24 Akbar Road: କଂଗ୍ରେସ ମୁଖ୍ୟାଳୟର ନୂଆ ଠିକଣା ଏବେ ୯ଏ କୋଟଲା ମାର୍ଗ। ପୂର୍ବରୁ ଏହା ୨୪ ଆକବର ରୋଡ୍ ଥିଲା। ୪୭ ବର୍ଷ ଧରି ୨୪ ଆକବର ରୋଡ୍ରେ ଥିବା ପୁରୁଣା କଂଗ୍ରେସ ମୁଖ୍ୟାଳୟରେ ସୋନିଆ ଗାନ୍ଧୀଙ୍କ ଉପରେ ଗୁପ୍ତଚର ଏବଂ ସୀତାରାମ କେଶରୀଙ୍କ ସହ ଧସ୍ତାଧସ୍ତି ସମେତ ଅନେକ ଘଟଣା ଦେଖିବାକୁ ମିଳିଛି।
୪୭ ବର୍ଷ ପରେ ୨୪ ଆକବର ରୋଡ୍ ଆଉ କଂଗ୍ରେସ ମୁଖ୍ୟାଳୟ ହେବ ନାହିଁ। ୧୪୦ ବର୍ଷ ପୁରୁଣା କଂଗ୍ରେସର ଏହା ପ୍ରଥମ ମୁଖ୍ୟାଳୟ ଥିଲା, ଯେଉଁଠାରୁ କଂଗ୍ରେସ ଦେଶକୁ ନିୟନ୍ତ୍ରଣ କରୁଥିଲା। ଏହି ମୁଖ୍ୟାଳୟ କଂଗ୍ରେସକୁ କ୍ଷମତାର ଶୀର୍ଷକୁ ନେଇଥିଲା, ଆଉ ଏହି ମୁଖ୍ୟାଳୟ ମଧ୍ୟ ଦେଖିଥିଲା କେମିତି ଦେଶର ସର୍ବପୂରାତନ ଦଳ ଭାରତୀୟ ରାଜନୀତିରେ ତା’ର ପ୍ରାସଙ୍ଗିକତା ହରାଇ ବସିଲା। ସିଧାସିଧା କହିଲେ,୨୪ ଆକବର ରୋଡ୍ ଥିଲା ତଳୁ ଉପରକୁ ଯିବାର ସାକ୍ଷୀ ଓ ନିମ୍ନଗାମୀ ହେବାର ସାକ୍ଷୀ ମଧ୍ୟ। ଇଏ ସେହି ମୁଖ୍ୟାଳୟ ଯେଉଁଠାରେ କଂଗ୍ରେସ ୪୫ ଥର ବିଭାଜିତ ହୋଇଥିଲା। ଖାଲି ସେତିକି ନୁହେଁ ଏହି ମୁଖ୍ୟାଳୟ ଏହାର ଦୁଇ ପୁରୁଣା ସଭାପତିଙ୍କୁ ନେଇ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।
ଏହି ଦୁଇ ସଭାପତିଙ୍କ ନାମ ପିଭି ନରସିଂହ ରାଓ ଓ ସୀତାରାମ କେଶରୀ। କଂଗ୍ରେସ ମୁଖ୍ୟାଳୟରେ ସୋନିଆ ସମର୍ଥକ କେଶରୀଙ୍କ ସହ ଧସ୍ତାଧସ୍ତି କରି ତାଙ୍କୁ ବାଥରୁମରେ ବନ୍ଦ କରିଦେଇଥିଲେ। ଆଉ ଆର୍ଥିକ ଉଦାରୀକରଣର ସୂତ୍ରଧର ପି ଭି ନରସିଂହ ରାଓଙ୍କ ମୃତଦେହ ପାଇଁ ଏହାର ଦୁଆର ମଧ୍ୟ ବନ୍ଦ ହୋଇଥିଲା।
କେମିତି ଥିଲା ୨୪ ଆକବର ରୋଡ୍ କଂଗ୍ରେସ ମୁଖ୍ୟାଳୟ?
୧୯୭୭ରେ କେନ୍ଦ୍ରରେ କ୍ଷମତା ହରାଇବା ପରେ କଂଗ୍ରେସ ବିଭାଜିତ ହୋଇଥିଲା। ଦେବରାଜ ଉର୍ସଙ୍କ ନେତୃତ୍ୱରେ ପୁରୁଣା କଂଗ୍ରେସକର୍ମୀମାନେ ଏକାଠି ହୋଇ କଂଗ୍ରେସ (ଉର୍ସ) ଗଠନ କରିଥିଲେ। କଂଗ୍ରେସ ଉର୍ସ ଗଠନ ଯୋଗୁଁ ଦଳ ୯ ଜନ୍ତର ମନ୍ତର ମୁଖ୍ୟାଳୟ ହରାଇଥିଲା। ଏହାପରେ ଇନ୍ଦିରା ଗାନ୍ଧୀ ଏକ ନୂଆ ମୁଖ୍ୟାଳୟ ଖୋଜିବା ଆରମ୍ଭ କରିଥିଲେ।
ସେହି ସମୟରେ ଆନ୍ଧ୍ରପ୍ରଦେଶର ସାଂସଦ ଜି ଭେଙ୍କଟସ୍ୱାମୀଙ୍କୁ ୨୪ ଆକବର ରୋଡ୍ରେ ଏକ ବଙ୍ଗଳା ମିଳିଥିଲା। ଭେଙ୍କଟସ୍ୱାମୀ ତାଙ୍କ ଘର କଂଗ୍ରେସକୁ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ୨୪ ଆକବର ରୋଡ୍ କଂଗ୍ରେସର ମୁଖ୍ୟାଳୟ ପାଲଟିଥିଲା।
ଏହାପରେ ଶୀର୍ଷକୁ ଗତି
୧୯୭୮ମସିହାରେ ଯେତେବେଳେ ୨୪ ଆକବର ରୋଡ୍କୁ କଂଗ୍ରେସ ମୁଖ୍ୟାଳୟ କରାଯାଇଥିଲା ସେତେବେଳେ ଦଳ ବିରୋଧୀ ଦଳରେ ଥିଲା। ଇନ୍ଦିରା ଓ ସଞ୍ଜୟ ଗାନ୍ଧୀ ସରକାରୀ ଏଜେନ୍ସିର ରାଡାରରେ ଥିଲେ। ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା କାରଣରୁ କଂଗ୍ରେସର ପ୍ରତ୍ୟାବର୍ତ୍ତନ ପଥ ସହଜ ନ ଥିଲା, କିନ୍ତୁ ଠିକ୍ ୨ ବର୍ଷ ପରେ ଅର୍ଥାତ୍ ୧୯୮୦ରେ କଂଗ୍ରେସ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ୧୯୮୦ରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଲୋକସଭା ନିର୍ବାଚନ ଜିତିଥିଲା। ୧୯୮୪ରେ ଇନ୍ଦିରାଙ୍କ ମୃତ୍ୟୁ ପରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ।୨୪ ଆକବର ରୋଡ୍ର ମୁଖ୍ୟାଳୟ ଥିବା କଂଗ୍ରେସ ପ୍ରାୟ ୨୬ ବର୍ଷ ଧରି କ୍ଷମତାରେ ରହିଥିଲା।
ଆଉ ତା’ପରେ ଆସିଥିଲା ୨୦୧୪ର ପତନ କାହାଣୀ
୨୪ ଆକବର ରୋଡ୍ ମୁଖ୍ୟାଳୟ ହେବା ପରେ କଂଗ୍ରେସ ଇତିହାସର ସବୁଠାରୁ ବଡ଼ ବିଜୟ ହାସଲ କରିଥିଲା। ସେହି ୨୪ ଆକବର ରୋଡ୍ରେ ମଧ୍ୟ କଂଗ୍ରେସ ଦେଖିଥିଲା ତା’ ଇତିହାସର ସବୁଠାରୁ ଲଜ୍ଜାଜନକ ପରାଜୟ । ୨୦୧୪ ନିର୍ବାଚନରେ କଂଗ୍ରେସ ସର୍ବନିମ୍ନ ୪୪ ଟି ଆସନ ଜିତିଥିବା ବେଳେ ୨୦୧୯ ଓ ୨୦୨୪ ନିର୍ବାଚନରେ କଂଗ୍ରେସ ଲୋକସଭା ନିର୍ବାଚନରେ ୩ ଅଙ୍କ ମଧ୍ୟ ଛୁଇଁବାରେ ବିଫଳ ହୋଇଥିଲା।
କଂଗ୍ରେସ ଏବେ ମାତ୍ର ୩ଟି ରାଜ୍ୟରେ କ୍ଷମତାରେ ରହିଛି। ଝାଡ଼ଖଣ୍ଡରେ ମେଣ୍ଟ ସହ କଂଗ୍ରେସ ସରକାର ରହିଛି। ତାମିଲନାଡୁ ଓ କଶ୍ମୀରରେ ମଧ୍ୟ କଂଗ୍ରେସ କ୍ଷମତାରେ ଅଛି, କିନ୍ତୁ ଦଳ ଉଭୟ ରାଜ୍ୟର କ୍ୟାବିନେଟରୁ ବାଦ୍ ପଡ଼ିଛି।
୪୫ ଥର ଭାଙ୍ଗିଲା କଂଗ୍ରେସ, ୯ ଜଣ ଏବେ ବି ସକ୍ରିୟ
ଗତ ୪୭ ବର୍ଷ ମଧ୍ୟରେ କଂଗ୍ରେସ ୪୫ ଥର ବିଭାଜିତ ହୋଇଛି। ୧୯୮୦ ମସିହାରେ ଏହି ଭାଙ୍ଗିବା ଆରମ୍ଭ ହୋଇଥିଲା। ସେହି ସମୟରେ ଏକେ ଆଣ୍ଟୋନି କଂଗ୍ରେସ (ଏ) ଗଠନ କରିଥିଲେ। ପରେ ଆଣ୍ଟୋନି ତାଙ୍କ ଦଳକୁ କଂଗ୍ରେସରେ ମିଶାଇ ଦେଇଥିଲେ। ୧୯୯୪, ୧୯୯୮, ୧୯୯୯, ୨୦୦୩ ଓ ୨୦୧୧ରେ କଂଗ୍ରେସରେ ବଡ଼ ଧରଣର ଫାଟ ସୃଷ୍ଟି ହୋଇଥିଲା।
ତିୱାରୀ କଂଗ୍ରେସ ୧୯୯୪ରେ ଗଠିତ ହୋଇଥିଲା। ଅର୍ଜୁନ ସିଂହ ଏବଂ ଏନଡି ତିୱାରୀଙ୍କ ଭଳି ବଡ ବଡ ନେତା ଏହି ବିଭାଜନର ପୁରୋଧା ଥିଲେ। ୧୯୯୮ରେ ମମତା ବାନାର୍ଜୀ ଓ ଅଜିତ ପାଞ୍ଜା ତୃଣମୂଳ କଂଗ୍ରେସ ଗଠନ କରିଥିଲେ। ୧୯୯୯ରେ ପିଏ ସାଙ୍ଗମା, ଶରଦ ପାୱାର ଏବଂ ତାରିକ୍ ଅନୱାର ହାତ ମିଳାଇ ଏନସିପି ଗଠନ କରିଥିଲେ।
୨୦୧୧ରେ ଜଗନ ମୋହନ ରେଡ୍ଡୀ ବିଦ୍ରୋହ କରିଥିଲେ। ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ଏବେ ବି ଆନ୍ଧ୍ର ରାଜନୀତିରେ ସକ୍ରିୟ ରହିଛି। ବର୍ତ୍ତମାନ ଏଭଳି ୯ଟି ଦଳ ଅଛନ୍ତି, ଯେଉଁମାନେ କଂଗ୍ରେସଠାରୁ ଅଲଗା ହୋଇ ରାଜନୀତିରେ ସକ୍ରିୟ ଅଛନ୍ତି।
ସେଥିମଧ୍ୟରୁ ନେଫିୟୁ ରିଓଙ୍କ ନାଗା ପିପୁଲ୍ସ ଫ୍ରଣ୍ଟ, ଜଗନ ରେଡ୍ଡୀଙ୍କ ୱାଇଏସ୍ ଆର୍ କଂଗ୍ରେସ, ମମତାଙ୍କ ତୃଣମୂଳ, ଶରଦ ପାୱାରଙ୍କ ଏନସିପି (ଏସ୍ ପି) ଶୀର୍ଷରେ ରହିଛନ୍ତି। ଶେଷଥର ପାଇଁ ୨୦୨୨ରେ କଂଗ୍ରେସ ଭାଙ୍ଗିଥିଲା। ଗୁଲାମ ନବୀ ଆଜାଦ ନିଜର ଡେମୋକ୍ରାଟିକ୍ ଆଜାଦ ପାର୍ଟି ଗଠନ କରିଥିଲେ।
୨୪ ଆକବର ରୋଡ୍ ଗୁପ୍ତଚରଙ୍କ ପେଣ୍ଠ ଥିଲା
ଏହି କାହାଣୀଟି ୧୯୯୩ ମସିହାର ଆରମ୍ଭର ଅଟେ। ବାବ୍ରୀ ମସଜିଦ ଭାଙ୍ଗିବା ପରେ ଦଳର କିଛି ନେତା ନରସିଂହ ରାଓଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଏହି ଗୋଷ୍ଠୀର ନେତୃତ୍ୱ ନେଇଥିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହ। କୁହାଯାଏ ଯେ କଂଗ୍ରେସ ଭିତରେ କ’ଣ ଚାଲିଛି,ତାହା ଜାଣିବା ପାଇଁ ରାଓ ସେହି ସମୟରେ ଗୁଇନ୍ଦା ସଂସ୍ଥାର ସାହାଯ୍ୟ ନେଇଥିଲେ। ସେତେବେଳେ ନରସିଂହ ରାଓ ପ୍ରଧାମନ୍ତ୍ରୀ ହେବା ସହିତ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ଥିଲେ।
ରାଓଙ୍କ ଉପରେ ଏକ ପୁସ୍ତକ ଲେଖିଥିବା ବିନୟ ସୀତାପତିଙ୍କ କହିବା ଅନୁଯାୟୀ, ସୋନିଆ ଗାନ୍ଧି ମଧ୍ୟ ଗୁପ୍ତଚରର କବଳରେ ଥିଲେ। ରାଓ ଗୁଇନ୍ଦା ବ୍ୟୁରୋକୁ ନିର୍ଦ୍ଦେଶ ଦେଇଥିଲେ ଯେ ସେ ତାଙ୍କ କ୍ୟାବିନେଟ୍ ଏବଂ ବରିଷ୍ଠ କଂଗ୍ରେସ ନେତାଙ୍କ ଉପରେ ଗୋଟିଏ ଲେଖାଏଁ ରିପୋର୍ଟ ଚାହୁଁଛନ୍ତି। ଏଥିପାଇଁ ରାଓ ଅଧିକାରୀମାନଙ୍କୁ ଏକ ଫର୍ମାଟ୍ ମଧ୍ୟ ଦେଇଥିଲେ।
ସୀତାପତିଙ୍କ ମତରେ ଏହି ଫର୍ମାଟରେ ନେତାଙ୍କ ନାମ, ଜାତି ଓ ବୟସ ଉଲ୍ଲେଖ କରାଯିବା କଥା। କୁହାଯାଏ ଯେ ୨୦୦୪ରେ ଯେତେବେଳେ ପିଭି ନରସିଂହ ରାଓଙ୍କ ମୃତ୍ୟୁ ହୋଇଥିଲା, ସେଥିପାଇଁ ତାଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ କଂଗ୍ରେସ ମୁଖ୍ୟାଳୟକୁ ଅଣାଯାଇନଥିଲା।
Also readhttps://purvapaksa.com/north-korean-soldier-blows-himself-when-ukrainian-army-reached-near/
