ବନ୍ଧାକୋବି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ, କାରଣ ଏଥିରେ ଭିଟାମିନ୍, ମିନେରାଲ୍ସ ସମେତ ସମସ୍ତ ପୋଷକ ତତ୍ତ୍ୱ ରହିଥାଏ । ଥଣ୍ଡା ପାଗରେ ବନ୍ଧାକୋବି ବହୁତ ଖାଇଥାନ୍ତି, କିନ୍ତୁ ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । ଅନେକ ଲୋକ ବନ୍ଧାକୋବି ଖାଇବାରୁ ଦୂରେଇ ରୁହନ୍ତି କାରଣ ସେମାନେ ବିଶ୍ୱାସ କରନ୍ତି ଯେ କୋବିରେ ବିପଜ୍ଜନକ କୀଟ ଅଛି ଯାହା ଶରୀରକୁ ପ୍ରବେଶ କରିପାରେ। ଏହା ମଧ୍ୟ ସତ, କାରଣ ବିପଜ୍ଜନକ ଟେପୱାର୍ମକୁ କୋବିରେ ଲୁଚି ରହିଥାଏ ଏବଂ ଯଦି ଏହା ଶରୀରରେ ପ୍ରବେଶ କରି ମସ୍ତିଷ୍କରେ ପହଞ୍ଚିଥାଏ, ତେବେ ଏହା ମୃତ୍ୟୁର କାରଣ ହୋଇପାରେ। ଏବେ ପ୍ରଶ୍ନ ଉଠୁଛି କୋବି ପୋକ ମସ୍ତିଷ୍କରେ କିପରି ପହଞ୍ଚିଥାଏ ଏବଂ ଏଥିରୁ ରକ୍ଷା ପାଇବାର ଉପାୟ କ’ଣ?
ବନ୍ଧାକୋବି ସମେତ ଅନେକ ପନିପରିବା ଟେପୱାର୍ମ ଦ୍ୱାରା ସଂକ୍ରମିତ ହୋଇପାରେ। ଏହି ଟେପୱାର୍ମ ସାଧାରଣତଃ ଘୁଷୁରିମାନଙ୍କଠାରେ ଦେଖାଯାଏ ଏବଂ ଏହାର ମଳରୁ ମାଟିକୁ ବ୍ୟାପିଥାଏ। ଯଦି ଏହି ମାଟି ପନିପରିବା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀରେ ମିଶିଯାଏ, ତେବେ ପନିପରିବାରେ ଟେପୱାର୍ମ ପହଞ୍ଚିପାରେ।
ନ୍ୟୁରୋଲୋଜିଷ୍ଟଙ୍କ କହିବା ଅନୁଯାୟୀ, ଟେପୱାର୍ମ ଖାଇବା ପିଇବା ମାଧ୍ୟମରେ ଶରୀରରେ ପ୍ରବେଶ କରିପାରେ। ଏହାପରେ ଏହି ପୋକ ଲୋକଙ୍କ ଅନ୍ତନଳୀରେ ରହିଥାଏ ଏବଂ ଏହା ରକ୍ତ ମାଧ୍ୟମରେ ଲୋକଙ୍କ ମସ୍ତିଷ୍କରେ ପହଞ୍ଚିଥାଏ । ଏହା ଦ୍ୱାରା ନ୍ୟୁରୋସିଷ୍ଟାଇରୋସିସ୍ ନାମକ ରୋଗ ହୁଏ । ଟେପୱାର୍ମ ଶରୀର ଓ ମସ୍ତିଷ୍କରେ ପହଞ୍ଚିବା ପରେ ମଧ୍ୟ ଅନେକ ସମୟରେ ଲୋକମାନେ ଏହା ବିଷୟରେ ଜାଣିନଥାନ୍ତି ଏବଂ ଧୀରେ ଧୀରେ ଦେହ ଖରାପ ହୋଇଯାଏ କିମ୍ବା ଶରୀରରେ କ୍ୟାଲସିୟମର ଅଭାବ ଦେଖିବାକୁ ମିଳିଥାଏ । କିନ୍ତୁ ବେଳେବେଳେ ଶତାଧିକ ଟେପୱାର୍ମ ମସ୍ତିଷ୍କରେ ଜମା ହୋଇ ମୁଣ୍ଡବିନ୍ଧା ଓ ମସ୍ତିଷ୍କ ଫୁଲିବା ଭଳି ସମସ୍ୟା ସୃଷ୍ଟି କରିଥାଏ। ଯଦି ଏହି ଅବସ୍ଥା ଗମ୍ଭୀର ହୋଇଯାଏ, ତେବେ ରୋଗୀ କୋମାକୁ ଯାଇପାରେ କିମ୍ବା ମୃତ୍ୟୁ ବରଣ କରିପାରେ । ତେବେ ମସ୍ତିଷ୍କରେ ଶତାଧିକ ଟେପୱାର୍ମ ମାମଲା ବିରଳ।

ଡାକ୍ତରଙ୍କ କହିବା ଅନୁଯାୟୀ, ଯେତେବେଳେ ଟେପୱାର୍ମର ସିଷ୍ଟ ମସ୍ତିଷ୍କରେ ପହଞ୍ଚିଥାଏ ଏବଂ ଏହାର ଆକାର ବହୁତ ବଡ ହୋଇନଥାଏ ଏବଂ ଏହା ବ୍ୟକ୍ତିକୁ ବିଶେଷ ଅସୁବିଧା ସୃଷ୍ଟି କରେନାହିଁ ସେତେବେଳେ ଅସ୍ତ୍ରୋପଚାର ର ଆବଶ୍ୟକତା ନାହିଁ । ଏପରି କ୍ଷେତ୍ରରେ ଟେପୱାର୍ମ ସିଷ୍ଟକୁ ଔଷଧଦ୍ୱାରା ଦୂର କରାଯାଇଥାଏ । ତେବେ ଯଦି ସିଷ୍ଟର ଆକାର ବଡ଼ ହୁଏ କିମ୍ବା ସମସ୍ୟା ଗମ୍ଭୀର ହୁଏ ତେବେ ଅସ୍ତ୍ରୋପଚାର ମାଧ୍ୟମରେ ଏହାକୁ ବାହାର କରାଯାଇପାରିବ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଅସ୍ତ୍ରୋପଚାରରୁ ବର୍ତ୍ତିବା ପାଇଁ ଚେଷ୍ଟା କରାଯାଏ।
କୋବି ସଫା କରିବାର ସଠିକ୍ ଉପାୟ କ’ଣ ?
ଡାକ୍ତରଙ୍କ କହିବା ଅନୁଯାୟୀ, ବନ୍ଧାକୋବି ଖାଇବା ସମୟରେ ଏହାକୁ ଭଲଭାବେ ଧୋଇ ଖାଇବା ଜରୁରୀ। ଏହାପରେ କୋବିକୁ ଭଲ ଭାବେ ସିଝାଇ ଖାଆନ୍ତୁ, ଯାହାଦ୍ୱାରା ଟେପୱାର୍ମ ଭଳି ସମସ୍ୟାରୁ ରକ୍ଷା ମିଳିଥାଏ। କୋବି କୁ ନେଇ ଅନେକ ଭୁଲ ଧାରଣା ସୋସିଆଲ ମିଡିଆରେ ପ୍ରସାରିତ ହେଉଛି, କିନ୍ତୁ ସତ କଥା ହେଉଛି କୋବି ହେଉ କିମ୍ବା ଅନ୍ୟ କୌଣସି ପନିପରିବା ପ୍ରତ୍ୟେକ ଖାଦ୍ୟ ପଦାର୍ଥକୁ ଭଲ ଭାବରେ ଧୋଇ ରୋଷେଇ କରିବା ଉଚିତ । ବିଶେଷକରି ଯେତେବେଳେ ମଇଳା କିମ୍ବା ସଂକ୍ରମଣହେବାର ଆଶଙ୍କା ଥାଏ, ସେତେବେଳେ ବାହାର ଖାଦ୍ୟରୁ ମଧ୍ୟ ଦୂରେଇ ରହିବା ଉଚିତ। ଯଦି କୌଣସି ପ୍ରକାରର ଅସୁବିଧା ଅନୁଭବ କରନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ।
Also readhttps://purvapaksa.com/wp-admin/post.php?post=5698&action=edit

