ପାସପୋର୍ଟ ପ୍ରଦାନ ଏବଂ ନାଗରିକତାର ଯାଞ୍ଚ ପ୍ରକ୍ରିୟାକୁ ନେଇ କଲିକତା ହାଇକୋର୍ଟ ଏକ ମହତ୍ତ୍ୱପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ହାଇକୋର୍ଟଙ୍କ ଜଲପାଇଗୁଡ଼ି ସର୍କିଟ୍ ବେଞ୍ଚ୍ ଜଣେ ବ୍ୟକ୍ତିଙ୍କୁ ତତ୍କାଳ ପାସପୋର୍ଟ ଜାରି କରିବା ପାଇଁ ପାସପୋର୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ସଫା ସଫା ମନା କରିଦେଇଛନ୍ତି। କୋର୍ଟ ଗୁରୁତ୍ୱାରୋପ କରି କହିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କୁ ପାସପୋର୍ଟ ଦେବା ପୂର୍ବରୁ ତାଙ୍କର ‘ନାଗରିକତା ପ୍ରସଙ୍ଗ’ ର ସମାଧାନ ହେବା ଅତ୍ୟନ୍ତ ଜରୁରୀ। ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଭାରତର ନାଗରିକ ଭାବେ ପ୍ରମାଣିତ ହୋଇନାହାନ୍ତି, ସେପର୍ଯ୍ୟନ୍ତ ତାଙ୍କୁ ପାସପୋର୍ଟ ଜାରି କରାଯାଇପାରିବ ନାହିଁ।

କଣ ଥିଲା ମାମଲା?
କୋଚ୍ ବିହାର ଜିଲ୍ଲାର ତୁଫାନଗଞ୍ଜ ନିର୍ବାଚନ ମଣ୍ଡଳୀର ବାସିନ୍ଦା ସିରାଜୁଲ୍ ଶେଖ୍ ନାମକ ଜଣେ ବ୍ୟକ୍ତି କଲିକତା ହାଇକୋର୍ଟରେ ଏକ ରିଟ୍ ଆବେଦନ କରିଥିଲେ। ସେ ପେଟ ସମ୍ବନ୍ଧୀୟ ଗମ୍ଭୀର ରୋଗରେ ପୀଡ଼ିତ ଥିବାରୁ ଚିକିତ୍ସା ପାଇଁ ବିଦେଶ ଯିବାକୁ ଚାହୁଁଥିଲେ ଏବଂ ଏଥିପାଇଁ ସେ ତତ୍କାଳ ପାସପୋର୍ଟ ଆବେଦନ କରିଥିଲେ। କିନ୍ତୁ ଭେରିଫିକେସନ୍ ସମୟରେ ପାସପୋର୍ଟ ଅଫିସ୍ ତାଙ୍କୁ ଅସଲି ଭୋଟର ପରିଚୟ ପତ୍ର ମାଗିଥିଲା। ବିଶେଷ ଗହନ ସଂଶୋଧନ ପ୍ରକ୍ରିୟା ଅଧୀନରେ ତାଙ୍କ ନାମ ଭୋଟର ତାଲିକାରୁ କାଟି ଦିଆଯାଇଥିବାରୁ ସେ ଅସଲି ଭୋଟର କାର୍ଡ ଉପସ୍ଥାପନ କରିପାରିନଥିଲେ, ଯାହାଫଳରେ ପାସପୋର୍ଟ ଅଫିସ୍ ତାଙ୍କ ଆବେଦନକୁ ସ୍ଥଗିତ ରଖିଥିଲା।
ଆଇନଗତ ଯୁକ୍ତି ଓ କୋର୍ଟଙ୍କ ଅବଲୋକନ
ଆବେଦନକାରୀଙ୍କ ଓକିଲ ଅଭିଷିକ୍ତା ଦାସ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ପାସପୋର୍ଟ ଆକ୍ଟ ୧୯୬୭ କିମ୍ବା ପାସପୋର୍ଟ ରୁଲ୍ସ ୧୯୮୦ ଅନୁଯାୟୀ, ଯଦି ଜଣେ ବ୍ୟକ୍ତିଙ୍କର ପରିଚୟ, ଠିକଣା ଏବଂ ଜନ୍ମ ତାରିଖ ଅନ୍ୟ ଦସ୍ତାବେଜ ଦ୍ୱାରା ପ୍ରମାଣିତ ହେଉଛି, ତେବେ ଭୋଟର ଆଇଡି କାର୍ଡ ଏକ ବାଧ୍ୟତାମୂଳକ ଦସ୍ତାବେଜ ନୁହେଁ।

ତେବେ ମାମଲାର ଶୁଣାଣି କରି ଜଷ୍ଟିସ୍ କୌଶିକ ଚନ୍ଦାଙ୍କ ଏକକ ବେଞ୍ଚ୍ କହିଛନ୍ତି ଯେ, ଆବେଦନକାରୀଙ୍କ ନାମ ଭୋଟର ତାଲିକାରୁ କଟିବା ବିରୋଧରେ କରାଯାଇଥିବା ଆପିଲ୍ ବର୍ତ୍ତମାନ ଏସଆଇଆର (SIR) ଆପିଲେଟ୍ ଟ୍ରିବ୍ୟୁନାଲ୍ରେ ବିଚାରଧୀନ ରହିଛି। ତେଣୁ ପାସପୋର୍ଟ ପ୍ରଦାନ ପୂର୍ବରୁ ସେହି ନାଗରିକତା ବିବାଦର ସମାଧାନ ପ୍ରଥମେ ହେବା ଉଚିତ୍।
“SIR ମାମଲା ଶେଷ ହେବାକୁ ୨୧ ବର୍ଷ ଲାଗିଯିବ”
ଶୁଣାଣି ସମୟରେ କୋର୍ଟ ଏସଆଇଆର (SIR) ଟ୍ରିବ୍ୟୁନାଲ୍ର ମନ୍ଥର ଗତିକୁ ନେଇ ଏକ ବଡ଼ ଏବଂ ଚିନ୍ତାଜନକ ସନ୍ତବ୍ୟ ଦେଇଛନ୍ତି। ଜଜ୍ କହିଛନ୍ତି, “ବର୍ତ୍ତମାନ ଯେଉଁ ଗତିରେ କାମ ଚାଲିଛି, ସେହି ହିସାବରେ SIR ଟ୍ରିବ୍ୟୁନାଲ୍ ସାମ୍ନାରେ ଥିବା ସମସ୍ତ ମାମଲା ଏବଂ ଆପିଲ୍ଗୁଡ଼ିକର ସମାଧାନ କରିବା ପାଇଁ ପ୍ରାୟ ୨୧ ବର୍ଷ ଲାଗିଯିବ।” ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ସମ୍ପୃକ୍ତ ଆପିଲେଟ୍ ଟ୍ରିବ୍ୟୁନାଲ୍କୁ ଆବେଦନକାରୀଙ୍କ ମାମଲାର ଶୀଘ୍ର ଶୁଣାଣି କରି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯଦ୍ଦ୍ୱାରା ପାସପୋର୍ଟ ସମ୍ବନ୍ଧୀୟ ଦ୍ୱନ୍ଦ୍ୱ ଦୂର ହୋଇପାରିବ।


