ଓଡ଼ିଶା ରାଜନୀତିର ମାନଚିତ୍ରରେ ଏବେ ଏକ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳୁଛି। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନିରଙ୍କୁଶ ଶାସନ କରିଥିଲା ବିଜୁ ଜନତା ଦଳ (ବିଜେଡି)। ଏବେ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଥିବା ପରି ମନେହେଉଛି। ଜାତୀୟ ରାଜନୀତିରେ ନିକଟରେ ଘଟିଥିବା ‘ରାଘବ ଇଫେକ୍ଟ’ ଏବେ ଏହି ଆଞ୍ଚଳିକ ଦଳର ନିଦ ହଜାଇ ଦେଇଛି। ବିଶେଷ କରି ଓଡ଼ିଶାରେ ବିଜେଡି ନେତୃତ୍ୱ ଏବେ ଏହି ଝଟକାରେ ସବୁଠାରୁ ଅଧିକ ବିଚଳିତ ହୋଇପଡ଼ିଥିବା ଚର୍ଚ୍ଚା ଜୋର ଧରିଛି।
ଏହି ପରିପ୍ରେକ୍ଷିରେ ଓଡ଼ିଶାର ପ୍ରମୁଖ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଓ ତାହାର ସର୍ବଶକ୍ତିମାନ ନେତୃତ୍ୱ ନବୀନ ପଟ୍ଟନାୟକଙ୍କ ଆଗରେ ଆସିଥିବା ନୂଆ ଚ୍ୟାଲେଞ୍ଜ ସ୍ପଷ୍ଟ ହେଉଛି।
କ’ଣ ରହିଛି ସେ ନୂଆ ଚ୍ୟାଲେଞ୍ଜ ତାକୁ ଆଜି ଆମେ ଆଲୋଚନା କରିବା:-
• କାହିଁକି ବିଜେଡିର ୪ ଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ିବାକୁ ପ୍ରସ୍ତୁତ?
• କଂଗ୍ରେସ ସହ ମେଣ୍ଟ ହେବ ନାହିଁ ବୋଲି କାହିଁକି ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁହଁରେ କୁହାଗଲା?
• ମୋଦୀ-ଶାହ ଯୋଡ଼ିଙ୍କଠାରୁ ନିଜକୁ ରକ୍ଷା କରିବା ପାଇଁ ପାଣ୍ଡିଆନ ଏବଂ ନବୀନ କେଉଁ ନୂଆ ଖେଳ ଖେଳୁଛନ୍ତି?
• ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ – ୨୦୦୮ର ସେହି ବିଶ୍ୱାସଘାତକତା, ଯାହା ବିଜେପି ଆଜି ବି ଭୁଲିନି!
ରାଜ୍ୟସଭାରେ ବିଦ୍ରୋହର ସ୍ୱର: ବିଜେପି ମୁହାଁ ସାଂସଦ!
ଜାତୀୟ ସ୍ତରରେ ଯେତେବେଳେ କୌଣସି ଆଞ୍ଚଳିକ ଦଳର ନେତା କେନ୍ଦ୍ର ସରକାର ବା ବିଜେପି ସହ ମୁହାଁମୁହିଁ ହୁଅନ୍ତି, ସେମାନଙ୍କ ଉପରେ ‘ରାଘବ ଇଫେକ୍ଟ’ ଦେଖିବାକୁ ମିଳେ। ଏହାର ଅର୍ଥ ହେଉଛି ଆଇନଗତ ଜାଲ ଏବଂ ଦଳ ଭିତରେ ବିଦ୍ରୋହ। ଓଡ଼ିଶାରେ ବିଜେଡିର ୬ ଜଣ ରାଜ୍ୟସଭା ସାଂସଦ ଅଛନ୍ତି। କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳୁଛି ଯେ, ସେମାନଙ୍କ ମଧ୍ୟରୁ ୪ ଜଣ ସାଂସଦ ଏବେ ଦଳୀୟ ନେତୃତ୍ୱ ଉପରେ ଚରମ ଅସନ୍ତୁଷ୍ଟ।
ସେମାନଙ୍କ ଅଭିଯୋଗ ହେଉଛି, ଦଳ ଏବେ ଗଣତନ୍ତ୍ରରେ ନାହିଁ, ବରଂ ବ୍ୟୁରୋକ୍ରାସି ବା ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଚାଲୁଛି। ବିଜେପିର ବଢୁଥିବା ଦବଦବା ଦେଖି ଏହି ସାଂସଦମାନେ ନିଜର ଭବିଷ୍ୟତକୁ ନେଇ ଚିନ୍ତିତ। ଯଦି ଏହି ୪ ଜଣ ସାଂସଦ ବିଜେପିକୁ ପଳାନ୍ତି, ତେବେ ନବୀନ ପଟ୍ଟନାୟକଙ୍କ ପାଇଁ ଏହାଠାରୁ ବଡ଼ ରାଜନୈତିକ ଅପମାନ ଆଉ କିଛି ହେବ ନାହିଁ। ଏହି ଭୟ ହିଁ ନବୀନ ବାବୁଙ୍କ ଆଖିରୁ ନିଦ ହଜାଇ ଦେଇଛି।
ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ଏହା ଏକ ବଡ଼ ଆହ୍ୱାନ ସାଜିଛି। ଯଦି ରାଜ୍ୟସଭା ସାଂସଦମାନେ ଦଳ ଛାଡ଼ନ୍ତି, ତେବେ ଜାତୀୟ ସ୍ତରରେ ବିଜେଡିର ପ୍ରଭାବ ଶୂନ ହୋଇଯିବାର ଭୟ ରହିଛି। କାରଣ ଲୋକସଭାରେ ବିଜେଡିର କୌଣସି ସଦସ୍ୟ ନାହାନ୍ତି। ରାଜ୍ୟର ୨୧ଟି ଲୋକସଭା ଆସନରୁ ବିଜେପି ୨୦ଟି ଓ କଂଗ୍ରେସ ଗୋଟିଏ ଆସନରେ ଗତ ନିର୍ବାଚନରେ ବିଜୟୀ ହୋଇଛି।
ମେଣ୍ଟ ରାଜନୀତିରେ ୟୁ-ଟର୍ଣ୍ଣ: କାହିଁକି କଂଗ୍ରେସଠାରୁ ଦୂରେଇଲା ବିଜେଡି?
କିଛି ଦିନ ପୂର୍ବରୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଏବଂ କଂଗ୍ରେସ ଏକାଠି ହୋଇ ବିଜେପିକୁ ରୋକିବେ। ଏହି କଥା ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ ବାରମ୍ବାର ଦୋହରାଉ ଥିଲେ। ମାତ୍ର ହଠାତ୍ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନ ସବୁ କିଛି ବଦଳାଇ ଦେଇଛି। ସେ କହିଛନ୍ତି, “ବିଜେଡି କଂଗ୍ରେସ ସହ ମେଣ୍ଟ କରିବ ନାହିଁ।” ପ୍ରସନ୍ନ ଆଚାର୍ଯ୍ୟଙ୍କ ଏହି ବୟାନ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମତି କ୍ରମେ ନିଶ୍ଚୟ ଆସିଥିବ। ନ ହେଲେ ଦଳର ବରିଷ୍ଟ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁହଁରେ କେବେ ବି ଏପରି ବକ୍ତବ୍ୟ ଆସି ନ ଥା’ନ୍ତା।
ଏପରି ହଠାତ୍ ପରିବର୍ତ୍ତନ ପଛରେ ବିଜେପିର ‘ଭୟ’ କାମ କରୁଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ଗତ ରାଜ୍ୟସଭା ନିର୍ବାଚନବେଳେ ନବୀନ ପଟ୍ଟନାୟକ ଯେପରି କଂଗ୍ରେସ ସହିତ ହାତ ମିଳାଇଲେ ତାହାକୁ ନା ପସନ୍ଦ କରିଛନ୍ତି ଦଳର ୮ ଜଣ ବିଧାୟକ। ଏହି ନିଷ୍ପତ୍ତିରେ ଏହି ବିଧାୟକମାନେ ଅସନ୍ତୁଷ୍ଟ ହୋଇ ନବୀନଙ୍କ ନିର୍ଦ୍ଦେଶକୁ ଅବମାନନା କରି କ୍ରସ ଭୋଟିଂ କରିଛନ୍ତି। ଯାହା ପ୍ରମାଣିତ କରୁଛି ଯେ କଂଗ୍ରେସ ସହ ମିଶିଲେ ଦଳ ଭିତରେ ବିଦ୍ରୋହ ଆହୁରି ତେଜିବ।
କାରଣ ହେଉଛି ଦଳ ଭିତରେ ଗୃହଯୁଦ୍ଧ। ଯଦି ବିଜେଡି କଂଗ୍ରେସ ସହ ମିଶେ, ତେବେ ବିଜେଡିର ଏହି ବିଦ୍ରୋହୀ ଗୋଷ୍ଠୀ ସିଧାସଳଖ ବିଜେପି ହାତକୁ ଚାଲିଯିବେ। ନବୀନ ବାବୁ ଜାଣିଛନ୍ତି ଯେ କଂଗ୍ରେସ ସହ ମେଣ୍ଟ କରିବା ମାନେ ବିଜେଡିକୁ ଭାଙ୍ଗିବାର ଏକ ସୁଯୋଗ ବିଜେପିକୁ ଦେବା।
ମୋଦୀ-ଶାହ ଯୋଡ଼ିଙ୍କ କଡ଼ା ନଜର ଏବଂ ପାଣ୍ଡିଆନଙ୍କ ରଣନୀତି
ବର୍ତ୍ତମାନର ବିଜେପି ପୂର୍ବର ଆଡଭାନୀ ଯୁଗର ବିଜେପି ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଯୋଡ଼ି ଆଞ୍ଚଳିକ ଦଳଗୁଡ଼ିକର ପ୍ରତିଟି ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।
ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଏକ ରୋଚକ ଘଟଣା ଘଟିଥିଲା। ବିଜେଡିର ଶକ୍ତିଶାଳୀ ନେତା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ମାନସ ମଙ୍ଗରାଜ କୁଆଡ଼େ ରାହୁଲ ଗାନ୍ଧି ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କୁ ଗୁପ୍ତରେ ଭେଟିଥିଲେ। ଯେତେବେଳେ ସେହି ବୈଠକର ଫଟୋ ସାର୍ବଜନୀନ ହେଲା, ସେତେବେଳେ ବିଜେଡି ନେତାଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହେଲା।
ପାଣ୍ଡିଆନ ବୋଧହୁଏ ଭୁଲିଯାଇଥିଲେ ଯେ ଦିଲ୍ଲୀରେ ଚାଣକ୍ୟ ନୀତି କିଭଳି କାମ କରେ।
ଏହି ଗୋଟିଏ ଫଟୋ ବିଜେପି ନେତୃତ୍ୱକୁ କ୍ରୋଧିତ କରିଛି। ସେଥିପାଇଁ ଏବେ ନବୀନ ନିବାସରେ କେବଳ ଭୟର ବାତାବରଣ। କେନ୍ଦ୍ର ସରକାରଙ୍କ ବିରୋଧରେ ଯିବାକୁ ଚେଷ୍ଟା କଲେ କେଉଁଭଳି ପରିଣାମ ଭୋଗିବାକୁ ପଡ଼ିବ, ତାହା ବୋଧହୁଏ ପାଣ୍ଡିଆନ-ନବୀନ ଯୋଡ଼ି ଭଲ ଭାବେ ବୁଝିସାରିଛନ୍ତି। ଆଇନଗତ ଜାଲ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଭୟ ଏବେ ଶଙ୍ଖ ଦଳକୁ ଚିନ୍ତାରେ ପକାଇଛି।
ଅତୀତର ସେହି ‘ବିଶ୍ୱାସଘାତକତା’କୁ ଭୁଲିନି ବିଜେପି
ଇତିହାସ ନିଜକୁ ଦୋହରାଏ। ଆଜି ନବୀନ ବାବୁ ଯେଉଁ ବିଜେପିକୁ ଭୟ କରୁଛନ୍ତି, ଦିନେ ସେହି ବିଜେପି ତାଙ୍କୁ ଓଡ଼ିଶାରେ ନେତା ଭାବେ ତିଆରି କରି ପ୍ରତିଷ୍ଠିତ କରିଥିଲା। କିନ୍ତୁ ନବୀନ ପଟ୍ଟନାୟକ ପଛରୁ ଛୁରୀ ମାରିବାର କୌଣସି ସୁଯୋଗ ଛାଡ଼ି ନାହାନ୍ତି।
ମନେପକାନ୍ତୁ ୨୦୦୮ର ସେହି କଳା ଦିନ। ଜନ୍ମାଷ୍ଟମୀ ରାତିରେ ହିନ୍ଦୁ ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା। ନବୀନ ପଟ୍ଟନାୟକ ଗୃହ ବିଭାଗର ମୁଖ୍ୟ ଥାଇ ମଧ୍ୟ ସୁରକ୍ଷା ଦେଇପାରିଲେ ନାହିଁ। ସେତେବେଳେ ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିବା ଗୃହ ବିଭାଗ ଜାଣିଶୁଣି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇନଥିଲେ ବୋଲି ଅନେକ ବିଜେପି ଓ ସଂଘ ପରିବାର ନେତା ଅଭିଯୋଗ କରନ୍ତି।
ଆଉ ଏହାପରେ ସେ କ’ଣ କଲେ? ନିଜକୁ ସେକୁଲାର (Secular) ଦର୍ଶାଇବା ପାଇଁ ୨୦୦୯ ନିର୍ବାଚନ ପୂର୍ବରୁ ହଠାତ୍ ବିଜେପି ସହ ଏକତରଫା ମେଣ୍ଟ ଭାଙ୍ଗିଦେଲେ।
ସେତେବେଳେ ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ ବାରମ୍ବାର ଫୋନ୍ କରିଥିଲେ, କିନ୍ତୁ ନବୀନ ପଟ୍ଟନାୟକ ଫୋନ୍ ଉଠାଇ ନ ଥିଲେ। ଆଡଭାନୀଙ୍କ ଦୂତ ସାଜି ଆସିଥିବା ଚନ୍ଦନ ମିତ୍ରଙ୍କୁ ନବୀନ ନିବାସର ଗେଟ୍ରୁ ଫେରାଇ ଦିଆଯାଇଥିଲା। ଏହି ଅପମାନ ବିଜେପି ଆଜି ବି ଭୁଲିନି। ସେଥିପାଇଁ କୁହାଯାଏ, ସମୟ ସବୁବେଳେ ସମାନ ରହେ ନାହିଁ।
ଆଇନଗତ ଜାଲ ଏବଂ ଆଗାମୀ ଭବିଷ୍ୟତ
ବର୍ତ୍ତମାନ ବିଜେଡି ପାଇଁ ସବୁଠାରୁ ବଡ଼ ଭୟ ହେଉଛି ଆଇନଗତ କାର୍ଯ୍ୟାନୁଷ୍ଠାନ। ଯଦି ଦଳ କଂଗ୍ରେସ ସହ ଅଧିକ ଘନିଷ୍ଠ ହୁଏ, ତେବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଜାଲରେ ଦଳୀୟ ନେତାଙ୍କଠାରୁ ଆରମ୍ଭ କରି ୫ଟି ସଚିବଙ୍କ ପର୍ଯ୍ୟନ୍ତ ଅନେକ ଅଧିକାରୀ ଛନ୍ଦି ହୋଇପାରନ୍ତି। ତେଣୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି ନବୀନ ପଟ୍ଟନାୟକ।
ତେଣୁ ବହୁ ପ୍ରଚାରିତ ବିଜେଡି-କଂଗ୍ରେସ ମେଣ୍ଟ ଆଲୋଚନା ଉପରେ ସେ ପ୍ରସନ୍ନ ଆଚାର୍ଯ୍ୟଙ୍କ ମାଧ୍ୟମରେ ବିରାମ ଲଗାଇ ଦେଇଛନ୍ତି। ଏପରିକି ପ୍ରସନ୍ନ ଆଚାର୍ଯ୍ୟଙ୍କ ବକ୍ତବ୍ୟ ପରେ ପିସିସି ସଭାପତି ଭକ୍ତ ଦାସ ମଧ୍ୟ ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବ ନାହିଁ ବୋଲି କହିଛନ୍ତି।
ଓଡ଼ିଶା ରାଜନୀତିରେ ବିଜେଡି ଏବେ ଏକ ଦୋଛକିରେ ଛିଡ଼ା ହୋଇଛି। ଗୋଟିଏ ପଟେ ବିଜେପିର ଆକ୍ରମଣାତ୍ମକ ରଣନୀତି ଏବଂ ଅନ୍ୟପଟେ ନିଜ ଦଳର ନେତାଙ୍କ ବିଦ୍ରୋହୀ ମନୋଭାବ। ‘ରାଘବ ଇଫେକ୍ଟ’ର ଏହି ଝଟକାରୁ ଦଳ ନିଜକୁ କିଭଳି ରକ୍ଷା କରୁଛି ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ବିନା କିଭଳି ପ୍ରଦର୍ଶନ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ, ନବୀନ-ପାଣ୍ଡିଆନ ଯୋଡ଼ିଙ୍କ ପାଇଁ ଆଗାମୀ ଦିନଗୁଡ଼ିକ ଅତ୍ୟନ୍ତ କଷ୍ଟକର ହେବାକୁ ଯାଉଛି।
- ତେବେ ପ୍ରଶ୍ନ ଉଠୁଛି, ବିଜେଡି କ’ଣ ଆଗାମୀ ପଞ୍ଚାୟତ ନିର୍ବାଚନରେ ନିଜକୁ ବଞ୍ଚାଇ ପାରିବ?
- ସାଂସଦମାନେ ଦଳରେ ରହିବେ ନା ପଦ୍ମ ଧରିବେ?
- ପାଣ୍ଡିଆନଙ୍କ ବାରମ୍ବାର ଦିଲ୍ଲୀ ଗସ୍ତ କେଉଁ ବିପଦ ଡାକି ଆଣିବ?
- ଏବଂ ସବୁଠାରୁ ବଡ଼ କଥା – ଓଡ଼ିଶାବାସୀ କାହାକୁ ସମର୍ଥନ କରିବେ?
ଆଗାମୀ ଦିନଗୁଡ଼ିକ ଓଡ଼ିଶା ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଜେଡି ଏବେ ରକ୍ଷଣାତ୍ମକ ମୁଦ୍ରାରେ, କାରଣ ସେମାନେ ଜାଣିଛନ୍ତି ଯେ ସାମନା ପଟେ ଏବେ ‘ଚାଣକ୍ୟ’ଙ୍କ ସରକାର ଅଛି।
AlsoRead; https://purvapaksa.com/cuttack-ring-road-expansion-project-suspended/
କଟକ ରିଙ୍ଗ ରୋଡ୍ ସମ୍ପ୍ରସାରଣ ପ୍ରକଳ୍ପ ସ୍ଥଗିତ || Cuttack Ring Road expansion project suspended


