Delimitation: ଚେନ୍ନାଇରେ ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ବିରୋଧରେ ଅନୁଷ୍ଠିତ ଏକ ବୈଠକରେ ବିଜୁ ଜନତା ଦଳ (ବିଜେଡି) ଅଂଶଗ୍ରହଣ କରିବା ପରେ ସିଧାସଳଖ ଟାର୍ଗେଟ କରିଛି ବିଜେପି।
ସୀମା ନିର୍ଦ୍ଧାରଣ ବିବାଦକୁ ନେଇ ବିଜେଡ଼ି-ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି। ଚେନ୍ନାଇରେ ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ବିରୋଧରେ ଅନୁଷ୍ଠିତ ଏକ ବୈଠକରେ ବିଜୁ ଜନତା ଦଳ (ବିଜେଡି) ଅଂଶଗ୍ରହଣ କରିବା ପରେ ସିଧାସଳଖ ଟାର୍ଗେଟ କରିଛି ବିଜେପି। ବିଜେପି ପକ୍ଷରୁ ଏହାକୁ କଡ଼ା ସମାଲୋଚନା କରାଯାଇଛି।
ଏକଦା ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡ଼ି-ବିଜେପି ମେଣ୍ଟ ଶାସନ କରିଥିଲେ। ଏହାପରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ମେଣ୍ଟ କେନ୍ଦ୍ରରରେ ସରକାର ଗଢିବା ପରେ ବିଜେଡ଼ି ସମଦୂରତା କଥା କହି ବିଜେପିକୁ ସବୁ ପ୍ରକାର ସମର୍ଥନ ଦେଇଆସୁଥିଲା। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ୨୪ ଧରି ଶାସନ କ୍ଷମତାରେ ଥିବା ବିଜେଡ଼ି ମାଟି କାମୁଡିବା ସହ ପରାଜୟ ବରଣ କରିଛି।
ବିଜେଡିକୁ କଡ଼ା ସମାଲୋଚନା କରି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦଳର ତଥାକଥିତ ‘ସମଦୂରତା ନୀତି’କୁ ନେଇ ପ୍ରଶ୍ନ କରିଛନ୍ତି। ହରିଚନ୍ଦନ ଦର୍ଶାଇଛନ୍ତି ଯେ ପ୍ରାୟ ୮ ବର୍ଷ ଧରି ପୂର୍ବ ସରକାର ଜଣେ ଦକ୍ଷିଣ ଭାରତୀୟଙ୍କ ନିର୍ଦ୍ଦେଶପାଳନ କରିଥିଲେ ଏବଂ ବର୍ତ୍ତମାନ ସେମାନେ ଅନ୍ୟ ଜଣେ ଦକ୍ଷିଣ ଭାରତୀୟ ନେତାଙ୍କ ସହ ମେଣ୍ଟ କରିବାକୁ ଚାହୁଁଛନ୍ତି। ସୀମା ନିର୍ଦ୍ଧାରଣ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ବିରୋଧୀ ଦଳମାନେ ଅଯଥାରେ ଏହାକୁ ଭୟ ନ କରି ନିଜର ଆଭିମୁଖ୍ୟ ପ୍ରକାଶ କରିବା ଉଚିତ ବୋଲି ଆଇନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
ବିଜ୍ଞପ୍ତିକୁ ଅପେକ୍ଷା କରନ୍ତୁ: ବିଜେପି
କିଛି ଲୋକ ଅଯଥାରେ ରାଜନୈତିକ ପ୍ରସଙ୍ଗ ସୃଷ୍ଟି କରୁଛନ୍ତି। ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରନ୍ତୁ ଏବଂ ଏହା ପରେ ସେମାନେ କ’ଣ ଭୁଲ୍ ଏବଂ କ’ଣ ଠିକ୍ ତାହା କୁହନ୍ତୁ। ଏ କ୍ଷେତ୍ରରେ ସେମାନେ ଯେଉଁଭଳି ପ୍ରତିକ୍ରିୟା ଦେଉଛନ୍ତି ତାହା ଏକ ପ୍ରକାର ଅନାବଶ୍ୟକ ଆଶଙ୍କା ଯାହା ସେମାନଙ୍କ ତରଫରୁ ପ୍ରଦର୍ଶିତ ହୋଇଛି। ଏଭଳି ଆଞ୍ଚଳିକ ଦଳଗୁଡ଼ିକର ଏଭଳି ଅଗଣତାନ୍ତ୍ରିକ ମନୋଭାବ ଗ୍ରହଣୀୟ ନୁହେଁ ବୋଲି ଆଇନମନ୍ତ୍ରୀ କହିଛନ୍ତି। ସେପଟେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଓଡ଼ିଶାର ସ୍ୱାର୍ଥ ପାଇଁ କ୍ଷତିକାରକ ହେବ ବୋଲି ବିଜେଡି କହିଛି। ଏହାକୁ ନେଇ କଂଗ୍ରେସ ମଧ୍ୟ ଚିନ୍ତା ପ୍ରକଟ କରିଛି।
ଓଡ଼ିଶା କ୍ଷତିଗ୍ରସ୍ତ ହେବ: ବିଜେଡି
୧୯୭୧ ପରଠାରୁ ଏହା କରାଯାଇନାହିଁ। ଏମିତି ଅନେକ ନିର୍ବାଚନ ମଣ୍ଡଳୀ ଅଛି ଯେଉଁଠି ଜଣେ ସାଂସଦ ଅନେକ ଲୋକଙ୍କ ପ୍ରତିନିଧିତ୍ୱ କରୁଥିବା ବେଳେ କେତେକ କ୍ଷେତ୍ରରେ ଏହା ବହୁତ କମ୍ । ଯଦି ଜନସଂଖ୍ୟା ଆଧାରରେ ଦକ୍ଷିଣ ରାଜ୍ୟରେ ସୀମା ନିର୍ଦ୍ଧାରଣ କରାଯାଏ, ତେବେ ସାଂସଦ ଓ ବିଧାୟକଙ୍କ ଆସନ ହ୍ରାସ ପାଇବ। ଓଡ଼ିଶା ପ୍ରଭାବିତ ହେବ ବୋଲି ବିଜେଡି ନେତା ଅମର ପଟ୍ଟନାୟକ କହିଛନ୍ତି।
ସୀମା ନିର୍ଦ୍ଧାରଣ ଯୋଜନା ତରବରିଆ ଭାବେ କରାଯାଉଛି। ଯଦି ଏହାକୁ କାର୍ଯ୍ୟକାରୀ କରାଯାଏ, ତେବେ ଓଡ଼ିଶା ସଂସଦରେ ୩ଟି ସାଂସଦ ଆସନ ହରାଇପାରେ ବୋଲି ଆକଳନ କରାଯାଉଛି। ରାଜ୍ୟର ୧୭ଟି ଜିଲ୍ଲା ପ୍ରଭାବିତ ହେବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଭକ୍ତ ଚରଣ ଦାସ କହିଛନ୍ତି।
Previous article:https://purvapaksa.com/cuttack-angul-highway-55-expansion-to-be-completed-by-april/
