ଭାରତ ମହାସାଗର କ୍ଷେତ୍ରରେ ଚୀନ୍ର ବୃଦ୍ଧି ପାଉଥିବା ସାମୁଦ୍ରିକ ଆଧିପତ୍ୟ ଓ ବୁଡ଼ାଜାହାଜର ଗତିବିଧିକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ନୌସେନା ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିଛି। ଏହି କ୍ରମରେ ଆମେରିକାରୁ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସଜ୍ଜିତ ଆଉ ଏକ ଏମଏଚ୍-୬୦ଆର ସିହକ୍ ନାଭାଲ ହେଲିକପ୍ଟର ସଫଳତାର ସହ ଭାରତୀୟ ମାଟିରେ ଅବତରଣ କରିଛି। ଆମେରିକା ଦ୍ୱାରା ନିର୍ମିତ ଏହି ଶକ୍ତିଶାଳୀ ହେଲିକପ୍ଟରଟିକୁ କେରଳର କୋଚିସ୍ଥିତ ନୌସେନା ବେସ୍ରେ ଅଫିସିଆଲ୍ ଭାବେ ହସ୍ତାନ୍ତର କରାଯାଇଛି ଏବଂ ଏହି ସପ୍ତାହ ମଧ୍ୟରେ ଆଉ ଦୁଇଟି ସିହକ୍ ହେଲିକପ୍ଟର ଭାରତ ଆସିବାକୁ ଯାଉଛି। ଭାରତରେ ଅବସ୍ଥାପିତ ଆମେରିକୀୟ ଦୂତାବାସ ଏହି ବଡ଼ ସଫଳତାର ସୂଚନା ଦେଇ ଭାରତ-ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ରଣନୈତିକ ଭାଗିଦାରୀକୁ ନେଇ ଗଭୀର ସନ୍ତୋଷ ବ୍ୟକ୍ତ କରିଛନ୍ତି।

୨୪ଟି ବିମାନ ଚୁକ୍ତିର ଅଂଶବିଶେଷ: ବୁଡ଼ାଜାହାଜ ପାଇଁ ସାଜିବ ‘ଯମଦୂତ’
ନୌସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତ ସରକାର ଫେବୃଆରୀ ୨୦୨୦ ମସିହାରେ ଆମେରିକା ସରକାରଙ୍କ ସହ ‘ଫରେନ୍ ମିଲିଟାରୀ ସେଲ୍ସ’ କାର୍ଯ୍ୟକ୍ରମ ଅଧୀନରେ ୨୪ଟି MH-60R ସିହକ୍ ହେଲିକପ୍ଟର କ୍ରୟ କରିବା ପାଇଁ ଏକ ମେଗା ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଥିଲେ। ବର୍ତ୍ତମାନ ପହଞ୍ଚିଥିବା ହେଲିକପ୍ଟରଟି ସେହି ଚୁକ୍ତିର ହିଁ ଏକ ପ୍ରମୁଖ ଅଂଶ।
ସାମୁଦ୍ରିକ ଯୁଦ୍ଧକ୍ଷେତ୍ରରେ ବିଶେଷ କରି ସମୁଦ୍ର ଗର୍ଭରେ ଲୁଚି ରହିଥିବା ଶତ୍ରୁ ରାଷ୍ଟ୍ରର ବୁଡ଼ାଜାହାଜଗୁଡ଼ିକୁ ଖୋଜି ବାହାର କରି ଧ୍ୱଂସ କରିବାରେ ଏହି ହେଲିକପ୍ଟର ବିଶ୍ୱରେ ସବୁଠାରୁ ଆଗଧାଡ଼ିର ସାମରିକ ଉପକରଣ ଅଟେ। ସେଥିପାଇଁ ପ୍ରତିରକ୍ଷା ମହଲରେ ଏହାକୁ ‘ସବ୍ମେରିନ୍ ହଣ୍ଟର’ ବା ‘ରୋମିଓ’ ହେଲିକପ୍ଟର ବୋଲି ମଧ୍ୟ କୁହାଯାଏ।
କାହିଁକି ଏତେ ମାରାତ୍ମକ ଏହି MH-60R ସିହକ୍?
Another MH-60R Seahawk naval helicopter touched down on Indian shores! Developed by @LockheedMartin, this highly equipped helicopter was delivered to the @IndianNavy at Kochi last week, with two more arriving this week. Thrilled to see the U.S.-India defense partnership growing… pic.twitter.com/v3bHFcKj8m
— U.S. Embassy India (@USAndIndia) July 17, 2026
ଲକହିଡ୍ ମାର୍ଟିନ୍ କମ୍ପାନୀ ଦ୍ୱାରା ନିର୍ମିତ ଏହି ଅତ୍ୟାଧୁନିକ ହେଲିକପ୍ଟରର କ୍ଷମତା ଶତ୍ରୁ ସେନାର ନିଦ ହଜାଇ ଦେବା ପାଇଁ ଯଥେଷ୍ଟ:
ଶକ୍ତିଶାଳୀ ରାଡାର ଓ ସେନ୍ସର : ଏଥିରେ ଉଚ୍ଚ ସମ୍ବେଦନଶୀଳ ‘ଡିପିଙ୍ଗ୍ ସୋନାର୍’ , ସୋନୋବୁୟେସ୍ ଏବଂ ମଲ୍ଟି-ମୋଡ୍ ରାଡାର୍ ସିଷ୍ଟମ୍ ଲାଗିଛି, ଯାହା ସମୁଦ୍ରର ଅଥଳ ଜଳରାଶି ମଧ୍ୟରେ ଲୁଚିଥିବା ଯେକୌଣସି ଛୋଟରୁ ଛୋଟ ବୁଡ଼ାଜାହାଜର ସ୍ଥିତିକୁ ସଠିକ ଭାବେ ଚିହ୍ନଟ କରିପାରେ।
ଘାତକ ଯୁଦ୍ଧାସ୍ତ୍ର ସଜ୍ଜିତ : ଶତ୍ରୁ ଉପରେ ଆକ୍ରମଣ ପାଇଁ ଏହି ହେଲିକପ୍ଟରରେ ମାର୍କ-୫୪ ହାଲୁକା ଟର୍ପେଡୋ ଏବଂ ଅତି ସଠିକ ଲକ୍ଷ୍ୟଭେଦୀ ଏଜିଏମ-୧୧୪ ହେଲଫାୟାର୍ ମିସାଇଲ୍ ଖଞ୍ଜାଯାଇଛି।
ବହୁମୁଖୀ ବ୍ୟବହାର : ଏହା କେବଳ ଯୁଦ୍ଧ କ୍ଷେତ୍ରରେ ନୁହେଁ, ବରଂ ସମୁଦ୍ର ମଧ୍ୟରେ ସର୍ଭେଲାନ୍ସ , ଜରୁରୀକାଳୀନ ସର୍ଚ୍ଚ ଆଣ୍ଡ ରେସକ୍ୟୁ,ମେଡିକାଲ୍ ଇଭାକ୍ୟୁଏସନ୍ ଏବଂ ଯୁଦ୍ଧପୋତଗୁଡ଼ିକୁ ରସଦ ଯୋଗାଇବାରେ ମଧ୍ୟ ବ୍ୟବହୃତ ହୋଇପାରିବ।
‘ବ୍ଲୁ-ୱାଟର’ କ୍ଷମତା ଏବଂ ଭାରତୀୟ ସାଗରରେ ସୁରକ୍ଷା ପ୍ରାଚୀର

ଭାରତୀୟ ପାଣିପାଗ ଓ ବାୟୁମଣ୍ଡଳୀୟ ସ୍ଥିତି ରେ ଏହି ହେଲିକପ୍ଟରଗୁଡ଼ିକର କଠୋର ପରୀକ୍ଷଣ କରାଯାଇ ଏହାକୁ ସମ୍ପୂର୍ଣ୍ଣ ଭାବେ ସେନା ଗ୍ରୁପ୍ରେ ସାମିଲ କରାଯାଇଛି। ଏହାର ଅନ୍ତର୍ଭୁକ୍ତିକରଣ ଦ୍ୱାରା ନୌସେନାର ‘ବ୍ଲୁ-ୱାଟର’ କ୍ଷମତା ଅର୍ଥାତ୍ ଗଭୀର ଏବଂ ଦୂରବର୍ତ୍ତୀ ଆନ୍ତର୍ଜାତୀୟ ଜଳଭାଗରେ ଦୀର୍ଘ ସମୟ ଧରି ସାମରିକ ଅପରେସନ ଚଲାଇବାର ଶକ୍ତି ବହୁ ଗୁଣରେ ବୃଦ୍ଧି ପାଇଛି।
ଭାରତ ସରକାରଙ୍କ ‘ସାଗର’ ଦୂରଦୃଷ୍ଟିସମ୍ପନ୍ନ ନୀତି ଅନୁଯାୟୀ, ହିନ୍ଦ ମହାସାଗର କ୍ଷେତ୍ରରେ ସର୍ବଦା ଶାନ୍ତି ଓ ସୁରକ୍ଷିତ ବାତାବରଣ ବଜାୟ ରଖିବା ଏବଂ କୌଣସି ବାହ୍ୟ ଅନୁପ୍ରବେଶକୁ ରୋକିବା ଦିଗରେ ଏହି ନୂତନ ହେଲିକପ୍ଟର ଭାରତୀୟ ସେନା ପାଇଁ ସବୁଠାରୁ ବଡ଼ ସୁରକ୍ଷା କବଚ ସାବ୍ୟସ୍ତ ହେବ। ନିକଟରେ ‘ଅପରେସନ ସିନ୍ଦୂର’ ସମୟରେ ମଧ୍ୟ ସିହକ୍ ହେଲିକପ୍ଟର ନିଜର ଚମତ୍କାର କାର୍ଯ୍ୟଦକ୍ଷତା ପ୍ରମାଣିତ କରିସାରିଛି।


