଭ୍ରମଣ ଲାଳସା । ବାବୁ ମାନଙ୍କୁ ସ୍କାନରରେ ରଖି ଚଢ଼ାଉ ହେବା ପରେ ଏସବୁ ଘଟଣା ସାମ୍ନାକୁ ଆସିଲା । ଦୁର୍ନୀତି ଖୋର ବାବୁ ମାନଙ୍କ ତାଲିକା ରେ ରହିଛନ୍ତି ଅବକାରୀ ଅଧିକାରୀ ,ଅଧିକ୍ଷଣ ଯନ୍ତ୍ରୀ , ଜିଲ୍ଲା ଶିକ୍ଷା ଅଧିକାରୀ ,ଥାନାବାବୁ ,ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଅଧିକାରୀ ସାଙ୍ଗକୁ ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ଯନ୍ତ୍ରୀ ଏବଂ ବିଏମସି ଇଂଜିନିୟର ।
ଦୁର୍ନୀତିଖୋର ବାବୁଙ୍କ କୁବେର ନିଶା :
କେନ୍ଦୁଝର କେନ୍ଦୁପତ୍ର ଡ଼ିଏଫଓ ନିତ୍ୟାନନ୍ଦ ନାୟକଙ୍କୁ ଦୁର୍ନୀତି ଅଭିଯୋଗରେ ବନ୍ଧାଯାଇଛି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ପରେ ହାଜତକୁ ପଠାଯାଇଛି । ତାଙ୍କର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଟେରା ହୋଇଯାଇଛି । ୧୨୩ ଟି ପ୍ଲଟର ମାଲିକ ନିତ୍ୟାନନ୍ଦଙ୍କ ଘରୁ ମିଳିଛି ୨୦୦ ଗ୍ରାମ ସୁନା ଅଳଙ୍କାର ସହିତ ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା । ନିତ୍ୟାନନ୍ଦ କଳାଧନକୁ ଧଳା କରିବା ପାଇଁ ନିଜ ନାଁରେ ୫୩ ଟି ପ୍ଲଟ ,ପତ୍ନୀଙ୍କ ନାଁରେ ୪୨ ଟି ପ୍ଲଟ, ଦୁଇ ପୁଅଙ୍କ ନାଁରେ ୧୬ଟି ପ୍ଲଟ ଓ ଝିଅଙ୍କ ନାଁରେ ୪ଟି ପ୍ଲଟ କିଣିଛନ୍ତି । ୨୦୦ ପ୍ରତିଶତରୁ ଅଧିକ ଆୟ ବହିର୍ଭୁତ ସମ୍ପତ୍ତି ମଧ୍ୟରେ ରହିଛି ଫାର୍ମ ହାଉସ ,୪ ତାଲା ବିଶିଷ୍ଟ ପ୍ରାସାଦ ଭଳି ଘର ଓ ଦାମୀ ଗାଡି । ଭିଜିଲାନ୍ସ ଚଢ଼ାଉ ଇତିହାସରେ ସର୍ବାଧିକ ସ୍ଥାବର ସମ୍ପତ୍ତି କିଣିଥିବା ବାବୁଙ୍କ ଦୁର୍ନୀଟିଖୋର ବାବୁଙ୍କ ମଧ୍ୟରେ ନିତ୍ୟାନନ୍ଦ ନାୟକ ସବୁଠୁ ଶୀର୍ଷରେ ଅଛନ୍ତି । କେନ୍ଦୁପତ୍ର ତୋଳାଳୀ ସର୍ବନିମ୍ନ ପ୍ରାପ୍ୟ ଓ ସୁବିଧା ପାଉନଥିବା ବେଳେ ସେବା ଯୋଗାଇଦେବାକୁ ନିୟୋଜିତ ହୋଇଥିବା ନିତ୍ୟାନନ୍ଦ ନାୟକଙ୍କ ପରି ବାବୁ ମାନେ ପର ଧନରେ ସଂକୀର୍ତ୍ତନ କରି ଚାଲିଛନ୍ତି । ସେମାନଙ୍କ ଦରମା କୁଆଡେ ଚାଲିବାକୁ ନିଅଣ୍ଟ ହେଉଛି । ତେଣୁ ବେତନ କମିଶନ ଏମାନଙ୍କ ପାଇଁ କାମ କରନ୍ତୁ ବା ନକରନ୍ତୁ ନିର୍ଦ୍ଧିଷ୍ଟ ଅବଧିରେ ଆପେ ଦରମା ବଢିବାର ଗ୍ୟାରେଣ୍ଟି କରିଦେଇଛନ୍ତି । ସୁବିଧା ପାଉଥିବା ନେତାଙ୍କ ଛତ୍ରଛାୟାରେ ରହୁଥିବାରୁ ଏମାନେ ପ୍ରତି ତିନି ବର୍ଷରେ ଥରେ ବଦଳି ହେବାର ନିୟମ ଥିଲେ ବି ଗୋଟିଏ ଜାଗାରେ ବର୍ଷ ବର୍ଷ ଧରି ରହି ଦୁର୍ନୀତିର ବିଶାଳ ବୃକ୍ଷ ଠିଆ କରାଇଦେଇଛନ୍ତି ।
ସବୁଠୁ ଅଧିକ ଜମି କିଣିଥିବା କୁବେର ବାବୁ :

କୁବେର ହେବାର ଅଦମ୍ୟ ଲାଳସା ରଖି ଦୁର୍ନୀତି ପଙ୍କରେ ବେକେ ଯାଏଁ ପଶିଥିବା କେନ୍ଦୁଝର କେନ୍ଦୁପତ୍ର ଡିଭିଜନ ଡ଼ିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରୁ ପ୍ରଥମେ ୧୧୫ ଓ ପରେ ୮ ଏଭଳି ମୋଟ ୧୨୩ ପ୍ଲଟର ମାଲିକାନା ଥିବା ଜଣାପଡିଛି । ଜମି କିଣିବାର ଲାଳସା ଥିବା ଆଉ ଜଣେ ବାବୁ ହେଉଛନ୍ତି ଆନନ୍ଦପୁର ବ୍ୟାରେଜ ପ୍ରୋଜେକ୍ଟର ଚିଫ ଇଂଜିନିୟର ପ୍ରଭାସ କୁମାର ପ୍ରଧାନ । ପ୍ରଭାସ କିଣିଛନ୍ତି ୧୦୫ଟି ପ୍ଲଟ । କୋଟି କୋଟି ଟଙ୍କା ମୂଲ୍ୟର ଏସବୁ ଜମି ସେ ଚାକିରୀ କରିବା ପରେ କିଣିଛନ୍ତି । କୁବେର ଭଳି ସମ୍ପତ୍ତି କରିବାର ଲାଳସା ଦୃଷ୍ଟିରୁ ତୃତୀୟ ସ୍ଥାନରେ ସ୍ଥାନରେ ଅଛନ୍ତି ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର । ରାମଚନ୍ଦ୍ରଙ୍କ ନାଁରେ ୫୨ ଟି ପ୍ଲଟ ର ମାଲିକାନା ଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ । ସେହିପରି ଓଡିଶା ସେତୁ ଏବଂ ନିର୍ମାଣ କର୍ପୋରେସନ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ( କଟକ ସର୍କଲ )ପ୍ରଦୀପ କୁମାର ରଥନ୍କ ନାଁରେ ରହିଛି ୫୦ ଟି ପ୍ଲଟ ।ଲୋୟର ସୁକତେଲ ପ୍ରୋଜେକ୍ଟର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ୩୪ ଟି ପ୍ଲଟ କିଣିଥିବା ବେଳେ ୨୪ ଜଣ ସରକାରୀ ବାବୁ ଙ୍କ ନିକଟରେ ୬ଟି ପ୍ଲଟରୁ ଅଧିକ ପ୍ଲଟ ରହିଛି । ଏଥିରୁ ସ୍ପଷ୍ଟ ଯେ ଲାଞ୍ଚ ଟଙ୍କାକୁ ଧଳା କରିବା ପାଇଁ ଅଧିକାଂଶ ଦୁର୍ନୀତିଖୋର ବାବୁ ଫାର୍ମ ହାଉସ ,ଜମି ,କୋଠାବାଡି କିଣା ଉପରେ ଫୋକସ କରିଛନ୍ତି ।
ଫାର୍ମହାଉସ,ଦାମୀଗାଡି ,ଅଳଙ୍କାର ,ଆଲିସାନ ବଙ୍ଗଳା ଲୋଭରେ ବାବୁ ବୁଧବାର ଜୁଲାଇ ୨୩ ସକାଳେ ଭୁବନେଶ୍ୱର ମହାନଗର ନିଗମ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ଧରିଛି ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବରଗଡ଼ ବ୍ରିଟ କଲୋନୀ ବାସଭବନ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା । ପୁଳାପୁଳା ଟଙ୍କା ,ଦାମୀ ସୁନା ଅଳଙ୍କାର ,ବିଳାସୀ ତିନି ମହଲା କୋଠା,ସୁଇମିଙ୍ଗ ପୁଲ , ସାଙ୍ଗକୁ ସହର ଉପକଣ୍ଠ ବାଲିଅନ୍ତା ଠାରେ ଫାର୍ମ ହାଉସ ଥିବା ଜାଣିବାକୁ ମିଳିଛି । ଜଗନ୍ନାଥ ପଟ୍ଟନାୟକଙ୍କ ଭଳି ସମାନ ଅଭିଯୋଗ ଆସିଛି ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ ଦୟାନିଧି ବାଘଙ୍କ ନାଁରେ ।

ଦୟାନିଧି ୮୪ ଏକର ଜମି କିଣିଥିବା ପ୍ରମାଣ ପାଇଛି ରାଜ୍ୟ ଭିଜିଲାନ୍ସ । ସେହିପରି ପବ୍ଲିକ ୱାର୍କ୍ସ ବିଭାଗର ବୈକୁଣ୍ଠନାଥ ଷଢଙ୍ଗିଙ୍କ ଘରୁ ଭିଜିଲାନ୍ସ ନଗଦ ୨.୫ କୋଟି ଟଙ୍କା ସମେତ ୭ଟି ପ୍ଲଟ ଥିବାର କାଗଜପତ୍ର ଜବତ କରିଥିଲା । ସାରା ରାଜ୍ୟରୁ ଏଭଳି ସୂଚନା ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ ଏସବୁ ଅଧିକାରୀ ବର୍ଷ ବର୍ଷ ଧରି ଗୋଟିଏ ଜାଗାରେ ଗାଡି ମାଡି ନିଜର ଖେଳ ଚଳାଉଥିଲେ । କଳାଟଙ୍କାରେ ପ୍ଲଟ ,ଫ୍ଲାଟ ,ସୁନା ,ଦାମୀ ଗାଡି ଓ ସେୟାର ବଜାରରେ ନିବେଶ କରି ରାଜକୀୟ ଜୀବନ ଯାପନ କରିଆସୁଛନ୍ତି । ସରକାରୀ ଚାକିରୀରେ ବଦଳି ନିଯୁକ୍ତି ଠିକ ଭାବେ ପାଳନ ହେଉନଥିବାରୁ ଦୁର୍ନୀତିଖୋର ବାବୁ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକ ଘଟଣାରେ ଜେଲ ଫେରନ୍ତା ଓ ସସପେଣ୍ଡ ହୋଇଥିବା ଦୁର୍ନୀତି ଅଭିଯୁକ୍ତ କ୍ଲିନଚିଟ ପାଇଯାଉଥିବାରୁ ଯୁବ ଅଫିସର ଗୁଡିକ ସହଜରେ ବିଳାସୀ ଜୀବନ ଆଡକୁ ଆକର୍ଷିତ ହେଉଛନ୍ତି ।ଦୁର୍ନୀତି ଏବେ ଏଭଳି ଏକ ବ୍ୟାଧି ଯେ ଏଥିରେ ଆକ୍ରାନ୍ତ ହେବାକୁ ରହୁଛି ଦୁର୍ବାର ଆକର୍ଷଣ ।


