ଭୌଗୋଳିକ ଦୃଷ୍ଟିକୋଣରୁ ପଶ୍ଚିମବଙ୍ଗ ଓ ଓଡ଼ିଶା ଦୁଇ ଭାଇ ସମାନ। ସଂସ୍କୃତି, ଖାଦ୍ୟପେୟ ଓ ଇତିହାସରେ ଉଭୟ ରାଜ୍ୟ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। କିନ୍ତୁ ବିଗତ କିଛିମାସ ହେବ ରାଜନୈତିକ ସମୀକରଣ ଏଭଳି ବଦଳିଛି ଯେ, ଉଭୟ ରାଜ୍ୟ ମଧ୍ୟରେ ସମ୍ପର୍କ ଏକ ଅସ୍ୱାଭାବିକ ମୋଡ଼ ନେଇଛି। ବିଶେଷ କରି ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଭିମୁଖ୍ୟ ଓଡ଼ିଶା ପ୍ରତି ଅତ୍ୟନ୍ତ କଠୋର ଓ ଅସୂୟାପୂର୍ଣ୍ଣ ହେବାରେ ଲାଗିଛି। ଯେଉଁ ପଡ଼ୋଶୀ ପଣିଆରେ ସୌହାର୍ଦ୍ଦ୍ୟ ରହିବା କଥା, ସେଠାରେ ଏବେ ‘ଧମକ’ ଓ ‘ବିଶୋଦ୍ଗାର’ର ଭାଷା ଶୁଣିବାକୁ ମିଳୁଛି।
ଓଡ଼ିଆଙ୍କ ପ୍ରତି ଅପମାନଜନକ ଟିପ୍ପଣୀ

ପଶ୍ଚିମବଙ୍ଗର ରାଜନୈତିକ ମଞ୍ଚରୁ ବାରମ୍ବାର ଓଡ଼ିଆ ଜାତି ଓ ଓଡ଼ିଶାର ଶ୍ରମିକଙ୍କୁ ନେଇ କଟାକ୍ଷ କରାଯାଉଛି। ଓଡ଼ିଆ ଲୋକମାନେ ମାଗଣା ଚାଉଳ ଓ ସରକାରୀ ଯୋଜନାର ସୁବିଧା ପାଇ ଅଳସୁଆ ବା ‘କୋଢ଼ିଆ’ ହୋଇଯାଇଛନ୍ତି ବୋଲି ଯେଉଁ ଅରୁଚିକର ମନ୍ତବ୍ୟ ଦିଆଯାଉଛି, ତାହା ପ୍ରତ୍ୟେକ ଓଡ଼ିଆର ସ୍ୱାଭିମାନକୁ ଆଘାତ ଦେଇଛି। ଏପରି କହି ମମତା ବାନାର୍ଜୀ ନିଜ ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଶ୍ରମିକଙ୍କୁ ଶ୍ରେଷ୍ଠ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ବାସ୍ତବତା ହେଉଛି, ପଶ୍ଚିମବଙ୍ଗର ଆର୍ଥିକ ଅବସ୍ଥା ଓ ଶିଳ୍ପାୟନର ଦୂରାବସ୍ଥା ଯୋଗୁଁ ସେଠାକାର ଶ୍ରମିକମାନେ ଦୁଇ ଓଳି ମୁଠେ ଖାଇବା ପାଇଁ ଓଡ଼ିଶା ଉପରେ ନିର୍ଭରଶୀଳ।
ବଙ୍ଗାଳୀ ଶ୍ରମିକ ବେଶରେ ବାଂଲାଦେଶୀ ଅନୁପ୍ରବେଶକାରୀ
ଓଡ଼ିଶାରେ କାମ କରୁଥିବା ବଙ୍ଗଳାଭାଷୀ ଶ୍ରମିକଙ୍କ ମଧ୍ୟରେ ଏକ ବଡ଼ ଭାଗ ବାଂଲାଦେଶୀ ଅନୁପ୍ରବେଶକାରୀ ଥିବା ନେଇ ଗୋଇନ୍ଦା ରିପୋର୍ଟ ଓ ପୁଲିସ କାର୍ଯ୍ୟାନୁଷ୍ଠାନରୁ ସ୍ପଷ୍ଟ ହେଉଛି। ଏହି ଅନୁପ୍ରବେଶକାରୀମାନେ ଭାରତର ପଶ୍ଚିମବଙ୍ଗ ସୀମା ଦେଇ ପ୍ରବେଶ କରି ପରେ ଓଡ଼ିଶାକୁ ଆସୁଛନ୍ତି। ଏମାନେ କେବଳ ଶ୍ରମିକ ଭାବେ କାମ କରୁନାହାନ୍ତି, ବରଂ ଅନେକ ସମୟରେ ଅପରାଧିକ ଓ ଅନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହୁଛନ୍ତି। ରାଜ୍ୟର ସୁରକ୍ଷା ବ୍ୟବସ୍ଥା ପ୍ରତି ଏହା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଯେତେବେଳେ ଓଡ଼ିଶା ପୁଲିସ ଏହି ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଚିହ୍ନଟ କରୁଛି ବା ଗିରଫ କରୁଛି, ସେତେବେଳେ ପଶ୍ଚିମବଙ୍ଗ ସରକାରଙ୍କ ଭୂମିକା ସନ୍ଦେହଜନକ ହୋଇପଡ଼ୁଛି।
ମମତା ଓ ମହୁଆଙ୍କ ‘ଦରଦ’ ଓ ଧମକ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରତି ମମତା ବାନାର୍ଜୀ ଓ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କର ଅହେତୁକ ଅନୁକମ୍ପା ଦେଖିବାକୁ ମିଳୁଛି। ଭୋଟ ବ୍ୟାଙ୍କ ରାଜନୀତି ପାଇଁ ସେମାନେ ଜାତୀୟ ସୁରକ୍ଷାକୁ ବାଜି ଲଗାଇବାକୁ ପଛାଉ ନାହାନ୍ତି। ମହୁଆ ମୋଇତ୍ରାଙ୍କ ଭଳି ନେତାମାନେ ଓଡ଼ିଶା ବିରୋଧରେ ବିଷୋଦଗାର କରିବା ସହ ଧମକପୂର୍ଣ୍ଣ ସ୍ୱରରେ କଥା ହେଉଛନ୍ତି। ଏହା କେବଳ ଦୁଇ ରାଜ୍ୟର ସମ୍ପର୍କକୁ ଖରାପ କରୁନାହିଁ, ବରଂ ସଂଘୀୟ ବ୍ୟବସ୍ଥା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। ଜଣେ ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀଙ୍କର କର୍ତ୍ତବ୍ୟ ଥିଲା ଅନୁପ୍ରବେଶ ରୋକିବାରେ ସହଯୋଗ କରିବା, କିନ୍ତୁ ସେ ଓଲଟା ଓଡ଼ିଶାକୁ ସମାଲୋଚନା କରି ନିଜର ଆଞ୍ଚଳିକ ଅହଂକାର ପ୍ରଦର୍ଶନ କରୁଛନ୍ତି।
ମହୁଆ ମୋଇତ୍ରାଙ୍କ ଧମକ—ସଂସଦୀୟ ମର୍ଯ୍ୟାଦା କେଉଁଠି?
ଓଡ଼ିଶା ପ୍ରତି ଯେଉଁ ଭାଷା, ଯେଉଁ ଧମକପୂର୍ଣ୍ଣ ଉକ୍ତି କିଛି ଟିଏମ୍ସି ସାଂସଦଙ୍କ ମୁଖରୁ ବାହାରୁଛି—ସେହିଥିରେ ସଂସଦୀୟ ଶିଷ୍ଟାଚାରର ଅଭାବ ସ୍ପଷ୍ଟ। ଏକ ରାଜ୍ୟର ସାଂସଦ ଅନ୍ୟ ରାଜ୍ୟକୁ ଧମକ ଦେଉଛନ୍ତି—ଏହା କେବଳ ରାଜନୀତି ନୁହେଁ, ଏହା ଭାରତୀୟ ସଂଘୀୟ ଢଞ୍ଚା ପାଇଁ ଆପଦ।
ଭାଷା, ସଂସ୍କୃତି ଓ ଅସ୍ମିତା—ନୂଆ ସଂଘର୍ଷର ମଞ୍ଚ
ଓଡ଼ିଆ ଭାଷା ପ୍ରଥମ ସ୍ୱତନ୍ତ୍ର ଭାଷାଭାବେ ସ୍ୱୀକୃତ। ଓଡ଼ିଆ ସଂସ୍କୃତିର ଐତିହ୍ୟ ଗଭୀର। କିନ୍ତୁ ସୀମାଞ୍ଚଳରେ—
• ଓଡ଼ିଆ ଗାଁରେ ବଙ୍ଗାଳୀ ଭାଷା ଥୋପ
• ଓଡ଼ିଆ ପରିଚୟକୁ ଦୂର୍ବଳ କରିବା ଅପଚେଷ୍ଟା
• ଭୋଟ ତାଲିକାରେ ନକଲି ନାମ
ଏହା କେବଳ ପ୍ରଶାସନିକ ସମସ୍ୟା ନୁହେଁ—ଏହା ଏକ ଦୀର୍ଘମେୟାଦୀ ରାଜନୈତିକ ଯୋଜନା।
ଆଳୁ ଓ ଜରୁରୀ ପରିବହନରେ ରାଜନୀତି
ବାରମ୍ବାର ଦେଖାଯାଇଛି ଯେ, ଯେତେବେଳେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ କୌଣସି ବିବାଦ ଉପୁଜେ, ମମତା ସରକାର ଆଳୁ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ପରିବହନ ବନ୍ଦ କରି ଓଡ଼ିଶାକୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା କରନ୍ତି। ୨୦୨୪-୨୫ ମସିହାରେ ମଧ୍ୟ ଏହି ଦୃଶ୍ୟ ବହୁବାର ଦେଖିବାକୁ ମିଳିଛି। ଏକ ସ୍ୱାଧୀନ ରାଷ୍ଟ୍ର ଭିତରେ ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟକୁ ଏଭଳି ବ୍ଲାକମେଲ୍ କରିବା କେତେଦୂର ଯୁକ୍ତିଯୁକ୍ତ?
ସମ୍ବଲପୁର ମାମଲାରେ ମମତା ଏତେ କ୍ଷୁବ୍ଧ କାହିଁକି?
![]()
ସମ୍ବଲପୁରରେ ଜଣେ ବଙ୍ଗାଳୀ ଶ୍ରମିକ ସହିତ ବଚସାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ମମତା ଅଭିଯୋଗ କରିଛନ୍ତି। କିନ୍ତୁ ପୁଲିସ କହୁଛି ଯେ କୌଣସି ଉଦ୍ଦେଶ୍ୟ ରଖି ଏହି ହତ୍ୟାକାଣ୍ଡ ହୋଇନାହିଁ। ଏହା ବଚସାରୁ ଦୁର୍ଘଟଣା ହୋଇଛି। ଏଭଳି କ୍ଷେତ୍ରରେ ଓଡ଼ିଶା ପୁଲିସ ଉପରେ ଭରଷା ନ କରି ମମତା ନିଜ ପୁଲିସ ପଠାଇଥିଲେ। ଅଯଥାରେ କଣ୍ଟାବାଡ଼ରେ ଲୁଗାପକାଇ ଝଗଡ଼ା କରିବା ମମତାଙ୍କର ଅଭ୍ୟାସ ଥିବାରୁ ସେ ଓଡ଼ିଶା ସରକାର ଓ ରାଜ୍ୟବାସୀଙ୍କ ବିରୋଧରେ ବିଷୋଦ୍ଗାର କରୁଛନ୍ତି।
୨୦୨୬ ପାଇଁ ଆହ୍ୱାନ: କଡ଼ା ପଦକ୍ଷେପର ଆବଶ୍ୟକତା
୨୦୨୬ ମସିହା ଓଡ଼ିଶା ସରକାରଙ୍କ ପାଇଁ ଏକ ପରୀକ୍ଷାର ସମୟ ହେବ। ରାଜ୍ୟକୁ ଅନୁପ୍ରବେଶକାରୀ ମୁକ୍ତ କରିବା ପାଇଁ ସରକାରଙ୍କୁ ନିମ୍ନଲିଖିତ ପଦକ୍ଷେପ ନେବାକୁ ପଡ଼ିବ:
୧. ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ସହରାଞ୍ଚଳରେ ଥିବା ବସ୍ତିଗୁଡ଼ିକରେ କଡ଼ାକଡ଼ି ଭାବେ ପରିଚୟ ପତ୍ର ଯାଞ୍ଚ କରାଯାଇ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ଆବଶ୍ୟକ।
୨. ପଶ୍ଚିମବଙ୍ଗ ସୀମା ଦେଇ ଆସୁଥିବା ଯାତ୍ରୀବାହୀ ଗାଡ଼ି ଓ ଶ୍ରମିକଙ୍କ ଡାଟାବେସ୍ ପ୍ରସ୍ତୁତ କରିବା ଜରୁରୀ।
୩. ଖାଦ୍ୟ ସାମଗ୍ରୀ, ବିଶେଷ କରି ଆଳୁ ଓ ପନିପରିବା କ୍ଷେତ୍ରରେ ଓଡ଼ିଶାକୁ ପଶ୍ଚିମବଙ୍ଗ ଉପରୁ ନିର୍ଭରଶୀଳତା କମାଇବାକୁ ପଡ଼ିବ, ଯଦ୍ୱାରା ପଡ଼ୋଶୀ ରାଜ୍ୟ ଆମକୁ ଭୟଭୀତ କରିପାରିବ ନାହିଁ।
ବଙ୍ଗ-ଓଡ଼ିଶା ସମ୍ପର୍କରେ ଏହି ତିକ୍ତତା କେବଳ ସାମୟିକ ରାଜନୈତିକ ଫାଇଦା ପାଇଁ କରାଯାଉଛି। କିନ୍ତୁ ଏହାଦ୍ୱାରା ଦୁଇ ରାଜ୍ୟର ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମମତା ବାନାର୍ଜୀଙ୍କ ଓଡ଼ିଶା-ବିରୋଧୀ ମନୋଭାବ ଏବଂ ଅନୁପ୍ରବେଶକାରୀଙ୍କ ପ୍ରତି ତାଙ୍କର ଅହେତୁକ ପ୍ରେମ ଆଗାମୀ ଦିନରେ ଏକ ବଡ଼ ବିବାଦର ସୂତ୍ରପାତ କରିପାରେ। ଓଡ଼ିଶାକୁ ନିଜର ସ୍ୱାଭିମାନ ଓ ସୁରକ୍ଷା ସହ କୌଣସି ପ୍ରକାର ବୁଝାମଣା ନକରି ଏହି ‘ରାଜନୈତିକ ଦାଦାଗିରି’ର ଯୋଗ୍ୟ ଜବାବ ଦେବାକୁ ହେବ।
also read https://purvapaksa.com/bjps-two-faced-policy-yes-to-bihar-no-to-odisha/
BJP’s two-faced policy, yes to Bihar no to Odisha ।। ବିଜେପିର ଦୋମୁହାଁ ନୀତି, ବିହାରକୁ ହଁ-ଓଡ଼ିଶାକୁ ନାଁ


