ରାଜନୀତିର ଇତିହାସ ଯେତେ ପୁରୁଣା, କଳହ ଓ ଶକ୍ତି ସଂଘର୍ଷ ମଧ୍ୟ ସେତେ ପୁରୁଣା। ଦଳ, ନେତା, ଧାରଣା—ସବୁ କେବଳ ମାଧ୍ୟମ; ମୂଳ ଲଢ଼େଇ ଥାଏ ଶକ୍ତି, ନିୟନ୍ତ୍ରଣ ଓ ଭବିଷ୍ୟତ ଉପରେ। ଓଡ଼ିଶାର ପୂର୍ବତନ ଶାସକ ଦଳ ବିଜୁ ଜନତା ଦଳ (ବିଜେଡି) ଆଜି ସେହି ଅନିବାର୍ଯ୍ୟ ସଂଘର୍ଷର ଏକ ଜଟିଳ ଓ ଗଭୀର ଅଧ୍ୟାୟ ମଧ୍ୟରେ ପହଁଚିଛି। ବିଗତ ଦୁଇ ଦଶନ୍ଧି ଧରି ଯେଉଁ ଦଳ ଶକ୍ତି, ସଂଗଠନ ଓ ନିୟମିତ ଶାସନର ପ୍ରତୀକ ଥିଲା, ସେହି ଦଳ ଆଜି ଭିତରୁ ଭାଙ୍ଗୁଛି ଏବଂ ସେହି ଭାଙ୍ଗିବା ପ୍ରକ୍ରିୟାର ଦୋଷ କାହା ମୁଣ୍ଡରେ ଚଢ଼ିବ, ତାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ।
ଇତିହାସରେ ଦୃଷ୍ଟି ଫେରାଇଲେ ଦେଖାଯାଏ, ୧୭ଶତାବ୍ଦୀରେ ଯୁକ୍ତରାଷ୍ଟ୍ର ଆମେରିକାରେ କୃଷ୍ଣକାୟ ଲୋକମାନେ ଦୀର୍ଘ ୬୫ ବର୍ଷ ଧରି କ୍ରୀତଦାସ ପ୍ରଥା ବିରୋଧରେ ସଂଘର୍ଷ କରିଥିଲେ। ସେ ସଂଘର୍ଷ କେବଳ ଶାରୀରିକ ଦାସତ୍ୱ ବିରୋଧରେ ନୁହେଁ, ମାନସିକ ଓ ସାମାଜିକ ଦାସତ୍ୱ ବିରୋଧରେ ମଧ୍ୟ ଥିଲା। ରାଜନୀତିରେ ମଧ୍ୟ ଏପରି ଦାସତ୍ୱ ରହେ—ଶରୀର ଶୃଙ୍ଖଳିତ ନ ହେଲେ ମଧ୍ୟ ଚିନ୍ତା, ନିଷ୍ପତ୍ତି ଓ ସ୍ୱାଧୀନତା ଶୃଙ୍ଖଳିତ ହୋଇଯାଏ।
‘ବାହାର’ ରୁ ଆସିଥିବା ଶକ୍ତି ଓ ବିଜେଡି
ବିଜେଡିରେ ବିଗତ କିଛିବର୍ଷ ଧରି ଯାହା ଘଟିଛି, ତାହାକୁ ଅନେକେ ସେହି ମାନସିକ ଦାସତ୍ୱର ଏକ ଆଧୁନିକ ରୂପ ବୋଲି ବ୍ୟାଖ୍ୟା କରୁଛନ୍ତି। ବାହାର ରାଜ୍ୟରୁ ଆସିଥିବା ଜଣେ ପ୍ରଭାବଶାଳୀ ଚରିତ୍ର ଧୀରେ ଧୀରେ ଦଳର ନିଷ୍ପତ୍ତି, ସଂଗଠନ ଓ ଭବିଷ୍ୟତକୁ ନିୟନ୍ତ୍ରଣ କରିବା ଆରମ୍ଭ କଲେ—ଏହା ଦଳ ଭିତରେ ଅସନ୍ତୋଷର ମଞ୍ଜି ପୋତିଦେଲା। ଅନେକ ପୁରୁଣା ନେତା, ଯେଉଁମାନେ ଦଳ ଗଢ଼ିଥିଲେ, ସେମାନେ ଧୀରେ ଧୀରେ ପ୍ରଭାବହୀନ ହୋଇପଡ଼ିଲେ। ପାଣ୍ଡିଆନ ନିଜ ବୁଦ୍ଧି କ୍ଷମତା ବଳରେ ଦଳରେ ଅନେକ ନେତାଙ୍କୁ କ୍ରୀତଦାସ, ରାଜା ପୁଅକୁ ଟ୍ରାଫିକ କନଷ୍ଟେବଳ କରିଥିଲେ। ରାଜାଙ୍କ ପୁଅ ଟ୍ରାଫିକ କନଷ୍ଟେବଳ ହେବା ଭଳି ଉପମା ଏହି ଅବସ୍ଥାକୁ ଭଲ ଭାବେ ବ୍ୟକ୍ତ କରେ। ଏପରିକି ପାଣ୍ଡିଆନଙ୍କ କ୍ରୀତଦାସ ସାଜିଥିବା ପ୍ରଣବପ୍ରକାଶ ଦାସ ଓରଫ ବବି ଏଥିପାଇଁ ନିଜକୁ ଗୌରବାନ୍ୱିତ ମନେ କରୁଥିଲେ।
କିଛି ନେତା ଏହି ନୂଆ ବ୍ୟବସ୍ଥାକୁ ମନ ଭରି ଗ୍ରହଣ କଲେ। ସେମାନେ ଏହାକୁ ଶକ୍ତିର ସନ୍ନିକଟ ରହିବାର ସୁଯୋଗ ବୋଲି ଦେଖିଲେ। କିନ୍ତୁ ରାଜନୀତିର ନିୟମ ହେଉଛି—ଶକ୍ତି ଥିବା ପର୍ଯ୍ୟନ୍ତ ସମର୍ପଣ ଚାଲିଥାଏ; ଶକ୍ତି ଯେତେବେଳେ ଖସେ, ସେତେବେଳେ ମୁକ୍ତି ସଂଗ୍ରାମ ଆରମ୍ଭ ହୁଏ।
କ୍ଷମତା ହାରିବା ପରେ ଆରମ୍ଭ ହେଲା ବିଦ୍ରୋହ
୨୦୨୪ ପରେ ବିଜେଡି କ୍ଷମତାରୁ ବାହାରିବା ସହିତ ଦଳର ଭିତରେ ଦବି ରହିଥିବା ଅସନ୍ତୋଷ ଏବେ ମୁହଁ ଖୋଲିଛି। ଗତକାଲି ପର୍ଯ୍ୟନ୍ତ ଯେଉଁମାନେ ନିରବ ଥିଲେ, ସେମାନେ ଏବେ ପ୍ରଶ୍ନ କରୁଛନ୍ତି—ଦଳ କେଉଁ ଦିଗକୁ ଯାଉଛି? କାହା ହାତରେ ଦଳର ନିୟନ୍ତ୍ରଣ?
ଏହି ପରିପ୍ରେକ୍ଷୀରେ ଦଳ ଭିତରୁ କିଛି ଟାଣୁଆ ନେତାଙ୍କୁ ନିଲମ୍ବନ, କିଛିଙ୍କୁ ଅଲଗା କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳୀୟ ଶିଷ୍ଟାଚାର ରକ୍ଷା ନାମରେ ଏହି ପଦକ୍ଷେପ ନିଆଯାଇଥିବା ଦାବି କରାଯାଉଥିଲେ ମଧ୍ୟ, ରାଜନୀତିକ ମହଲରେ ଏହାକୁ ଏକ ବଡ଼ ଶକ୍ତି ସଂଘର୍ଷର ଅଂଶ ବୋଲି ଦେଖାଯାଉଛି।
ମନ୍ଥରା କାହାଣୀ ଓ ‘ଖଳନାୟିକା’ ତତ୍ତ୍ୱ
ରାମାୟଣରେ ମନ୍ଥରା କେବଳ ଏକ ଚରିତ୍ର ନୁହେଁ; ସେ ହେଉଛି ଏକ ପ୍ରତୀକ—ଯିଏ ପରିବାର ଭିତରେ ଥିବା ଅସନ୍ତୋଷକୁ ନିଆଁ ଲଗାଇ ଦେଇ ଜ୍ୱାଳାମୁଖୀ କରିଦେଇଥିଲେ। ଆଜି ବିଜେଡିରେ ମଧ୍ୟ ଏକ ‘ମନ୍ଥରା’ ଖୋଜାଯାଉଛି। ଦଳର ପତନ ପାଇଁ ଜଣେ ବ୍ୟକ୍ତିକୁ ଦୋଷୀ କରି ଚିହ୍ନଟ କରିବା ହେଉଛି ଏକ ସହଜ ରାଜନୈତିକ ଉପାୟ।
ଏହି ପ୍ରସଙ୍ଗରେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦିପାଳୀ ଦାସଙ୍କ ନାଁ ଚର୍ଚ୍ଚାରେ ଆସିଛି। ଦୈନିକ ଖବରକାଗଜ ଧରିତ୍ରୀରେ ନାମ ଉଲ୍ଲେଖ ନ କରି ‘ଜଣେ ନେତ୍ରୀ’ ବୋଲି ଯେଉଁ ଖବର ପ୍ରକାଶ ପାଇଥିଲା, ତାହାର ଇଙ୍ଗିତ ସ୍ପଷ୍ଟ ଥିଲା। ରାଜନୀତିରେ ଏପରି ଇଙ୍ଗିତ ଅନେକ ସମୟରେ ସିଧାସଳଖ ଅଭିଯୋଗଠାରୁ ଅଧିକ ପ୍ରଭାବଶାଳୀ ହୁଏ।
କିନ୍ତୁ ପ୍ରଶ୍ନ ହେଉଛି—ଦିପାଳୀ ଦାସ ସତରେ ଏହି କଳହର ‘ଖଳନାୟିକା’, ନା କେବଳ ଏକ ସହଜ ଟାର୍ଗେଟ?
ଝାରସୁଗୁଡ଼ା ମିଟିଂ: ତଥ୍ୟ ଓ ଇଙ୍ଗିତ

ଏପରି ଚର୍ଚ୍ଚା ଓ ଆଲୋଚନା ମଧ୍ୟରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବରିଷ୍ଠ ନେତା ତଥା ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର ଗତ ୧୨ ତାରିଖରେ ଝାରସୁଗୁଡ଼ାସ୍ଥିତ ଏକ ହୋଟେଲରେ ସ୍ଥାନୀୟ ନେତ୍ରୀ ଦିପାଳୀ ଦାସ ଓ ତାଙ୍କ ଭାଇଙ୍କ ସାଙ୍ଗରେ ଦୀର୍ଘ ସମୟ ଆଲୋଚନା କରିଥିଲେ। ସେଠାରେ କୁଆଡ଼େ ବିଜୟ କହିଥିଲେ, ବିଜେଡିରେ ରହି ଆଉ ରାଜନୀତି ସମ୍ଭବ ନୁହେଁ।
ଯଦି ରାଜନୀତି କରିବାର ଅଛି, ତେବେ ନୂଆ ଏକ ଦଳର ଆବଶ୍ୟକତା ରହିଛି। ଏଥପାଇଁ ପାଣ୍ଠିର ଆବଶ୍ୟକତା ଅଛି, ସେହି କାର୍ଯ୍ୟରେ ଲାଗ। ଆଲୋଚନା ଶେଷରେ ବିଜୟ କୁଆଡ଼େ କହିଥିଲେ, ଏହି ନୂଆ ଦଳ ପାଇଁ ଯାଜପୁର ନେତା ତଥା ଏକଦା ବିଜେଡିର କ୍ଷମତାଶାଳୀ ବୋଲାଉଥିବା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସହଯୋଗ ରହିଛି।
ପରବର୍ତ୍ତୀ ସମୟରେ ଝାରସୁଗୁଡ଼ାର ଉଭୟ ନେତ୍ରୀ ଓ ନେତା ପାଣ୍ଡିଆନ୍ଙ୍କ ଇଙ୍ଗିତରେ ସବୁ ଆଲୋଚନା ବିଷୟ ନବୀନଙ୍କୁ ଜଣାଇଥିଲେ। ଫଳରେ ଯାଜପୁରର ଟାଣୁଆ ନେତାଙ୍କ ଭବିଷ୍ୟତ ରଣନୀତିକୁ ମାତ୍ ଦେବାକୁ ଯାଇ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ କୁଆଡ଼େ ନିଲମ୍ବନ କରିବା ପାଇଁ ପାଣ୍ଡିଆନ୍ଙ୍କ ଏହି ଗୋଟିଚାଳନା ସଫଳ ହୋଇଥିବା ନବୀନ ନିବାସରେ ରହି ଦଳୀୟ କାର୍ଯ୍ୟରେ ମାତ୍ରାତ୍ମକ ମୁଣ୍ଡ ପୂରାଉଥିବା ଅଫିସର ନିଜ ନାମ ଗୋପନ ରଖିବା ସର୍ଭରେ କହିଛନ୍ତି। କାରଣ ବବି ହିଁ ସନାତନ ଓ ଅରବିନ୍ଦଙ୍କୁ ଦଳକୁ ଆଣିଥିଲେ।
ଏପରି ଆଲୋଚନା ଯଦି ସତ୍ୟ, ତେବେ ଏହା ବିଜେଡି ପାଇଁ ଏକ ସତର୍କ ସଙ୍କେତ। କାରଣ ଏହା ଦଳ ଭିତରୁ ଏକ ବିକଳ୍ପ ରାଜନୈତିକ ଗଠନର ଚିନ୍ତାଧାରାକୁ ପ୍ରକାଶ କରେ। ତଥାପି, ଏହି ଆଲୋଚନାର ସମ୍ପୂର୍ଣ୍ଣ ଦାୟିତ୍ୱ ଦିପାଳୀ ଦାସଙ୍କ ଉପରେ ଚଢ଼ାଇବା କେତେ ଦୂର ନ୍ୟାୟସଙ୍ଗତ?
ଯାଜପୁର, ବାଲେଶ୍ୱର ଓ କେନ୍ଦୁଝର: ଭାଙ୍ଗୁଥିବା ଦୁର୍ଗ

ବିଜେଡିର ଅସ୍ଥିରତା କେବଳ ଗୋଟିଏ ଜିଲ୍ଲା କିମ୍ବା ଗୋଟିଏ ନେତା ପର୍ଯ୍ୟନ୍ତ ସୀମିତ ନୁହେଁ। ଯାଜପୁର, ଯାହାକୁ ଦୀର୍ଘ ସମୟ ଧରି ବିଜେଡିର ଗଡ଼ ବୋଲି କୁହାଯାଉଥିଲା, ସେଠାରେ ହଠାତ୍ ଦଳ ବଦଳ ଘଟଣା ରାଜ୍ୟ ବିଜେଡି ରାଜନୀତିରେ ନିଆଁ ଲଗାଇ ଦେଇଛି। ଜିଲା ପରିଷଦ ସଭାପତି, ଉପସଭାପତି ସହ ଆହୁରି ଅନେକ ସଦସ୍ୟଙ୍କ ଦଳ ଛାଡ଼ିବା ଘଟଣା ଏକ ଯୋଜନାବଦ୍ଧ ପ୍ରକ୍ରିୟା କି ନୁହେଁ—ଏହି ପ୍ରଶ୍ନ ଏଡ଼ାଇ ଦିଆଯାଇପାରେ ନାହିଁ।
କେବଳ ଯାଜପୁର ନୁହେଁ, ବାଲେଶ୍ୱର ଜିଲ୍ଲାରେ ବି ବିଜେଡି ଦୁଇଫାଳ ହୋଇଛି । ବିଧାୟିକା ସୁବାସିନୀ ଜେନା ଏବଂ ରବୀନ୍ଦ୍ର ଜେନାଙ୍କ ଭଳି ଟାଣୁଆ ନେତାମାନେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବା ସହ ନବୀନ ନିବାସର ଡାକରାକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି । ସୂତ୍ର ଅନୁସାରେ, ୩ଦିନ ତଳେ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କୁ ନବୀନ ନିବାସ ଡକା ଯାଇଥିଲେ ମଧ୍ୟ ସେ ଆସିନଥିଲେ । ଗତକାଲି ମଧ୍ୟ ରବୀନ୍ଦ୍ର ଜେନା ଓ ତାଙ୍କ ପତ୍ନୀ ସୁବାସିନୀଙ୍କୁ ଦଳର ଘେରାଉ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା । ରବୀନ୍ଦ୍ରଙ୍କୁ ସମର୍ଥନ କରି ବାଲେଶ୍ୱର ଜିଲ୍ଲାପାଳ ଅଫିସ ଘେରାଉ କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର, ମାଧବ ଧଡ଼ା ପ୍ରମୁଖ ସାମିଲ ହୋଇନଥିଲେ ।
ସେହିପରି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ନିଜର ମେଣ୍ଟର ସନାତନଙ୍କ ସମର୍ଥନରେ ବାହାରିଛନ୍ତି। ସନାତନ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଥିବାବେଳେ ତାଙ୍କ ବିରୋଧରେ କାହିଁକି ପଦକ୍ଷେପ ନିଆଗଲା ସେ ନେଇ ପ୍ରଶ୍ନ କରିଛନ୍ତି। ବିଜେଡିର ଦୁଇଜଣ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି।
ରାଜ୍ୟସଭା ଆସନ ଓ ରାଜନୈତିକ ଗଣିତ

ଏହି ସମସ୍ତ ଘଟଣାର ପଛରେ ଏକ ମହତ୍ତ୍ୱପୂର୍ଣ୍ଣ ରାଜନୈତିକ ଗଣିତ ରହିଛି—ରାଜ୍ୟରେ ଖାଲି ହେବାକୁ ଥିବା ରାଜ୍ୟସଭା ଆସନ। ଚର୍ଚ୍ଚା ଚାଲିଛି ଯେ, ଦଳ ଭିତରୁ ଅସ୍ଥିରତା ସୃଷ୍ଟି କରି ଏହି ଆସନଗୁଡ଼ିକୁ ବିଜେପି ହାତକୁ ଟେକିଦେବା ପାଇଁ ଏକ ରଣନୀତି ଗଢ଼ାଯାଉଛି। ଏହା ସତ୍ୟ ହେଲେ, ଏହା କେବଳ ବିଜେଡି ପାଇଁ ନୁହେଁ, ସମଗ୍ର ରାଜ୍ୟ ରାଜନୀତି ପାଇଁ ଗୁରୁତର ପ୍ରଶ୍ନ।
ନେତୃତ୍ୱର ସଙ୍କଟ
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ଦଳର ନେତୃତ୍ୱ ଏବେ କାହା ହାତରେ? ଯଦି ଦଳୀୟ ନିଷ୍ପତ୍ତି ନେତାଙ୍କ ନୁହେଁ, ଅନ୍ୟ କାହାର ଇଙ୍ଗିତରେ ହେଉଛି—ତେବେ ଏହା ଏକ ଗଭୀର ଲୋକତାନ୍ତ୍ରିକ ସମସ୍ୟା। ନେତାଙ୍କ ପ୍ରତି ଭୟ ସୃଷ୍ଟି କରି ତାଙ୍କ ନାମରେ ନିଷ୍ପତ୍ତି ନେବା ଏକ ବିପଦଜନକ ପ୍ରବୃତ୍ତି।
ଖଳନାୟିକା କି, ପ୍ରଣାଳୀ?
ଇତିହାସ କହେ—କୌଣସି ବଡ଼ ଦଳର ପତନ କେବଳ ଜଣେ ବ୍ୟକ୍ତି ଦ୍ୱାରା ହୁଏ ନାହିଁ। ଏହା ହୁଏ ଦୀର୍ଘ ସମୟ ଧରି ସଞ୍ଚିତ ଅସନ୍ତୋଷ, ଭୁଲ ନିଷ୍ପତ୍ତି ଓ ଅତିକେନ୍ଦ୍ରୀକୃତ ଶକ୍ତିର ପରିଣାମ ସ୍ୱରୂପ। ଦିପାଳୀ ଦାସଙ୍କୁ ‘ଖଳନାୟିକା’ ଭାବେ ଚିହ୍ନଟ କରିବା ଦଳ ପାଇଁ ଏକ ସହଜ ରାସ୍ତା ହୋଇପାରେ, କିନ୍ତୁ ଏହା ସତ୍ୟ ସମସ୍ୟାକୁ ଲୁଚାଇ ଦେବ। ବିଜେଡି ଯଦି ଆଗାମୀ ଦିନରେ ପୁନରୁତ୍ଥାନ କରିବାକୁ ଚାହେଁ, ତେବେ ତାକୁ ମନ୍ଥରା ଖୋଜିବାରୁ ଅଧିକ, ଆତ୍ମପରୀକ୍ଷା କରିବାକୁ ପଡ଼ିବ। କାରଣ ଦଳ ଭାଙ୍ଗୁଥିବାବେଳେ, ଦୋଷୀ ଗୋଟିଏ ମୁହଁ ନୁହେଁ—ଦୋଷୀ ହୁଏ ସମ୍ପୂର୍ଣ୍ଣ ପ୍ରଣାଳୀ।
also read https://purvapaksa.com/the-indian-army-built-the-third-bailey-bridge-in-sri-lanka/


