ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ପ୍ରଭାବଶାଳୀ ନେତା ସ୍ୱର୍ଗତ ଅଜିତ ପାୱାରଙ୍କ ଜୟନ୍ତୀ ଅବସରରେ କେନ୍ଦ୍ର ଓ ରାଜ୍ୟର ଅନେକ ବିଶିଷ୍ଟ ନେତୃବୃନ୍ଦ ତାଙ୍କ ସ୍ମୃତିଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଜିତ ପାୱାରଙ୍କ ଜନସେବା, ପ୍ରଶାସନିକ ଦକ୍ଷତା ଏବଂ ମହାରାଷ୍ଟ୍ରର ପ୍ରଗତିରେ ତାଙ୍କର ଅବଦାନକୁ ସ୍ମରଣ କରିବା ସହ ତାଙ୍କୁ ଜଣେ ଗ୍ରହଣଯୋଗ୍ୟ ଏବଂ ପ୍ରଭାବଶାଳୀ ଜନନେତା ଭାବେ ଅଭିହିତ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ଶେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, “ଶ୍ରୀ ଅଜିତ ପାୱାର ଜୀଙ୍କ ଜୟନ୍ତୀ ଅବସରରେ ମୁଁ ତାଙ୍କୁ ଆଦରର ସହ ସ୍ମରଣ କରୁଛି। ସମାଜ ପ୍ରତି ତାଙ୍କର ନିରନ୍ତର ସେବା ଏବଂ ମହାରାଷ୍ଟ୍ରର ସର୍ବାଙ୍ଗୀନ ବିକାଶରେ ତାଙ୍କର ଯୋଗଦାନ ଅତ୍ୟନ୍ତ ଉଲ୍ଲେଖନୀୟ ଥିଲା। ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ନିକଟରେ ତାଙ୍କର ଗଭୀର ଶ୍ରଦ୍ଧା ଓ ସମ୍ମାନ ଥିଲା। ମହାରାଷ୍ଟ୍ରରେ ବର୍ତ୍ତମାନର NDA ସରକାର ତାଙ୍କ ସ୍ୱପ୍ନ ଓ ସଂକଳ୍ପକୁ ସାକାର କରିବା ପାଇଁ ଅବିରତ କାର୍ଯ୍ୟ କରୁଛି।”
Remembering Shri Ajit Pawar Ji on his birth anniversary. His service to society and contribution to Maharashtra’s development were noteworthy. He was widely respected by all sections of society. The NDA Government in the state is working tirelessly to realise his vision.
— Narendra Modi (@narendramodi) July 22, 2026
ଅନ୍ୟପକ୍ଷରେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ସ୍ୱର୍ଗତ ଅଜିତ ପାୱାରଙ୍କୁ ‘ଅଜିତଦାଦା’ ବୋଲି ସମ୍ବୋଧନ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି ଯେ,”ଅଜିତଦାଦାଙ୍କ ଦୂରଦୃଷ୍ଟିସମ୍ପନ୍ନ, ସର୍ବସମାବେଶୀ ଏବଂ ଜନକୈନ୍ଦ୍ରିକ ନେତୃତ୍ୱ ମହାରାଷ୍ଟ୍ରର ଅର୍ଥନୀତି ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ଏକ ଅଲିଭା ଛାପ ଛାଡ଼ିଯାଇଛି। ରାଜ୍ୟର କୃଷି, ସମବାୟ କ୍ଷେତ୍ର ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହାକୁ ପୂରଣ କରିବା ନେଇ ରାଜ୍ୟ ସରକାର ସଂକଳ୍ପବଦ୍ଧ।”

ଏହି ସ୍ମରଣୀୟ ଦିବସରେ ଅଜିତ ପାୱାରଙ୍କ ଧର୍ମପତ୍ନୀ ତଥା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ନିଜ ସ୍ୱାମୀଙ୍କୁ ମନେ ପକାଇ ଏକ ଅତ୍ୟନ୍ତ ଭାବବିହ୍ୱଳ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, “ବର୍ଷ ବର୍ଷ ଧରି ମୁଁ ଆପଣଙ୍କ ଜନ୍ମଦିନକୁ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦର ସହ ପାଳନ କରିଆସୁଥିଲି। ଘର ଆମର ଖୁସିରେ ଭରିଯାଉଥିଲା। କିନ୍ତୁ ଆଜି ପ୍ରଥମ ଥର ପାଇଁ ଆପଣଙ୍କ ବିନା ଏହି ଦିନଟିକୁ ‘ଜୟନ୍ତୀ’ ଭାବେ ପାଳନ କରିବାବେଳେ ମୋ ହୃଦୟ ଭାଙ୍ଗିଯାଉଛି। ଆପଣ ଶାରୀରିକ ଭାବେ ଆମ ଗହଣରେ ନଥିଲେ ମଧ୍ୟ ଆପଣଙ୍କ ନୀତି, ଶୃଙ୍ଖଳା, ଜନସେବାର ମନୋଭାବ ଏବଂ ଅପାର ଭଲପାଇବା ମୋର ପ୍ରତ୍ୟେକ ନିଶ୍ୱାସରେ ଜୀବନ୍ତ ରହିବ।” ଏହାପୂର୍ବରୁ ସୁନେତ୍ରା ପାୱାର ଏବଂ ସାଂସଦ ପୁଅ ଜୟ ପାୱାର ବାରାମତୀସ୍ଥିତ ଅଜିତ ପାୱାରଙ୍କ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

୧୯୫୯ ଜୁଲାଇ ୨୨ରେ ଅହମ୍ମଦନଗର (ବର୍ତ୍ତମାନର ଅହଲ୍ୟାନଗର) ଜିଲ୍ଲାର ଦେବଲାଲୀ ପ୍ରବରାରେ ଜନ୍ମଗ୍ରହଣ କରିଥିବା ଅଜିତ ପାୱାର ମହାରାଷ୍ଟ୍ର ରାଜନୀତିର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ନେତା ଥିଲେ। ସେ ମହାରାଷ୍ଟ୍ରର ସବୁଠାରୁ ଦୀର୍ଘସମୟ ଧରି ସେବା ଯୋଗାଇଥିବା ଉପମୁଖ୍ୟମନ୍ତ୍ରୀ ଭାବେ ୬ ଥର ଏହି ଗୁରୁଦାୟିତ୍ୱ ତୁଲାଇଥିଲେ। ପ୍ରଶାସନ ଉପରେ କଡ଼ା ଲଗାମ, ବଜେଟ୍ ପ୍ରସ୍ତୁତିରେ ଦକ୍ଷତା ଏବଂ ଜନସାଧାରଣଙ୍କ ସମସ୍ୟାର ସଠିକ୍ ସମାଧାନ ପାଇଁ ସେ ସମଗ୍ର ରାଜ୍ୟରେ ଜଣାଶୁଣା ଥିଲେ। ଚଳିତ ବର୍ଷ ତାଙ୍କର ଅକାଳ ବିୟୋଗ ମହାରାଷ୍ଟ୍ର ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଥିଲା।
ତାଙ୍କ ଜୟନ୍ତୀ ଅବସରରେ ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ରକ୍ତଦାନ ଶିବିର ପରି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସର୍ବଦଳୀୟ ନେତା, କାର୍ଯ୍ୟକର୍ତ୍ତା ଏବଂ ସାଧାରଣ ଜନତା ତାଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିଛନ୍ତି।


