ବଲିଉଡ଼ ସଙ୍ଗୀତ ଜଗତରେ ଏକ ବଡ଼ ଓ ଅପ୍ରତ୍ୟାଶିତ ଖବର ସାମ୍ନାକୁ ଆସିଛି। ପ୍ରଖ୍ୟାତ ପ୍ଲେବ୍ୟାକ୍ ସିଙ୍ଗର ଅରିଜିତ ସିଂ ବଲିଉଡ଼ ଫିଲ୍ମ ପାଇଁ ଗୀତ ଗାଇବାକୁ ଆଉ ଆଗକୁ ଜାରି ରଖିବେନି ବୋଲି ଘୋଷଣା କରିଛନ୍ତି। ଏନେଇ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସ୍ପଷ୍ଟ କଥା ରଖିଛନ୍ତି, ଯାହା ପରେ ସାରା ଦେଶର ତାଙ୍କ ଲକ୍ଷଲକ୍ଷ ପ୍ରଶଂସକ ସ୍ତବ୍ଧ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଦିଆଯାଇଥିବା ଏକ ପୋଷ୍ଟରେ ଅରିଜିତ କହିଛନ୍ତି, “ମୁଁ ଏବେ କାମ କରି କରି ବୋର୍ ହୋଇଗଲିଣି। ଆଉ ଫିଲ୍ମ ପାଇଁ ଗୀତ ଗାଇବିନି।” ତାଙ୍କର ଏହି ଘୋଷଣା ବଲିଉଡ଼ ସଙ୍ଗୀତ ଶିଳ୍ପରେ ଏକ ଯୁଗର ଶେଷ ବୋଲି ଧରାଯାଉଛି।

ତେବେ ଅରିଜିତ ସ୍ପଷ୍ଟ କରିଛନ୍ତି ଯେ ସେ ସଙ୍ଗୀତକୁ ସମ୍ପୂର୍ଣ୍ଣ ଭାବେ ଛାଡୁନାହାନ୍ତି। ସେ କହିଛନ୍ତି ଯେ ସେ ସଙ୍ଗୀତର ଜଣେ ବଡ଼ ପ୍ରଶଂସକ ଓ ନିଜ ମନର ଖୁସି ପାଇଁ ନୂଆ ପ୍ରକାରର ସଙ୍ଗୀତ ଶିଖିବାକୁ ଓ ସ୍ୱାଧୀନ ଭାବେ ସଙ୍ଗୀତ ତିଆରି କରିବାକୁ ଚାହୁଁଛନ୍ତି । “ଏବେ ମୁଁ ମୋ ନିଜ ପାଇଁ ସଙ୍ଗୀତ କରିବାକୁ ଚାହୁଁଛି,” ବୋଲି ସେ ଲେଖିଛନ୍ତି।
ଅରିଜିତ ସିଂହଙ୍କ କହିବା ଅନୁସାରେ, ଯେଉଁ ସମସ୍ତ ଫିଲ୍ମ ଗୀତ ପାଇଁ ସେ ପୂର୍ବରୁ ଚୁକ୍ତି କରିସାରିଛନ୍ତି, ସେଗୁଡ଼ିକୁ ସେ ଶେଷ କରିବେ। ସେଥିପାଇଁ ଚଳିତ ବର୍ଷ ତାଙ୍କର କିଛି ନୂଆ ବଲିଉଡ଼ ଗୀତ ଶୁଣିବାକୁ ମିଳିପାରେ। କିନ୍ତୁ ତା’ପରେ ସେ ଆଉ ନୂଆ ଫିଲ୍ମ ପ୍ରୋଜେକ୍ଟ ନେବେନି।

ଅରିଜିତଙ୍କ ଏହି ଘୋଷଣା ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଅନେକ ପ୍ରଶଂସକ ଏହାକୁ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲିଙ୍କ ଟେଷ୍ଟ କ୍ରିକେଟରୁ ଅବସର ସହ ତୁଳନା କରୁଛନ୍ତି। କେହି କେହି ଏହାକୁ “ବଲିଉଡ଼ ପାଇଁ ଅପୂରଣୀୟ କ୍ଷତି” ବୋଲି କହୁଛନ୍ତି।
ଦୀର୍ଘ ଦଶନ୍ଧି ଧରି ବଲିଉଡ଼ରେ ଅରିଜିତ ସିଂ ନିଜର ସ୍ୱତନ୍ତ୍ର ସ୍ୱର ଓ ଭାବପ୍ରବଣ ଗାୟନ ଶୈଳୀରେ ଏକ ଅଦ୍ୱିତୀୟ ପରିଚୟ ଗଢ଼ିଥିଲେ। “ତୁମ୍ ହି ହୋ”, “ଚନ୍ନା ମେରେୟା”, “ଖେରିୟତ୍”, “ରାତାଁ ଲମ୍ବିୟାଁ” ଭଳି ଗୀତ ମାଧ୍ୟମରେ ସେ କୋଟିକୋଟି ଶ୍ରୋତାଙ୍କ ହୃଦୟରେ ସ୍ଥାନ ପାଇଥିଲେ।
ତେବେ ଫିଲ୍ମ ପ୍ଲେବ୍ୟାକ୍ ସିଙ୍ଗିଂକୁ ଅଲବିଦା କହିଥିଲେ ମଧ୍ୟ, ଅରିଜିତ ସିଂ ନିଜସ୍ୱ ଆଲବମ୍ ଓ ସ୍ୱାଧୀନ ସଙ୍ଗୀତ କ୍ଷେତ୍ରରେ ସକ୍ରିୟ ରହିବେ ବୋଲି ସୂଚନା ଦେଇଛନ୍ତି। ଏହା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଆଶାର କିରଣ ହୋଇ ରହିଛି।
also read https://purvapaksa.com/ajit-pawar-dies-in-plane-crash/


