Odisha : ଖର୍ଚ୍ଚ ହେବ ୧୨୬୪ କୋଟି ଟଙ୍କା
ରାଜ୍ୟରେ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ମହାନଦୀ, ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଉପରେ ୪ଟି ପ୍ରମୁଖ ପୋଲ ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହି ନିର୍ମାଣ ପାଇଁ ମୋଟ ୧୨୬୪ କୋଟି ଟଙ୍କା ଖର୍ଚ୍ଚ ହେବ।
ଓଡ଼ିଶାର ୪ଟି ପ୍ରମୁଖ ସେତୁର ଅବସ୍ଥିତି
ମିଳିଥିବା ସୂଚନା ଅନୁଯାୟୀ, ୪ଟି ବୃହତ୍ ସେତୁ ପ୍ରକଳ୍ପ ନିର୍ମାଣ ପାଇଁ ଅନୁମୋଦନ ମିଳିଛି। ଭଦ୍ରକ-ଚାନ୍ଦବାଲି ରାସ୍ତାର ଚାନ୍ଦବାଲି ନିକଟ ବୈତରଣୀ ନଦୀ ଉପରେ ୩୧୯ କୋଟି ଟଙ୍କା ବ୍ୟୟ ଅଟକଳରେ ଦ୍ୱିତୀୟ ସେତୁ, କଟକ-ଚାନ୍ଦବାଲି ରାସ୍ତାର ଭାରିଗଡ଼ାଠାରେ ଖରସ୍ରୋତା ନଦୀ ଉପରେ ୨୮୪ କୋଟି ଟଙ୍କା ବ୍ୟୟ ଅଟକଳରେ ଦ୍ୱିତୀୟ ସେତୁ, କଟକ-ଚାନ୍ଦବାଲି ରାସ୍ତାର ପାତ୍ରପୁରଠାରେ ବ୍ରାହ୍ମଣୀ ନଦୀ ଉପରେ ୩୦୭ କୋଟି ଟଙ୍କା ବ୍ୟୟ ଅଟକଳରେ ଦ୍ୱିତୀୟ ସେତୁ ନିର୍ମାଣ କରାଯିବ। ୩୫୪ କୋଟି ଟଙ୍କା ବ୍ୟୟ ଅଟକଳରେ ପୂଜାରୀପାଲି ଘାଟ-ଜରିମୂଳ ରାସ୍ତାରେ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ସଂଯୋଗ କରିବା ପାଇଁ ମହାନଦୀ ଉପରେ ଏକ ବଡ଼ ପୋଲ ନିର୍ମାଣ କରାଯିବ।ରାଜ୍ୟର ସଡ଼କ ଯୋଗାଯୋଗରେ ଉନ୍ନତି ଆଣିବାରେ ଏହି ସେତୁଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।
ଏହାବ୍ୟତୀତ ପୂର୍ତ୍ତ ବିଭାଗ ପକ୍ଷରୁ ନୂତନ ଜ୍ଞାନକୌଶଳ ଯଥା ମିଲିଂ, ହ୍ୱାଇଟ୍ ଟପିଂ, ରାସ୍ତା ନିର୍ମାଣରେ ବର୍ଜ୍ୟ ପ୍ଲାଷ୍ଟିକର ବ୍ୟବହାର, ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ରାଜପଥ ଓ ସହରାଞ୍ଚଳ ରାସ୍ତାର ବିକାଶରେ ପୂର୍ଣ୍ଣ ଗଭୀରତା ପୁନରୁଦ୍ଧାର (ଏଫଡ଼ିଆର୍)ର ବ୍ୟବହାର, ଆଧୁନିକ ବୈଷୟିକ ପଦ୍ଧତିରେ ରାସ୍ତା ଓ ପୋଲର ଉପଯୁକ୍ତ ରକ୍ଷଣାବେକ୍ଷଣ ଭଳି କେତେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି।
କଣ୍ଡିସନ୍ ଆସେସମେଣ୍ଟ (କଣ୍ଡିସନ୍ ସର୍ଭେ) ପଦ୍ଧତିରେ ରାସ୍ତା ଓ ପୋଲଗୁଡ଼ିକର ରକ୍ଷଣାବେକ୍ଷଣ ଓ ଥଇଥାନ କରାଯିବ। ସେହିପରି ନୂଆ ଓଡ଼ିଶା ରାଜ୍ୟ ସଡ଼କ ନୀତି ପ୍ରସ୍ତୁତ କରାଯାଉଛି। ଏହା ଚୂଡ଼ାନ୍ତ ହେଲେ ରାସ୍ତା ଓ ପୋଲ ନିର୍ମାଣ ଓ ବିଭିନ୍ନ ଇଞ୍ଜିନିୟରିଂ କାର୍ଯ୍ୟର ରକ୍ଷଣାବେକ୍ଷଣ ଶୃଙ୍ଖଳିତ ଓ ଉନ୍ନତ ହୋଇପାରିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରଶାସନିକ ବ୍ୟୟ ଅଧୀନରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ୨୯୯୬ କୋଟି ଟଙ୍କାରୁ ଅଧିକ ଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟ ୯୪୫୧ କୋଟି ଟଙ୍କାରୁ ଅଧିକ ରହିଛି। ଅର୍ଥାତ୍ ମୋଟ ବଜେଟ୍ ୧୨,୪୪୮ କୋଟି ଟଙ୍କାରୁ ଅଧିକ ରହିଛି।
Previous article: https://purvapaksa.com/how-rose-cultivation-is-empowering-tribal-women-in-odisha/
