ଗାଜାରେ ଇସ୍ରାଏଲ ଓ ହମାସ୍ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଯୁଦ୍ଧ ଆସନ୍ତା ଅକ୍ଟୋବର ୬ରେ ଦୁଇବର୍ଷ ପୂରଣ କରିବ । ଏହା ମଧ୍ୟରେ ଗାଜାରେ ୬୦ହଜାର ଲୋକ ପ୍ରାଣ ହରାଇଥିବାବେଳେ ଲକ୍ଷାଧିକ ଲୋକ ଖାଦ୍ୟାଭାବ ଓ ବିଭିନ୍ନ ବ୍ୟାଧିରେ ମୃତ୍ୟୁ ଅପେକ୍ଷାରେ ରହିଛନ୍ତି । ଏହାଛଡ଼ା ଏହି କ୍ଷୁଦ୍ର ପାଲେଷ୍ଟିନୀୟ ଅଞ୍ଚଳରେ ଯୁଦ୍ଧ ଜନିତ ଦୁର୍ଭିକ୍ଷ ସୃଷ୍ଟି ହୋଇଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଜାତିସଙ୍ଘ ରିଲିଫ ଯୋଗାଣକାରୀ ସଂସ୍ଥା ପକ୍ଷରୁ ସତର୍କ କରାଇ ଦିଆଯାଇଛି ।

ଏହା ଏକ ବିଚିତ୍ର ଯୁଦ୍ଧ । ସ୍ଵାଧୀନତା ଦାବି କରୁଥିବା ଲଢ଼ୁଆ କଠୋରପନ୍ଥା ପାଲେଷ୍ଟିନୀୟ ସଂଗଠନ ହମାସ୍ ପକ୍ଷରୁ ଅତର୍କିତ ଇସ୍ରାଏଲ ଉପରେ ଆକ୍ରମଣ କରାଯାଇ ଶତାଧିକ ନାଗରିକଙ୍କୁ ଅପହରଣ କରି ମୁଣ୍ଡ କାମିନ ରଖିବାରୁ ଏହି ଯୁଦ୍ଧର ସୂତ୍ରପାତ ହୋଇଥିଲା । କଠୋରପନ୍ଥୀ ହମାସ୍ ନେତାଙ୍କ ଜିଦ୍ ଯୋଗୁଁ ସବୁ ମୁଣ୍ଡଜାମିନ ଇସ୍ରାଏଲ ନାଗରିକଙ୍କ ମୁକ୍ତି ସମ୍ଭବ ନ ହେବାରୁ ଗାଜା ଉପରେ ଆକ୍ରମଣ କାରି ରହିଛି । ପଶ୍ଚିମ ଏସିଆରେ ଇସ୍ରାଏଲ ହେଉଚି ଏକ ପ୍ରଚଣ୍ଡ ପରାକ୍ରମଶାଳୀ ଶକ୍ତି ଯାହାର ଅସ୍ତ୍ର ଓ ସୈନ୍ୟବଳ ତୁଳନାରେ ହମାସ କିଛି ନୁହେଁ । ଏହାଛଡ଼ା ଇସ୍ରାଏଲକୁ ଆମେରିକା ସମେତ ବିଭିନ୍ନ ପାଶ୍ଚାତ୍ୟ ରାଷ୍ଟ୍ର ସବୁପ୍ରକାର ସାହାଯ୍ୟ ସହଯୋଗ କରୁଥିବାବେଳେ ହମାସ୍ କିଛି ଆରବ ରାଷ୍ଟ୍ରଙ୍କ ସହାୟତାରେ ଯୁଦ୍ଧ ଚଳାଇଛି ।
ବାସ୍ତବରେ ଇସ୍ରାଏଲ ଆକ୍ରମଣର ମୁକାବିଲା କରିବାକୁ ହମାସର ସାମର୍ଥ୍ୟ ନାହିଁ । କିଛି ଅନ୍ୟ ରାଷ୍ଟ୍ର ସେଠାରେ ଇସ୍ରାଏଲ ସହିତ ଛଦ୍ମ ଲଢ଼େଇ ଲଢୁଛନ୍ତି । ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଗାଜାପଟି ଏବେ ଧ୍ୱସ୍ତବିଧ୍ୱସ୍ତ ହେବା ସହ କ୍ରମଶଃ ଏକ ଶ୍ମଶାନରେ ପରିଣତ ହେଉଛି । ପ୍ରତିଦିନ ରିଲିଫ କେନ୍ଦ୍ର ପାଖରେ ଖାଦ୍ୟ ପାଇଁ ଆବାଳବୃଦ୍ଧବନିତାଙ୍କର ଯେଉଁ ଭିଡ଼ ଲାଗୁଛି ତାହାଅତ୍ୟନ୍ତ ଦୁଃଖଦ ଓ ଅବର୍ଣ୍ଣନୀୟ। ଏହା ସତ୍ତ୍ୱେ ହମାସ ଆତ୍ମସମର୍ପଣ କରୁନାହିଁ କିମ୍ବା ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ବନ୍ଦ ହେଉନି । ଜାତିସଂଘ ସହିତ ସବୁ ଆନ୍ତର୍ଜାତିକ ସଙ୍ଗଠନ ଓ ପ୍ରଭାବଶାଳୀ ରାଷ୍ଟ୍ରମାନେ ଏହି ପ୍ରସଙ୍ଗରେ ନିରବ ରହିବା ମାନବିକତା ପ୍ରତି ଏକ କ୍ରୂର ଉପହାସ ।

ଏବେ ଗାଜାର ସଂପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ଇସ୍ରାଏଲ ଏହି ଭୂଖଣ୍ଡର କେତେକ ଅଂଶକୁ ଦଖଲ କରିନେବାକୁ ପ୍ରଥମେ ନିଷ୍ପରି ନେଇଥିଲା । ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କ ପୂର୍ବ ନିଷ୍ପତ୍ତି ବଦଳାଇ ଏହାକୁ ସମ୍ପୂର୍ଣ୍ଣ ଦଖଲକୁ ନେବାକୁ ଘୋଷଣା କରିଛନ୍ତି। ଏହା ଯଦି ସତ ହୁଏ, ତା’ହେଲେ ଗାଜାପଟ୍ଟିର ଅସ୍ତିତ୍ବ ଲୋପ ପାଇଯାଇପାରେ । ନେତାନ୍ୟାହୁଙ୍କ ଯୁକ୍ତି ହେଲା ଗାଜାକୁ ପୂରା ଦଖଲକୁ ନ ନେଲେ ହମାସକୁ ସଂପୂର୍ଣ୍ଣ ଭାବେ ପରାଜିତ କରିହେବ ନାହିଁ । ସ୍ଥିତି ନିୟନ୍ତ୍ରଣାଧୀନ ହେଲେ ଗାଜାକୁ ଆରବ ରାଷ୍ଟ୍ରଙ୍କ ହାତରେ ଅର୍ପଣ କରାଯିବ । ତେବେ ଏହି ଯୋଜନାକୁ ଇସ୍ରାଏଲର ବୈଦେଶିକମନ୍ତ୍ରୀ ଓ ସେନାମୁଖ୍ୟ ବିରୋଧ କରିଛନ୍ତି । ସେମାନଙ୍କର ଯୁକ୍ତି ହେଲା ଏହା କଲେ ହମାସ କବଳରେ ଥିବା ଅବଶିଷ୍ଟ ଇସ୍ରାଏଲ ପଣବନ୍ଦୀଙ୍କ ଜୀବନ ବିପନ୍ନ ହୋଇପାରେ। ତେବେ ଯୁଦ୍ଧଖୋର ନେତାନ୍ୟାହୁଙ୍କ ନିର୍ଦେଶ ପାଳନ ନହେଲେ ସେନାମୁଖ୍ୟ ବରଖାସ୍ତ ହୋଇପାରନ୍ତି ବୋଲି ଖବର ମିଳୁଛି ।
ଗାଳାରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଙ୍କର ଯୋଜନା ବିଫଳ ହୋଇଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା ପରେ ଏହି ଯୁଦ୍ଧକୁ ନେଇ ତାଙ୍କ ଦେଶ ଏବେ ନିରବ । ହମାସ ଅବଶିଷ୍ଟ ପଣବନ୍ଦୀଙ୍କୁ ଛାଡ଼ିଦେଲେ ଯୁଦ୍ଧର ଅବସାନ ଘଟନ୍ତା; କିନ୍ତୁ ହମାସର ନେତାମାନେ ଏହା ସହିତ ଆଉ କେତେକ ସର୍ତ୍ତ ଯୋଡୁଛନ୍ତି ଯେଉଁଥିରେ ଗାଜାର ସ୍ବାଧୀନତା ଓ ଇସ୍ରାଏଲର ସୈନ୍ୟ ପ୍ରତ୍ୟାହାର ଅନ୍ତର୍ଭୁକ୍ତ । ଏଭଳି ଜିଦ୍ ମଧ୍ୟରେ ଯୁଦ୍ଧର ଅବସାନ ଆଶା କ୍ଷୀଣ ।
ହମାସ ଆଉ ଲଢ଼ିବା ସ୍ଥିତିରେ ନାହିଁ । ତେଣେ ପ୍ରତିଦିନ ବୋମାମାଡ଼, ବିମାନ ଆକ୍ରମଣ ଓ ବ୍ୟାଙ୍କରୁ ଗୁଳିଗୋଳା ବର୍ଷଣ ଫଳରେ ଗାଜା ଏକ ଧ୍ଵଂସସ୍ତୁପ ପାଲଟି ଛି । ଏହି ଆକ୍ରମଣ ଯଦି ଅବ୍ୟାହତ ରହେ ପଣବନ୍ଦୀମାନଙ୍କର ମୃତ୍ୟୁ ନିଶ୍ଚିତ ଘଟିବ ଓ ନେତାନ୍ୟାହୁଙ୍କ କ୍ରୋଧରେ ଗାଜାପଟି ସବୁଦିନ ପାଇଁ ମାଟିରେ ମିଶିଯାଇପାରେ । ଏଭଳି ସ୍ଥିତିରେ କଥାବାର୍ତ୍ତା ଓ ମଧ୍ୟସ୍ଥତା ମଧ୍ୟରେ ପଣବନ୍ଦୀଙ୍କ ମୁକ୍ତିପାଇଁ ଉଦ୍ୟମ କରାଯିବା ଅଧିକ ମାନବୀୟ ଓ ଯୁକ୍ତିଯୁକ୍ତ ମାର୍ଗ ମନେହେଉଛି । ହେଲେ ଏହି ବିକଳ୍ପକୁ ନେତାନ୍ୟାହୁ ଗ୍ରହଣ କରିବାକୁ ନାରାଜ। ତାଙ୍କର ପ୍ରଥମ ସର୍ତ୍ତ ହେଲା ପଣବନ୍ଦୀ ଥିବା ସବୁ ଇସ୍ରାଏଲ ନାଗରିକଙ୍କ ନିରାପଦ ମୁକ୍ତି। ତା’ପରେ ଯାଇ କଥାବାର୍ତ୍ତା । ହେଲେଏହାକୁ ହମାସ ଗ୍ରହଣ କରୁନାହିଁ ଏବଂ କିଛି ଦେଶଙ୍କ ପ୍ରରୋଚନା ଏହା ପଛରେ ରହିଛି । ନେତାନ୍ୟାହୁ ବିଶ୍ୱଜନମତକୁ ଭ୍ରୁକ୍ଷେପ କରୁନଥିବାବେଳେ ହମାସ୍ ମଧ୍ୟ ମୁଣ୍ଡ ନୁଆଁଇନାହିଁ । ଫଳରେ ଏକ ବଡ଼ ମାନବୀୟ ବିପର୍ଯ୍ୟୟ ଆଡ଼କୁ ଗାଜା ଓ ପାଲେଷ୍ଟାଇନ ଗତିକରୁଛି।
ଗାଜାରେ ବିଶ୍ୱ ନୈତିକତା ସାମୁହିକ ଭାବେ ବିଫଳ ହୋଇଛି । ଗୁରୁତ୍ଵପୂର୍ଣ ପ୍ରସଙ୍ଗରେ ନିରବତା ଆଦୌ ଗ୍ରହଣୀୟ ନୁହେଁ । ସଂକଟବେଳେ ମୁହଁ ଖୋଲିବା ଓ ସମସ୍ୟା ସମାଧାନ ପାଇଁ ଆଗେଇ ଆସିବା ମଣିଷର ଧର୍ମ। ସୁତରାଂ ଏହି ନିରବତାର ଅବସାନ ଘଟିବା ଆବଶ୍ୟକ । ପ୍ରଭାବୀ ସ୍ୱର ଉତ୍ତୋଳନ ଦ୍ୱାରା ଗୁଳିଗୋଳାର ଗର୍ଜନ ବନ୍ଦ ହୋଇଥାଏ ।
ଶାନ୍ତି, ସଂହତି, ମଣିଷର ଜୀବନ ଓ ମାନବିକତାକୁ ଭାରତ ସର୍ବଦା ଗୁରୁତ୍ୱ ଦେଇ ଆସିଛି । ଉଭୟ ପାଲେଷ୍ଟାଇନ ଓ ଇସ୍ରାଏଲ ସହିତ ଭାରତର ସମ୍ପର୍କ ମଧ୍ୟ ଭଲ । ତେଣୁ ଏହି ଲଢ଼େଇରେ ଭାରତ ସମତୁଲ କୂଟନୀତି ଅବଲମ୍ବନକରି ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ପକ୍ଷକୁ ବୁଝାଇବା ଆବଶ୍ୟକ। ଦୁଇପକ୍ଷ ଆକ୍ରମଣାତ୍ମକ ନୀତିରୁ ବିରତ ହୋଇ ସଂଯମ ଆଚରଣ ପୂର୍ବକ କଥାବାର୍ତ୍ତା କଲେ ବିବାଦର ଅନ୍ତ କେବଳ ଘଟିବ ନାହିଁ, ଲକ୍ଷ ଲକ୍ଷ ବେସାମରିକ ଲୋକଙ୍କ ଜୀବନ ବଞ୍ଚିଯିବ ଓ ଗାଜା ରକ୍ଷା ପାଇଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଜଟିଳ ଯୁଦ୍ଧରେ ଶାନ୍ତିଦୂତ ଭାବେ କାର୍ଯ୍ୟ କରିବା ଆବଶ୍ୟକ।
ALSO READ https://purvapaksa.com/now-america-is-down/


