Uniform Civil Code: ଗୁଜୁରାଟର ବିଜେପି ସରକାର ମଙ୍ଗଳବାର ସୁପ୍ରିମ୍ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍ ର ଆବଶ୍ୟକତା ଆକଳନ କରିବା ସହ ଏଥିପାଇଁ ଏକ ବିଲ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି।
ସୁପ୍ରିମ୍ କୋର୍ଟର ପୂର୍ବତନ ବିଚାରପତି ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ କମିଟି ୪୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ ଏବଂ ଏହା ପରେ ୟୁସିସି କାର୍ଯ୍ୟକାରୀ କରିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଏହି କମିଟି ମୁସଲମାନ ସମ୍ପ୍ରଦାୟ ସମେତ ଧାର୍ମିକ ନେତାମାନଙ୍କୁ ମଧ୍ୟ ଭେଟି ରିପୋର୍ଟ ପ୍ରସ୍ତୁତ କରିବ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। ସିଏମ ପଟେଲ କହିଛନ୍ତି, ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)ର ଆବଶ୍ୟକତା ଆକଳନ କରିବା ଏବଂ ଏଥିପାଇଁ ଏକ ଡ୍ରାଫ୍ଟ ବିଲ୍ ପ୍ରସ୍ତୁତ କରିବା ପାଇଁ ଆମେ ସୁପ୍ରିମ୍ କୋର୍ଟର ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛୁ।
ଏହି କମିଟିରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ସିଏଲ୍ ମୀନା, ଆଇନଜୀବୀ ଆର୍ ସି କୋଡେକର, ବୀର ନର୍ମଦ ଦକ୍ଷିଣ ଗୁଜୁରାଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଦକ୍ଷେଶ ଠାକର ଓ ସମାଜସେବୀ ଗୀତା ଶ୍ରଫ୍ ସାମିଲ ଅଛନ୍ତି। ଉଲ୍ଲେଖଯୋଗ୍ୟ, ବିଜେପି ଶାସିତ ଉତ୍ତରାଖଣ୍ଡ ୟୁସିସି ଲାଗୁ କରିସାରିଛି।
ସିଏମ ପଟେଲ କହିଛନ୍ତି ଯେ ଗୁଜରାଟ ସରକାର ସମଗ୍ର ଦେଶରେ ୟୁସିସି କାର୍ଯ୍ୟକାରୀ କରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପପୂରଣ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହି ୫ ଜଣିଆ କମିଟି ୟୁସିସି ସହ ଜଡ଼ିତ ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନେଇ ରିପୋର୍ଟ ପ୍ରସ୍ତୁତ କରିବ।
ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସଂଘଭି କହିଛନ୍ତି ଯେ ୟୁସିସି କାର୍ଯ୍ୟକାରୀ ହେଲେ ଆଦିବାସୀଙ୍କ ଅଧିକାରର ସୁରକ୍ଷା ହେବ। ଉତ୍ତରାଖଣ୍ଡ ସରକାର କାର୍ଯ୍ୟକାରୀ କରିଥିବା ୟୁସିସି ଆଦିବାସୀଙ୍କ ରୀତିନୀତି ଓ ପରମ୍ପରାକୁ ସୁରକ୍ଷା ଦେଉଥିବାରୁ ଦେଶ ସମ୍ମୁଖରେ ଏକ ମଡେଲ ଉପସ୍ଥାପନ କରିଛି। ଆମର (କେନ୍ଦ୍ର) ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଝାଡ଼ଖଣ୍ଡରେ ସ୍ପଷ୍ଟ କରିଛନ୍ତି ଯେ ୟୁସିସି ଆଦିବାସୀଙ୍କ ପରମ୍ପରାକୁ ସୁରକ୍ଷା ଦେବ।
ଏହି କମିଟି ମୁସଲମାନ ନେତାଙ୍କ ସମେତ ଧାର୍ମିକ ନେତାଙ୍କୁ ଭେଟି ରିପୋର୍ଟ ପ୍ରସ୍ତୁତ କରିବ ବୋଲି କହିଛନ୍ତି ।
ALSO READ: https://purvapaksa.com/pm-modi-takes-3-mps-of-family-jibe-at-gandhis-tears-into-aap-in-ls-speech/