ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ଆସିବା ପରେ ଭାରତୀୟ ରାଜନୀତିରେ ଏକ ବଡ଼ ଧରଣର ଝଡ଼ ସୃଷ୍ଟି ହୋଇଛି । ଗୋଟିଏ ପଟେ ବିଜୟର ଉତ୍ସବ ଚାଲିଥିବା ବେଳେ ଅନ୍ୟପଟେ ବିରୋଧୀ ଦଳ ପକ୍ଷରୁ ଏକ ଗମ୍ଭୀର ଅଭିଯୋଗ ଆସିଛି ; ‘ଭୋଟ୍ ଚୋରି’ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିଧାସଳଖ ନିର୍ବାଚନ କମିଶନ ଏବଂ EVM ଉପରେ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ କେମିତି ଏହି ଏକଜିଟ୍ ପୋଲ୍ (Exit Poll) ରୁ ଆରମ୍ଭ କରି ଚୂଡ଼ାନ୍ତ ଫଳାଫଳ ପର୍ଯ୍ୟନ୍ତ ସବୁକିଛି ବର୍ତ୍ତମାନ ବିବାଦ ଘେରକୁ ଆସିଛି । କ’ଣ ବାସ୍ତବରେ EVM ଟାମ୍ପରିଂ ହୋଇଛି ? ନା ଏହା କେବଳ ପରାଜୟକୁ ଲୁଚାଇବାର ଏକ ବାହାନା ?

ମମତା ବାନାର୍ଜୀଙ୍କ ବିସ୍ଫୋରକ ଅଭିଯୋଗ
ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, କେନ୍ଦ୍ରୀୟ ବଳ ଏବଂ ନିର୍ବାଚନ କମିଶନଙ୍କ ସହାୟତାରେ ବିଜେପି ଏକ ବଡ଼ ଧରଣର ‘ସ୍କ୍ରିପ୍ଟେଡ୍’ ବିଜୟ ହାସଲ କରିଛି । ତାଙ୍କ କହିବା ଅନୁସାରେ, ଅନେକ ବୁଥ୍ରେ EVM ସହିତ ଭୋଟ ବଟନକୁ ଅଦଳବଦଳ କରାଯାଇଛି ଏବଂ ଯେଉଁଠି ଲୋକମାନେ ଟିଏମସିକୁ ଭୋଟ୍ ଦେଉଥିଲେ, ସେଠାରେ ଭିଭିପାଟ୍ (VVPAT) ସ୍ଲିପ୍ ଖସୁଥିବାର ଦେଖାଉଥିଲା ।

ସେ ଏକଜିଟ୍ ପୋଲ୍ ଗୁଡ଼ିକୁ ମଧ୍ୟ ‘ମାନସିକ ଯୁଦ୍ଧ’ ବୋଲି କହିଛନ୍ତି । ତାଙ୍କ ମତରେ, ଏକଜିଟ୍ ପୋଲ୍ ମାଧ୍ୟମରେ ପ୍ରଥମେ ଏକ ମାହୋଲ୍ ତିଆରି କରାଗଲା ଏବଂ ପରେ EVM କୁ ବ୍ୟବହାର କରି ସେହି ଫଳାଫଳକୁ ବାସ୍ତବ ରୂପ ଦିଆଗଲା ।
ରାହୁଲ ଗାନ୍ଧୀଙ୍କ ‘ଭୋଟ୍ ଚୋରି’ ଅସ୍ତ୍ର
ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ବିବାଦରେ ସାମିଲ ହୋଇଛନ୍ତି । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ସେ “ଭୋଟ୍ ଚୋରି” ବା “Vote Theft” ଶବ୍ଦ ବ୍ୟବହାର କରି ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ରାହୁଲଙ୍କ କହିବା କଥା ହେଉଛି, ଯଦି ଜନତାଙ୍କ ଜନାଦେଶ ସ୍ୱଚ୍ଛ ନୁହେଁ, ତେବେ ଏହାକୁ ଗଣତନ୍ତ୍ର କୁହାଯାଇପାରିବ ନାହିଁ।
କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଏବେ ବାଲଟ୍ ପେପର (Ballot Paper) ଫେରାଇ ଆଣିବା ପାଇଁ ଦାବି କରୁଛନ୍ତି। ସେମାନଙ୍କ ଯୁକ୍ତି ହେଉଛି ଯେତେବେଳେ ବିଶ୍ୱର ବିକଶିତ ଦେଶମାନେ EVM ବ୍ୟବହାର କରୁନାହାନ୍ତି, ତେବେ ଭାରତ କାହିଁକି ଏହାକୁ ଜାବୁଡ଼ି ଧରିଛି ?
ନିର୍ବାଚନ କମିଶନଙ୍କ ସ୍ପଷ୍ଟୀକରଣ ଏବଂ ବିଜେପିର ପାଲଟା ଜବାବ
ତେବେ ଏହି ସବୁ ଅଭିଯୋଗକୁ ନିର୍ବାଚନ କମିଶନ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି । କମିଶନଙ୍କ କହିବା ଅନୁସାରେ, EVM ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏଥିରେ କୌଣସି ପ୍ରକାର ବାହ୍ୟ ଅଦଳବଦଳ କରିବା ଅସମ୍ଭବ । ସୁପ୍ରିମକୋର୍ଟ ମଧ୍ୟ ବାରମ୍ବାର EVM ଏବଂ ଭିଭିପାଟ୍ ମାମଲାରେ କ୍ଲିନ୍ ଚିଟ୍ ଦେଇସାରିଛନ୍ତି ।

ଅନ୍ୟପଟେ ବିଜେପି ଏହାକୁ ବିରୋଧୀଙ୍କ ‘ଫ୍ରଷ୍ଟ୍ରେସନ’ ବୋଲି କହିଛି। ବିଜେପି ନେତାଙ୍କ ମତରେ, ଯେତେବେଳେ ବିରୋଧୀ ଦଳ ଜିତନ୍ତି, ସେତେବେଳେ EVM ଠିକ୍ ଥାଏ, କିନ୍ତୁ ହାରିବା ମାତ୍ରେ ହିଁ ସେମାନେ EVM କୁ ଦୋଷ ଦେବା ଆରମ୍ଭ କରନ୍ତି । ବଙ୍ଗଳାରେ ଲୋକମାନେ ହିଂସା ଏବଂ ଦୁର୍ନୀତି ବିରୋଧରେ ଭୋଟ୍ ଦେଇଛନ୍ତି, ଯାହାକୁ ମମତା ବାନାର୍ଜୀ ଗ୍ରହଣ କରିପାରୁନାହାନ୍ତି।
ଏହି ରାଜନୈତିକ ଲଢ଼େଇ ଭିତରେ କିଛି ଏମିତି ପ୍ରଶ୍ନ ଯାହା ଚିନ୍ତା କରିବାକୁ ବାଧ୍ୟ କରେ
୧. ଯଦି EVM ଟାମ୍ପରିଂ ହେଉଛି, ତେବେ ଅତୀତରେ ବିରୋଧୀ ଦଳ ଅନ୍ୟ ରାଜ୍ୟରେ କେମିତି ଜିତିଲେ?
୨. ଯଦି ନିର୍ବାଚନ କମିଶନଙ୍କ ଉପରେ ଆସ୍ଥା ନାହିଁ, ତେବେ ଗଣତନ୍ତ୍ର କିପରି ସୁରକ୍ଷିତ ରହିବ?
୩. କେବଳ ହାରିବା ପରେ ହିଁ କାହିଁକି ଏହି ପ୍ରଶ୍ନ ଗୁଡ଼ିକ ଉଠେ?

ବଙ୍ଗଳାରେ ହିଂସା ମଧ୍ୟରେ ହୋଇଥିବା ଏହି ନିର୍ବାଚନ ଭାରତୀୟ ଗଣତନ୍ତ୍ର ପାଇଁ ଏକ ବଡ଼ ପରୀକ୍ଷା ଥିଲା । ବର୍ତ୍ତମାନ ଏହି ଅଭିଯୋଗ କେବଳ ରାଜନୈତିକ ବୟାନବାଜିରେ ସୀମିତ ରହୁବ ନା ଆଗକୁ କୋର୍ଟ କଚେରୀ ପର୍ଯ୍ୟନ୍ତ ଯିବ ! ବଙ୍ଗଳା ନିର୍ବାଚନ ଶେଷ ହୋଇଥାଇପାରେ, କିନ୍ତୁ ଏହି ବିବାଦ ବୋଧହୁଏ ଶୀଘ୍ର ଥମିବାର ନାହିଁ । ଆଗାମୀ ଦିନରେ ଏହି “ଭୋଟ୍ ଚୋରି” ଅଭିଯୋଗ ସଂସଦରୁ ରାଜରାସ୍ତା ପର୍ଯ୍ୟନ୍ତ ହୁଏତ ଶୁଣିବାକୁ ମିଳିବ।


