ବହୁଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏକ ବଡ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି। ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ପାରଳାଖେମୁଣ୍ଡିର ପୂର୍ବତନ ଜିଲ୍ଲା ବନ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କୁ କୋର୍ଟ ବିଚାରବିଭାଗୀୟ ହାଜତ କୁ ପଠାଇ ଦେଇଛନ୍ତି। ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟରେ ହାଜର ହେବା ପରେ ତାଙ୍କର ଜାମିନ୍ ଆବେଦନ ଖାରଜ ହୋଇଯିବାରୁ କୋର୍ଟ ତାଙ୍କୁ ଜେଲ୍ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିଷ୍ପତ୍ତି ପରେ ଦୀର୍ଘ ଦିନ ଧରି ନ୍ୟାୟ ଅପେକ୍ଷାରେ ଥିବା ସୌମ୍ୟରଞ୍ଜନଙ୍କ ପରିବାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ନ୍ୟାୟ ମିଳିବା ନେଇ ଆଶା ଆହୁରି ମଜବୁତ୍ ହୋଇଛି।
କୋର୍ଟରେ ହାଜର ଓ ଜାମିନ୍ ଆବେଦନ ଖାରଜ
ସୂଚନା ଅନୁଯାୟୀ, ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପୂର୍ବତନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ କୋର୍ଟଙ୍କ ପକ୍ଷରୁ ସମନ୍/ୱାରେଣ୍ଟ ଜାରି କରାଯାଇଥିଲା। ଆଜି ସେ ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରି ଜାମିନ୍ ପାଇଁ ଆବେଦନ କରିଥିଲେ। ତେବେ ମାମଲାର ଗାମ୍ଭୀର୍ଯ୍ୟ, ପାରିପାର୍ଶ୍ୱିକ ପ୍ରମାଣ ଏବଂ ପୂର୍ବରୁ ଆସିଥିବା ଅଭିଯୋଗକୁ ଭିତ୍ତି କରି କୋର୍ଟ ଜାମିନ୍ ନାମଞ୍ଜୁର କରିଥିଲେ। ଏହାପରେ ପୋଲିସ ତାଙ୍କୁ ନିଜ ହାଜତକୁ ନେଇ ସ୍ଥାନୀୟ ଜେଲ୍କୁ ପଠାଇ ଦେଇଛି।
କ’ଣ ଥିଲା ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା?
୨୦୨୧ ଜୁଲାଇ ମାସରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ସନ୍ଦେହଜନକ ଭାବେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିଲେ। ପରେ କଟକର ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
/odishatv/media/post_attachments/uploadimage/library/16_9/16_9_0/IMAGE_1629108318.jpg)
ଏହି ଘଟଣାକୁ ନେଇ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ସିଧାସଳଖ ହତ୍ୟାକାଣ୍ଡର ଅଭିଯୋଗ ଆଣିଥିଲେ। ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା, ପୂର୍ବତନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଓ ମାମଲା ପଛରେ ଷଡ଼ଯନ୍ତ୍ର ଥିବା ନେଇ ଏତଲା ଦିଆଯାଇଥିଲା। ଏହି ଘଟଣା ସାରା ଓଡ଼ିଶାରେ ପ୍ରବଳ ଆଲୋଡ଼ନ ସୃଷ୍ଟି କରିଥିଲା।
ପୋଲିସ, କ୍ରାଇମ୍ବ୍ରାଞ୍ଚ ଓ ଆଇନଗତ ଲଢ଼େଇ
ପ୍ରଥମେ ସ୍ଥାନୀୟ ପୋଲିସ ଏବଂ ପରେ କ୍ରାଇମ୍ବ୍ରାଞ୍ଚ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା। ତେବେ କ୍ରାଇମ୍ବ୍ରାଞ୍ଚ ତଦନ୍ତରେ ଡିଏଫ୍ଓଙ୍କୁ ସିଧାସଳଖ କ୍ଲିନ୍ ଚିଟ୍ ମିଳିବା ନେଇ ପ୍ରଶ୍ନ ଉଠିଥିଲା। ଏହାକୁ ବିରୋଧ କରି ସୌମ୍ୟରଞ୍ଜନଙ୍କ ବାପା ଆଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।
କୋର୍ଟ ସମସ୍ତ ଦଲିଲ ଓ ପ୍ରମାଣକୁ ଅନୁଧ୍ୟାନ କରିବା ପରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା, ମୃତକଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଏବଂ ରୋଷେୟାଙ୍କ ବିରୋଧରେ ମାମଲା ବିଚାରଯୋଗ୍ୟ ବୋଲି ଦର୍ଶାଇ ସମନ୍ ଜାରି କରିଥିଲେ।

ପରିବାର ପ୍ରକାଶ କଲେ ସନ୍ତୋଷ
ପୂର୍ବତନ ଡିଏଫ୍ଓ ଜେଲ୍ଯିବା ପରେ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଆମେ ଦୀର୍ଘ ଦିନ ହେଲା ନିଜ ପୁଅକୁ ହରାଇ ନ୍ୟାୟ ପାଇଁ ଲଢ଼େଇ କରୁଥିଲୁ। ଆଜି କୋର୍ଟଙ୍କ ଏହି ନିଷ୍ପତ୍ତି ଆମ ମନରେ ଆଶା ଭରିଦେଇଛି। ଆମକୁ ଆଦାଲତ ଉପରେ ସମ୍ପୂର୍ଣ୍ଣ ଭରସା ଅଛି, ଅଭିଯୁକ୍ତମାନଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବ।”
ଅନ୍ୟପକ୍ଷରେ, ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟଙ୍କ ଆଗାମୀ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି।


