ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟସ୍ଆପ୍ର ପ୍ରସ୍ତାବିତ ‘ୟୁଜରନେମ୍ ଫିଚର’ କୁ ନେଇ କେନ୍ଦ୍ର ନରେନ୍ଦ୍ର ମୋଦୀ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଫିଚର ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଜବାବ ଦେବା ପାଇଁ ସରକାର ହ୍ୱାଟସ୍ଆପ୍ର ମାତୃ ସଂସ୍ଥା ମେଟା କୁ ଆଉ ୩ ଦିନର ଅତିରିକ୍ତ ସମୟ ଦେଇଛନ୍ତି। ପୂର୍ବରୁ ଦିଆଯାଇଥିବା ସମୟ ସୀମା ଶେଷ ହେବା ପରେ ସରକାର ଏହି ମହଲତ ବଢ଼ାଇଛନ୍ତି।
କାହିଁକି ଚିନ୍ତାରେ କେନ୍ଦ୍ର ସରକାର ?
କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଆଶଙ୍କା ପ୍ରକଟ କରିଛି ଯେ, ଏହି ନୂତନ ୟୁଜରନେମ୍ ବ୍ୟବସ୍ଥା ଦ୍ୱାରା ଦେଶରେ ଅନଲାଇନ୍ ଠକେଇ, ଫିସିଂ , ନକଲି ପରିଚୟ ସୃଷ୍ଟି ଏବଂ ଡିଜିଟାଲ୍ ଆରେଷ୍ଟ ଭଳି ସାଇବର ଅପରାଧ ବହୁ ପରିମାଣରେ ବୃଦ୍ଧି ପାଇପାରେ। ସରକାରଙ୍କ ମତରେ, ଯଦି ମୋବାଇଲ୍ ନମ୍ବର ବଦଳରେ କେବଳ ୟୁଜରନେମ୍ ଦେଖାଯିବ, ତେବେ ଅପରାଧୀମାନେ କୌଣସି ଜଣାଶୁଣା କମ୍ପାନୀ, ସରକାରୀ ବିଭାଗ କିମ୍ବା ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ସହ ମିଳୁଥିବା ନକଲି ୟୁଜରନେମ୍ ତିଆରି କରି ସହଜରେ ଲୋକଙ୍କୁ ପ୍ରତାରିତ କରିପାରିବେ। ଏହା ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ମଧ୍ୟ ଏକ ବଡ଼ ଆହ୍ୱାନ ସୃଷ୍ଟି କରିବ।

କ’ଣ ଏହି ହ୍ୱାଟସ୍ଆପ୍ ୟୁଜରନେମ୍ ଫିଚର ?
ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ହ୍ୱାଟସ୍ଆପ୍ରେ କାହା ସହ ଚାଟ୍ କରିବାକୁ ହେଲେ ମୋବାଇଲ୍ ନମ୍ବର ଜାଣିବା ନିହାତି ଜରୁରୀ। ମାତ୍ର ଏହି ପ୍ରସ୍ତାବିତ ଫିଚର ଆସିବା ପରେ ପ୍ରତ୍ୟେକ ବ୍ୟକ୍ତି ନିଜ ଆକାଉଣ୍ଟ ପାଇଁ ଏକ ସ୍ୱତନ୍ତ୍ର ୟୁଜରନେମ୍ (ଯେପରି ଟେଲିଗ୍ରାମ କିମ୍ବା ଇନଷ୍ଟାଗ୍ରାମରେ ଥାଏ) ଚୟନ କରିପାରିବେ। ଏହାପରେ କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ମୋବାଇଲ୍ ନମ୍ବର ନଦେଇ କେବଳ ୟୁଜରନେମ୍ ସାହାଯ୍ୟରେ ଚାଟ୍ ଆରମ୍ଭ କରାଯାଇପାରିବ। ହ୍ୱାଟସ୍ଆପ୍ର ଦାବି ଅନୁଯାୟୀ, ଏହା ୟୁଜରମାନଙ୍କ ଗୋପନୀୟତାକୁ ଅଧିକ ସୁରକ୍ଷିତ କରିବ। ସେହିପରି ଯେଉଁମାନଙ୍କ ପାଖରେ ପୂର୍ବରୁ ଆପଣଙ୍କ ନମ୍ବର ରହିଛି, ସେମାନଙ୍କ ଠାରୁ ଏହି ନମ୍ବର ଲୁଚିବ ନାହିଁ।

ତେବେ ଏହି ଫିଚରର ସୁରକ୍ଷା ଦିଗକୁ ନେଇ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନଥିବାରୁ ଏହା ଉପରେ ତଦନ୍ତ ଆରମ୍ଭ ହୋଇଛି। ମେଟା ପକ୍ଷରୁ ମିଳିବାକୁ ଥିବା ଜବାବ ଆଧାରରେ ହିଁ ଭାରତରେ ଏହି ଫିଚର ଲଞ୍ଚ ହେବ କି ନାହିଁ, ସେ ନେଇ ସରକାର ଆଗାମୀ ନିଷ୍ପତ୍ତି ଗ୍ରହଣ କରିବେ।


