ଟଙ୍କା ଆଗରେ ଭୋଟର ବିକ୍ରି ହୋଇଗଲେ। ମାଟିର ପୁଅକୁ ଭୋଟର ଚିହ୍ନିଲେ ନାହିଁ। କେନ୍ଦ୍ରୀୟ ନେତାଙ୍କ ସହାୟତା ମିଳିଲା ନାହିଁ। ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ନୂଆପଡ଼ା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି। ତଥାପି ସେ ଆଶା ଛାଡ଼ି ନାହାନ୍ତି। ନିର୍ବାଚନ ରାଜନୀତିକୁ ପରିହାର କରିବେ ନାହିଁ ବୋଲି କହିଛନ୍ତି। ଆଗକୁ ପୁଣି ନିର୍ବାଚନ ଲଢ଼ିବାକୁ ପ୍ରତିଶୃତି ଦେଇଛନ୍ତି ଘାସିରାମ।
ଗତ ୨୦୨୪ ନିର୍ବାଚନରେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଥିବା ଘାସିରାମ ମାଝି ଏଥର କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ନିଜର ଲୋକପ୍ରିୟତା ଏବଂ ଦଳର ସହାୟତା ତାଙ୍କୁ ବିଜୟୀ କରିବ ବୋଲି ଆଶା କରାଯାଇଥିଲା। ନିର୍ବାଚନ ପ୍ରଚାର ଆରମ୍ଭରୁ ତାଙ୍କ ସପକ୍ଷରେ ଅନେକ ଭୋଟ ଥିଲା। କିନ୍ତୁ ନିର୍ବାଚନ ଯେତିକି ପାଖେଇ ଆସିଲା ଭୋଟର ଦୂରେଇଲେ। ଆଉ ଆଜି ଫଳାଫଳ ପ୍ରକାଶ ବେଳକୁ ଘାସିରାମ ଅନେକ ପଛକୁ ଚାଲିଯାଇଛନ୍ତି।
୧୩ ତମ ରାଉଣ୍ଡର ଫଳାଫଳ ଅନୁସାରେ ଘାସିରାମ ୨୦୧୦୩ଖଣ୍ଡ ଭୋଟ ପାଇଁ ଭୋଟରଙ୍କ ତୃତୀୟ ପସନ୍ଦ ହୋଇଛନ୍ତି। ସବୁଠାରୁ ଆଗରେ ବିଜେପି ପ୍ରାର୍ଥୀ ରହିଛନ୍ତି। ୬୩ ହଜାର ୫୨୨ ଖଣ୍ଡ ଭୋଟ ପାଇ ସେ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି। ଅବଶ୍ୟ ଆହୁରି ୧୩ଟି ରାଉଣ୍ଡ ବାକି ରହିଛି କିନ୍ତୁ ନୂଆପଡ଼ାର ପୂର୍ବ ଇତିହାସକୁ ଦେଖିଲେ ଏହି ମାର୍ଜିନ୍କୁ ଟକ୍କର ଦେବା କଷ୍ଟକର ହୋଇପଡ଼ିବ ଅର୍ଥାତ୍ ଏକ ପ୍ରକାର ବିଜୟ ନିଶ୍ଚିତ ହେବାକୁ ଯାଉଛି। ବିଜେପି ପ୍ରାର୍ଥୀ ଏହାକୁ ନୂଆପଡ଼ାବାସୀଙ୍କ ଜିତ ବୋଲି କହିଛନ୍ତି।
ଅପରପକ୍ଷେ ଘାସିରାମ କହିଛନ୍ତି ଟଙ୍କା ଦ୍ୱାରା ଭୋଟ କିଣା ହୋଇଗଲେ। ମାଟିର ପୁଅକୁ ଭୁଲିଗଣେ ଭୋଟର। ତଥାପି ସେ ଆଶା ଛାଡ଼ି ନାହାନ୍ତି। ଆବ୍ରାହମ ଲିଙ୍କନ୍ଙ୍କ ପରି ସେ ୯ ଥର ହାରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଘାସିରାମ। ୬ଥର ହାରିବା ତାଙ୍କ ମନୋବଳକୁ ହ୍ରାସ କରି ନାହିଁ ବୋଲି କହିଛନ୍ତି ଘାସିରାମ। ଏଣୁ ସେ ଆହୁରି ତିନିଥର ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।
ରାଜ୍ୟ କଂଗ୍ରେସ ଏହି ନିର୍ବାଚନ ଜିତିବା ଲାଗି ଅନେକ ପ୍ରୟାସ କରିଥିଲା। ରାଜ୍ୟ ସଭାପତି ଓ ପ୍ରଭାରୀ ନୂଆପଡ଼ାରେ ରହିଥିଲେ। କିନ୍ତୁ ଅର୍ଥ ମିଳିଲା ନାହିଁ ବୋଲି କହିଛନ୍ତି ଘାସିରାମ। କେନ୍ଦ୍ରୀୟ ନେତା ଆସିଲେ ନାହିଁ କି ସହାୟତା କରିଲେ ନାହିଁ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ଘାସିରାମ।
କେନ୍ଦ୍ରୀୟ ନେତା ଆସିଥିଲେ ହୁଏତ ଆହୁରି ଭୋଟ ମିଳିପାରି ଥାଆନ୍ତା। କିନ୍ତୁ ସ୍ୱାଧୀନ ଭାବେ ଯେତିକି ଭୋଟ ଘାସିରାମ ପାଇଥିଲେ ତାଠୁ ବି କମ୍ ଭୋଟ ପାଇବାକୁ ଯାଉଥିବାରୁ ଏହା ଏକ ବଡ଼ କ୍ଷତି ବୋଲି କୁହାଯାଉଛି।
also read https://purvapaksa.com/government-agencies-and-parties-have-ignored-the-new-ideology-devi-mishra/


