ମହାକାଶ, ଅଟୋମୋବାଇଲ ଓ ଇଣ୍ଟରନେଟ୍ ଭଳି କ୍ଷେତ୍ରରେ ବିପ୍ଳବ ଆଣିବା ପରେ ଆମେରିକାର ବିଶିଷ୍ଟ ଧନୀ ବ୍ୟକ୍ତି ଓ ବ୍ୟବସାୟୀ ତଥା ଟେସ୍ଲା ସିଇଓ ଏଲନ୍ ମସ୍କ ରାଜନୀତିରେ ପାଦ ଥାପିଛନ୍ତି। ‘ଆମେରିକା ପାର୍ଟି’ ନାମରେ ଗଢ଼ିଛନ୍ତି ନୂଆ ରାଜନୈତିକ ଦଳ। ନିଜ ମାଇକ୍ରୋବ୍ଲଟିଂ ସାଇଟ୍ ‘ଏକ୍ସ’ରେ ସେ ଏ ନେଇ ରବିବାର ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନର ଅଂଶ ବିଶେଷ ହେବା ସହ ତାଙ୍କୁ ନିର୍ବାଚିତ କରାଇବାରେ ମସ୍କ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ହେଁ ଉଭୟଙ୍କ ମଧ୍ୟରେ ବିବାଦ ଗତ କିଛି ଦିନ ମଧ୍ୟରେ ଚରମ ସୀମାରେ ପହଞ୍ଚିଥିଲା। ବେଶ୍ କିଛିଦିନ ଧରି ଉଭୟ ପରସ୍ପରକୁ ଜୋରଦାର ଟାର୍ଗେଟ୍ କରିଥିଲେ । ରବିବାର ଏହି ବିବାଦ ନୂଆ ମୋଡ଼ ନେଉଛି।
ବ୍ୟବସାୟୀରୁ ରାଜନେତା ବନିଥିବା ୫୪ ବର୍ଷୀୟ ମସ୍କ ‘ଏକ୍ସ’ରେ ଦେଶବାସୀଙ୍କୁ ସମ୍ବୋଧନ କରି ଲେଖିଛନ୍ତି, ‘ଆଜି ଆମେରିକା ପାର୍ଟି ଗଠନ କରାଯାଉଛି।ଯାହାଦ୍ୱାରା ଆପଣମାନେ ନିଜ ସ୍ଵାଧୀନତା ଫେରିପାଇବେ। ଦେଶରେ ଆପଣମାନଙ୍କ ମଧ୍ୟରୁ ୬୬% ଲୋକ ନୂଆ ରାଜନୈତିକ ଦଳ ଚାହୁଁ ଛନ୍ତି । ଏହା ଆପଣଙ୍କୁ ନିଶ୍ଚିତ ମିଳିବ। ମସ୍କ ଟୁଇଟରରେ ଆହୁରି ମଧ୍ୟ ଲେଖିଛନ୍ତି, ଆମେରିକାକୁ ବରବାଦ କରିବା ଏବଂ ଦୁର୍ନୀତି କଥା ଯେତେବେଳେ ଉଠେ, ଉଭୟ ଦଳ – ରିପବ୍ଲିକାନ୍ ଡେମୋକ୍ରାଟିକ୍ – ଏକାଭଳି ଲାଗନ୍ତି। ଏବେ ଦେଶକୁ ଦ୍ବିଦଳୀୟ ବ୍ୟବସ୍ଥାରୁ ମୁକ୍ତି ମିଳିବ।
ଟେସ୍ଲା ସିଇଓ ଗତ ୪ ତାରିଖରେ ଆମେରିକାର ସ୍ଵାଧୀନତା ଦିବସ ଉପଲକ୍ଷେ ଏକ ଜନମତ ସର୍ଭେ ଆରମ୍ଭ କରିଥିଲେ। ଏଥିରେ ସେ ପଚାରିଥିଲେ, ଆପଣମାନେ ଦୁଇ ଦଳ ବ୍ୟବସ୍ଥାରୁ ମୁକ୍ତି ଚାହାନ୍ତି କି ? ମୁଁ ଆମେରିକା ପାର୍ଟି ଗଢ଼ିବା ଉଚିତ ହେବ କି ? ଏହାର ଜବାବରେ ୬୫.୪% ଲୋକ ‘ହଁ’ ଏବଂ ୩୪.୬% ଲୋକ ‘ନା’ରେ ଭୋଟ ଦେଇଥିଲେ।
ଏହାପରେ ଏଲନ୍ ମସ୍କ ନୂଆ ଦଳ ଗଢ଼ିବାକୁ ନିଷ୍କରି ନେଇଥିଲେ। ଆମେରିକାରେ ଦେଢ଼ଶହ ବର୍ଷ ହେଲା ରିପବ୍ଲିକାନ୍ ଓ ଡେମୋକ୍ରାଟିକ୍ ଦଳର ଦବଦବା ରହିଆସିଛି । ରାଷ୍ଟ୍ରପତି ନିର୍ବାଚନଠାରୁ ପ୍ରଦେଶ ନିର୍ବାଚନ ପର୍ଯ୍ୟନ୍ତ ସବୁଠାରେ ଏହି ଦୁଇଦଳର ପ୍ରଭାବ ରହିଛି। ଏହି ଦ୍ଵିଦଳୀୟ ବ୍ୟବସ୍ଥା ଦ୍ବାରା ବିଶ୍ଵରେ ଆମେରିକା ହିଁ ଗଣତନ୍ତ୍ରରେ ସ୍ଥିରତା ବଜାୟ ରଖି ଆସିଥିବା କୁହାଯାଏ ।
ଉଲ୍ଲେଖଯୋଗ୍ୟ ଯେ, ଟ୍ରମ୍ପଙ୍କ ‘ବିଗ୍ ବିୟୁଟିଫୁଲ୍ ବିଲ୍’କୁ ମସ୍ତ ତୀବ୍ର ବିରୋଧ କରୁଥିଲେ। ଏହାଦ୍ଵାରା ଦେଶର ବିତ୍ତୀୟ ନିଅଣ୍ଟ ବଢ଼ିବ ଏବଂ ଲୋକଙ୍କ ଉପରେ ଏହାର ଚାପ ପଡ଼ିବା ନେଇ ସେ ଯୁକ୍ତି ବାଢ଼ିଥିଲେ। ସିନେଟ୍ରେ ଏହାକୁ ବିରୋଧ କରିବାକୁ ସେ ଉଭୟ ରିପବ୍ଲିକାନ୍ ଓ ଡେମୋକ୍ରାଟିକ୍ ସାଂସଦଙ୍କୁ ଆହ୍ବାନ ମଧ୍ୟ ଦେଇଥିଲେ।
ଏମିତି କି ସିନେଟ୍ରେ ବିଲ୍ ଗୃହୀତ ହେଲେ ସେ ନୂଆ ଦଳ ଗଢ଼ିବା ନେଇ ଚେତାବନୀ ବି ଦେଇଥିଲେ। ଏସବୁ ସତ୍ତ୍ୱେ ସିନେଟ୍ରେ ବିଲ୍ ଗୃହୀତ ହୋଇ ଆଇନରେ ପରିଣତ ହୋଇଥିବାରୁ ମସ୍କ ନିଜ କଥା ରଖି ନୂଆ ଦଳ ଗଢ଼ିଛନ୍ତି। ଆମେରିକାରେ ବର୍ତ୍ତମାନ ସ୍ଥିତି ଯାହା ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଟ୍ରମ୍ପଙ୍କ ବାଚଳାମି ଯୋଗୁଁ ସେଠାରେ ରାଜନୀତିକ ଅନିଶ୍ଚିତତା ଦେଖାଦେଇଛି।ଏହିଭଳି ସମୟରେ ମସ୍କ କେତେଦୂର ଏହି ନୂଆ ଦଳକୁ ଆଗେଇ ନେଇ ପାରିବେ ତାହା ଭବିଷ୍ୟତ ହିଁ କହିବ।
Also readhttps://purvapaksa.com/china-three-gorges-dam-is-subtly-altering-earth-rotation-slowing/
