ରାଜନୀତିରେ କେବଳ ପୋଷାକ ବଦଳିଲେ କାହାଣୀ ବଦଳେନି । କିନ୍ତୁ ଯେତେବେଳେ ପୋଷାକ ସହ ସ୍ୱର ବଦଳିଯାଏ, ଆରମ୍ଭ ହୁଏ ଏକ ଭୟଙ୍କର ବିସ୍ଫୋରଣ । ଏବେ ସେଇ ବିସ୍ଫୋରଣ ଦେଖାଯାଉଛି ବିଜେଡି ଭିତରେ ।
ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ , ଯିଏ ନିଜ ପୋଷାକର ରଙ୍ଗ ବଦଳାଇବା ସହ ଆକ୍ରମଣର ଢଙ୍ଗ ବି ବଦଳାଇ ଦେଇଛନ୍ତି । ପୋଷାକ ନାଲିରୁ ଧଳା ହେବା ପରେ ପ୍ରଭାତ ବିଶ୍ୱାଳଙ୍କ ପ୍ରଥମ ଟାର୍ଗେଟ୍ ସାଜିଛନ୍ତି ପ୍ରଣବ ପ୍ରକାଶ ଦାସ, ଅର୍ଥାତ୍ ବବି ଦାସ । ପ୍ରଭାତ ସିଧାସଳଖ ବବିଙ୍କୁ “ଭସ୍ମାସୁର” ଭାବେ ଘୋଷଣା କରିଛନ୍ତି । ଏହା କେବଳ ଏକ ଅଭିଯୋଗ ନୁହେଁ… ଏହା ହେଉଛି ଏକ ରାଜନୈତିକ ଯୁଦ୍ଧର ଖୋଲା ଘୋଷଣା । ତେବେ କ’ଣ ରହିଛି ସେହି ଘୋଷଣା ପଛର ରହସ୍ୟ?
୨୦୧୨ରେ ଚିଟଫଣ୍ଡ ମାମଲାରେ ଗିରଫ ହେବା ପରେ ଯିଏ ଦୋଷମୁକ୍ତ ନ ହେବା ପର୍ଯ୍ୟନ୍ତ ଲାଲ ପୋଷାକ ପିନ୍ଧିବାକୁ ନିଷ୍ପତ୍ତି ନେଇଥିଲେ ସେଇ ପ୍ରଭାତ ଏବେ ଧଳା ପୋଷାକରେ ଫେରିଛନ୍ତି। ‘ଧଳା’ ଯାହାକୁ ରାଜନୀତିରେ ପବିତ୍ରତା ଓ ପୁନର୍ଜନ୍ମର ପ୍ରତୀକ ଭାବରେ ଦେଖାଯାଏ । କିନ୍ତୁ ଏହି ପୋଷାକ ବଦଳ ଖାଲି ପରିବର୍ତ୍ତନ ନୁହେଁ ; ଏହାର ଭିତରେ ରହିଛି ଗଭୀର ରାଜନୈତିକ ସଂକେତ।

ସାମ୍ବାଦିକ ସମ୍ମିଳନୀରେ ପ୍ରଭାତଙ୍କ ସ୍ୱର ଥିଲା ପୂରା ଆକ୍ରୋଶମୂଳକ । ସେ କହିଲେ , ‘ବିଜେଡିରେ ଆଜି ବବି ଦାସ ଏମିତି ଏକ ଶକ୍ତି ହୋଇଯାଇଛନ୍ତି, ଯାହା ଦଳକୁ ଭିତରୁ ଧ୍ୱଂସ କରୁଛି । ଯାହାକୁ ଦିନେ ପ୍ୟାରୀମୋହନ ମହାପାତ୍ରଙ୍କ ପରାମର୍ଶରେ ସଂଗଠନର ଦାୟିତ୍ୱ ଦିଆଯାଇଥିଲା, ସେଇ ଲୋକଟିଏ ଆଜି ଦଳ ପାଇଁ ଅଭିଶାପ ପାଲଟି ଯାଇଛି।’
“ଭସ୍ମାସୁର” ଏହି ଶବ୍ଦ କେବଳ ଗୋଟିଏ ଉପମା ନୁହେଁ ; ଏହା ହେଉଛି ଏକ ଭୟଙ୍କର ଅଭିଯୋଗ । ପୁରାଣରେ ଭସ୍ମାସୁର ଯେପରି ନିଜ ଶକ୍ତିରେ ନିଜ ଗୁରୁଙ୍କୁ ହିଁ ଭସ୍ମ କରିବାକୁ ଚେଷ୍ଟା କରିଥିଲା, ପ୍ରଭାତଙ୍କ ଅଭିଯୋଗରେ ବବି ମଧ୍ୟ ସେହି ପଥରେ ଚାଲୁଛନ୍ତି । ଜଣେ ପରେ ଜଣେ ନେତାଙ୍କୁ ପଛକୁ ଠେଲି ଦଳରେ ସର୍ବେସର୍ବା ହେବାର ଚକ୍ରାନ୍ତ କରୁଛନ୍ତି।
ସେ ସିଧାସଳଖ ଅଭିଯୋଗ କଲେ ; ବବି ଦାସ ସଂଗଠନର ଅର୍ଥ ବ୍ୟବସ୍ଥାରେ ମଧ୍ୟ ଗୋଟିଏ ଗୁପ୍ତ ଖେଳ ଖେଳୁଥିଲେ । ବିଧାୟକମାନଙ୍କ ପାଇଁ ଯେଉଁ ଅର୍ଥ ଆସୁଥିଲା, ସେଥିରୁ ୪୦% ନିଜେ ରଖି ବାକି ୬୦% ଦେଉଥିଲେ । ଏହା କେବଳ ଏକ ଅଭିଯୋଗ ନୁହେଁ… ଏହା ହେଉଛି ଦଳୀୟ ବ୍ୟବସ୍ଥାର ଉପରେ ଏକ ସିଧା ଆଘାତ।
/odishatv/media/media_files/2026/04/13/ungrateful-prabhat-biswal-demanded-rs-8-crore-to-vote-for-bjd-bobby-das-2026-04-13-20-40-19.jpg)
“ସମସ୍ତ ବିଧାୟକଙ୍କୁ ଏକାନ୍ତରେ ପଚାରନ୍ତୁ , ସେମାନେ ସତ କହିଦେବେ,” ପ୍ରଭାତଙ୍କ ଏହି ଚ୍ୟାଲେଞ୍ଜ ରାଜନୀତିରେ ଭୟଙ୍କର ପ୍ରଭାବ ପକାଇପାରେ । ଏବେ ପ୍ରଶ୍ନ ଏହା କେବଳ ଦୁଇ ନେତାଙ୍କ ମଧ୍ୟରେ ବ୍ୟକ୍ତିଗତ ବିରୋଧ କି? ନା ବିଜେଡିର ଭିତରେ ଚାଲିଥିବା ଗଭୀର ଦଳୀୟ ଦ୍ୱନ୍ଦ୍ୱର ପରିପ୍ରକାଶ?
ପ୍ରଭାତ ନିଜ ରାଜନୈତିକ ଯାତ୍ରାକୁ ମଧ୍ୟ ସ୍ମରଣ କରିଛନ୍ତି। ସେ କହିଛନ୍ତି , ସେ ନିଷ୍ଠାର ସହ ରାଜନୀତି କରିବାକୁ ଚାହିଁଥିଲେ । ୨୦୦୦ ଓ ୨୦୦୪ରେ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ । ହାରିଲେ, ପୁଣି ଲଢ଼ିଲେ ଓ ଜିତିଲେ ମଧ୍ୟ। କିନ୍ତୁ ଆଜି ସେ କହୁଛନ୍ତି ଦଳରେ କିଛି ଅସହିଷ୍ଣୁ ଓ ଗୋଡ଼ ଟଣା ନେତାଙ୍କ ପାଇଁ ତାଙ୍କୁ ବାହାର କରାଯାଇଛି ।
ସେ ଏହା ମଧ୍ୟ କହିଛନ୍ତି ନବୀନଙ୍କୁ ସତ କହିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା । ଅର୍ଥାତ୍, ଦଳ ଭିତରେ ସତ କହିବାକୁ ଯେଉଁମାନେ ଚେଷ୍ଟା କରୁଛନ୍ତି, ସେମାନେ ଦଣ୍ଡିତ ହେଉଛନ୍ତି ।
କିନ୍ତୁ ସବୁଠାରୁ ଗୁରୁତର ଅଭିଯୋଗ ଆସିଛି ସିବିଆଇ ମାମଲାକୁ ନେଇ ।
ପ୍ରଭାତ କହିଛନ୍ତି , ତାଙ୍କ ବିରୋଧରେ ମିଛ ଡକ୍ୟୁମେଣ୍ଟ ଦାଖଲ କରି ତାଙ୍କୁ ଗିରଫ କରାଇବାରେ ବବି ଦାସ ମୂଳ ସୂତ୍ରଧର ଥିଲେ । ଯଦି ଏହି ଅଭିଯୋଗ ସତ, ତେବେ ଏହା କେବଳ ରାଜନୀତିକ ଦ୍ୱନ୍ଦ୍ୱ ନୁହେଁ ; ଏହା ହେଉଛି ନ୍ୟାୟ ବ୍ୟବସ୍ଥାର ଦୁରୁପଯୋଗ। ଆଉ ଏହା ଆଣିପାରେ ଓଡିଶା ରାଜନୀତିରେ ଏକ ବଡ଼ ଝଡ଼ ।

ପ୍ରଭାତଙ୍କ ଶବ୍ଦରେ ଏକ ସ୍ପଷ୍ଟ ବାର୍ତ୍ତା ରହିଛି , “କ୍ଷମତା ଯେଉଁଠି, ବବି ଦାସ ସେଇଠି ।” ଏହି କଥାର ଅର୍ଥ ; ବବି ଦାସ ନିଜ ସ୍ୱାର୍ଥ ପାଇଁ କ୍ଷମତାର ଦୁର୍ବ୍ୟବହାର କରୁଛନ୍ତି, ଦଳ ପାଇଁ ନୁହେଁ ।
ଏବେ ପ୍ରଶ୍ନ ହେଉଛି ବିଜେଡିର ଭବିଷ୍ୟତ କେଉଁ ଦିଗକୁ ଯିବ ?
- ଦଳର ପୁରୁଣା ଓ ଅନୁଭବୀ ନେତାମାନେ , ଯେଉଁମାନେ ନିଜକୁ ଅବହେଳିତ ଭାବୁଛନ୍ତି। ଅନ୍ୟ ପକ୍ଷରେ ନୂଆ ପିଢ଼ିର ଶକ୍ତିଶାଳୀ ସଂଗଠନର ମୁହଁ , ଯାହାକୁ ନେଇ ଏତେ ବିବାଦ।
- ପ୍ରଭାତଙ୍କ ପୋଷାକ ବଦଳିବା ଏକ ସଙ୍କେତ , ସେ ଆଉ ପଛକୁ ଫେରିବେ ନାହିଁ । ସେ ଆକ୍ରମଣ କରିବେ ଓ ସତ କହିବାକୁ ଚାହିଁବେ ।
- ଏବେ ଦେଖିବାକୁ ବାକି ରହିଲା , ବବି ଦାସ କଣ ଉତ୍ତର ଦେବେ? ସେ ଚୁପ୍ ରହିବେ ନା ପ୍ରତିଆକ୍ରମଣ କରିବେ?
- ଯଦି ପ୍ରତିଆକ୍ରମଣ ଆସେ, ତେବେ ବିଜେଡିର ଭିତରେ ଏହି ଯୁଦ୍ଧ ଆଉ ଭୟଙ୍କର ରୂପ ନେବ।
- ରାଜନୀତିରେ ଗୋଟେ କଥା ସତ୍ୟ , ଯେଉଁଠି ଶକ୍ତି ରହେ, ସେଠି ସଂଘର୍ଷ ଅନିବାର୍ଯ୍ୟ।
- ଏ କାହାଣୀ ଏତିକିରେ ଶେଷ ହେଉନାହିଁ … ଏହା ହେଉଛି ଏକ ବଡ଼ ରାଜନୈତିକ ତୁଫାନର ଆରମ୍ଭ।


