କୃଷି ଓ କୃଷକର ବିକାଶ ବିନା ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହୋଇପାରିବ ନାହିଁ। ତେଣୁ ରାଜ୍ୟରେ ଜଳ ସୁରକ୍ଷା ଓ ଜଳସେଚନ ବ୍ୟବସ୍ଥାର ବ୍ୟାପକ ସମ୍ପ୍ରସାରଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜାତୀୟ ‘ଜଳ ଶକ୍ତି ସମ୍ମିଳନୀ’ରେ ଯୋଗଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଜଳସେଚନ ଓ ଭୂତଳ ଜଳ ପରିଚାଳନା କ୍ଷେତ୍ରରେ ହୋଇଥିବା ଐତିହାସିକ ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାରେ ଜଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାୟ ୫୪,୦୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରାଯାଇଛି, ଯାହା ଫଳରେ ଖୁବ୍ କମ୍ ସମୟ ମଧ୍ୟରେ ଅତିରିକ୍ତ ୩.୨ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇପାରିଛି।
ଜାତୀୟ ମଞ୍ଚରେ ଓଡ଼ିଶାର ଉଲ୍ଲେଖନୀୟ ଉପଲବ୍ଧି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର. ପାଟିଲ୍, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏବଂ ବିଭିନ୍ନ ରାଜ୍ୟର ଜଳସମ୍ପଦ ମନ୍ତ୍ରୀ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ବିକାଶ ମଡେଲ୍କୁ ଉପସ୍ଥାପନ କରିଥିଲେ।
ନୂତନ ଚେକ୍ଡ୍ୟାମ୍ ଓ ବ୍ୟାରେଜ୍ :
ରାଜ୍ୟରେ ଏପର୍ଯ୍ୟନ୍ତ ୭୭୦ଟି ନୂତନ ଚେକ୍ଡ୍ୟାମ୍ ଏବଂ ୯ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ (ISS) ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି।
ପୁରୁଣା ବନ୍ଧର ପୁନରୁଦ୍ଧାର :
୧,୩୧୨ଟି ପୁରୁଣା ଚେକ୍ଡ୍ୟାମ୍ର ମରାମତି ଓ ନବୀକରଣ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି।
ବୃହତ୍ ପ୍ରକଳ୍ପ ସମାପ୍ତ :
ଗୋଟିଏ ଡ୍ୟାମ୍, ଗୋଟିଏ ବ୍ୟାରେଜ୍, ୨ଟି ଭୂତଳ ପାଇପ୍ଲାଇନ୍ ବିତରଣ ନେଟୱାର୍କ, ୬ଟି ମେଗା ଲିଫ୍ଟ୍ ଏବଂ ୩୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି।
ଆଗାମୀ ବର୍ଷ ପାଇଁ ବଡ଼ ରୋଡ୍ମ୍ୟାପ୍: ଚାଲିଛି ଶତାଧିକ ପ୍ରକଳ୍ପ
ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରାଜ୍ୟ ସରକାର କେବଳ ପୂର୍ବ ପ୍ରକଳ୍ପ ଶେଷ କରି କ୍ଷାନ୍ତ ହୋଇନାହାନ୍ତି, ବରଂ ଆଗାମୀ ଦିନ ପାଇଁ ଏକ ବିରାଟ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି:
1. ଆଗାମୀ ବର୍ଷର ଲକ୍ଷ୍ୟ : ଆଗାମୀ ଏକ ବର୍ଷ ମଧ୍ୟରେ ଆହୁରି ୧୪ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ ଏବଂ ୬ଟି ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ।
2. ଦ୍ରୁତ ଗତିରେ କାର୍ଯ୍ୟାନ୍ୱୟନ : ବର୍ତ୍ତମାନ ୫ଟି ନୂତନ ବୃହତ୍ ଓ ମଧ୍ୟମ ପ୍ରକଳ୍ପ, ୫୮ଟି ମେଗା ଲିଫ୍ଟ୍ ଜଳସେଚନ ପ୍ରକଳ୍ପ ଏବଂ ୫ଟି କ୍ଷୁଦ୍ର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।
3. କମ୍ୟୁନିଟି ଲିଫ୍ଟ୍ ଓ ସୌର ବୋରୱେଲ୍ : ଗ୍ରାମାଞ୍ଚଳ ଓ ପାହାଡ଼ିଆ ଅଞ୍ଚଳର ଚାଷୀଙ୍କ ପାଇଁ ୩,୨୨୪ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ, ୨୦,୨୨୮ଟି ଗଭୀର ନଳକୂପ ଏବଂ ୮,୯୧୭ଟି ସୌରଶକ୍ତି ଚାଳିତ ଗଭୀର ନଳକୂପ ସ୍ଥାପନ କରାଯାଇଛି।
ଭୂତଳ ଜଳ ସଂରକ୍ଷଣ: ‘ଛାତ’ ଓ ‘ଅରୁଆ’ ଯୋଜନାର ସଫଳତା
ବର୍ଷା ଜଳ ସଂରକ୍ଷଣ ଏବଂ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନାଗୁଡ଼ିକ ଦେଶ ପାଇଁ ଉଦାହରଣ ସାଜିଛି।
- ଛାତ (CHHATA) ଯୋଜନା : ସହରାଞ୍ଚଳ ଓ ଗ୍ରାମାଞ୍ଚଳ କୋଠାଗୁଡ଼ିକରେ ବର୍ଷାଜଳ ଅମଳ ପାଇଁ ୨୦,୦୦୦ ରୁ ଅଧିକ ରୁଫ୍ଟପ୍ ରେନ୍ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକଚର୍ ନିର୍ମାଣ କରାଯାଇଛି।
- ଅରୁଆ (ARUA) ଯୋଜନା : ଭୂତଳ ଜଳକୁ ପୁନଃଭରଣ କରିବା ପାଇଁ ରାଜ୍ୟରେ ୧,୨୦୦ଟି ରିଚାର୍ଜ ସାଫ୍ଟ୍ ନିର୍ମାଣ କରାଯାଇଛି।
- ପାଣି ପଞ୍ଚାୟତର ସଶକ୍ତୀକରଣ : ଜଳ ପରିଚାଳନାରେ ସ୍ୱଚ୍ଛତା ଓ ଚାଷୀଙ୍କ ଭାଗୀଦାରିତା ସୁନିଶ୍ଚିତ କରିବା ପାଇଁ ରାଜ୍ୟର ୪୦,୦୦୦ ରୁ ଅଧିକ ‘ପାଣି ପଞ୍ଚାୟତ’ କୁ ସଶକ୍ତ ଓ ସକ୍ରିୟ କରାଯାଉଛି। ଜଳ ସଂରକ୍ଷଣ କ୍ଷେତ୍ରରେ ଏହି ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ପଞ୍ଚମ ଜାତୀୟ ଜଳ ପୁରସ୍କାରରେ ‘ଶ୍ରେଷ୍ଠ ରାଜ୍ୟ’ ଭାବେ ପୁରସ୍କୃତ ହୋଇଥିବା କଥା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
୨୦ ବର୍ଷ ଧରି ଅଟକି ରହିଥିବା ‘କାନୁପୁର ପ୍ରକଳ୍ପ’ର ସମାଧାନ
ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ବିଶେଷ ଭାବେ କେନ୍ଦୁଝର ଜିଲ୍ଲାର ବହୁ ପ୍ରତୀକ୍ଷିତ ‘କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ’ର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ।
- ୨୦୦୩-୦୪ ମସିହାରୁ ଦୀର୍ଘ ଦୁଇ ଦଶନ୍ଧି ଧରି ଜମି ଅଧିଗ୍ରହଣ ଓ ବିବାଦ ଯୋଗୁଁ ଅଟକି ରହିଥିବା ଏହି ପ୍ରକଳ୍ପର ସମସ୍ତ ସମସ୍ୟାକୁ ସରକାର ସମାଧାନ କରିଛନ୍ତି।
- ମା’ ଶାଳବଣୀ ପୀଠର ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନାନ୍ତର, NHAI ସହ ସମନ୍ୱୟ ଏବଂ କେନ୍ଦ୍ରୀୟ ଜଳ ଆୟୋଗ ତଥା IIT ରୁରକିର ବୈଷୟିକ ସହାୟତାରେ ପ୍ଲାଷ୍ଟିକ୍ କଟ୍-ଅଫ୍ ୱାଲ୍ ନିର୍ମାଣ କରି ଡ୍ୟାମ୍ କାର୍ଯ୍ୟ ଚଳିତ ଅଗଷ୍ଟ ୩୧ ସୁଦ୍ଧା ଶେଷ କରାଯାଇଛି।
- ଆଗାମୀ ଏକ ବର୍ଷ ମଧ୍ୟରେ କେନାଲ୍ ନେଟୱାର୍କ ସମ୍ପୂର୍ଣ୍ଣ ହେବ, ଯାହାଦ୍ୱାରା ପ୍ରାୟ ୨୫,୦୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିପାରିବ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ପଷ୍ଟ କରିଛନ୍ତି ଯେ ‘ଡବଲ ଇଞ୍ଜିନ’ ସରକାରଙ୍କ ଅଧୀନରେ ଓଡ଼ିଶାର ଜଳ ସମ୍ପଦର ସର୍ବୋତ୍ତମ ବିନିଯୋଗ ଏବଂ ଚାଷୀ କଲ୍ୟାଣ ଲାଗି ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ ଜାରି ରଖିବେ।
Also read : https://purvapaksa.com/odisha-assembly-monsoon-session-political-drama-or-effective-accountability/


