Bangladesh Constitution: ବାଂଲାଦେଶର ସମ୍ବିଧାନ ସଂଶୋଧନ ଆୟୋଗ ସମ୍ବିଧାନର ପ୍ରସ୍ତାବନାରୁ ଧର୍ମନିରପେକ୍ଷତା ଏବଂ ସମାଜବାଦ ଭଳି ଶବ୍ଦକୁ ହଟାଇବାକୁ ପ୍ରସ୍ତାବ ଦେଇଛନ୍ତି। ୨୦୧୧ରେ ଏକ ସଂଶୋଧନ ମାଧ୍ୟମରେ ବାଂଲାଦେଶର ସମ୍ବିଧାନରେ ଧର୍ମନିରପେକ୍ଷତା ଶବ୍ଦ ଯୋଡାଯାଇଥିଲା। ଦେଶର ବର୍ତମାନର ଶାସନ ଏଥିରେ ସହଜ ମନେ ହେଉନାହିଁ ଏବଂ ଏହାକୁ ହଟାଇ ଦିଆଯାଇପାରେ।
- ବାଂଲାଦେଶରେ ସମ୍ବିଧାନ ସଂଶୋଧନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି
- ଧର୍ମନିରପେକ୍ଷତା ହଟାଇବାକୁ ବାମପନ୍ଥୀ ଦଳମାନେ ବିରୋଧ କରିଛନ୍ତି
- ବାଂଲାଦେଶ ନିଜର ଧର୍ମନିରପେକ୍ଷ ଚରିତ୍ର ବଜାୟ ରଖିବ କି?
ବାଂଲାଦେଶରେ ସମ୍ବିଧାନର ପ୍ରସ୍ତାବନାରୁ ଧର୍ମନିରପେକ୍ଷତା ଓ ସମାଜବାଦକୁ ହଟାଇବା ପ୍ରସ୍ତାବକୁ ନେଇ ହଙ୍ଗାମା ହେଉଛି। ଏହାର କାରଣ ହେଉଛି ସାମ୍ବିଧାନିକ ସଂସ୍କାର ଆୟୋଗଙ୍କ ସୁପାରିସ। ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର ହେବା ପରେ ଦାୟିତ୍ୱ ଗ୍ରହଣ କରିଥିବା ମହମ୍ମଦ ୟୁନୁସ୍ ଏହି କମିଶନ ଗଠନ କରିଥିଲେ। ସମ୍ବିଧାନରୁ ଧର୍ମନିରପେକ୍ଷତା ଓ ସମାଜବାଦକୁ ହଟାଇବାକୁ କମିଶନ ତାଙ୍କ ରିପୋର୍ଟରେ ପ୍ରସ୍ତାବ ଦେଇଛନ୍ତି। ଧର୍ମନିରପେକ୍ଷତା ଏବଂ ସମାଜବାଦ ବାଂଲାଦେଶ ସମ୍ବିଧାନରେ ଥିବା ଚାରିଟି ନୀତି ମଧ୍ୟରୁ ଅନ୍ୟତମ। ଏଭଳି ସ୍ଥିତିରେ ବାମପନ୍ଥୀ ଓ ସମାଜବାଦୀ ଦଳ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଥିସହିତ ଏହା ଏକ ନୂଆ ପ୍ରଶ୍ନକୁ ମଧ୍ୟ ଜନ୍ମ ଦେଇଛି। ନୂଆ ପ୍ରଶ୍ନ ହେଉଛି, ଯେତେବେଳେ ଇସଲାମ ବାଂଲାଦେଶର ଜାତୀୟ ଧର୍ମ, ସେତେବେଳେ ସମ୍ବିଧାନରେ ଧର୍ମନିରପେକ୍ଷତାର ଅର୍ଥ କ’ଣ?
ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ବାଂଲାଦେଶ ଗଠନ ପରଠାରୁ ଅର୍ଥାତ୍ ୧୯୭୧ ମସିହାରୁ ବାଂଲାଦେଶରେ ଧର୍ମନିରପେକ୍ଷତାକୁ ନେଇ ବିତର୍କ ଚାଲିଛି। ଦେଶର ସ୍ୱାଧୀନତା ସଂଗ୍ରାମୀ ନେତା ତଥା ଶେଖ ହସିନାଙ୍କ ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନ ଏକ ଧର୍ମନିରପେକ୍ଷ, ଉଦାରବାଦୀ ଓ ଗଣତାନ୍ତ୍ରିକ ବାଂଲାଦେଶ ବିଷୟରେ କହିଥିଲେ। ତେବେ ସେତେବେଳେ ମଧ୍ୟ କିଛି ଲୋକ ପାକିସ୍ତାନଠାରୁ ଅଲଗା ଦେଶ ଗଠନକୁ ବିରୋଧ କରୁଥିଲେ। ସେମାନେ ଏହାକୁ ମୁସଲମାନମାନଙ୍କ ମଧ୍ୟରେ ବିଭାଜନ ଭାବରେ ଦେଖୁଥିଲେ । ଅନ୍ୟପଟେ ଗୋଟିଏ ପକ୍ଷ ଧର୍ମନିରପେକ୍ଷ ରାଷ୍ଟ୍ର ଗଠନ ଉପରେ ଜୋର ଦେଉଥିଲା। ଜୁନ୍ ୨୦୨୪ରେ ବାଂଲାଦେଶର ଧର୍ମନିରପେକ୍ଷତା ବିତର୍କ ଉପରେ ଦେଶର ଅଗ୍ରଣୀ ଖବରକାଗଜ ଡେଲି ଷ୍ଟାରରେ ନଫିଜ୍ ଅହମ୍ମଦଙ୍କ ଏକ ଲେଖା ପ୍ରକାଶ ପାଇଥିଲା।
ବାଂଲାଦେଶରେ ଧର୍ମନିରପେକ୍ଷତା ଏବଂ ସମ୍ବିଧାନ
ଢାକାର ଉତ୍ତର ଦକ୍ଷିଣ ବିଶ୍ୱବିଦ୍ୟାଳୟର ନ୍ୟାୟଶାସ୍ତ୍ରର ପ୍ରଫେସର ନଫିସ ଅହମ୍ମଦ ତାଙ୍କ ଲେଖାରେ କହିଛନ୍ତି, “ବାଂଲାଦେଶ ସମ୍ବିଧାନର ସବୁଠାରୁ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଧର୍ମନିରପେକ୍ଷତା (ଧାରା ୧୨)କୁ ବଜାୟ ରଖିବାର ପ୍ରତିଶ୍ରୁତି। ଏହା ବିଶେଷ କାରଣ ସମ୍ବିଧାନ ମଧ୍ୟ ଇସଲାମକୁ ନିଜର ରାଷ୍ଟ୍ରଧର୍ମ ଭାବେ ଘୋଷଣା କରିଛି (ଧାରା ୨ଏ)। ‘
ବାଂଲାଦେଶର ମୂଳ ସମ୍ବିଧାନରେ ଧର୍ମନିରପେକ୍ଷତା ପ୍ରତିଶ୍ରୁତି ଦିଆଯାଇଥିଲା ବୋଲି ନଫିସ୍ କହିଛନ୍ତି। ପରେ ସଂଶୋଧନ ମାଧ୍ୟମରେ ଜାତୀୟ ଧର୍ମକୁ ଯୋଡାଯାଇଥିଲା । ଏହାପରେ ଧର୍ମନିରପେକ୍ଷତାକୁ ମଧ୍ୟ ସମ୍ବିଧାନରୁ ହଟାଇ ଦିଆଯାଇଥିଲା। ପରେ ଆଉ ଏକ ସଂଶୋଧନ ମାଧ୍ୟମରେ ଏହାକୁ ପୁନରୁଦ୍ଧାର କରାଯାଇଥିଲା। ବର୍ତମାନ ବାଂଲାଦେଶ ସମ୍ବିଧାନରେ ଉଭୟ ଧର୍ମନିରପେକ୍ଷତା ଓ ରାଷ୍ଟ୍ରଧର୍ମ ରହିଛି।
ଧର୍ମନିରପେକ୍ଷତା ଓ ଜାତୀୟ ଧର୍ମ ପରସ୍ପର ବିରୋଧୀ?
ପ୍ରଫେସର ନଫିସ ଅହମ୍ମଦ କହନ୍ତି, “ଯଦି ଦେଖାଯାଏ, ଧର୍ମନିରପେକ୍ଷତା ଏବଂ ସାମ୍ବିଧାନିକ ସ୍ୱୀକୃତିପ୍ରାପ୍ତ ରାଜ୍ୟ ଧର୍ମର ଅସ୍ତିତ୍ୱ ପରସ୍ପର ବିରୋଧୀ ମନେହୁଏ କାରଣ ଉଭୟଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ସଂଘର୍ଷ ରହିଛି। ଏହି ପ୍ରଶ୍ନକୁ ବାଂଲାଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ବିଚାର କରିଛନ୍ତି। ୨୦୧୬ରେ ବାଂଲାଦେଶର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ ଯେ ରାଷ୍ଟ୍ରଧର୍ମ ରହିବା ଧର୍ମନିରପେକ୍ଷତାର ଧାରଣାକୁ ଉଲ୍ଲଂଘନ କରେ ନାହିଁ। ଏହା ସମ୍ବିଧାନର ମୌଳିକ ଢାଞ୍ଚାକୁ ପ୍ରଭାବିତ କରେ ନାହିଁ କିମ୍ବା ସାମ୍ବିଧାନିକ ଭାବେ ସୁନିଶ୍ଚିତ ଧର୍ମୀୟ ସ୍ୱାଧୀନତାକୁ ଉଲ୍ଲଂଘନ କରେ ନାହିଁ ବୋଲି କୋର୍ଟ କହିଛନ୍ତି।
ସୁପ୍ରିମକୋର୍ଟଙ୍କ ରାୟ ବାଂଲାଦେଶରେ ଧର୍ମନିରପେକ୍ଷତା ବିଷୟରେ ଏକ ନୂତନ ଆଲୋଚନା ସୃଷ୍ଟି କରିଛି ଏବଂ ଇସଲାମକୁ ରାଷ୍ଟ୍ରଧର୍ମ ଭାବରେ ସ୍ୱୀକୃତି ଦେବାର ନିଷ୍ପତ୍ତି ଉପରେ ଏକ ନୂତନ ଦିଗ ସୃଷ୍ଟି କରିଛି ବୋଲି ନଫିସ୍ ବିଶ୍ୱାସ କରନ୍ତି । ଏଭଳି ସ୍ଥିତିରେ ସମ୍ବିଧାନରୁ ଧର୍ମନିରପେକ୍ଷତା ହଟାଇବା ପ୍ରସ୍ତାବ ବାଂଲାଦେଶର ଭବିଷ୍ୟତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ବାଂଲାଦେଶ ଏକ ନୂଆ ମାର୍ଗ ବାଛିବ କି ନାହିଁ ତାହା ଦେଖିବାକୁ ବାକି ରହିଲା।
