ଓଡ଼ିଶା ରାଜନୀତିରେ ପରିବର୍ତ୍ତନର ପବନ ବୋହିବା ପରେ ସାଧାରଣ ଜନତା ଏକ ‘ଡବଲ ଇଞ୍ଜିନ’ ସରକାରରୁ ବହୁତ କିଛି ଆଶା ରଖିଥିଲେ। କିନ୍ତୁ ବିଗତ ୨୨ ମାସର ଘଟଣାବଳୀକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶାସନ ରଥକୁ ଆଗକୁ ନେବା ପରିବର୍ତ୍ତେ ତାଙ୍କ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ଏହାକୁ ପଛକୁ ଟାଣିବାରେ ଲାଗିଛନ୍ତି। ବର୍ତ୍ତମାନର ମୋହନ ଚରଣ ମାଝୀ ସରକାର କ୍ଷମତାକୁ ଆସିବାର ଦୁଇବର୍ଷ ନ ପୂରୁଣୁ ଯେଉଁଭଳି ବିବାଦ, ପ୍ରଶାସନିକ ଅପାରଗତା ଏବଂ ବାରମ୍ବାର ‘ୟୁ-ଟର୍ଣ୍ଣ’ର ସମ୍ମୁଖୀନ ହେଉଛନ୍ତି, ତାହା ରାଜ୍ୟ ରାଜନୀତିରେ ଗଭୀର ଉଦ୍ବେଗ ସୃଷ୍ଟି କରିଛି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟରେ ଥିବା କିଛି ମନ୍ତ୍ରୀଙ୍କ ଅଯୋଗ୍ୟ ପଣିଆ, ଦୂରଦୃଷ୍ଟିର ଅଭାବ ଏବଂ ଅହଂକାର ସରକାରଙ୍କ ଭାବମୂର୍ତ୍ତିକୁ ତଳିତଳାନ୍ତ କରୁଛି। ମୁଖ୍ୟମନ୍ତ୍ରୀ ଏସବୁ ଦେଖି ମଧ୍ୟ ନିରବଦ୍ରଷ୍ଟା ସାଜିବା ଏବଂ କଠୋର ପଦକ୍ଷେପ ନେବାରେ ଅସମର୍ଥ ହେବା, ଶାସନ ବ୍ୟବସ୍ଥାର ସବୁଠାରୁ ବଡ଼ ଦୁର୍ବଳତାକୁ ପଦାରେ ପକାଇଛି।
ସ୍ୱାସ୍ଥ୍ୟ ଓ ସଂସଦୀୟ ବ୍ୟାପାର ବିଭାଗର ବିଫଳତା: ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ନେଇ ଅଡ଼ୁଆ
ସରକାରଙ୍କ ପାଇଁ ସବୁଠାରୁ ବଡ଼ ମୁଣ୍ଡବିନ୍ଧା ପାଲଟିଛନ୍ତି ସ୍ୱାସ୍ଥ୍ୟ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଗତ ୧୬ ତାରିଖରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ (SCB) ମେଡିକାଲ କଲେଜ ଏବଂ ହସ୍ପିଟାଲର ଆଇସିୟୁ (ICU)ରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଏବଂ ଏଥିରେ ୧୩ ଜଣ ନିରୀହ ରୋଗୀଙ୍କ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିବା ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଛି। ରୋଗୀମାନେ ଜୀବନ ବଞ୍ଚାଇବା ପାଇଁ ହସ୍ପିଟାଲ ଆସିଥିବାବେଳେ ପ୍ରଶାସନିକ ଖାମଖିଆଲି ମନୋଭାବ ଯୋଗୁଁ ସେମାନଙ୍କୁ ମୃତ୍ୟୁମୁଖରେ ପଡ଼ିବାକୁ ହେଲା। ଏତେ ବଡ଼ ଅଘଟଣ ପରେ ମଧ୍ୟ ସରକାରଙ୍କ ଆଭିମୁଖ୍ୟ ସନ୍ତୋଷଜନକ ନୁହେଁ। ବିରୋଧୀ ଦଳ, ବିଶେଷକରି ବିଜେଡି ଏବଂ କଂଗ୍ରେସ, ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଧାନସଭାକୁ ଅଚଳ କରିଦେଇଛନ୍ତି। ଫଳସ୍ୱରୂପ, ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର କୁହାଯାଉଥିବା ବିଧାନସଭାର ମୂଲ୍ୟବାନ ୮ଟି କାର୍ଯ୍ୟ ଦିବସ ନଷ୍ଟ ହୋଇସାରିଲାଣି। ଜନତାଙ୍କ ଟିକସ ପଇସାରେ ଚାଲୁଥିବା ଗୃହର ବାକି ଦିବସଗୁଡ଼ିକ ମଧ୍ୟ ଏହିପରି ଧୋଇଯିବାର ଆଶଙ୍କା ଦେଖାଦେଇଛି। ପ୍ରଶ୍ନ ଉଠୁଛି, କଣ ଜଣେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟର ସର୍ବୋଚ୍ଚ ପଞ୍ଚାୟତର ସମୟ ଏପରି ଭାବେ ବଳି ପଡ଼ିବ?
ମନ୍ତ୍ରୀ ମହାଲିଙ୍ଗଙ୍କ ପାଇଁ ଏହା ପ୍ରଥମ ବିବାଦ ନୁହେଁ। ଗତ ରଥଯାତ୍ରା ପୂର୍ବରୁ ଯାଜପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହଇଜା ବ୍ୟାପକ ରୂପ ନେଇଥିଲା। ସରକାରୀ ତଥ୍ୟ ଅନୁଯାୟୀ ଏଥିରେ ୧୪ ଜଣଙ୍କର ପ୍ରାଣହାନୀ ଘଟିଛି ବୋଲି କୁହାଯାଉଥିଲେ ମଧ୍ୟ, ବାସ୍ତବରେ ମୃତ୍ୟୁସଂଖ୍ୟା ୩୦ ଡେଇଁଥିବା ବେସରକାରୀ ସୂତ୍ରରୁ ପ୍ରକାଶ। ସ୍ୱାସ୍ଥ୍ୟ ବିଭାଗର ଆଗୁଆ ପ୍ରସ୍ତୁତି ନ ଥିବା କାରଣରୁ ନିରୀହ ଗରିବ ଲୋକଙ୍କ ଜୀବନ ଗଲା।
ଏହାବ୍ୟତୀତ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ତାଙ୍କର ଅପରିପକ୍ୱତା ଆହୁରି ନିନ୍ଦନୀୟ। କିଛି ପ୍ରଶାସନିକ ଅଧିକାରୀଙ୍କ କୁମନ୍ତ୍ରଣାରେ ପଡ଼ି ସେ ବିଧାୟକମାନଙ୍କ ଦରମା ଓ ଭତ୍ତାକୁ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ କରିବା ପାଇଁ ବିଧାନସଭାରେ ବିଲ୍ ଆଣିଥିଲେ। ଯେତେବେଳେ ରାଜ୍ୟର ସାଧାରଣ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ, ସେତେବେଳେ ନେତାଙ୍କ ଦରମା ବୃଦ୍ଧିକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ଓ ଜନଅସନ୍ତୋଷ ପ୍ରକାଶ ପାଇଲା। ପରିସ୍ଥିତି ଏପରି ହେଲା ଯେ ଜାତୀୟ ସ୍ତରରେ ବିଜେପି ନେତୃତ୍ୱକୁ ନିନ୍ଦିତ ହେବାକୁ ପଡ଼ିଲା। ଶେଷରେ ସବୁ ଦୋଷ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ଲଦି ଦିଆଗଲା ଏବଂ ସରକାର ବାଧ୍ୟ ହୋଇ ଏହି ବିଲ୍କୁ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଆଣିଲେ। ଏହି ଘଟଣା ମୋହନ ସରକାରଙ୍କ ଦେହରେ ‘ୟୁ-ଟର୍ଣ୍ଣ ସରକାର’ର ଲାଞ୍ଛନା ଲଗାଇଦେଲା।
ଉଚ୍ଚଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଖାମଖିଆଲି ମନୋଭାବ
କେବଳ ମୁକେଶ ମହାଲିଙ୍ଗ ନୁହଁନ୍ତି, କ୍ୟାବିନେଟର ଯୁବ ଚେହେରା ତଥା ଉଚ୍ଚଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ କାର୍ଯ୍ୟକଳାପ ମଧ୍ୟ ସରକାରଙ୍କୁ ବାରମ୍ବାର ବିବାଦକୁ ଟାଣି ଆଣୁଛି। ସାମ୍ପ୍ରତିକ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ତଥା ଦେଶ ବିଦେଶରେ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯେଉଁଥିପାଇଁ ମୋହନ ସରକାର ତୀବ୍ର ନିନ୍ଦିତ ହୋଇଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ, ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀ ସୂରଜଙ୍କର ଏଥିପ୍ରତି ତିଳେମାତ୍ର ଭ୍ରୂକ୍ଷେପ ନାହିଁ। ଏକାଧିକ ବିଭାଗ ଥିଲେ ମଧ୍ୟ ସେ ନିଜକୁ କେବଳ ‘କ୍ରୀଡ଼ା ମନ୍ତ୍ରୀ’ ଭାବି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗରେ ଅଘଟଣ ଘଟିଲେ ମୁଖ୍ୟମନ୍ତ୍ରୀ ନିନ୍ଦିତ ହେଉଛନ୍ତି, କିନ୍ତୁ ବିଭାଗୀୟ ମନ୍ତ୍ରୀ ନିଶ୍ଚିନ୍ତରେ ଅଛନ୍ତି।
ମନ୍ତ୍ରୀ ହେବାମାତ୍ରେ ନିଜର ଆଧିପତ୍ୟ ଜାହିର କରିବାକୁ ଯାଇ ସେ ରାଜ୍ୟରେ ବହୁ ପୂର୍ବରୁ ପ୍ରଚଳିତ ସମ୍ମାନଜନକ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ର ନାମ ପରିବର୍ତ୍ତନ କରିଦେଲେ। କ୍ରୀଡ଼ାର ବିକାଶ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ନାମକରଣ ରାଜନୀତି କରିବା ଏକ ନୂଆ ସରକାର ପାଇଁ ଅତ୍ୟନ୍ତ ଅସ୍ୱାଭାବିକ ଥିଲା। ଏହାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିବାଦ ହେଲା। ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଲା ଏବଂ ନିଷ୍ପତ୍ତିକୁ ବାତିଲ କରି ଆଉ ଏକ ‘ୟୁ-ଟର୍ଣ୍ଣ’ ନେବାକୁ ପଡ଼ିଲା। ମନ୍ତ୍ରୀଙ୍କ ଅପରିପକ୍ୱ ନିଷ୍ପତ୍ତିର ମୂଲ୍ୟ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡୁଛି।
ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅହଂକାର ଓ ବିଫଳତା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ସବୁଠାରୁ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛନ୍ତି ପ୍ରଭାବଶାଳୀ ନେତା ତଥା ଆଇନ, ଅବକାରୀ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କ୍ଷମତାକୁ ଆସିବାର କିଛି ଦିନ ମଧ୍ୟରେ ଅଗଷ୍ଟ ୨୧ ତାରିଖରେ ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ୫ ଜଣ ଗରିବ ଶ୍ରମିକଙ୍କର ମୃତ୍ୟୁ ଘଟିଲା। ରାଜ୍ୟରେ ଅବକାରୀ ନୀତି ଓ ପ୍ରଶାସନର କୋହଳ ମନୋଭାବ ଯୋଗୁଁ ମାଫିଆମାନେ କିପରି ସକ୍ରିୟ ଅଛନ୍ତି, ଏହା ତାହାର ନଗ୍ନ ଚିତ୍ର ଥିଲା।
ଏହାର କିଛି ଦିନ ପରେ ରଥଯାତ୍ରା ଭଳି ଓଡ଼ିଶାର ସବୁଠାରୁ ବଡ଼ ଧାର୍ମିକ ମହୋତ୍ସବରେ ପ୍ରଶାସନିକ ବିଶୃଙ୍ଖଳା ଦେଖାଦେଲା। ପହଣ୍ଡି ସମୟରେ ବଡ଼ଠାକୁର ବଳଭଦ୍ର ରଥରୁ ଖସିପଡ଼ିବା ଭଳି ହୃଦୟ ବିଦାରକ ଦୃଶ୍ୟ ସମଗ୍ର ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଲା। ଆଇନ ଶୃଙ୍ଖଳା ବିଭାଗ ଓ ପ୍ରଶାସନ ଏଥିରୁ କୌଣସି ଶିକ୍ଷା ଗ୍ରହଣ କଲେନାହିଁ। ଫଳସ୍ୱରୂପ ଗତ ଜୁଲାଇ ମାସରେ ଅନୁଷ୍ଠିତ ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣରେ ବିଫଳତା ଯୋଗୁଁ ଦଳାଚକଟା ହୋଇ ୩ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଲେ। ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ସର୍ବସମ୍ମୁଖରେ ହାତଯୋଡ଼ି କ୍ଷମା ପ୍ରାର୍ଥନା କଲେ, କିନ୍ତୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିଜର ଅହଂକାରରେ ବୁଡ଼ି ରହିଲେ ଏବଂ ତାଙ୍କ ମୁହଁରୁ ପଦେ ବି ଦୁଃଖ ପ୍ରକାଶ ପାଇଲା ନାହିଁ।
ଏତିକିରେ କଥା ସରିଲା ନାହିଁ। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯିବା, ଅଳଙ୍କାରର ଗଣତି-ମଣତି ହେବା, ଶ୍ରୀମନ୍ଦିରର ଚାରି ଦ୍ୱାର ପ୍ରକୃତରେ ଭକ୍ତଙ୍କ ପାଇଁ ଖୋଲିବା ଏବଂ ଭକ୍ତଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ମନ୍ତ୍ରୀ ହରିଚନ୍ଦନ ଗଣମାଧ୍ୟମରେ ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ଓ ମିଛ କହି ଚାଲିଲେ। ସମ୍ବେଦନଶୀଳ ପ୍ରସଙ୍ଗରେ ମନ୍ତ୍ରୀଙ୍କର ଏପରି ଆଚରଣ ଭକ୍ତଙ୍କ ଭାବାବେଗକୁ ଆହତ କଲା। ଜନଅସନ୍ତୋଷ ଏତେ ତୀବ୍ର ହେଲା ଯେ, ଗତ ୨୪ ତାରିଖ ଦିନ ପୁରୀ ବଡ଼ଦାଣ୍ଡରେ ଉପସ୍ଥିତ ଥିବାବେଳେ ଜଗନ୍ନାଥ ପ୍ରେମୀ ଭକ୍ତମାନେ ମନ୍ତ୍ରୀଙ୍କୁ ଖୋଲାଖୋଲି “ଚୋର ଚୋର” ବୋଲି ସ୍ଲୋଗାନ ଦେଲେ। ପରିସ୍ଥିତି ଏପରି ହେଲା ଯେ ମନ୍ତ୍ରୀଙ୍କୁ ତୁରନ୍ତ ସେହି ସ୍ଥାନ ଛାଡ଼ି ପଳାଇବାକୁ ପଡ଼ିଲା। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ପାଇଁ ଏହାଠାରୁ ବଡ଼ ଅପମାନ ଆଉ କ’ଣ ହୋଇପାରେ?
ଦିଲ୍ଲୀ ଦରବାରର ଚାପ ଓ ମୁଖ୍ୟମନ୍ତ୍ରୀଙ୍କ ଅସହାୟତା
ସରକାର ଚାଲିବାର ମାତ୍ର କିଛିମାସ ମଧ୍ୟରେ ଏହି ମନ୍ତ୍ରୀମାନଙ୍କର ଅପାରଗତା, ଦାୟିତ୍ୱହୀନତା ଏବଂ ବିବାଦୀୟ ନିଷ୍ପତ୍ତି କାରଣରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରମ୍ବାର ଲୋକହସା ହେଉଛନ୍ତି। ଏକ ସୁଦୃଢ଼ ଓ ନିର୍ମଳ ଶାସନ ଦେବାର ଯେଉଁ ପ୍ରତିଶ୍ରୁତି ବିଜେପି ଦେଇଥିଲା, ତାହା କେବଳ ପ୍ରହସନରେ ପରିଣତ ହୋଇଛି। ପ୍ରଶ୍ନ ଉଠୁଛି, ଯଦି ଏହି ମନ୍ତ୍ରୀମାନେ ସରକାରଙ୍କ ପାଇଁ ବୋଝ ସାଜିଛନ୍ତି ଏବଂ ଲୋକଙ୍କ ଆସ୍ଥା ହରାଉଛନ୍ତି, ତେବେ ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରୁନାହାନ୍ତି? କାରଣ ଏହି ସମସ୍ତ ମନ୍ତ୍ରୀମାନେ ରାଜ୍ୟରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଅନୁଗତ ଭାବରେ ଜଣାଶୁଣା। କେବଳ ଏହି ୩ଜଣ ନୁହଁନ୍ତି ଆହୁରି ଅଯୋଗ୍ୟ ମନ୍ତ୍ରୀ ତାଲିକାରେ ଆହୁରି ଅଧିକ ଥିବା ଆଲୋଚନା ହେଉଛି।
ରାଜନୈତିକ ସମୀକ୍ଷକଙ୍କ ମତରେ ଏବଂ ସାଧାରଣରେ ଆଲୋଚନା ହେଉଛି ଯେ, ମୁଖ୍ୟମନ୍ତ୍ରୀ ଚାହିଁଲେ ବି ନିଜ ମନ୍ତ୍ରିମଣ୍ଡଳରେ କୌଣସି ପରିବର୍ତ୍ତନ କରିପାରୁନାହାନ୍ତି। ଏହି ଅଯୋଗ୍ୟ ମନ୍ତ୍ରୀମାନଙ୍କୁ କ୍ୟାବିନେଟରୁ ବହିଷ୍କାର କରିବା ପାଇଁ ତାଙ୍କୁ କୁଆଡ଼େ ଦିଲ୍ଲୀସ୍ଥିତ ଦଳୀୟ ହାଇକମାଣ୍ଡ ବା କେନ୍ଦ୍ରୀୟ ନେତୃତ୍ୱ ଅନୁମତି ଦେଉନାହାନ୍ତି। ଯଦି ଏହି କଥାରେ ସତ୍ୟତା ଥାଏ, ତେବେ ଏହା ରାଜ୍ୟର ଗଣତାନ୍ତ୍ରିକ ଢାଞ୍ଚା ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଧୀନ କ୍ଷମତା ଉପରେ ଏକ ବଡ଼ ପ୍ରଶ୍ନବାଚୀ। ଦିଲ୍ଲୀର ରିମୋଟ କଣ୍ଟ୍ରୋଲରେ ଚାଲୁଥିବା ସରକାର କଦାପି ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା କରିପାରିବ ନାହିଁ।
ମୋହନ ମାଝୀଙ୍କୁ ଏବେ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ସେ ନିଜର ଭାବମୂର୍ତ୍ତି ଏବଂ ରାଜ୍ୟର ସ୍ୱାର୍ଥକୁ ଗୁରୁତ୍ୱ ଦେବେ ନା ଦଳୀୟ ହାଇକମାଣ୍ଡଙ୍କ ଚାପରେ ଅଯୋଗ୍ୟ ନେତାଙ୍କୁ ସୁରକ୍ଷା ଦେଇ ଇତିହାସରେ ଏକ ‘ଦୁର୍ବଳ ମୁଖ୍ୟମନ୍ତ୍ରୀ’ ଭାବରେ ପରିଚିତ ହେବେ। ସମୟ ସରିଯାଉଛି, ସରକାର ଯଦି ଏବେ ବି ସଜାଗ ନ ହୁଅନ୍ତି, ତେବେ ଆଗାମୀ ଦିନରେ ଜନତା ଏହି ‘ୟୁ-ଟର୍ଣ୍ଣ’ ସରକାରଙ୍କୁ ସବୁଦିନ ପାଇଁ ରାଜନୀତିରୁ ୟୁ-ଟର୍ଣ୍ଣ କରାଇ ଦେବାର ଆଶଙ୍କା ରହିଛି।
AlsoRead; https://purvapaksa.com/2029-elections-bjps-master-plan/
୨୦୨୯ ନିର୍ବାଚନ: ବିଜେପିର ମାଷ୍ଟରପ୍ଲାନ୍? || 2029 Elections: BJP’s Master Plan?


