ନାଟୋ ରାଷ୍ଟ୍ର ଏବଂ ଋଷ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଯୋଗୁଁ ଯେକୌଣସି ମୁହୂର୍ତ୍ତରେ ତୃତୀୟ ବିଶ୍ବଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଫ୍ରାନ୍ସର ଯୁଦ୍ଧ ପ୍ରସ୍ତୁତିରୁ ଏଭଳି ସଙ୍କେତ ମିଳିଛି। ପ୍ରଘଟ ହୋଇଯାଇଥିବା ଏକ ଗୁଇନ୍ଦା ଚିଠିରୁ ଏହା ଜଣାପଡ଼ିଛି। ଫ୍ରାନ୍ସ ନିଜ ନାଗରିକ ଏବଂ ହସ୍ପିଟାଲଗୁଡିକୁ ବଡ଼ଧରଣର ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛି। ଏଥିପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମାର୍ଗଦର୍ଶିକା ମଧ୍ୟ ଜାରି କରିସାରିଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦିନକୁ ଶତାଧିକ ଆହତ ସୈନିକଙ୍କ ଯତ୍ନ ନେବା ପାଇଁ ପ୍ରସ୍ତୁତ ରହିବାକୁ ଡାକ୍ତରଖାନାଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏହି ସୂତ୍ରରୁ ପ୍ରକାଶ।
ଏହି ଗୁପ୍ତ ଚିଠିରୁ ଜଣାପଡ଼ିଛି ଯେ ଫ୍ରାନ୍ସ କେବଳ ନିଜର ନୁହେଁ, ବରଂ ନାଟୋ ଦେଶର ସୈନିକଙ୍କ ପାଇଁ ମଧ୍ୟ ଚିକିତ୍ସା ବ୍ୟବସ୍ଥା କରୁଛି। ଏଥିନିମନ୍ତେ ଉନ୍ନତ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ କୁହାଯାଇଛି। ନାଟୋର ଧାରା-୫ ଅନୁଯାୟୀ କୌଣସି ସଦସ୍ୟ ରାଷ୍ଟ୍ରଙ୍କ ଉପରେ ଆକ୍ରମଣ ହେଲେ ସବୁ ଦେଶ ଏକାଠି ହୋଇ ଏହାର ମୁକାବିଲା କରିବେ। ଏଭଳି ସ୍ଥିତିରେ ବ୍ରିଟେନ, ଆମେରିକା ଏବଂ ୟୁରୋପର ଅନେକ ଦେଶ ମଧ୍ୟ ସିଧାସଳଖ ଯୁଦ୍ଧରେ ସାମିଲ ହୋଇପାରନ୍ତି। ତେଣୁ ତୃତୀୟ ବିଶ୍ବଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପ୍ରସ୍ତୁତି କରାଯାଉଛି ବୋଲି ଫ୍ରାନ୍ସ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ସେନାରେ ଅଧିକ ଯବାନଙ୍କୁ ନିଯୁକ୍ତି କରାଯାଉଛି। ପୋଲାଣ୍ଡ ଏବଂ ବାଲ୍ଟିକ ଦେଶଗୁଡିକରେ ମଧ୍ୟ ସେନାକୁ ମଜବୁତ କରାଯାଉଛି। ଏହି ରାଷ୍ଟ୍ରଗୁଡିକରେ ଟ୍ୟାଙ୍କ, ମାଇଲଫିଲ୍ଡ ଏବଂ ରକେଟ ସିଷ୍ଟମ ସହ ସଂଯୁକ୍ତ ବାୟୁରକ୍ଷା ପ୍ରଣାଳୀ ପ୍ରସ୍ତୁତ ହୋଇରହିଛି। ଜର୍ମାନୀର ପ୍ରମୁଖ ଜେନେରାଲ କାର୍ଷ୍ଟନ ବ୍ରେଉର ଚେତାବନୀ ଦେଇଛନ୍ତି ଯେ ରୁଷର ଜାପାଡ-୨୦୨୫ ଯୁଦ୍ଧାଭ୍ୟାସର ଭୟାବହତାକୁ ଏଡାଇହେବ ନାହିଁ। ଏହା ଆଉ ଏକ ବିଶ୍ବଯୁଦ୍ଧ ଅଡ଼କୁ ନେଇଯାଉଛି। ଅନ୍ୟପଟେ ‘ଅପରେସନ ଡାୟଚଲାଣ୍ଡ’ ନାମରେ ଜର୍ମାନୀ ଏକ କାଗଜପତ୍ର ପ୍ରସ୍ତୁତ କରିଛି। ଏଥିରେ ସୁରକ୍ଷିତ ସ୍ଥାନ, ବଙ୍କର ଏବଂ ନାଟୋ ସୈନିକ ସହିତ ଗାଡ଼ି ଗୁଡିକର ମୁତୟନ ନେଇ ସୂଚନା ଦିଆଯାଇଛି। ଏହା ବ୍ୟତୀତ ପରମାଣୁ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତି ହେଉଛି। ଏଭଳି ଆକ୍ରମଣ ସ୍ଥିତିରେ ଜୀବନ ବଞ୍ଚାଇବାର ଉପାୟ ଉପରେ କାର୍ଯ୍ୟାରମ୍ଭ କରିଦେଇଛନ୍ତି। ଚିଠିରୁ ଜଣାପଡ଼ିଛି ଯେ ଜୁଲାଇରେ ବ୍ରିଟେନ ଏବଂ ଫ୍ରାନ୍ସ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ତୃତୀୟ ବିଶ୍ବଯୁଦ୍ଧ ସ୍ଥିତିରେ ଦୁଇ ଦେଶ ସମନ୍ବିତ ଭାବେ ଆକ୍ରମଣ କରିବେ ବୋଲି ଏଥିରେ କୁହାଯାଇଥିଲା। ସମ୍ଭାବ୍ୟ ଯୁଦ୍ଧ ପ୍ରସ୍ତୁତିକୁ ନେଇ ୟୁରୋପ ପ୍ରସ୍ୁତି ଚଳାଇଥିବା ବେଳେ ବିଶେଷଜ୍ଞଙ୍କ ଅନୁଯାୟୀ ଏହା ବିଶ୍ବଯୁଦ୍ଧ ଆରମ୍ଭ ହେବାର ସଙ୍କେତ ଦେଉଛି।
