ଓଡ଼ିଶାର ରାଜନୀତି ଏବେ ଗୋଟିଏ ଅଦ୍ଭୁତ ସନ୍ଧି କ୍ଷଣରେ ଠିଆ ହୋଇଛି । ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ଘଟିଛି । ବିଜେପି କ୍ଷମତାକୁ ଆସିଛି ଏବଂ ସ୍ୱାଭାବିକ ଭାବେ ଏକ ନୂଆ ଶାସନ ରଚନାର ସମସ୍ୟା, ଦଳୀୟ ଗୋଷ୍ଠୀବାଦ, ନୀତିଗତ ଅସ୍ପଷ୍ଟତା ଓ ପ୍ରଶାସନିକ ଅଭିଜ୍ଞତାର ଅଭାବ- ସବୁ ଦେଖାଯାଉଛି । କିନ୍ତୁ ଏହି ସମସ୍ତ ଦୁର୍ବଳତା ସତ୍ତ୍ୱେ ମଧ୍ୟ ଶାସକ ଦଳକୁ ଚାପରେ ରଖିବାରେ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ-ବିଜୁ ଜନତା ଦଳ ଓ କଂଗ୍ରେସ-କୂଳକିନାରା ପାଉନାହାନ୍ତି ।

ଏହି ରାଜନୈତିକ ଅସମର୍ଥତାର ମୂଳ କାରଣ କ’ଣ ? ବିରୋଧୀ ଦଳର ରଣନୀତିରେ ଅଭାବ, ନା କି ନେତୃତ୍ୱର ଦ୍ୱନ୍ଦ୍ୱ ? ଏହି ପ୍ରଶ୍ନର ଉତ୍ତର ଖୋଜିବା ସମୟରେ ଆମେ ଦୁଇଟି ଭିନ୍ନ ଧାରଣା ସାମ୍ନାକୁ ପାଉଛୁ- “ଛାୟା କ୍ୟାବିନେଟ୍” ଓ “ଲୋକସଭା ଦାୟିତ୍ୱ”। ଦୁଇଟି ଧାରଣା ଦେଖିବାକୁ ଭିନ୍ନ, କିନ୍ତୁ ଉଭୟର ଲକ୍ଷ୍ୟ ଏକ- ଶାସକଙ୍କୁ ଉତ୍ତରଦାୟୀ କରିବା ।
ନବୀନ ପଟ୍ଟନାୟକ: ଅନୁଭବ, ସାଂସ୍କୃତିକ ପୃଷ୍ଠଭୂମି ଓ ରାଜନୈତିକ ଚିନ୍ତା
୫୩ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ନବୀନ ପଟ୍ଟନାୟକ ତାଙ୍କ ଜୀବନର ଅଧିକାଂଶ ସମୟ ବିଦେଶରେ କାଟିଥିଲେ । ସେ କେବଳ ଜଣେ ରାଜନୀତିଜ୍ଞ ନୁହେଁ ଜଣେ ସାହିତ୍ୟିକ, ସାଂସ୍କୃତିକ ମନସ୍କ ଓ ସମାଜସେବୀ ଭାବେ ମଧ୍ୟ ପରିଚିତ । ବ୍ରିଟିଶ ରକ୍ ବ୍ୟାଣ୍ଡ The Rolling Stonesର ମୁଖ୍ୟ ଗାୟକ Mick Jaggerଙ୍କ ସହ ନିକଟତା ତାଙ୍କର ସାଂସ୍କୃତିକ ଜଗତର ଗୋଟିଏ ଆକର୍ଷଣୀୟ ଉଦାହରଣ ମାତ୍ର । ବ୍ରିଟେନର ସାର୍ବଜନିକ ଜୀବନ ସଂସଦୀୟ ପ୍ରଥା ଓ ୱେଷ୍ଟମିନିଷ୍ଟର ମଡେଲ୍ ପ୍ରତି ତାଙ୍କର ଆଗ୍ରହ ଦୀର୍ଘଦିନର । ସେଇ ଆଗ୍ରହ ହିଁ ହୁଏତ ଓଡ଼ିଶାରେ ପ୍ରଥମ ବିଜେପି ସରକାରଙ୍କ କାର୍ଯ୍ୟକାରିତାକୁ ତଦାରଖ କରିବା ପାଇଁ “ଛାୟା କ୍ୟାବିନେଟ୍” ଗଠନ କରିବା ନିଷ୍ପତ୍ତିର ମୂଳରେ ଥିଲା।
ଛାୟା କ୍ୟାବିନେଟ୍: ଧାରଣା ଓ ଦାୟିତ୍ୱ
ଛାୟା କ୍ୟାବିନେଟ୍ ଧାରଣାକୁ ସରଳ ଭାଷାରେ ବୁଝିଲେ ଏହା ହେଉଛି ଫୁଟବଲ୍ର “ମ୍ୟାନ-ଟୁ-ମ୍ୟାନ୍ ମାର୍କିଂ” । ଯେମିତି ମ୍ୟାଚ୍ ସମୟରେ ଜଣେ ଡିଫେଣ୍ଡର ନିର୍ଦ୍ଦିଷ୍ଟ ପ୍ରତିପକ୍ଷ ଖେଳାଳିକୁ ଲଗାତାର ନଜରରେ ରଖେ, ସେହିପରି ଛାୟା କ୍ୟାବିନେଟ୍ରେ ପ୍ରତ୍ୟେକ ଶାସକ ମନ୍ତ୍ରୀଙ୍କ ପାଇଁ ଜଣେ ବିରୋଧୀ “ଛାୟା” ନିଯୁକ୍ତ ହୁଅନ୍ତି ।
ଏହି ଛାୟା ମନ୍ତ୍ରୀଙ୍କ ଦାୟିତ୍ୱ କେବଳ ସମାଲୋଚନା କରିବା ନୁହେଁ। ସେମାନେ—
• ନିର୍ଦ୍ଦିଷ୍ଟ ମନ୍ତ୍ରଣାଳୟର କାର୍ଯ୍ୟ ଅଧ୍ୟୟନ କରନ୍ତି,
• ବିକଳ୍ପ ନୀତି ପ୍ରସ୍ତାବ କରନ୍ତି,
• ଶାସକଙ୍କ ନିଷ୍ପତ୍ତିକୁ ସାର୍ବଜନିକ ମଞ୍ଚରେ ଯୁକ୍ତିସହିତ ଆହ୍ୱାନ କରନ୍ତି,
• ଏବଂ ଶାସନକୁ ଉତ୍ତରଦରୟୀ କରନ୍ତି।
ବିଶ୍ୱ ଅନୁଭବ: ସଂସ୍ଥାଗତ ବିରୋଧୀ
ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡରେ ଛାୟା କ୍ୟାବିନେଟ୍ ଏକ ସଂସ୍ଥାଗତ ବ୍ୟବସ୍ଥା। କାନାଡାରେ “Opposition Critic” ବୋଲି ପଦବୀ ରହିଛି। ୟୁକେରେ ବିରୋଧୀ ଦଳର ପ୍ରାୟ ସମସ୍ତ ବରିଷ୍ଠ ନେତା ନିର୍ଦ୍ଦିଷ୍ଟ ମନ୍ତ୍ରଣାଳୟର ଛାୟା ଭୂମିକାରେ ରହନ୍ତି। ଏହା କେବଳ ରାଜନୈତିକ ଆଡମ୍ବର ନୁହେଁ, ଗଣତନ୍ତ୍ରର ଏକ ଆବଶ୍ୟକ ଅଂଶ।
ଭାରତରେ ଛାୟା କ୍ୟାବିନେଟ୍: ପରୀକ୍ଷା ଓ ସୀମା
ଭାରତରେ ଏହି ଧାରଣା ଅଧିକ ପ୍ରତିଷ୍ଠିତ ନୁହେଁ। ତଥାପି ଅତୀତରେ କିଛି ପରୀକ୍ଷା ହୋଇଛି। ୨୦୦୫ ମସିହାରେ ମହାରାଷ୍ଟ୍ରରେ ବିଳାସରାଓ ଦେଶମୁଖଙ୍କ ସରକାର ସମୟରେ ବିରୋଧୀ ବିଜେପି–ଶିବସେନା ଏହି ଧାରଣାକୁ ପରୀକ୍ଷା କରିଥିଲା। ୨୦୧୫ରେ ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହ୍ୱାନଙ୍କ ସରକାର ବେଳେ କଂଗ୍ରେସ ଏହାକୁ ଅନୁସରଣ କରିଥିଲା। ରାଜସ୍ଥାନରେ ନିକଟରେ କଂଗ୍ରେସ ନେତା ତିଲକରାମ ଜୁଲି ଏକ ଛାୟା କ୍ୟାବିନେଟ୍ ଗଠନର ଘୋଷଣା କରିଛନ୍ତି।
ଓଡ଼ିଶାର ବାସ୍ତବତା: ଛାୟା କ୍ୟାବିନେଟ୍ କାଗଜରେ ସୀମିତ?
୧୭ ଜୁଲାଇ ୨୦୨୪ରେ ବିଜେଡି ୩୫ଜଣ ବିଧାୟକଙ୍କୁ ନେଇ ଛାୟା ମନ୍ତ୍ରିମଣ୍ଡଳ ଗଠନ କଲା। ଏହା ଦେଖିବାକୁ ଏକ ଦୃଢ଼ ପଦକ୍ଷେପ ମନେ ହେଉଥିଲା। କିନ୍ତୁ ଏହା ପରେ ଏହି ଛାୟା ମନ୍ତ୍ରିମଣ୍ଡଳ ମୋହନ ସରକାରଙ୍କ କାର୍ଯ୍ୟକୁ କେତେଦୂର ତଦାରଖ କରିଛି—ସେଥିପାଇଁ କେବେ ବି ଗଭୀର ସମୀକ୍ଷା ହୋଇନାହିଁ।
ଏପରିକି ଅନେକ ଛାୟା ମନ୍ତ୍ରୀ ନିଜ ଭୂମିକା ସମ୍ପର୍କରେ ସଚେତନ ଥିବା ଭଳି ମନେ ହୁଏ ନାହିଁ। ବରଂ ସେମାନେ ଦଳୀୟ କନ୍ଦଳ, ନେତୃତ୍ୱ ଦ୍ୱନ୍ଦ୍ୱ ଓ ଅନ୍ତର୍କଳହରେ ଅଧିକ ବ୍ୟସ୍ତ। ଏହା ଛାୟା କ୍ୟାବିନେଟ୍ ଧାରଣାର ମୂଳ ଆତ୍ମାକୁ ଦୁର୍ବଳ କରିଦେଇଛି।
କଂଗ୍ରେସର ରଣନୀତି: ଲୋକସଭା ସ୍ତରୀୟ ଦାୟିତ୍ୱ

ଏହି ପରିପ୍ରେକ୍ଷିତରେ କଂଗ୍ରେସ ଏକ ଭିନ୍ନ ପଥ ନେଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ ୨୧ଟି ଲୋକସଭା ଆସନ ପାଇଁ ୬୯ଜଣ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହା ଛାୟା କ୍ୟାବିନେଟ୍ ଭଳି ସଂସଦୀୟ ମଡେଲ୍ ନୁହେଁ; ଏହା ଏକ ସଂଗଠନାତ୍ମକ ରଣନୀତି।
ଲୋକସଭା ସ୍ତରୀୟ ଦାୟିତ୍ୱର ଲକ୍ଷ୍ୟ—
• ଆସନ ଭିତ୍ତିକ ଦଳୀୟ ଗଠନ,
• ମାଟି ସହ ସିଧା ସମ୍ପର୍କ,
• ଭୋଟର୍ ମନୋଭାବ ବୁଝିବା,
• ଏବଂ ଭବିଷ୍ୟତ ନିର୍ବାଚନ ପାଇଁ ଭିତ୍ତି ତିଆରି।
ଏହା ଦ୍ୱାରା ଭକ୍ତ ଦାସ ନିଜର ସଂଗଠନକୁ ପୁନର୍ଗଠିତ କରିବାର ପ୍ରୟାସ କରୁଛନ୍ତି।
ଦୁଇ ଧାରଣା, ଦୁଇ ପଥ
ଛାୟା କ୍ୟାବିନେଟ୍ ଓ ଲୋକସଭା ସ୍ତରୀୟ ଦାୟିତ୍ୱ—ଏହି ଦୁଇଟି ଧାରଣା ମୂଳତଃ ଭିନ୍ନ। ପ୍ରଥମଟି ନୀତି ଓ ପ୍ରଶାସନ ଉପରେ ଜୋର ଦିଏ, ଦ୍ୱିତୀୟଟି ମାଟି ଓ ସଂଗଠନ ଉପରେ। ଏକଟି ବୁଦ୍ଧିଗତ ଆକ୍ରମଣ, ଅନ୍ୟଟି ଜନସମ୍ପର୍କ ଆଧାରିତ ରଣନୀତି। କିନ୍ତୁ ଗଣତନ୍ତ୍ରରେ ସଫଳ ବିରୋଧୀ ପାଇଁ ଉଭୟ ଆବଶ୍ୟକ। କେବଳ ନୀତିଗତ ସମାଲୋଚନା ଲୋକଙ୍କୁ ଆକର୍ଷିତ କରିପାରେ ନାହିଁ, ଏବଂ କେବଳ ସଂଗଠନ ନୀତି ବିନା ଦୀର୍ଘକାଳୀନ ବିଶ୍ୱାସ ଗଢ଼ିପାରେ ନାହିଁ। ଓଡ଼ିଶାର ବିରୋଧୀ ରାଜନୀତିର ସଫଳତା ଏହାରେ ନିର୍ଭର କରିବ—ଛାୟା କ୍ୟାବିନେଟ୍ ଓ ଲୋକସଭା ସ୍ତରୀୟ ଦାୟିତ୍ୱକୁ କେତେଦୂର ସମନ୍ୱୟ କରାଯାଏ। ଯଦି ଛାୟା କ୍ୟାବିନେଟ୍ କାଗଜରେ ରହିଯାଏ ଓ ଲୋକସଭା ସ୍ତରୀୟ ଦାୟିତ୍ୱ କେବଳ ଘୋଷଣାରେ ସୀମିତ ହୁଏ, ତେବେ ବିରୋଧୀଙ୍କ ଦୁର୍ବଳତା ଆହୁରି ପ୍ରକାଶ ପାଇବ। କିନ୍ତୁ ଯଦି ଦୁଇଟି ଧାରଣାକୁ ଏକ ସଂଯୁକ୍ତ ରଣନୀତିରେ ପରିଣତ କରାଯାଏ—ନୀତି ଓ ମାଟି, ଦୁଇଟିକୁ ସମାନ ଗୁରୁତ୍ୱ ଦିଆଯାଏ—ତେବେ ଓଡ଼ିଶାର ଲୋକତନ୍ତ୍ର ପାଇଁ ଏହା ହେବ ଏକ ସ୍ୱସ୍ଥ ସଙ୍କେତ।
also read https://purvapaksa.com/cricket/
Cricket ।। ଭାରତ ସହ ମ୍ୟାଚ୍ ଖେଳିବାକୁ ମନା କଲା ପାକିସ୍ତାନ । ପରେ ଏମିତି କିଛି ହେଲା


