ଜଳେଶ୍ୱର ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ସରକାରୀ କାମରେ ଗାଁକୁ ସର୍ଭେ ପାଇଁ ଯାଇଥିବା ଜଣେ BLO (ବୁଥ୍ ଲେଭେଲ୍ ଅଫିସର) ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ପଶ୍ଚିମବଙ୍ଗରୁ ଆସିଥିବା ଏହି BLO ଅଧିକାରୀ ଜଳେଶ୍ୱର ଅଞ୍ଚଳର ରାଜନଗରପାଟଣା ଗାଁକୁ ସର୍ଭେ କାମରେ ଯାଇଥିଲେ । କିନ୍ତୁ ଗାଁଲୋକେ ତାଙ୍କୁ ପିଲା ଚୋର ସନ୍ଦେହରେ ଅଟକାଇ ରଖିଥିଲେ।

ସୂଚନା ଅନୁସାରେ BLO ଅଧିକାରୀ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ କରୁଥିବାବେଳେ କିଛି ଲୋକ ତାଙ୍କ ଉପରେ ସନ୍ଦେହ କରିଥିଲେ । ଗାଁରେ ଶିଶୁ ଚୋରି ସମ୍ପର୍କିତ ଅଫବାହ ଚାଲିଥିବାରୁ ଗ୍ରାମବାସୀ ତାଙ୍କୁ ଘେରାଉ କରି ଅଟକ ରଖିଥିଲେ। ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।
ଘଟଣା ସମ୍ପର୍କରେ ଖବର ପାଇ ରାଇବଣିଆ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା । କିନ୍ତୁ BLO ଅଧିକାରୀଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସ ମଧ୍ୟ ଗ୍ରାମବାସୀଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଥିଲେ।
ପରେ ପୋଲିସ ପକ୍ଷରୁ BLO ଅଧିକାରୀଙ୍କ ପରିଚୟପତ୍ର ଓ ସରକାରୀ ଦଲିଲ୍ ଦେଖାଇ ଗ୍ରାମବାସୀଙ୍କୁ ବୁଝାଇଥିଲେ। ଯଥେଷ୍ଟ ବୁଝାବୁଝି ପରେ ପରିସ୍ଥିତି ଶାନ୍ତ ହୋଇଥିଲା ଏବଂ BLO ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ଗ୍ରାମବାସୀଙ୍କୁ ଅଫବାହରେ ବିଶ୍ୱାସ ନକରିବାକୁ ଅନୁରୋଧ କରିଛି। ପୋଲିସ କହିଛି, କୌଣସି ଅଜଣା ବ୍ୟକ୍ତି ଗାଁକୁ ଆସିଲେ ପ୍ରଥମେ ପୋଲିସ କିମ୍ବା ସ୍ଥାନୀୟ ପ୍ରଶାସନଙ୍କୁ ସୂଚନା ଦେବା ଉଚିତ୍, ନିଜେ ଆଇନ୍ ହାତରେ ନେବା ଉଚିତ୍ ନୁହେଁ।
also read https://purvapaksa.com/bodyodor/


