ବିଜେଡି ରାଜ୍ୟସଭା ଟିମରେ ହୋଇପାରେ ଏକ ବଡ଼ ପରିବର୍ତ୍ତନ। ମମତା ମହାନ୍ତ ଓ ସୁଜିତ କୁମାରଙ୍କ ପରେ ଆଉଜଣେ ରାଜ୍ୟସଭା ସାଂସଦ ଦଳ ଛାଡ଼ିପାରନ୍ତି। ସେ ପୁଣି କୌଣସି ଛୋଟକାଟିଆ ସାଂସଦ ନୁହନ୍ତି, ସେ ହେଉଛନ୍ତି ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ସସ୍ମିତ ପାତ୍ର। ଦିଲ୍ଲୀ ଦରବାରର ଚର୍ଚ୍ଚା ଅନୁସାରେ ସସ୍ମିତ କୁଆଡ଼େ ଏ ବାବଦରେ ନିଜର ମତକୁ ଦିଲ୍ଲୀ ଦରବାରୀଙ୍କୁ କହିସାରିଛନ୍ତି। କେବଳ ଅପେକ୍ଷା କରାଯାଇଛି ଗେରୁଆ ଦଳର ସ୍ୱାଗତକୁ। ପୁଣି ଏହା ବି ଚର୍ଚ୍ଚା ହେଉଛି ଯେ ଏ ବାବଦରେ ଭୁବନେଶ୍ୱରର ଏୟାରପୋର୍ଟ ଛକ ନେତା ଓ ତାଙ୍କ ପାରିଷଦ ଏ ବାବଦରେ ଭଲଭାବେ ଜାଣିଛନ୍ତି। ତଥାପି ତାଙ୍କୁ ବିଭିନ୍ନ ସଭାସମିତିରେ ବିଜେଡିର ପ୍ରତିନିଧିଭାବେ ପଠାଉଛନ୍ତି। ଅର୍ଥାତ୍ ଦୁଇ ଦଳର ସହଭାଗିତାରେ ସସ୍ମିତ ନିଜ ସ୍ୱାର୍ଥର ଗୋଟି ଚଳାଉଛନ୍ତି।
ୱାକଫ୍ ସଂଶୋଧନ ବିଲରେ ବିଜେପିକୁ ଭୋଟ୍ ଦେଇ ରାଜ୍ୟ ରାଜନୀତିରେ ବିଜେଡିର ଦୋମୁହାଁ ନୀତିକୁ ସାମ୍ନାକୁ ଆଣିଥିଲେ ସସ୍ମିତ। ଏପ୍ରିଲ ୩ ତାରିଖ ରାତିରେ ୱାକଫ୍ ବିଧେୟକ ସପକ୍ଷରେ ତାଙ୍କର ଭୋଟ୍ ଚର୍ଚ୍ଚାର ବାତାବରଣ ସୃଷ୍ଟି କରିଥିଲା। ନିଜ ଟ୍ୱିଟର ହ୍ୟାଣ୍ଡଲରେ ‘ବିବେକ ଅନୁସାରେ ଭୋଟ୍’ ଦେବା କଥା କହି ସେ ସମସ୍ତ ସାଂସଦଙ୍କୁ ବିଭ୍ରାନ୍ତ କରିଥିଲେ। ଏହାଦ୍ୱାରା ବିଜେଡି ନେତା ଭାଗଭାଗ ହୋଇ ନବୀନଙ୍କ ଘରେ ବାରମ୍ବାର ତାଙ୍କୁ ଭେଟି ସସ୍ମିତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଚାହିଁଥିଲେ।
କେବଳ ସେତିକି ନୁହେଁ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ଏହି ନେତାଙ୍କୁ କିଏ ‘ବିବେକ ଅନୁସାରେ ଭୋଟ’ ଦେବାକୁ ଆଦେଶ ଦେଇଥିଲା ତାହା ଜାଣିବା ପାଇଁ ସବୁଆଡ଼ୁ ଦାବି ହୋଇଥିଲା।
ଏଥିରେ ଦଳ ପାଣ୍ଡିଆନ୍ ବିରୋଧୀ ଓ ସପକ୍ଷ ଏପରି ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିଲା। ପୁରୁଣା ନେତାମାନେ ନବୀନଙ୍କ ଉପରେ ଏ ନେଇ ଚାପ ପକାଇଥିଲେ। କିନ୍ତୁ ନବୀନ ପାଣ୍ଡିଆନ୍ଙ୍କୁ କ୍ଲିନ୍ ଚିଟ୍ ଦେଇ ବରିଷ୍ଠଙ୍କ ଗାଲକୁ ଚାପୁଡ଼ା ଦେବା ଭଳି କାର୍ଯ୍ୟ କରିଥିଲେ।
ଏଯାଏ ସସ୍ମିତ ପାତ୍ର କାହା ଆଦେଶରେ ପରିଚାଳିତ ହେଉଛନ୍ତି ସେ ନେଇ ନବୀନ କୌଣସି ଉତ୍ତର ଦେଇ ନାହାନ୍ତି। ସସ୍ମିତ ମଧ୍ୟ ଦିଲ୍ଲୀରୁ ଭୁବନେଶ୍ୱର ଫେରିଥିଲେ ବି ମିଡିଆକୁ କିଛି ଜଣାଇବାକୁ ଚାହିଁ ନାହାନ୍ତି। ପୁଣି ଦଳ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପ୍ରମାଣିତ କରୁଛି ଯେ ତାଙ୍କୁ ନିର୍ଦ୍ଦେଶ ଦଳର ସୁପ୍ରିମୋଙ୍କ ପାଖରୁ ଯାଇଥିଲା। ଏହା ଯଦି ସତ୍ୟ ହୁଏ ତେବେ ନବୀନ ଦଳକୁ ପରିଚାଳନା କରିବାକୁ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ସ୍ପଷ୍ଟ। ହେଲେ ଏ ବାବଦରେ କୌଣସି ନେତା କିଛି କହିବାକୁ ବି ସାହସ କରିପାରୁନାହାନ୍ତି।
ଏଭଳି ପରିସ୍ଥିତିରେ ଦଳର ସାଂସଠନିକ ନିର୍ବାଚନ ହୋଇ ସେଥିରେ ନବୀନ ପୁଣିଥରେ ନବମ ଥର ପାଇଁ ସଭାପତି ବି ହୋଇଛନ୍ତି। ରାଜ୍ୟ ପରିଷଦ ବୈଠକରେ ଏ ନେଇ ସୂଚନା ଦିଆଯାଇଛି। ଏହି ବୈଠକରେ ବରିଷ୍ଠ ନେତାଙ୍କୁ ନିମନ୍ତ୍ରଣ କରାଯାଇନଥିବା ଏବଂ ଏଥିରେ ବି ରାଜ୍ୟସଭାରେ ଦଳର ନେତା ସସ୍ମିତ ପାତ୍ର ଉପସ୍ଥିତ ନ ରହିବା ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଥିଲା।
କିନ୍ତୁ ବିଜେଡି ଏ ସମ୍ପର୍କରେ କିଛି ନ କହି ନୀରବତା ରକ୍ଷା କରିଛି। ଦଳର ସଭାପତିଙ୍କୁ ପୁଣିଥରେ ନିର୍ବାଚିତ କରାଯାଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳୁଛି। କିନ୍ତୁ ବିଜେଡିରେ ଅସନ୍ତୋଷ ଥମି ପାରିନାହିଁ କି କିଏ ସସ୍ମିତଙ୍କୁ ବିବେକ ଅନୁସାରେ ଭୋଟ୍ ଦେବାକୁ କହିଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ। ଯଦି ଦଳର ସର୍ବୋଚ୍ଚ ନିଷ୍ପତ୍ତି ନବୀନ ନେଉଛନ୍ତି ତେବେ ଏ ଦୋଷ ମଧ୍ୟ ନବୀନ କାହିଁକି ମୁଣ୍ଡାଇବାକୁ ପ୍ରସ୍ତୁତ ହେଉ ନାହାନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଆଞ୍ଚଳିକ ରାଜନୀତିକ ଚର୍ଚ୍ଚାକୁ ଏପ୍ରିଲ୍ ୨୪ ତାରିଖର ପହଲଗାମ ଗଣହତ୍ୟାକାଣ୍ଡ କିଛି ସମୟ ପାଇଁ ନୀରବ କରିଛି। ହେଲେ ଏ ଭିତରେ ପହଲଗାମ ବିପତ୍ତିକୁ କିପରି ମୁକାବିଲା କରାଯିବ ସେ ନେଇ ସରକାର ବିରୋଧୀ ଦଳଙ୍କ ସହ ମିଶି ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିଲାଗି ଡକାଯାଇଥିବା ସର୍ବଦଳୀୟ ବୈଠକରେ କିନ୍ତୁ ବିଜେଡିର ପ୍ରତିନିଧିଭାବେ ସସ୍ମିତ ପାତ୍ରଙ୍କ ଉପପସ୍ଥିତି ଦେଖିବାକୁ ମିଳିଥିଲା। ସସ୍ମିତ ବିଜେଡିର ଆଭିମୁଖ୍ୟକୁ ଏହି ବୈଠକରେ ଜଣାଇଥିଲେ।
ଏହା ପ୍ରମାଣିତ କରୁଛି ଯେ, ଦଳ ଭିତରେ ସେ ଅତ୍ୟନ୍ତ ଆତ୍ମବିଶ୍ୱାସର ସହିତ ରହିଛନ୍ତି। ତାଙ୍କ ଉପରେ ଦଳର ଭରସା ରହିଛି ଏବଂ ସେ ଯାହା ବି କରିଛନ୍ତି ତାହା ଦଳର ସୁପ୍ରିମୋ ବା ଦଳର ଦର୍ଶନ ସପକ୍ଷରେ ହିଁ କରିଛନ୍ତି। ଏଣୁ ତାଙ୍କର କୌଣସି ଚର୍ଚ୍ଚାକୁ ଡରିବାର ନାହିଁ।
କିନ୍ତୁ ଦିଲ୍ଲୀର ଏହି ବୈଠକରେ ଆଞ୍ଚଳିକ ରାଜନୀତି ସହ ପରିଚିତ ଲୋକେ ସସ୍ମିତ ବିଜେପିରେ ଯୋଗ ଦେବାକୁ ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା କରିଛନ୍ତି। ଏ ନେଇ ସେ ବିଜେପି ନେତାଙ୍କ ସହ ଆଲୋଚନା କରିଥିବା ମଧ୍ୟ ଚର୍ଚ୍ଚା ହେଉଛି।
ଯଦି ଏ ଚର୍ଚ୍ଚା ସତ୍ୟ ହୁଏ ତେବେ ବିଜେଡିରୁ ବାହାରି ବିଜେପିରେ ଯୋଗ ଦେଇଥିବା ରାଜ୍ୟସଭା ସାଂସଦଙ୍କ ଭିତରେ ତାଙ୍କ ସଂଖ୍ୟା ହେବ ତୃତୀୟ। ଏହାଙ୍କ ପୂର୍ବରୁ ବିଜେଡି ସାଂସଦ ମମତା ମହାନ୍ତ ଏବଂ ସୁଜିତ କୁମାର ବିଜେପିରେ ଯୋଗ ଦେଇ ପୁଣିଥରେ ରାଜ୍ୟସଭାର ସାଂସଦ ହୋଇଛନ୍ତି।
ଏପରି ଜଣକ ପରେ ଜଣେ ସାଂସଦଙ୍କ ଅପସାରଣ ନିଶ୍ଚିତଭାବେ ବିଜେପି ମୁଣିକୁ ଓଜନ ଦେଇପାରୁଛି ହେଲେ ବିଜେଡିର ଦିଲ୍ଲୀ ଉପସ୍ଥିତି କମିବାରେ ଲାଗିଛି। କୌଣସି ଆଞ୍ଚଳିକ ଦଳର ସାଂସଦ ଏହିପରି ପରିମାଣରେ ନିଜ ଦଳ ଛାଡ଼ି ଜଣକ ପରେ ଜଣେ ବିଜେପିରେ ଯୋଗ ଦେବା ସଂଖ୍ୟା କମ୍ ରହିଛି।
ଓଡ଼ିଶାରେ ଏପରି କାହିଁକି ହେଉଛି? କ’ଣ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଥିପାଇଁ ସାଂସଦଙ୍କୁ ଉତ୍ସାହିତ କହୁଛନ୍ତି? ଯଦି ତାହା ନୁହେଁ ତେବେ କିଏ ବିଜେଡିରେ ରହିଛି ଯାହାଙ୍କ ବଳରେ ଏତେ ଆତ୍ମବିଶ୍ୱାସ ସାଂସଦ ଓ ନେତାଙ୍କ ମନରେ ଆସିପାରୁଛି। ଏହାର ଉତ୍ତରରେ ରାଜନୀତିକ ପଣ୍ଡିତମାନେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ଇଙ୍ଗିତକୁ ଦାବି କରୁଥିଲେ ମଧ୍ୟ ରାଜନୀତି ସହ ତାଙ୍କର କୌଣସି ସମ୍ପର୍କ ନ ଥିବା ନବୀନ କହିଛନ୍ତି।
ଯଦି ସସ୍ମିତଙ୍କୁ ନେଇ ହେଉଥିବା ଚର୍ଚ୍ଚା ବାସ୍ତବରେ ପରିଣତ ହୁଏ ତେବେ, ତେବେ ନବୀନ ଯେ ପ୍ରକୃତରେ ଦଳର ଦୋମୁହା ଆଚରଣ ପାଇଁ ଦାୟୀ ଓ ଏସବୁ ପରିସ୍ଥିତିର କାର୍ପଟଦାର ତାହା ପ୍ରମାଣିତ ହେବ।
Also readhttps://purvapaksa.com/odisha-facing-extreme-uv-levels-in-heat-wave/
ଗ୍ରୀଷ୍ମ ପ୍ରବାହରେ ଅତ୍ୟଧିକ ୟୁଭି ସ୍ତରର ସମ୍ମୁଖୀନ ହେଉଛି ଓଡ଼ିଶା: ଜାଣନ୍ତୁ କାରଣ ଓ ପ୍ରଭାବ
