ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଭାରତୀୟ ଜନତା ପାର୍ଟିର ଦେବେନ୍ଦ୍ର ଫଡ଼ନାବିସ। ଆଜି ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାର୍ଟିର ନେତାମାନେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତାଙ୍କର ଦୁଇ ଉପମୁଖ୍ୟମନ୍ତ୍ରୀ ହେବେ ଶିବସେବାର ଏକନାଥ ଶିନ୍ଦେ ଓ ଏନସିପିର ଅଜିତ ପାୱାର।
ଆସନ୍ତାକାଲି ନେବେ ଶପଥ
ଶେଷରେ ଛିଣ୍ଡିଛି ମହାରାଷ୍ଟ୍ର ଅଙ୍କ। ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଭାରତୀୟ ଜନତା ପାର୍ଟିର ଦେବେନ୍ଦ୍ର ଫଡ଼ନାବିସ। ଆଜି ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାର୍ଟିର ନେତାମାନେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତାଙ୍କର ଦୁଇ ଉପମୁଖ୍ୟମନ୍ତ୍ରୀ ହେବେ ଶିବସେବାର ଏକନାଥ ଶିନ୍ଦେ ଓ ଏନସିପିର ଅଜିତ ପାୱାର। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମୁମ୍ବାଇର ଆଜାଦ ମଇଦାନରେ ଅପରାହ୍ଣ ୫ ଘଣ୍ଟା ସମୟରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଶପଥଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ ବୋଲି ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରଶେଖର ବାବନକୁଳ ଘୋଷଣା କରିଛନ୍ତି।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାର ୧୧ ଦିନ ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଏ ନେଇ ଉଭୟ ଦିଲ୍ଲୀ ଓ ମୁମ୍ବାଇରେ ଦଳକୁ ଅନେକ କସରତ କରିବାକୁ ପଡ଼ିଛି। ବିଦାୟୀ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ଶିନ୍ଦେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଅଡ଼ି ବସିବାରୁ ନୂଆ ସରକାର ଗଠନ ବିଳମ୍ବିତ ହୋଇଥିଲେ। ଶେଷରେ ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବାକୁ ଶିନ୍ଦେ ରାଜି ହେବା ପରେ ଆଜି ମହାରାଷ୍ଟ୍ର ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଦେବେନ୍ଦ୍ର ଫଡ଼ନାବିସ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି।
ଭାରତୀୟ ଜନତା ପାର୍ଟି ନେତା ସୁଧୀର ମୁଙ୍ଗଣ୍ଟିୱାର କହିଛନ୍ତି ଯେ ମହାୟୁତି ମେଣ୍ଟର ନେତାମାନେ ବୁଧବାର ଅପରାହ୍ନ ସାଢ଼େ ୩ଟାରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ। ମୁମ୍ବାଇର ବିଧାନ ଭବନରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଉପସ୍ଥିତ ଥିଲେ। ବୈଠକ ପାଇଁ ବିଜେପି ସୀତାରମଣ ଓ ରୁପାନିଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିଲା।
ଆଜି ବିଜେପି ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦେବେନ୍ଦ୍ର ଫଡ଼ନାବିସଙ୍କୁ ବିଧାୟକ ଦଳ ନେତା ଭାବେ ସର୍ବସମ୍ମତିରେ ନିର୍ବାଚିତ କରାଯାଇଥିଲା। ଏହା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଥିଲେ ଓ ଦେବେନ୍ଦ୍ର ଫଡ଼ନାବିସଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ରାଜ୍ୟର ୨୮୮ ଆସନରୁ ବିଜେପି ଏକାକି ୧୩୨ ଆସନରେ ବିଜୟୀ ହୋଇଛି। ଏହାର ସହଯୋଗୀ ଦଳ ଭାବେ ସିନ୍ଦେଙ୍କ ଶିବେସନା ୫୭ ଓ ଅଜିତ ପାୱାରଙ୍କ ଏନସିପି ୪୧ ଆସନ ହାସଲ କରିଛନ୍ତି। ଏହି ମେଣ୍ଟ ବିଧାନସଭାରେ ମୋଟ ୨୩୦ ଆସନ ହାସଲ କରିଛି।
previous article: https://purvapaksa.com/president-droupadi-murmu-visits-puri-offers-prayers-at-srimandir/
