Crocodile Census : ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା। ୩ ଦିନ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ କୁମ୍ଭୀର ଗଣନାରେ ୧୪ଟି ଟିମ୍ର ମୋଟ୍ ୭୦ କର୍ମଚାରୀ ନିୟୋଜିତ ରହିଛନ୍ତି। ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କୁ ସାତକୋଶିଆ ଆସିବାକୁ ବାରଣ କରାଯାଇଛି।
ଅନୁଗୁଳ ଜିଲ୍ଲା ସାତକୋଶିଆର ମହାନଦୀ ଓ ଅନ୍ୟାନ୍ୟ ଜଳାଶୟରେ କୁମ୍ଭୀର ଗଣନା ପାଇଁ ବନ ବିଭାଗ ପକ୍ଷରୁ ତିନି ଦିନିଆ ଅଭ୍ୟାସ ଆରମ୍ଭ ହୋଇଛି। ଜାନୁଆରୀ ୬ରୁ ୮ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ଚାଲିବ।
ଏହି ସମୟରେ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ସାତକୋଶିଆ ଯିବାକୁ ବାରଣ କରାଯାଇଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଆଜିଠାରୁ ଜାନୁଆରି ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ।
କୁମ୍ଭୀର ଗଣନା କାର୍ଯ୍ୟରେ ବନ ବିଭାଗର ୧୪ଟି ଟିମ୍ ନିୟୋଜିତ ହୋଇଛନ୍ତି।
ପ୍ରତ୍ୟେକ ସେକ୍ଟରରେ ୫ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଗଣତି ପାଇଁ ମୋଟ ୭୦ ଜଣ କର୍ମଚାରୀ ନିୟୋଜିତ ହେବେ ବୋଲି ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନ ଅଧିକାରୀ ସରୋଜ ପଣ୍ଡା ସୂଚନା ଦେଇଛନ୍ତି।
ପ୍ରତିବର୍ଷ ଶୀତ ଋତୁରେ କୁମ୍ଭୀର ମାନେ ପାଣିରୁ ବାହାରି ନଦୀ କୂଳରେ ଶୋଇଥିବାରୁ କୁମ୍ଭୀର ଗଣନା କରାଯାଏ । ବନ ବିଭାଗ କର୍ମଚାରୀମାନେ ମହାନଦୀରେ ଥିବା କୁମ୍ଭୀରମାନଙ୍କୁ ଛୋଟ ଡଙ୍ଗା କିମ୍ବା ସ୍ୱତନ୍ତ୍ର ଭାବେ ନିର୍ମିତ ଡଙ୍ଗାରେ ଦୂରବୀକ୍ଷଣ ଓ କ୍ୟାମେରା ସାହାଯ୍ୟରେ ଗଣନା କରିବେ।
Also readhttps://purvapaksa.com/prashant-kishor-arrested-amid-hunger-strike-to-support-bpsc-exam-protesters/
