କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଡିଜିଟାଲ ଡାଟା ପ୍ରୋଟେକ୍ସନ ଆଇନର ବିଜ୍ଞପ୍ତି ଜାରି କରିଛନ୍ତି । ଏହାଫଳରେ ଭାରତରେ ଲୋକଙ୍କ ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷିତ ରହିବାର ପଥ ପ୍ରଶସ୍ତ ହୋଇଛି । ଡାଟା ସୁରକ୍ଷାକୁ ସୁପ୍ରିମକୋର୍ଟ ନାଗରିକଙ୍କ ମୌଳିକ ଅଧିକାର ବୋଲି ରାୟ ଦେବାର ପ୍ରାୟ ୮ ବର୍ଷ ପରେ ସରକାର ଏ ନେଇ ପଦକ୍ଷେପ ନେଇଛନ୍ତି । ୨୦୧୭ ମସିହାରେ ସୁପ୍ରିମକୋର୍ଟ ଏନେଇ ରାୟ ଦେଇଥିଲେ । ସେହିଭଳି ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆଇନକୁ ରାଷ୍ଟ୍ରପତି ସ୍ୱୀକୃତି ଦେବାର ୨ ବର୍ଷ ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି । ୨୦୨୩ ଅଗଷ୍ଟରେ ରାଷ୍ଟ୍ରପତି ଏହି ବିଲ୍ରେ ମୋହର ମାରିଥିଲେ । ଏହି ଆଇନ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ କେବଳ ଏହାର କିଛି ଅଂଶ ବଳବତ୍ତର ରହିବ ।

ଆଇନର ଅଧିକାଂଶ ଏବଂ ଗୁରୁତ୍ୱପୂର୍ଣ୍ଣ ଅଂଶ କାର୍ଯ୍ୟକାରୀ ହେବାକୁ ୧୨ରୁ ୧୮ ମାସ ସମୟ ଲାଗିବ । ବ୍ୟକ୍ତିଗତ ଡାଟାକୁ ବ୍ୟବହାର କରିବା ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କ ସମ୍ମତି ଆଣିବା ଡାଟା ଚୋରି ବା ଲିକ୍ ଆଦି ସଂପର୍କରେ ସଂପୃକ୍ତ ବ୍ୟକ୍ତିଙ୍କୁ ଜଣାଇବା ଆଦି କାର୍ଯ୍ୟକୁ କାର୍ଯ୍ୟକ୍ଷମ କରିବା ଲାଗି ୧୮ ମାସ ସମୟ ଲାଗିବ । ତେବେ ଯାହା କାର୍ଯ୍ୟକାରୀ କରାଯାଇଛି ତାହା ହେଲା ଡାଟା ପ୍ରୋଟେକ୍ସନ ବୋର୍ଡ ଅଫ୍ ଇଣ୍ଡିଆର ସ୍ଥାପନ । ଆଇନ ଅନୁଯାୟୀ ସଂସ୍ଥାଗୁଡ଼ିକ କାର୍ଯ୍ୟ କରିବାକୁ ନିଶ୍ଚିତ କରିବା ପାଇଁ ଏହି ବୋର୍ଡ କାର୍ଯ୍ୟ କରିବ । ସରକାରଙ୍କ ପକ୍ଷରୁ ପୃଥକ୍ ଭାବେ ଜାରି ହୋଇଥିବା ବିଜ୍ଞପ୍ତିରେ ଡାଟା ସୁରକ୍ଷା ବୋର୍ଡରେ ୪ ଜଣ ସଦସ୍ୟ ରହିବେ ଏବଂ ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀରେ ରହିବ ବୋଲି କୁହାଯାଇଛି ।
ଡିଜିଟାଲ ପର୍ସନାଲ ଡାଟା ସୁରକ୍ଷା ନିୟମ ୨୦୨୫ରେ ବ୍ୟବସ୍ଥା ରହିଛି ଯେ ଡାଟା ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ କି ପ୍ରକାର ତଥ୍ୟକୁ ବ୍ୟବହାର କରିପାରିବେ ତାହା କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ କମିଟି ନିର୍ଦ୍ଧାରଣ କରିବ । ମେଟା, ଗୁଗଲ, ଆପଲ୍, ମାଇକ୍ରୋସଫ୍ଟ ଏବଂ ଆମାଜନ୍ ଭଳି ସଂସ୍ଥାଗୁଡ଼ିକ ଏହାର ପରିସର ଭିତରକୁ ଆସିବେ ବୋଲି ଅନୁମାନ କରାଯାଉଛି । ନିୟମ ଅନୁଯାୟୀ ପିଲାଙ୍କ ବ୍ୟକ୍ତିଗତ ଡାଟା ବ୍ୟବହାର କରିବା ପୂର୍ବରୁ ପ୍ରଯୁକ୍ତି କମ୍ପାନିଗୁଡ଼ିକୁ ପିତାମାତାଙ୍କର ସମ୍ମତି ନେବାକୁ ପଡ଼ିବ । ସରକାର ନିଜ ଆଡ଼ୁ ଏ ନେଇ ବ୍ୟବସ୍ଥା ବିକାଶ କରିବା ପରିବର୍ତ୍ତେ କମ୍ପାନିଗୁଡ଼ିକୁ ଏଥିପାଇଁ ବ୍ୟବସ୍ଥା ବିକାଶ କରିବାକୁ ଛାଡ଼ି ଦେଇଛନ୍ତି ।

ଡାଟା ଲିକ୍ ବା ଚୋରି ଭଳି ଘଟଣା ଘଟିଲେ ଡାଟା ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ ତୁରନ୍ତ ଏ ନେଇ ସଂପୃକ୍ତ ବ୍ୟକ୍ତିଙ୍କୁ ସୂଚନା ଦେବେ । ତଥ୍ୟ ଲିକ୍ର ପ୍ରକାର, ସ୍ଥାନ ଏବଂ ସମୟ ଆଦି ସଂପର୍କରେ ସୂଚନା ଦେବେ । ଡାଟା ଚୋରି ବା ଲିକ୍ ଭଳି ଘଟଣାକୁ ରୋକିବା ପାଇଁ ଯଥେଷ୍ଟ ସୁରକ୍ଷାମୂଳକ ପଦକ୍ଷେପ ନେଇ ନଥିଲେ ସଂସ୍ଥାଙ୍କୁ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ।
also read https://purvapaksa.com/salary-hike-of-mlas-in-odisha-is-the-highest-in-the-country/


