ସାଧାରଣତଃ ନିର୍ବାଚନ ଶେଷ ହେଲେ ରାଜନୀତିରେ ଗୋଟିଏ ନୂଆ ସ୍ଥିରତା ଆସେ। କିନ୍ତୁ ୨୦୨୪ ନିର୍ବାଚନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୀତିକ ପଦକ୍ଷେପ ଦେଖିଲେ ଏହା ସ୍ପଷ୍ଟ ହୁଏ ଯେ ସେହି ସ୍ଥିରତା ଓ ଶାନ୍ତି ତାଙ୍କ ପାଇଁ ଏ ପର୍ଯ୍ୟନ୍ତ ଆସିନାହିଁ। ଗୋଟିଏ ପରେ ଗୋଟିଏ ବିବାଦ, ଗୋଟିଏ ପରେ ଗୋଟିଏ ବୟାନ ଓ ପଦକ୍ଷେପ- ଏସବୁ ମିଶି ଧର୍ମେନ୍ଦ୍ର ପ୍ରଧାନକୁ ବିଜେପିର ସେହି ମନ୍ତ୍ରୀ ତାଲିକାରେ ଆଣି ଠିଆ କରିଛି, ଯାହାକୁ ନେଇ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଅସୁବିଧାରେ ପଡ଼ୁଛି। ଏପରିକି ଧର୍ମେନ୍ଦ୍ରଙ୍କର ବକ୍ତବ୍ୟ ଓ ପଦକ୍ଷେପ ନିୟମିତ ବ୍ୟବଧାନରେ ଏପରି ବିବାଦ ସୃଷ୍ଟି କରୁଛି ଯେଉଁଥି ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଚିନ୍ତାରେ ପଡ଼ିବା ସହିତ ଦଳର ଭୋଟ ବ୍ୟାଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବାରେ ଲାଗିଛି।
ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦୁଃସ୍ୱପ୍ନରେ ପରିଣତ

୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ଅପ୍ରତ୍ୟାଶିତ ବହୁମତ ହାସଲ କରିବା ପରେ ଧର୍ମେନ୍ଦ୍ର ପ୍ରଧାନ ମନେ କରିଥିଲେ- ଏଥର ସେ ନିଶ୍ଚିତ ଭାବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବେ। ଏହି ଆଶା କେବଳ ତାଙ୍କର ନୁହେଁ; ତାଙ୍କ ଶିବିରରେ ମଧ୍ୟ ସେହି ଧାରଣା ଗଢ଼ିଉଠିଥିଲା। କିନ୍ତୁ ସଂଘ ଓ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସୁନୀଲ ବଂଶଲଙ୍କ ଭୂମିକା ଏହି ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଲା। ଶେଷ ମୁହୂର୍ତ୍ତରେ ଧର୍ମେନ୍ଦ୍ରଙ୍କ ନାମ ମୁଖ୍ୟମନ୍ତ୍ରୀ ଦୌଡ଼ରୁ ବାହାରିଗଲା। ରାଜ୍ୟର ଆଦିବାସୀ ବିଧାୟକ ମୋହନ ଚରଣ ମାଝୀଙ୍କୁ ମୁଖମନ୍ତ୍ରୀ କରାଗଲା।
ସ୍ୱପ୍ନଭଙ୍ଗ ପରେ ରାଜନୀତି
ରାଜନୀତିରେ ସ୍ୱପ୍ନଭଙ୍ଗ ଅନେକ ନେତାଙ୍କୁ ନିରବ କରିଦେଇଥାଏ, କିନ୍ତୁ ଧର୍ମେନ୍ଦ୍ର ପ୍ରଧାନଙ୍କ ମାମଲାରେ ତାହା ହେଲା ନାହିଁ। ବରଂ ସେ ଏକ ଭିନ୍ନ ପଥ ବାଛିଲେ-ବିବାଦର ପଥ। ରାଜ୍ୟରେ ନୂଆ ସରକାର ଗଠିତ ହେବା ସହିତ ସେ ଏପରି କିଛି ବୟାନ ଓ ପ୍ରସ୍ତାବ ରଖିଲେ, ଯାହା ରାଜ୍ୟ ସରକାରକୁ ଅଡ଼ୁଆରେ ପକାଇବା ସହିତ ବିଜେପିକୁ ମଧ୍ୟ ଅସୁବିଧାରେ ପକାଇଲା। ଉଦ୍ଦେଶ୍ୟ ହେଲା ରାଜ୍ୟ ସମ୍ଭାଳିବାକୁ ମୋହନ ବିଫଳ ହେଲେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବାଧ୍ୟ ହେବ। ଏହା ହେଲା ଧର୍ମେନ୍ଦ୍ରଙ୍କ ଚାପ ରାଜନୀତି।
ରାଜ୍ୟରେ ୨୦୨୪ ଜୁନ ୧୨ ତାରିଖରେ ବିଜେପି ସରକାର କ୍ଷମତାକୁ ଆସିଥିଲା। ଜୁଲାଇ ମାସରେ ପ୍ରଥମେ ସେ ତାଙ୍କ ଅନୁଗତ ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅଡ଼ୁଆରେ ପକାଇବା ଯୋଜନା ଆରମ୍ଭ କଲେ। ରାଜ୍ୟରେ ବହୁ ବର୍ଷ ହେଲା ପ୍ରଚଳିତ ହୋଇ ଆସୁଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ କରି ତାହାକୁ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ନାମରେ ନାମିତ କଲେ। ଚାରଆଡ଼ୁ ବିରୋଧ ହେବା ପରେ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଏହି ନାଁ ପରିବର୍ତ୍ତନ ଯୋଜନାକୁ ବାତିଲ କଲେ। ଏହି ମାମଲାରେ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଥିଲେ, ଯାହାକି ଧର୍ମେନ୍ଦ୍ର ପ୍ରଧାନ ଚାହୁଁଥିଲେ।
ରେଭେନ୍ସା ବିଶ୍ୱବିଦ୍ୟାଳୟ ବିବାଦ: ଇତିହାସ ସହ ଖେଳ

ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବିବାଦ ହେଲା- ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ପ୍ରସ୍ତାବ। ଓଡ଼ିଶାର ପ୍ରାଚୀନ ଓ ଐତିହାସିକ ଶିକ୍ଷା ପ୍ରତିଷ୍ଠାନ ଉପରେ ଏଭଳି ମନ୍ତବ୍ୟ ଦେବା ସ୍ୱାଭାବିକ ଭାବେ ବୁଦ୍ଧିଜୀବୀ, ଛାତ୍ର, ପୂର୍ବତନ ଛାତ୍ର ଓ ଶିକ୍ଷାବିତମାନଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି କଲା। ରାଜ୍ୟ ସରକାର ଅସୁବିଧାରେ ପଡ଼ିଲା, ବିଜେପି ନେତୃତ୍ୱ ଅସହଜ ହେଲା। ଶେଷରେ ବୁଦ୍ଧିଜୀବୀମାନଙ୍କ ଖୋଲା ଆହ୍ୱାନ ପରେ ଧର୍ମେନ୍ଦ୍ର ପଛଘୁଞ୍ଚା ଦେଲେ। ଏହି ପଛଘୁଞ୍ଚା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନ ବିବାଦକୁ ରାଜ୍ୟର ବୁଦ୍ଧିଜୀବୀମାନେ ଧୀରେ ଧୀରେ ଭୁଲି ଯାଇଛନ୍ତି। କିନ୍ତୁ ଏହିସବୁ ଘଟଣାକୁ ମୋଦୀ ଭୁଲି ନ ଥିଲେ। ୨୦୨୪ ମସଦିହା ନଭେମ୍ବର ୨୮ ଓ ୨୯ରେ ଭୁବନେଶ୍ୱରରେ ହୋଇଥିବା ସର୍ବଭାରତୀୟ ଡିଜିପି ସମ୍ମିଳନୀକୁ ଆସିଥିବାବେଳେ ରାଜ୍ୟର ବିଜେପି ନେତାମାନଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଭେଟିଥିଲେ। ଏହି ଅବସରରେ ମୋଦୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କୁଆଡ଼େ ତାଗିଦ କରିଥିଲେ ବୋଲି ଆଲୋଚନା ହୁଏ।
ଶିକ୍ଷାମନ୍ତ୍ରାଳୟ ଓ ବିବାଦର ଶୃଙ୍ଖଳ
ରେଭେନ୍ସା ବିବାଦ ଶାନ୍ତ ହେବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିକ୍ଷାମନ୍ତ୍ରାଳୟ ଆଉ ଗୋଟିଏ ବିବାଦର କେନ୍ଦ୍ର ହେଲା। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ଲାଗୁ କରାଯାଇଥିବା ‘ବିଶ୍ୱବିଦ୍ୟାଳୟ ସମାନତା ଆଇନ–୨୦୨୬’, ଦେଶବ୍ୟାପୀ ବିରୋଧର ସମ୍ମୁଖୀନ ହେଲା। ଶିକ୍ଷାବିତ୍, ଆଇନବିତ୍ ଓ ସାମାଜିକ ସଂଗଠନମାନେ ଏହାକୁ ଅସାମ୍ବିଧାନିକ ବୋଲି ଅଭିଯୋଗ କଲେ। ଶେଷରେ ସୁପ୍ରିମକୋର୍ଟ ଏହି ଆଇନକୁ ସ୍ଥଗିତ ରଖିଲେ- ଯାହା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଏକ ବଡ଼ ରାଜନୈତିକ ଝଟକା ବୋଲି କୁହାଯାଉଛି। ଶିକ୍ଷା ବିଭାଗରେ ଧର୍ମେନ୍ଦ୍ରଙ୍କର ଏହି ଗୋଟିଏ ବିବାଦ ନୁହେଁ, ଏହା ପୂର୍ବରୁ ତାଙ୍କ ବିଭାଗ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହିତ ଖେଳ ଖେଳିଛି। ୨୦୨୪ରେ ଜେଇଇ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଦୁର୍ନୀତି ମାମଲା ହୋଇଥିଲାବେଳେ ୨୦୨୫ରେ ନିଟ୍ ପିଜି ପରୀକ୍ଷାରେ ମଧ୍ୟ ପ୍ରଶ୍ନ ପତ୍ର ଲିକ୍ ମାମଲା ସାମ୍ନାକୁ ଆସିଥିଲା।
ବିପଦ ହେଲା ଅତ୍ୟଧିକ ଓବିସି ପ୍ରେମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଓବିସି ସମ୍ପ୍ରଦାୟର ବୋଲି କହୁଥିଲାବେଳେ ଧର୍ମେନ୍ଦ୍ର ମଧ୍ୟ ନିଜକୁ ଓବିସି ବୋଲି ଦାବି କରୁଛନ୍ତି। କିନ୍ତୁ ବଡ଼ ସମସ୍ୟା ହେଉଛି ରାଜ୍ୟରେ ଓବିସି ଭିତରେ ଥିବା ଯାଦବମାନେ ତାଙ୍କୁ ନେତା ଭାବରେ ଗ୍ରହଣ କରୁନାହାନ୍ତି। ତେଣୁ ସେ ରାଜ୍ୟର ଅନେକ ଉଚ୍ଚ ଜାତିକୁ ଓବିସିରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖୁଛନ୍ତି। ଏହା ହେଲେ ସେ ରାଜ୍ୟର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ହୋଇପାରିବେ ବୋଲି ତାଙ୍କ ପରାମର୍ଶଦାତାମାନେ ତାଙ୍କୁ ପାଠ ପଢ଼ାଇଛନ୍ତି।- ତେଣୁ ସେ ଏହି ପଦକ୍ଷେପରୁ ଉତ୍ସାହିତ ହୋଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବାହାନରେ ‘ବିଶ୍ୱବିଦ୍ୟାଳୟ ସମାନତା ଆଇନ–୨୦୨୬’ରେ ଓବିସିମାନଙ୍କୁ ସାମିଲ କରିଦେଲେ। ଏଇଠାରୁ ଆରମ୍ଭ ହେଲା ବିବାଦ। ଏହି ଆଇନରେ ସେମିତି କିଛି ଭୁଲ ନାହିଁ ବୋଲି ଧର୍ମେନ୍ଦ୍ର ଗତ ବୁଧବାର ଦିନ ସଫେଇ ଦେଲେ। ଏହା ବିରୋଧ କରୁଥିବା ଲୋକଙ୍କୁ ସନ୍ତୁଷ୍ଟ କରିପାରଲା ନାହିଁ। ଦେଶର ଉଚ୍ଚ ଜାତିର ଲୋକମାନେ ‘ବିଶ୍ୱବିଦ୍ୟାଳୟ ସମାନତା ଆଇନ–୨୦୨୬’କୁ ବିରୋଧ କଲେ ଓ ସୁପ୍ରିମକୋର୍ଟର ଆଶ୍ରୟ ନେଲେ। ସୁପ୍ରିମକୋର୍ଟ ‘ବିଶ୍ୱବିଦ୍ୟାଳୟ ସମାନତା ଆଇନ–୨୦୨୬’କୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ସ୍ଥଗିତ ଆଦେଶ ଦେଇଛନ୍ତି। ଯାହାକି ବିଜେପି ସରକାର ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏଥିରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶଯାଇଛି ଯେ ‘ବିଶ୍ୱବିଦ୍ୟାଳୟ ସମାନତା ଆଇନ–୨୦୨୬’ଦ୍ୱାରା ହିନ୍ଦୁ ସମାଜକୁ ଭାଗ ଭାଗ କରିବାର ଷଡ଼ଯନ୍ତ୍ର କରାଯାଇଛି। ଆବେଦନରେ ଦାବି କରାଯାଇଛି ଯେ ନିୟମାବଳୀ ସ୍ପଷ୍ଟ ଭାବରେ ସମସ୍ତ ପ୍ରକାରର ଜାତି-ଭିତ୍ତିକ ବୈଷମ୍ୟକୁ ଅନ୍ତର୍ଭୁକ୍ତ କରେ ନାହିଁ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ କିଛି ଗୋଷ୍ଠୀକୁ ସୁରକ୍ଷା ଦେବାରେ ବିଫଳ ହେବ।
କେନ୍ଦ୍ରୀୟ ନେତୃତ୍ୱର ଅସୁବିଧା
ଏହି ସମସ୍ତ ବିବାଦର ସବୁଠାରୁ ବଡ଼ ପ୍ରଭାବ ପଡ଼ୁଛି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଉପରେ। ଏକ ପକ୍ଷରେ ଦଳ ଓଡ଼ିଶାରେ ଐତିହାସିକ ସଫଳତା ପାଇଛି, ଅନ୍ୟପକ୍ଷରେ ଦଳର ଏକ ବରିଷ୍ଠ ନେତାଙ୍କ ବୟାନ ଓ ପଦକ୍ଷେପ ଦଳର ଭୋଟବ୍ୟାଙ୍କକୁ ଅସୁବିଧାରେ ପକାଉଛି। ଏହା ବିଜେପି ପାଇଁ ଏକ ଅସୁବିଧାଜନକ ବିରୋଧାଭାସ। ନରେନ୍ଦ୍ର ମୋଦୀ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାରୁ ବାଧକ ହୋଇଥିବାରୁ ସେ ତାଙ୍କ ଉପରେ ପ୍ରତିଶୋଧ ନେଉଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ପ୍ରଧାନମନ୍ତ୍ରୀ ମୋଦୀ ସବୁକଥାକୁ ଲାଇନ ବାଇ ଲାଇନ ପଢ଼ିବାର ସମୟ ନାହିଁ। ତେଣୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ସୁଯୋଗ ନେଇ ମୋଦୀଙ୍କୁ ବଦନାମ କରିବାର ଉଦ୍ୟମ କରିଥିଲେ। ଯାହାକି ଏବେ ପଦାକୁ ଆସିଛି।
ଧର୍ମେନ୍ଦ୍ରଙ୍କ ପାଇଁ ବିଜେପି ଆଇଟି ସେଲ ନୀରବ ରହିଲା
ଦେଶର ବିଭିନ୍ନ ପ୍ରସଙ୍ଗରେ ବିଜେପିର ଆଇଟି ସେଲ ପ୍ରତିଦିନ ୨୫ରୁ ୩୦ଟି ଟ୍ୱିଟ୍ କରି ବିରୋଧୀ ଦଳକୁ ନରସ୍ତ୍ର କରିଥାଏ। ଉଚ୍ଚଶିକ୍ଷା ପ୍ରତିଷ୍ଠାନ ନିୟମାବଳୀ, ୨୦୨୬ରେ ସମାନତା ପ୍ରୋତ୍ସାହନ ଉପରେ ପ୍ରାୟ ସବୁ ଦଳ ନିରବ ରହିଥିଲାବେଳେ କେବଳ ହିନ୍ଦୁତ୍ୱବାଦୀ ୟୁଟ୍ୟୁବରମାନେ ବିରୋଧ ଜାରି ରଖିଥିଲେ। ତେଣୁ ବିଜେପି ଆଇଠଟି ସେଲ ଅଗତ୍ୟା ନିରବ ରହିବାକୁ ବାଧ୍ୟ ହୋଇଛି।
ଓଡ଼ିଶା ବ୍ୟାପାରରେ ଅତ୍ୟଧିକ ହସ୍ତକ୍ଷେପ
![]()
ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠାରୁ ସେ ପ୍ରଶାସନିକ ଓ ଦଳର ସାଂଗଠନିକ କାମରେ ଅତ୍ୟଧିକ ହସ୍ତକ୍ଷେପ କରୁଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ଯାହା ଫଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବେ ଧର୍ମେନ୍ଦ୍ରଙ୍କଠାରୁ ଦୂରତା ବଜାୟ ରଖୁଥିବା ଦେଖିବାକୁ ମିଳୁଛି। ଏପରିକି ତାଙ୍କ ଯୋଗୁ ରାଜ୍ୟରେ ନିଗମ ନିଯୁକ୍ତି ହୋଇପାରୁନଥିବାବେଳେ ମନ୍ତ୍ରିମଣ୍ଡଳ ମଧ୍ୟ ସମ୍ପ୍ରସାରଣ ହୋଇପାରୁନାହିଁ। କାରଣ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଲେ ଯେଉଁ କେତେକ ଅଯୋଗ୍ୟ ମନ୍ତ୍ରୀ ବିଦା ହେବାର ଆବର ସାମ୍ନାକୁ ଆସିଛି ସେମାନେ ସମସ୍ତେ ଧର୍ମେନ୍ଦ୍ରଙ୍କ ସମର୍ଥକ। ତେଣୁ ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଇ ଦେଉନଥିବା ଚର୍ଚ୍ଚା ଜୋର୍ ଧରିଛି।
ଆକାଂକ୍ଷା କି ରଣନୀତି?
ପ୍ରଶ୍ନ ଉଠୁଛି- ଧର୍ମେନ୍ଦ୍ର ପ୍ରଧାନ ଏଭଳି ବିବାଦୀୟ ପଦକ୍ଷେପ ନେଉଛନ୍ତି କାହିଁକି? ଏହା କି ତାଙ୍କର ଅପୂର୍ଣ୍ଣ ଆକାଂକ୍ଷାର ବିଫଳ ହେବାର ପ୍ରତିଫଳନ, ନା ଏକ ସଚେତନ ରଣନୀତି? କେତେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ଧର୍ମେନ୍ଦ୍ର ନିଜକୁ ନିରବ କରି ରଖିବା ପରିବର୍ତ୍ତେ ସଦା ଆଲୋଚନାର କେନ୍ଦ୍ରରେ ରଖିବାକୁ ଚାହୁଁଛନ୍ତି। ବିବାଦ ତାଙ୍କୁ ସେହି ସୁଯୋଗ ଦେଉଛି।
ଓଡ଼ିଶା ରାଜନୀତିରେ ପ୍ରଭାବ
ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଚଳାଚଳର ପ୍ରଭାବ ଓଡ଼ିଶାର ରାଜନୀତିରେ ମଧ୍ୟ ପଡ଼ୁଛି। ବିଜେପି ସରକାର ନିଜର ପ୍ରଥମ କାର୍ଯ୍ୟକାଳରେ ଯେଉଁଠି ସ୍ଥିରତା ଓ ଶାସନର ଛବି ଗଢ଼ିବାକୁ ଚାହୁଁଛି, ସେଠି ଏପରି ବିବାଦ ତାହାକୁ ଧୂସର କରୁଛି।
ଆଗକୁ ପଥ: ନିଜେ ବଦଳିବେ କି ଦଳ?
ଶେଷରେ ପ୍ରଶ୍ନ – ଧର୍ମେନ୍ଦ୍ର ପ୍ରଧାନ ନିଜ ରଣନୀତି ବଦଳାଇବେ, ନା ଦଳ ତାଙ୍କୁ ନେଇ ନିଜ ରଣନୀତି ପୁନର୍ବିଚାର କରିବ? ବିଜେପି ପାଇଁ ଏହା କେବଳ ଗୋଟିଏ ନେତାଙ୍କ ପ୍ରସଙ୍ଗ ନୁହେଁ, ବରଂ ଏକ ଦଳୀୟ ପରୀକ୍ଷା।
ବିବାଦ ଆଗକୁ କେଉଁଠି?
ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୀତି ଆଜି ବିବାଦରେ ଘେରି ରହିଥିବା ଏକ ରାଜନୀତି। ଏହି ବିବାଦ ତାଙ୍କୁ ଆଗକୁ ନେବ କି ପଛକୁ ଟାଣିବ- ତାର ଉତ୍ତର ଆସନ୍ତା ଦିନରେ ମିଳିବ। କିନ୍ତୁ ଏତେ ନିଶ୍ଚିତ- ଏପରି ଅସୁବିଧାଜନକ ମନ୍ତ୍ରୀ ଥିବା ପର୍ଯ୍ୟନ୍ତ ବିଜେପିର ନେତୃତ୍ୱକୁ ନିଜ ଭିତରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।
also read https://purvapaksa.com/the-symbol-of-352-seats-brand-modi/
The symbol of 352 seats: ‘Brand Modi’ || ୩୫୨ ଆସନର ସଙ୍କେତ: ‘ବ୍ରାଣ୍ଡ ମୋଦୀ’


