DEEPSEEK: ଚୀନ୍ର ଏଆଇ ବଟ୍ ଡିପ୍ସିକ୍ ଲଞ୍ଚ୍ ହେବା ପରେ ଆମେରିକୀୟ ଟେକ୍ କମ୍ପାନିଗୁଡ଼ିକରେ ହଇଚଇ ସୃଷ୍ଟି ହୋଇଛି। ବାସ୍ତବରେ ଏହି କାରଣରୁ ନିଭିଡିଆ ନାମକ ଏକ ଆମେରିକୀୟ କମ୍ପାନୀ ଗୋଟିଏ ଦିନରେ ୬୦୦ ବିଲିୟନ ବା ପାଖାପାଖି ୫୦ ଲକ୍ଷ କୋଟି ଟଙ୍କା କ୍ଷତି ସହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣା ପରେ ଆମେରିକୀୟ କମ୍ପାନିଗୁଡ଼ିକୁ ସତର୍କ ରହିବାକୁ କହିଛନ୍ତି। ଏଥିସହିତ ଚୀନର ଅତ୍ୟାଧୁନିକ ସେମିକଣ୍ଡକ୍ଟର ଟେକ୍ନୋଲୋଜିର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଚର୍ଚ୍ଚା ହେଉଛି।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ବିଶ୍ୱର ନଜର ଆମେରିକା ଓ ୟୁରୋପ ଉପରେ ରହିଛି। କିନ୍ତୁ ଏହା ଭିତରେ ଚୀନ୍ ଏମିତି କିଛି କରିଛି ଯାହା ଗୁଗଲ, ଚାଟ୍ ଜିପିଟି ଭଳି ନାମିଦାମୀଙ୍କ ନିଦ ଉଡାଇ ଦେଇଛି। ଡିପ୍ସିକ୍ ରିଲିଜ୍ ଖବର ଆସିବା ସହିତ ସୋମବାର ଦିନ ଏସିଆ, ୟୁରୋପ ଓ ଆମେରିକା ବଜାରରେ ଭୂକମ୍ପ ଆସିଥିଲା। ତିନି ମହାଦେଶର ସେୟାର ବଜାରେ ମୁହଁମାଡ଼ି ପଡ଼ିଥିଲେ। ବିଶ୍ୱର ସର୍ବଶ୍ରେଷ୍ଠ ଧନୀକଙ୍କ ତାଲିକାରେ ଥିବା କିଛି ନାମଙ୍କ ସମ୍ପତ୍ତି ୨୪ ଘଣ୍ଟା ମଧ୍ୟରେ କମି ଯାଇଥିଲା। ଏକ ହିସାବ ଅନୁସାରେ ୨୪ ଘଣ୍ଟାରେ ବିଶ୍ୱର ସୁପରରିଚଙ୍କ ସମ୍ପତ୍ତିରେ ୯ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି। ତେବେ ଏଇଠି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଆମେରିକା ଓ ୟୁରୋପର ନାମକରା ଟେକ୍ କମ୍ପାନୀଙ୍କ ନିଦ ହଜାଇଥିବା ଡିପ୍ସିକ୍ ପଛରେ କେଉଁ ବ୍ୟକ୍ତିଙ୍କ ବୁଦ୍ଧି ଅଛି।
ଡିପ୍ସିକ୍ ପଛରେ କିଏ?
ଡିପ୍ସିକ୍ ହେଉଛି ଲିଆଙ୍ଗ ୱେନଫେଙ୍ଗଙ୍କ ମାନସ ସନ୍ତାନ। ଡିପ୍ସିକ୍ର ପ୍ରତିଷ୍ଠାତା ତଥା ସିଇଓ ଲିଆଙ୍ଗ ୱେନଫେଙ୍ଗ ଚୀନ୍ର ଜାନଜିଆଙ୍ଗରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥିଲେ। କିନ୍ତୁ ଲିଆଙ୍ଗଙ୍କ ଲକ୍ଷ୍ୟ ସବୁବେଳେ ବଡ଼ ଥିଲା। ଛୋଟବେଳୁ କଠିନ ସମସ୍ୟାର ସମାଧାନ ପାଇଁ ସେ ଆଗ୍ରହୀ ଥିଲେ। ଲିଆଙ୍ଗଙ୍କ ପ୍ରାରମ୍ଭିକ ଶିକ୍ଷା ସାଧାରଣ ବିଦ୍ୟାଳୟରେ ହୋଇଥିଲା, କିନ୍ତୁ ତାଙ୍କ ଦକ୍ଷତା ତାଙ୍କୁ ପ୍ରତିଷ୍ଠିତ ଅନୁଷ୍ଠାନରେ ପହଞ୍ଚାଇଥିଲା। ଯେଉଁଠାରେ ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବାବଦରେ ଜାଣିବା ସହିତ ଏଥିରେ ଗଭୀର ଗବେଷଣା କରିଥିଲେ ଏବଂ ଏଆଇକୁ ନିଜର ସବୁଠାରୁ ବଡ଼ ଶକ୍ତିରେ ପରିଣତ କରିଥିଲେ।
ଏଆଇ ଦୁନିଆରେ ଲିଆଙ୍ଗଙ୍କ ଯାତ୍ରା
ଲିଆଙ୍ଗ ତାଙ୍କ କ୍ୟାରିୟର ଆରମ୍ଭରୁ ଏଆଇକୁ ତାଙ୍କ ବ୍ୟବସାୟର କେନ୍ଦ୍ର ବିନ୍ଦୁ କରିଥିଲେ। ସେ ୨୦୧୩ରେ ହାଙ୍ଗଜୋ ୟାକେବି ଇନଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ଏବଂ ୨୦୧୫ରେ ଜେଜିଆଙ୍ଗ ଜିଉଜାଙ୍ଗ ଆସେଟ ମ୍ୟାନେଜମେଣ୍ଟ ପ୍ରତିଷ୍ଠା କରିଥିଲେ ଏବଂ ପରେ ୨୦୧୯ରେ ସେ ୧୦ ବିଲିୟନ ୟୁଆନରୁ ଅଧିକ ସମ୍ପତ୍ତି ପରିଚାଳନା କରୁଥିବା ଏକ ଉଦ୍ୟୋଗ ହାଇ-ଫ୍ଲାୟାର ଏଆଇ ଆରମ୍ଭ କରିଥିଲେ। କିନ୍ତୁ ପ୍ରକୃତ ଧମାକା ୨୦୨୩ରେ ହୋଇଥିଲା, ଯେତେବେଳେ ସେ ଡିପସିକର ମୁଳଦୁଆ ରଖିଥିଲେ। ଏଥିରେ ଏଆଇର ସବୁଠାରୁ ଜଟିଳ ଟେକ୍ନୋଲୋଜି ଅର୍ଥାତ୍ ଏଜିଆଇ (ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ)ର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି।
କେମିତି ଆସିଲା ଡିପ୍ସିକ୍?
ଡିପ୍ସିକ୍ ନିର୍ମାଣର କାହାଣୀ କୌଣସି ଫିଲ୍ମଠାରୁ କମ୍ ନୁହେଁ। ଆମେରିକୀୟ କମ୍ପାନିଗୁଡ଼ିକ ଏନଭିଡିଆଇଏର ଏଚ୍ ୧୦୦ ଟେନସର କୋର୍ ଜିପିୟୁରେ ସେମାନଙ୍କ ଏଆଇ ମଡେଲ୍ଗୁଡ଼ିକୁ ପ୍ରଶିକ୍ଷଣ ଦେଉଥିବାବେଳେ ଲିଆଙ୍ଗ ଚୀନରେ ଉପଲବ୍ଧ ପୁରୁଣା ଏବଂ ଶସ୍ତା ଏଚ୍ ୮୦୦ ଜିପିୟୁ ବ୍ୟବହାର କରିଥିଲେ। ସେ ପାଖାପାଖି ୫୦,୦୦୦ ଏଚ୍ ୮୦୦ ଜିପିୟୁ କିଣିଥିଲେ ଏବଂ ତାହାଦ୍ୱାର ଡିପ୍ସିକରୁ ପ୍ରଶିକ୍ଷଣ ଦେଇଥିଲେ।
କେବଳ ଏତିକି ନୁହେଁ, ଡିପ୍ସିକ୍କୁ ପ୍ରଶିକ୍ଷଣର ମୋଟ ଖର୍ଚ୍ଚ ପ୍ରାୟ ୬ ନିୟୁତ ଡଲାର (୫୨ କୋଟି ଟଙ୍କା) ଥିଲା, ଯାହାକି ଚାଟ୍ଜିପିଟି ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିବା ରାଶିଠାରୁ ୧୦ ଗୁଣ କମ୍।
Also readhttps://purvapaksa.com/came-out-for-the-ride-first-stage-to-the-ride-101-pieces-of-wood/
ରଥଯାତ୍ରା ପାଇଁ ବାହାରିଲା ପ୍ରଥମ ପର୍ଯ୍ୟାୟ ରଥକାଠ, ଶ୍ରୀମନ୍ଦିରକୁ ଆସୁଛି ୧୦୧ ଖଣ୍ଡ କାଠ
