BJP: କେନ୍ଦ୍ର ବିଜେପି ନେତୃବୃନ୍ଦଙ୍କ ଲାଗି ଓଡ଼ିଶା ଏବେ ମୁଣ୍ଡ ବିନ୍ଧାର କାରଣ । ଏଠି କ୍ଷମତା ତ ମିଳିଛି କିନ୍ତୁ ପ୍ରଥମ ଦିନରୁ ହିଁ ମୁଖ୍ୟମନ୍ତ୍ରୀ ହେବାର ମୋହ ନେତାଙ୍କ ଉପରେ ଚଢ଼ିଛି। କେନ୍ଦ୍ରରେ ଥିବା କିଛି ଓଡ଼ିଆ ନେତା କିଛି ଅଣ ଓଡ଼ିଆ ସଂଗଠନ କର୍ମୀଙ୍କୁ ଧରି ନିଜ ପେଚ ଦୃଢ କରିବା ଲାଗି ଉଦ୍ୟମ କରୁଛନ୍ତି।
ଏପଟେ ଯେଉଁ ଆଦିବାସୀ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି ତାଙ୍କ ପ୍ରତିଚ୍ଛବିକୁ ଖରାପ କରିବା ଲାଗି ବି ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି। ଏପରି ସ୍ଥଳରେ ଭାଗଭାଗ ହୋଇ ବିଜେପିର ସଂଗଠନ ଭିନ୍ନ ଭିନ୍ନ ନେତାଙ୍କ ଦ୍ୱାରା ପରିଚାଳିତ ହେଉଛି। ଫଳରେ ନା ସରକାର ଆଗକୁ ବଢ଼ୁଛି ନା ସଂଗଠନ।
ପୁଣି ଯେଉଁ ବିଜୟପାଲ ସିଂ ତୋମାର-ଲତା ଉସେଣ୍ଡିଙ୍କ ଯୋଡ଼ି ଓଡ଼ିଶାରେ ସଂଗଠନକୁ ମଜବୁତ କରି ଆସ୍ଥା ବିରୋଧୀ ତତ୍ତ୍ୱକୁ ସରକାର ଗଠନରେ ପରିଣତ କରିଥିଲେ ସେମାନେ ବି ଏହି ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବାରେ ସଫଳ ହୋଇପାରୁ ନାହାନ୍ତି। ଫଳରେ ବିଜେପି କଥା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଆଜି ଖୋଦ୍ ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଓଡ଼ିଶା ବିଜେପିର ଏହି ତୁତୁ-ମେମେ ଭିତରେ ସମସ୍ତ ବିବରଣୀ ପ୍ରତ୍ୟକ୍ଷ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।
ତେବେ ପ୍ରଶ୍ନ ଉଠୁଛି ଦଳରେ ଏପରି କଂଗ୍ରେସ ସିଣ୍ଡ୍ରୋମ କାହିଁକି? କାହିଁକି ବଢ଼ୁଛି ଦଳୀୟ କନ୍ଦଳ ଆଉ କାହିଁକି ଏହାକୁ ପ୍ରଶମିତ କରିପାରୁ ନାହାନ୍ତି ବଡ଼ ବଡ଼ ନେତା? ମୁଖ୍ୟମନ୍ତ୍ରୀ ଭାବେ ଭୁଲ୍ ପ୍ରାର୍ଥୀଙ୍କୁ କେନ୍ଦ୍ର ନତୃତ୍ୱ ଓଡ଼ିଶା ଉପରେ ଲଦିଦେଇଛନ୍ତି କି?
ଏ ପ୍ରଶ୍ନସବୁ ସୃଷ୍ଟି ହେବା ପଛରେ ୪ଜଣ ନେତାଙ୍କ ନାଁ ସାମ୍ନାକୁ ଆସୁଛି। ସେମାନେ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ। ଏ ୪ଜଣ ନେତା ଭିନ୍ନ ଭିନ୍ନ ଗୋଷ୍ଠୀ ମାଧ୍ୟମରେ ଦଳର ଆଭ୍ୟନ୍ତରୀଣ ବଳକୁ ନିୟନ୍ତ୍ରଣ କରୁଥିବାରୁ ଦଳ ଓ ସରକାର ଭିତରେ ଆଉ ତାଳମେଳ ରହୁନାହିଁ। ଏବେ ରାଜ୍ୟ ସଭାପତି ଭାବେ ପୁଣିଥରେ ଆସନ ନେବାକୁ ସଭାପତି ମନମୋହନ ସାମଲ ଚାହିଁ ବସିଛନ୍ତି।
ତାଙ୍କୁ ଉଭୟ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି ସମର୍ଥନ କରୁଥିବା ସୂଚନା ମିଳିଛି। ମନମୋହନଙ୍କ ସାଂଗଠନିକ ଦକ୍ଷତାକୁ ଦେଖି ଆଉଥରେ ତାଙ୍କୁ ସଭାପତି ପାଇଁ ସେମାନେ କେନ୍ଦ୍ର ନେତାଙ୍କ ଉପରେ ଚାପ ପକାଉଥିବା କୁହାଯାଉଛି। ଅପରପକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଦୁଇଜଣ ଘନିଷ୍ଠ ବ୍ୟକ୍ତି ଯତୀନ ମହାନ୍ତି ଏବଂ ପୂର୍ବତନ ଉପ ସଭାପତି ଗୋଲକ ମହାପାତ୍ରଙ୍କ ନାଁକୁ ଚର୍ଚ୍ଚା ପରିଧିକୁ ଆଣିଥିବା କୁହାଯାଉଛି।
ପୁଣି ତାଙ୍କୁ ବିରୋଧ କରିବା ଲାଗି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଦିବାସୀ କାର୍ଡ ଖେଳୁଥିବା କୁହାଯାଉଛି। ଏ ଭିତରେ ବାଦ୍ ପଡ଼ି ନାହାନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ଦିଲ୍ଲୀରେ ଥାଇ ସେ ନିଜର ବଳ ଗୋଟାଉଛନ୍ତି। ଏପରିକି ରାଜ୍ୟ ମୁଖିଆ ପଦ ପାଇଁ ବି ଆଖି ରଖିଥିବା ନେଇ ଚର୍ଚ୍ଚା ହେଉଛି।
ଅପରପକ୍ଷେ ନିଜ ସ୍ଥିତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ହାତେ ମାପି ଚାଖଣ୍ଡେ ଚାଲୁଥିବା ତଥା ଚହଲା ପାଣିରେ ଗୋଡ଼ ପକାଉ ନଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିନା ଉପର ଆଦେଶରେ କୌଣସି ନିଷ୍ପତ୍ତି ନେଉ ନଥିବାରୁ ସରକାରୀ ସ୍ତରରେ କାର୍ଯ୍ୟ ବି ଠପ୍ ହୋଇ ପଡ଼ି ରହିଛି। ବିଭିନ୍ନ ବିଭାଗ ପାଖରେ ଅର୍ଥ ଆସି ପଡ଼ିଛି କିନ୍ତୁ ଖର୍ଚ୍ଚ ହୋଇପାରୁ ନାହିଁ। ପୁଣି ବିଭାଗ ଉପରେ ଚାପ ପଡ଼ୁଥିବାରୁ ରାଜରାସ୍ତାରେ ଅଯଥା ଆବରଣ ପକାଇବା ଭଳି କାର୍ଯ୍ୟ ଅନ୍ୟ ବିଭାଗମାନେ କରୁଛନ୍ତି। ଅର୍ଥାତ୍ ଏବେ ଅପାତ୍ରରେ ଦାନ ଦେବା ପ୍ରକ୍ରିୟା ଚାଲୁଛି। ଏହାଦ୍ୱାରା ଆଗକୁ ବିଜେପି ସରକାର ଅଧିକ ସମାଲୋଚନାର ପାତ୍ର ହୋଇପାରନ୍ତି।
ଏସବୁ ପରିସ୍ଥିତିକୁ ଦେଖି ଆଜି ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ବିଜେପିର ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ। ଏହି ଆଲୋଚନା ବେଳେ ରାଜ୍ୟ ସଂଗଠନ ଓ ସରକାର ପ୍ରସଙ୍ଗ ଆଗକୁ ଆସିବ। କାହାକୁ ମନ୍ତ୍ରୀପଦ ଓ କାହାକୁ ନିଗମ ପଦ ଦିଆଯାଇ ଶାନ୍ତି କରାଯିବ ତାହା ବି ଚର୍ଚ୍ଚା ହେବ। ଯଦି ଏହି ପ୍ରକ୍ରିୟାରେ ବୁଝାମଣା ଓ ସମାଧାନର ବାଟ ଫିଟିବ ତ ଭଲ କଥା, ନହେଲେ ଗୃହମନ୍ତ୍ରୀଙ୍କୁ ବି ହସ୍ତକ୍ଷେପ କରିବାକୁ ପଡ଼ିପାରେ, ନୁହେଁ କି?
ଦୋଷୀ ସାବ୍ୟସ୍ତ ନେତାଙ୍କ ଉପରେ ଆଜୀବନ ନିଷେଧାଦେଶ କ୍ଷମତା ସଂସଦ ପାଖରେ : କେନ୍ଦ୍ର

