- ଗତ ୮ ମାସ ମଧ୍ୟରେ ୨୬ ହଜାରରୁ ଅଧିକ ସରକାରୀ ନିଯୁକ୍ତି
- ଦୁର୍ନୀତି ବିରୋଧୀ ଅଭିଯାନ ଜାରି ରହିବ; ମୋହନ
ସରକାରୀ ଚାକିରି କେବଳ ଏକ ଜୀବନ ଜୀବିକାର ସାଧନ ନୁହେଁ । ଏହା ଜନସେବାର ଏକ ମାଧ୍ୟମ । ସାଧାରଣ ଜନତା, ସରକାର ଏବଂ ସରକାରୀ ବିଧି ବ୍ୟବସ୍ଥାରୁ ଅନେକ ଆଶା ଆକାଂକ୍ଷା କରିଥାନ୍ତି ଏବଂ ସେ ସବୁକୁ ପୂରଣ କରିବା ପାଇଁ ଆପଣମାନେ ହେଉଛନ୍ତି ସବୁଠାରୁ ବଡ଼ ମାଧ୍ୟମ । କାରଣ, ତୃଣମୂଳ ସ୍ତରରେ ଯୋଜନା ଏବଂ କାର୍ଯ୍ୟକ୍ରମର ରୂପାୟନ ଦାୟିତ୍ଵ ଆପଣଙ୍କ କାନ୍ଧରେ । ମୁଁ ଆଶା କରୁଛି ଏବଂ ମୋର ପୁରା ବିଶ୍ୱାସ ଯେ, ଏହାକୁ ପୂରଣ କରିବାରେ ଆପଣମାନେ ସମସ୍ତେ ସମର୍ଥ ହେବେ । ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ ପଡିଆଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ସାମର୍ଥ୍ୟ ଉପରେ ଆସ୍ଥା ପ୍ରକାଶ କରିଛନ୍ତି ।
ଶୁକ୍ରବାର ରାଜ୍ୟ ସରକାରଙ୍କ ୯ଟି ବିଭାଗରେ ୬,୩୯୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ନିଯୁକ୍ତି କାର୍ଯ୍ୟକ୍ରମରେ କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ ୨,୮୭୮, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨,୭୬୭, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୨୩୨, ଅର୍ଥ ବିଭାଗରେ ୧୩୦, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୨୩, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗରେ ୧୦୪, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୬୨, ଜଳ ସମ୍ପଦ ବିଭାଗରେ ୫୭ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ୩୭ ବ୍ୟକ୍ତି ନିଯୁକ୍ତି ପାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ୭ ମାସ ମଧ୍ୟରେ ଆମେ ୬ ଥର ନିଯୁକ୍ତି ମେଳାର ଆୟୋଜନ କରି ୨୦ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ କରିଛୁ । ଆଜି ଏହି ନିଯୁକ୍ତି ମେଳାରେ ୯ ଟି ବିଭାଗର ପ୍ରାୟ ୬,୩୦୦ରୁ ଅଧିକ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି । ଏହାଦ୍ୱାରା ବର୍ତ୍ତମାନ ସୁଦ୍ଧା ୭ଟି ନିଯୁକ୍ତି ମେଳାରେ ୨୬ ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି । ଆମ ସରକାରର ପ୍ରଥମ ଦୁଇ ବର୍ଷ ମଧ୍ୟରେ ୬୫ ହଜାରରୁ ଅଧିକ ନିଯୁକ୍ତି ଦିଆଯିବ ବୋଲି ସେ ଘୋଷଣା କରିଥିଲେ ।
ନବନିଯୁକ୍ତମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣଙ୍କର ଜୀବନର ଏକ ନୂତନ ଅଧ୍ୟାୟ ଆଜି ଆରମ୍ଭ ହେଉଛି । ଆଜି କାଲି, ବିଶେଷ ଭାବେ ଭାରତ ପରି ଏକ ଜନବହୁଳ ରାଷ୍ଟ୍ରରେ ସରକାରୀ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ବହୁତ କମ୍ । ଉଦାହରଣ ସ୍ୱରୂପ, ପ୍ରତିରକ୍ଷାକୁ ମିଶେଇ କେନ୍ଦ୍ର ସରକାରରେ ପ୍ରାୟ ୩୫ ଲକ୍ଷ ଲୋକ ନିଯୁକ୍ତ ହୋଇଥିବା ବେଳେ ଓଡ଼ିଶାରେ ବର୍ତ୍ତମାନ ପ୍ରାୟ ୩ ଲକ୍ଷ କର୍ମଚାରୀ ଅଛନ୍ତି । ସେ ପୁଣି କହିଲେ ଯେ, ଖାଲିଥିବା ପଦ ପଦବୀକୁ ସାମିଲ କଲେ ମଧ୍ୟ ସର୍ବାଧିକ ସାଢ଼େ ଚାରି ଲକ୍ଷ ଲୋକ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଅର୍ଥାତ, ରାଜ୍ୟ ଜନସଂଖ୍ୟାର ଏକ ପ୍ରତିଶତରୁ ବି କମ୍ ଲୋକ, ସରକାରୀ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥାଆନ୍ତି । ଏହି ଏକ ପ୍ରତିଶତରେ ଆପଣମାନେ ସୁଯୋଗ ପାଇଛନ୍ତି । ଏଥିରେ ଆପଣମାନଙ୍କର କଠିନ ପରିଶ୍ରମ ଏବଂ ପିତାମାତାଙ୍କ ଆଶୀର୍ବାଦ ମଧ୍ୟ ରହିଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସବୁ ନବନିଯୁକ୍ତ ମାନେ ଏକ ଅଲେଖା ସିଲଟରେ ନିଜର କର୍ମମୟ ଜୀବନ ଆରମ୍ଭ କରିଛନ୍ତି । ଅଢ଼େଇ ଦଶନ୍ଧିର ଏକ ଶାସନ ବ୍ୟବସ୍ଥାର ହ୍ୟାଙ୍ଗ ଓଭର୍ ଆପଣମାନଙ୍କ ପାଖରେ ନାହିଁ । ତେଣୁ, ଖୋଲା ମନ, ଖୋଲା ହୃଦୟର ସହିତ ଆପଣମାନେ କାମ କରିବାର ସୁଯୋଗ ପାଇଛନ୍ତି । ଏହି ସୁଯୋଗର ସଦୁପଯୋଗ କରି ସମାଜର କଲ୍ୟାଣ ପାଇଁ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ଏବେ ବିକାଶର ନୂତନ ସୂର୍ଯ୍ୟ ଉଦୟ ହୋଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦିଗ୍ଦର୍ଶନରେ ଆମ ସରକାର ଓଡ଼ିଶାରେ ପ୍ରଗତିର ଧାରାକୁ ବହୁଗୁଣିତ କରିବା ପାଇଁ ପ୍ରତିମୁହୂର୍ତ୍ତର ସଦୁପଯୋଗ କରି କାମ କରୁଛନ୍ତି । ଆମେ ସମସ୍ତେ ଏପରି ଜଣେ ଯୋଗଜନ୍ମାଙ୍କ ନେତୃତ୍ଵ ଏବଂ ଦିଗଦର୍ଶନରେ କାର୍ଯ୍ୟ କରିବାର ସୁଯୋଗ ପାଇଛୁ, ଏବଂ ଏହି ସୁଯୋଗର ସଦୁପୋଯୋଗ କରି ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଚେଷ୍ଟା କରୁଛୁ ଏବଂ ଏହି ଦେଶ ନିର୍ମାଣ ଯଜ୍ଞରେ ଆପଣମାନେ ଆଜିଠାରୁ ସାମିଲ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଓଡ଼ିଶାର ବିକାଶର ଲକ୍ଷ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ଓଡ଼ିଶାକୁ ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ୍ କରିବାର ଲକ୍ଷ୍ୟକୁ ସାକାର କରିବା ନିମନ୍ତେ ଆମ ସରକାର ସବୁକ୍ଷେତ୍ର ସହିତ ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦେଉଛି । କେବଳ ସରକାରୀ କ୍ଷେତ୍ରରେ ଏହି ପାଞ୍ଚବର୍ଷ ମଧ୍ୟରେ ଦେଢ଼ ଲକ୍ଷ ନିଯୁକ୍ତିର ଲକ୍ଷ୍ୟ ରଖାଯାଇଛି । ସୂଚନାଯୋଗ୍ୟ ଯେ, ଆଜି ସ୍ୱାସ୍ଥ୍ୟ ବିଭାଗରେ ୨ ହଜାର ୭୫୩ ବହୁମୁଖି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସହ ୧୨୫ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୮୯୪ ଜଣ ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ୧୭୯୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ, ଉଚ୍ଚ ମାଧ୍ୟମିକ ପରିଷଦ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ଓ ମାଧ୍ୟମିକ ଶିକ୍ଷା ପରିଷଦରେ ୭୫ ଜଣ କନିଷ୍ଠ ସହାୟକ – ଏହିପରି ସମୁଦାୟ ୨ ହଜାର ୭୬୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।
ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୨୧୨ ଜଣ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଏବଂ ୨୦ ଜଣ ସହାୟକ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଜଳସମ୍ପଦ ବିଭାଗରେ କ୍ଷେତ୍ରରେ ୫୭ ଜଣ, ଗୃହ ଓ ନଗର ଉନ୍ନୟନ ବିଭାଗରେ ୬୨ ଜଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ୩୭ ଜଣ, ଅର୍ଥ ବିଭାଗ ଅନ୍ତର୍ଭୁକ୍ତ ଲୋକାଲ୍ ଫଣ୍ଡ ଅଡିଟ୍ର ୧୩୦ ଜଣ, ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ୧୦୪ ଜଣ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଏବଂ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୨୩ ଜଣ ସହାୟକ ତାଲିମ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । କାର୍ଯ୍ୟକ୍ରମରେ ଯୋଗ ଦେଇ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ନବନିଯୁକ୍ତ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ କହିଥିଲେଯେ ନିଯୁକ୍ତି କ୍ଷେତ୍ରରେ ଗତ ୮ ମାସ ମଧ୍ୟରେ ସରକାର ବ୍ୟାପକ ପରିବର୍ତ୍ତନ କରିଛନ୍ତି ଏବଂ ଆଗାମୀ ଦିନ ଗୁଡିକରେ ମଧ୍ୟ ସରକାର ନିଜ ପ୍ରତିଶ୍ରୁତି ପୂର୍ଣ୍ଣ କରିବେ ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେଯେ ଆଜିର ନବ ନିଯୁକ୍ତ ମାନଙ୍କ କାନ୍ଧରେ ଉତ୍କୃଷ୍ଟ କଳାର କ୍ଷେତ୍ର ଆମ ରାଜ୍ୟ ଓଡ଼ିଶା ଭବିଷ୍ୟତର ଉତ୍କର୍ଷ ଓଡ଼ିଶାରେ ଅଭିମୁଖେ ଯିବ ଏବଂ ମୋର ବିଶ୍ୱାସଯେ ନିଜର ସଚ୍ଚୋଟତା ବଳରେ ନିଜର କର୍ମମୟ ଜୀବନକୁ ରୁଦ୍ଧିମନ୍ତ କରିବେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ନିତ୍ୟାନନ୍ଦ ଗଣ୍ଡ, ଗୃହ ଓ ନଗର ଉନ୍ନୟନ ତଥା ସାଧରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଓ ରାଜ୍ୟ ପ୍ରମୁଖ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଯୋଗ ଦେଇଥିଲେ ।ଇତ୍ୟବସରରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱତୀ.ଏସ୍ ଧନ୍ୟବାଦ ଅର୍ପଣ କରିଥିଲେ ।
previous article:https://purvapaksa.com/delhi-results-kingmakers-middle-class-purvanchali-voters-shift-to-bjp-ditch-aap/
