ଓଡ଼ିଶା ରାଜନୀତି ଏବେ ପୁଣିଥରେ ସଂଖ୍ୟା ଖେଳରେ ପ୍ରବେଶ କରିଛି। ଭାରତୀୟ ନିର୍ବାଚନ କମିଶନ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ସମସ୍ତଙ୍କ ଦୃଷ୍ଟି ଏବେ ଓଡ଼ିଶାର ଚାରିଟି ଆସନ ଉପରେ ରହିଛି। ବିଶେଷକରି ଚତୁର୍ଥ ଆସନ ଉପରେ କଂଗ୍ରେସ, ବିଜେଡି ଓ ବିଜେପିର ନଜର ରହିଛି ଅକ୍ତିଆର କରିବାକୁ । କାରଣ ପ୍ରଥମ ତିନିଟି ଆସନର ଗଣିତ ପ୍ରାୟ ସ୍ପଷ୍ଟ, କିନ୍ତୁ ଚତୁର୍ଥଟି ଆସନ ହେଉଛି ସେହି ସ୍ଥାନ- ଯେଉଁଠାରେ ଗଣିତ, ରଣନୀତି, ମନୋବିଜ୍ଞାନ ଓ ରାଜନୈତିକ ଚୁକ୍ତି–ଅଚୁକ୍ତି ଏକାଠି ହୋଇଯାଏ। ଏପ୍ରିଲ ୨ରେ ଓଡ଼ିଶାର ଚାରିଜଣ ରାଜ୍ୟସଭା ସାଂସଦ- ବିଜେଡିର ମୁନା ଖାନ, ନିରଞ୍ଜନ ବିଶି, ବିଜେପିର ଏବଂ ମମତା ମହାନ୍ତି, ସୁଜିତ କୁମାରଙ୍କ କାର୍ଯ୍ୟକାଳ ଶେଷ ହେଉଛି। ମାର୍ଚ୍ଚ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ, ଦେଶର ଅନ୍ୟ ୯ଟି ରାଜ୍ୟର ୩୩ଟି ଆସନ ସହିତ ଓଡ଼ିଶାର ଏହି ଚାରିଟି ଆସନ ପାଇଁ ମଧ୍ୟ ଭୋଟ୍ ହେବ।
ଗଣିତର ପ୍ରଥମ ଅଧ୍ୟାୟ: କିଏ କେତେ ଦୂର ସୁରକ୍ଷିତ?

୧୪୭ ସଦସ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ବର୍ତ୍ତମାନ ସଂଖ୍ୟାତ୍ମକ ସ୍ଥିତି ସ୍ପଷ୍ଟ। ବିଜେପି ପାଖରେ ୭୯ ଜଣ ବିଧାୟକ ଅଛନ୍ତି ଏବଂ ୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଶାଇଲେ ଏହି ସଂଖ୍ୟା ୮୨ ହୋଇଯାଏ। ଅନ୍ୟପକ୍ଷରେ ବିଜେଡି ପାଖରେ ଦୁଇ ନିଲମ୍ବିତ ବିଧାୟକଙ୍କୁ ବାଦ୍ ଦେଲେ ୪୮ ଜଣ ବିଧାୟକ ଅଛନ୍ତି। କଂଗ୍ରେସ ପାଖରେ ୧୪ ଜଣ ଏବଂ କଂଗ୍ରେସର ସହଯୋଗୀ ସିପିଏମ ପାଖରେ ଜଣେ ବିଧାୟକ ଅଛନ୍ତି।
ରାଜ୍ୟସଭା ଭୋଟ୍ ପାଇଁ ମୋଟ ଭୋଟ୍ ମୂଲ୍ୟ ହେବ ୧୪,୭୦୦ (୧୪୭×୧୦୦)। ଏକ ଆସନ ଜିତିବାକୁ ଆବଶ୍ୟକ କୋଟା ହେଉଛି (୧୪,୭୦୦/୪+୧)+୧ = ୨,୯୪୧ ଭୋଟ୍ ମୂଲ୍ୟ, ଅର୍ଥାତ୍ ପ୍ରାୟ ୩୦ ଜଣ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ୍। ଏହି ଗଣିତ ଅନୁଯାୟୀ, ବିଜେପି ଆରାମରେ ଦୁଇଟି ଆସନରେ ନିଶ୍ଚୟ ଜିତିବ- କାରଣ ୮୨ ବିଧାୟକ ସହିତ ସେମାନଙ୍କ ପାଖରେ ଦୁଇଟି ଆସନର କୋଟା ପୂରଣ ପରେ ମଧ୍ୟ ପ୍ରାୟ ୨୨ ଅତିରିକ୍ତ ଭୋଟ୍ ରହିବ। ସେହିପରି, ବିଜେଡି ଗୋଟିଏ ଆସନ ନିଶ୍ଚିତ ଭାବେ ଜିତିବ ଏବଂ ପ୍ରଥମ ପସନ୍ଦ ପରେ ପ୍ରାୟ ୧୮ ଅତିରିକ୍ତ ଭୋଟ୍ ରଖିବ। ଏବେ ଆସେ ଚତୁର୍ଥ ଆସନ- ଯେଉଁଠାରେ ସମସ୍ତଙ୍କ ନଜର ଅଟକିଛି।
ଚତୁର୍ଥ ଆସନ: ଗଣିତର ରଣନୀତିକ

ଗଣିତ ଦୃଷ୍ଟିରୁ ଦେଖିଲେ, ବିଜେପିର ଅତିରିକ୍ତ ୨୨ ଭୋଟ୍ ଓ ବିଜେଡିର ୧୮ ଭୋଟ୍- ଉଭୟ ଏକାକାର ନୁହେଁ। ଚତୁର୍ଥ ଆସନ ଜିତିବାକୁ ଯେକୌଣସି ପକ୍ଷକୁ ଅଧିକ ଭୋଟ୍ ଆବଶ୍ୟକ। ସେହି କାରଣରୁ ଏହି ଆସନ କେବଳ ସଂଖ୍ୟାର ଖେଳ ନୁହେଁ, ବରଂ ରଣନୀତିର ଖେଳ ହୋଇଯାଇଛି। ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ସନାତନ ମହାକୁଡ ତାଙ୍କ ଭୋଟ୍ ବିଜେପିକୁ ଦେବେ ବୋଲି ଆଲୋଚନା ହେଉଥିଲାବେଳେ ଅରବିନ୍ଦ ମହାପାତ୍ର କାହାକୁ ଭୋଟ୍ ଦେବେ ତାହା ଜଣାପଡ଼ୁ ନାହିଁ। ଏମିତି ଦେଖିଲେ ଏବେ ବିଜେପି ପାଖରେ ତୃତୀୟ ଆସନ ପାଇଁ ୨୩ଟି ପ୍ରଥମ ପସନ୍ଦ ଭୋଟ୍ ସହିତ ୬୦ଟି ଦ୍ୱିତୀୟ ପସନ୍ଦ ଭୋଟ୍ ରହିଛି।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବୟାନ ଏହି ରଣନୀତିକୁ ଆହୁରୀ ଗଭୀର କରିଛି। ସେ ସ୍ପଷ୍ଟ କହିଛନ୍ତି ଯେ ବିଜେପି ତୃତୀୟ ପ୍ରାର୍ଥୀ ଛିଡ଼ା କରିବାର ସମ୍ଭାବନା ରଖିଛି ଏବଂ ଆସନ ଜିତିବାକୁ ଚେଷ୍ଟା କରିବ।
ଏହା ଅର୍ଥ- ବିଜେପି ଗଣିତ ସହିତ ରାଜନୈତିକ ବାର୍ତ୍ତା ମଧ୍ୟ ଦେବାକୁ ଚାହୁଁଛି: ଓଡ଼ିଶାରେ ସେ କେବଳ ଶାସନରେ ନୁହେଁ, ରାଜ୍ୟସଭାରେ ମଧ୍ୟ ନିଜ ପ୍ରଭାବ ବଢ଼ାଇବାକୁ ପ୍ରସ୍ତୁତ।
ବିଜେଡି–କଂଗ୍ରେସ ମିଳନ: ଏକ ସିଦ୍ଧାନ୍ତିକ ସମ୍ଭାବନା

ଗାଣିତିକ ଭାବେ ଦେଖିଲେ, ଯଦି ବିଜେଡି ଓ କଂଗ୍ରେସ ମିଳିତ ଭାବେ କାମ କରନ୍ତି, ତେବେ ଚତୁର୍ଥ ଆସନ ବିଜେପିର ହାତରୁ ଛଡ଼ାଇ ନିଆଯାଇପାରେ। କିନ୍ତୁ ରାଜନୀତିରେ ସିଦ୍ଧାନ୍ତିକ ଗଣିତ ଓ ବ୍ୟବହାରିକ ରଣନୀତି ସବୁବେଳେ ଏକା ହୋଇନଥାଏ। ଓଡ଼ିଶା କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଦଳ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିବା ପରେ ବିଜେଡି ପାଖରେ ବିକଳ୍ପ ଆହୁରି ସୀମିତ ହୋଇଯାଇଛି। ଯଦି ବିଜେଡି ଦ୍ୱିତୀୟ ପ୍ରାର୍ଥୀ ଛିଡ଼ା କରେ, ତେବେ ଜିତିବା ପାଇଁ ଆହୁରି ୧୨ଟି ଭୋଟ୍ ଆବଶ୍ୟକ ହେବ- ଯାହା ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ଏକ ଜୁଆଖେଳ ଭଳି ମନେ ହେଉଛି। ଏପରିକି ଯଦି ବିଜେଡି ଦଳୀର ସମସ୍ତ ଗଁଷ୍ଠୀକୁ ବିଶ୍ୱାସକୁ ନେଇ ସର୍ବସମ୍ମତ ପ୍ରାର୍ଥୀ ନ ଦିଏ ତେବେ ଦ୍ୱିତୀୟ ପ୍ରାର୍ଥୀ କଥା ଛାଡ଼ନ୍ତୁ ପ୍ରଥମ ପ୍ରାର୍ଥୀଙ୍କ ପାଇଁ ଥିବା ଭୋଟ୍ ବିରୋଧୀ ଶିବିରକୁ ଯାଇପାରେ ବୋଲି ଆଲୋଚନା ହେଉଛି। ଏହି କାରଣରୁ ବିଜେଡି ଶୀର୍ଷ ନେତୃତ୍ୱ ସତର୍କତା ଅବଲମ୍ବନ କରିବାକୁ ଚାହୁଁଛି। “ବର୍ତ୍ତମାନ ପରିସ୍ଥିତିରେ ପରାଜୟର ବିପଦ ନେବାକୁ ଦଳ ଚାହିଁବ ନାହିଁ,” ବୋଲି ଦଳୀୟ ସୂତ୍ରମାନେ କହୁଛନ୍ତି।
ବିବେକ ଭୋଟ୍ ଓ ପୂର୍ବ ଉଦାହରଣ
ଏହି ଚର୍ଚ୍ଚାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠୁଛି- ବିବେକ ଭୋଟ୍। ୱାକଫ୍ ବିଲ୍ ସମୟରେ ବିଜେଡି ତାଙ୍କ ସାଂସଦମାନଙ୍କୁ ବିବେକ ଭୋଟ୍ ଦେବାକୁ ଅନୁମତି ଦେଇଥିଲା, ଯାହା ଶେଷରେ ବିଜେପିକୁ ସାହାଯ୍ୟ କରିଥିଲା। ଏହି ଉଦାହରଣ ଏବେ ପୁଣି ଚର୍ଚ୍ଚାରେ।
ଯଦି ବିଜେପି ୪ର୍ଥ ଆସନରେ ଏଥର ଜଣେ ଜାତୀୟ ସ୍ତରର ଗ୍ରହଣୀୟ ମୁହଁ କିମ୍ବା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପ୍ରାର୍ଥୀ କରେ, ତେବେ ବିଜେଡି ନିଜ ବିଧାୟକମାନଙ୍କୁ ବିବେକ ଅନୁସାରେ ଭୋଟ୍ ଦେବା ପାଇଁ ଛାଡ଼ି ଦେଇପାରେ- ଏହି ଆଶଙ୍କାକୁ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅସ୍ୱୀକାର କରୁନାହାନ୍ତି। ଏପରି ସ୍ଥିତିରେ କଂଗ୍ରେସର କିଛି ଭୋଟ୍ ମଧ୍ୟ ବିଜେପି ଦିଗକୁ ଯାଇପାରେ। କାରଣ ବିଧାୟକ ରମେଶ ଜେନା ଓ ବିଧାୟିକା ସୋଫିଆ ଫିରଦୌସ ଏବେ ଦଳୀୟ ଲାଇନରେ ନ ଥିବା ଚର୍ଚ୍ଚା ହେଉଛି। କଂଗ୍ରେସରେ ମଧ୍ୟ ପିସିସି ସଭାପତିଙ୍କୁ ନେଇ ଅସନ୍ତୋଷ ଲାଗି ରହିଛି। ତେଣୁ କଂଗ୍ରେସର ଅତି କମରେ ୫ଜଣ ବିଧାୟକ ଦଳୀୟ ପ୍ରାର୍ଥୀଙ୍କ ସମର୍ଥକ ନ କରି ପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି।
ଆଇନ କ’ଣ କହୁଛି ?
ଏସବୁ ଭିତରେ ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପକୁ ନେଇ ମଧ୍ୟ ଆରମ୍ଭ ହୋଇଛି ବିଶ୍ଳେଷଣ। ନିର୍ବାଚନ କମିଶନଙ୍କ ବ୍ୟବସ୍ଥା ଅନୁଯାୟୀ, ରାଜ୍ୟସଭା ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ହ୍ୱିପ ଜାରି କରିପାରିବେ। ନିର୍ବାଚନ କମିଶନଙ୍କ ୨୦୧୭ ନିର୍ଦ୍ଦେଶନାମା ଅନୁଯାୟୀ, ବିଧାୟକମାନେ ନିଜ ଦଳର ଏଜେଣ୍ଟଙ୍କୁ ବାଲଟ ପେପର ଦେଖାଇବାକୁ ବାଧ୍ୟ। ଯଦି ସେ ଏଜେଣ୍ଟଙ୍କୁ ବାଲଟ ନ ଦେଖାନ୍ତି, ତେବେ ଭୋଟ୍ ନାକଚ ହେବାର ଭୟ ରହିଛି । ଯଦି ସେ ଏଜେଣ୍ଟଙ୍କୁ ଦେଖାଇ ଅନ୍ୟ ଦଳକୁ ଭୋଟ୍ ଦିଅନ୍ତି, ତେବେ ଭୋଟ୍ ବୈଧ ରହିବ, କିନ୍ତୁ ଦଳ ତାଙ୍କୁ ବହିଷ୍କାର କରିପାରିବ। ତେଣୁ ରାଜ୍ୟସଭା ନିର୍ବାଚନରେ ହ୍ୱିପ ଲାଗୁ ହୁଏ, କିନ୍ତୁ ଏହାର ଉଲ୍ଲଙ୍ଘନ କଲେ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବିଧାୟକ ପଦ ରଦ୍ଦ ହୁଏନାହିଁ। ଏହା କେବଳ ଦଳୀୟ ଅନୁଶାସନ ମଧ୍ୟରେ ସୀମିତ ରହେ।
ଓଡ଼ିଶାର ବର୍ତ୍ତମାନର ସମୀକରଣରେ ଏହି ନିୟମଟି ହିଁ ବିଜେପିକୁ ଦ୍ଵିତୀୟ ପସନ୍ଦ ଭୋଟ୍ ପାଇଁ ଆତ୍ମବିଶ୍ଵାସ ଦେଉଛି। କାରଣ ଅସନ୍ତୁଷ୍ଟ ବିଧାୟକମାନେ ପଦ ହରାଇବା ଭୟ ନ ଥାଇ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇପାରିବେ। ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦୁଇଟି ପ୍ରମୁଖ ରାୟ ଗୁରୁତ୍ଵପୂର୍ଣ୍ଣ ୨୦୦୬ରେ କୁଲଦୀପ ନାୟାର ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ରାଜ୍ୟସଭା ନିର୍ବାଚନରେ ଖୋଲା ବାଲଟ ବ୍ୟବସ୍ଥା ରହିଛି। ଜଣେ ବିଧାୟକ କାହାକୁ ଭୋଟ୍ ଦେଉଛନ୍ତି, ତାହା ତାଙ୍କ ଦଳର ଅଧିକୃତ ଏଜେଣ୍ଟଙ୍କୁ ଦେଖାଇବା ବାଧ୍ୟତାମୂଳକ। ଯଦି ଜଣେ ବିଧାୟକ ଦଳର ନିର୍ଦ୍ଦେଶ ବିରୋଧରେ ଭୋଟ୍ ଦିଅନ୍ତି, ତେବେ ତାହା ଦଳ ପ୍ରତି ବିଶ୍ଵାସଘାତକତା ଭାବେ ଗଣାଯିବ ଏବଂ ଦଳ ତାଙ୍କ ବିରୋଧରେ ଅନୁଶାସନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଅନୁରୂପ ଭାବେ ରବି ଏସ. ନାଏକ ବନାମ ୟୁନିୟନ ଅଫ ଇଣ୍ଡିଆ ମାମଲାରେ କୁହାଯାଇଥିଲା ଯେ ଯଦି ଜଣେ ସଦସ୍ୟ ଦଳର ହ୍ୱିପ ଅମାନ୍ୟ କରନ୍ତି, ତେବେ ଏହାକୁ ସ୍ୱେଚ୍ଛାକୃତ ଭାବେ ଦଳର ସଦସ୍ୟତା ତ୍ୟାଗ କରିବା ଧରାଯାଇପାରେ।
ଚତୁର୍ଥ ଆସନ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ?

ଚତୁର୍ଥ ଆସନ କେବଳ ଗୋଟିଏ ସିଟ୍ ନୁହେଁ; ଏହା ଓଡ଼ିଶାର ଭବିଷ୍ୟତ ରାଜନୈତିକ ସନ୍ତୁଳନର ସଙ୍କେତ। ଯଦି ବିଜେପି ତିନିଟି ଆସନ ଜିତିଯାଏ, ତେବେ ଏହା ରାଜ୍ୟରେ ତାଙ୍କର ଆଧିପତ୍ୟକୁ ଆଉ ମଜବୁତ କରିଦେବ। ଯଦି ବିଜେଡି–କଂଗ୍ରେସ ମିଶି ଏହାକୁ ରୋକିପାରନ୍ତି, ତେବେ ଏହା ବିଜେପିର ଅପରାଜେୟତା ଉପରେ ପ୍ରଥମ ଦୃଢ଼ ପ୍ରଶ୍ନ ହେବ। କିନ୍ତୁ ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ଦେଖିଲେ ବିଜେଡି ସହିତ କଂଗ୍ରେସ ହାତ ମିଳାଇବାର ସଂକେତ ନାହିଁ।
ଗଣିତରୁ ଆଗକୁ ଓଡ଼ିଶାର ରାଜ୍ୟସଭା ନିର୍ବାଚନରେ ପ୍ରଥମ ତିନିଟି ଆସନ ପ୍ରାୟ ନିଶ୍ଚିତ। କିନ୍ତୁ ଚତୁର୍ଥ ଆସନ ଏବେ ଏକ ରାଜନୈତିକ ପରୀକ୍ଷା- ଯେଉଁଠାରେ ଗଣିତ, ରଣନୀତି, ଆସ୍ଥା ଓ ଅବିଶ୍ୱାସ ଏକାଠି ହେଉଛି। ଏହି ଯୁଦ୍ଧରେ କିଏ ଜିତିବ, ସେଥିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ- କିଏ କେମିତି ଖେଳିବ। କାରଣ ରାଜନୀତିରେ ସବୁବେଳେ ଜିତିବା କରଣ ଗଣିତ ନୁହେଁ; କେବେ କେବେ ସବୁଠାରୁ ଧୈର୍ଯ୍ୟଶୀଳ ଓ ସତର୍କ ରଣନୀତି ବିଜୟୀ ହୋଇଥାଏ।
also read https://purvapaksa.com/is-it-important-to-be-careful-when-eating/
Is it important to be careful when eating? ।। ଖରାଦିନେ ଏହି ୫ ଟି ଖାଇବାକୁ ସତର୍କ ରହିବା ଜରୁରୀ?

