ଇରାନର ଇସଲାମୀ କ୍ରାନ୍ତିରୁ ପ୍ରାୟ ଗୋଟିଏ ବର୍ଷ ପୂର୍ବର କଥା। ୧୯୭୮ ମସିହାରେ ସେତେବେଳେ ଶାହ ପହଲଭୀଙ୍କ ଶାସନ ଚାଲୁଥିଲା, ଯାହାଙ୍କ ବିରୁଦ୍ଧରେ ଇସଲାମୀ କ୍ରାନ୍ତିର ନେତା ଆୟାତୋଲ୍ଲାହ ଖୋମୈନୀ ବିଦ୍ରୋହକୁ ଉସକାଉ ଥିଲେ। ସେହି ସମୟରେ ଇରାନର ସରକାରୀ ଖବରକାଗଜରେ ଖୋମୈନୀଙ୍କୁ ଇରାନ ସରକାର ପକ୍ଷରୁ ‘ଭାରତୀୟ ମୁଲ୍ଲା’ ଓ ‘ବ୍ରିଟେନର ଏଜେଣ୍ଟ’ ବୋଲି ଲେଖାଯାଇଥିଲା। ତାଙ୍କୁ ଏପରିକି ‘ପ୍ରେମ କବିତାରେ ହଜି ରହୁଥିବା ବୁଢ଼ା’ ବୋଲି ମଧ୍ୟ କୁହାଯାଇଥିଲା । ଏହି ଲେଖା ପ୍ରକାଶ ପାଇବା ପରେ ଇରାନର ଜନତା କ୍ଷୁବ୍ଧ ହୋଇ ଉଠିଥିଲେ। ୧୯୭୯ ମସିହାରେ ଇରାନରେ ଇସଲାମୀ କ୍ରାନ୍ତି ସଂଘଟିତ ହୋଇଥିଲା। ଫଳସ୍ୱରୂପ ଇରାନକୁ ଏକ ଇସଲାମୀ ଗଣତନ୍ତ୍ର ଘୋଷଣା କରାଯାଇଥିଲା। ଏହି କ୍ରାନ୍ତିକୁ ଫରାସୀ ବିପ୍ଲବ ଓ ରୁଷର ବୋଲସେଭିକ କ୍ରାନ୍ତି ପରେ ବିଶ୍ୱର ସବୁଠାରୁ ମହାନ କ୍ରାନ୍ତି ବୋଲି କୁହାଯାଏ। ଏହା ଦ୍ୱାରା ପହଲଭୀ ବଂଶର ଅନ୍ତ ଘଟିଥିଲା ଏବଂ ଆୟାତୋଲ୍ଲାହ ଖୋମୈନୀ ଇରାନର ସର୍ବୋଚ୍ଚ ନେତା ହୋଇଥିଲେ। ଏବେ ଚର୍ଚ୍ଚା ହେଉଛି ଯେ, ଇରାନର ବର୍ତ୍ତମାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲୀ ଖାମେନେଇଙ୍କ ହତ୍ୟା ପାଇଁ ଇସ୍ରାଏଲ ଯୋଜନା ପ୍ରସ୍ତୁତ କରୁଛି। କୁହାଯାଉଛି ଯେ ଏହି କାର୍ଯ୍ୟକୁ ତା’ର ଗୁଇନ୍ଦା ସଂସ୍ଥା ମୋସାଦ କାର୍ଯ୍ୟକାରୀ କରିପାରେ। ବର୍ତ୍ତମାନର ଇସ୍ରାଏଲ-ଇରାନ ଯୁଦ୍ଧ ପଛରେ ଭାରତୀୟ ସଂଯୋଗ କ’ଣ? ଆସନ୍ତୁ ଜାଣିବା ଉତ୍ତର ପ୍ରଦେଶର ବାରାବାଙ୍କୀର ଜଣେ ମୁଲ୍ଲା କେମତିି ଇରାନର ଇତିହାସ ବଦଳାଇ ଦେଇଥିଲେ ।
କିଏ ଥିଲେ ଆୟାତୋଲ୍ଲାହ ଖୋମୈନୀ, ବାରାବଙ୍କୀ ସହ କ’ଣ ସମ୍ପର୍କ?
ଆୟାତୋଲ୍ଲାହ ଖୋମୈନୀଙ୍କ ଜେଜେବାପା ସୈୟଦ ଅହମଦ ମସୂଭୀ ଉତ୍ତର ପ୍ରଦେଶର ବାରାବଙ୍କୀ ଅଞ୍ଚଳର ବାସିନ୍ଦା ଥିଲେ। ୧୮୩୦ ଦଶକରେ ଅବଧର ନବାବଙ୍କ ସହ ସେ ଏକ ଧାର୍ମିକ ଯାତ୍ରାରେ ଇରାକ ଗସ୍ତ କରିଥିଲେ। ଇରାକରୁ ଫେରିବା ବାଟରେ ସେ ଇରାନର ଖୁମୈନ ଗାଁରେ ରହିଯାଇଥିଲା । ତେଣୁ ଗୋଟିଏ ପିଢ଼ି ପରେ ତାଙ୍କ ପରିବାରର ଉପନାମ ଖୋମୈନୀ ହୋଇଥିଲା।
ଖୋମୈନୀଙ୍କ ବିରୁଦ୍ଧରେ ଆପତ୍ତିଜନକ କାହାଣୀ ଜନତାଙ୍କୁ କ୍ଷୁବ୍ଧ କରିଥିଲା
ଆୟାତୁଲ୍ଲାହ ଖୋମୈନୀ ସେହି ସମୟରେ ଇସଲାମୀ ନେତା ଭାବେ ଉଭା ହୋଇଥିଲେ, ଯିଏ ଶାହଙ୍କ ସଂସ୍କାର ବିରୁଦ୍ଧରେ ଥିଲେ। ତେଣୁ ତାଙ୍କୁ ଗିରଫ କରାଯାଇ ଦେଶରୁ ନିର୍ବାସିତ କରାଯାଇଥିଲା। ଏହି ସମୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା ଏବଂ ଶାହଙ୍କ ଦମନଚକ୍ର ମଧ୍ୟ ଜାରି ରହିଥିଲା । କିନ୍ତୁ ଯେତେବେଳେ ସରକାରୀ ପ୍ରେସରେ ଆୟାତୋଲ୍ଲାହଙ୍କ ବିରୁଦ୍ଧରେ ଆପତ୍ତିଜନକ ଲେଖା ପ୍ରକାଶିତ ହେଲା, ଜନତା କ୍ଷୁବ୍ଧ ହୋଇ ଉଠିଥିଲେ।
ଗୋଟିଏ ଛକରେ ୨୦ ଲକ୍ଷ ଲୋକ
୧୯୭୮ ଡିସେମ୍ବରରେ ପ୍ରାୟ ୨୦ ଲକ୍ଷ ଲୋକ ଶାହଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଶାହୟାଦ ଛକରେ ଏକତ୍ରିତ ହୋଇଥିଲେ। କିନ୍ତୁ ଏହି ସମୟରେ ଶାହଙ୍କ ସେନା ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମନା କରିଦେଇଥିଲା। ତା’ପରେ ପ୍ରଧାନମନ୍ତ୍ରୀ ଡକ୍ଟର ଶାପୋର ବଖତୟାରଙ୍କ ଦାବିରେ ୧୬ ଜାନୁଆରୀ ୧୯୭୯ରେ ଶାହ ଓ ତାଙ୍କ ପତ୍ନୀ ଇରାନ ଛାଡ଼ି ଚାଲିଯାଇଥିଲେ । ପ୍ରଧାନମନ୍ତ୍ରୀ ସମସ୍ତ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ ଏବଂ ଖୋମୈନୀଙ୍କୁ ଇରାନକୁ ଫେରିବାକୁ ଅନୁମତି ଦେଇଥିଲେ। ପ୍ରଧାନମନ୍ତ୍ରୀ ନିର୍ବାଚନ କରାଇବାକୁ ଚାହୁଁଥିଲେ, କିନ୍ତୁ ଖୋମୈନୀ ତାଙ୍କ କଥା ମାନି ନଥିଲେ ଏବଂ ନିଜେ ଏକ ଅସ୍ଥାୟୀ ସରକାର ଗଠନ କରିଥିଲେ।
ତେଲର ମୂଲ୍ୟ କମିବାରୁ ଶାହଙ୍କ ସ୍ୱପ୍ନ ଅଧୁରା ରହିଗଲା
ଇରାନର ରାଜା ଶାହ ପହଲଭୀ ଆମେରିକା, ବ୍ରିଟେନ ଭଳି ପାଶ୍ଚାତ୍ୟ ଦେଶମାନଙ୍କ ନେତାମାନଙ୍କ ସହ ଅନେକ ସମୟରେ ବିଳାସପୂର୍ଣ୍ଣ ପାର୍ଟି କରୁଥିଲେ। ଏପରି ଗୋଟିଏ ପାର୍ଟିକୁ ଆୟାତୋଲ୍ଲାହ ଖୋମୈନୀ ‘ଶୈତାନମାନଙ୍କ ପାର୍ଟି’ ବୋଲି କହିଥିଲେ। ୧୯୭୩ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଲର ମୂଲ୍ୟ ବହୁତ କମିଯାଇଥିଲା। ଇରାନର ଅର୍ଥନୀତି ଏବଂ ଶାହଙ୍କ ‘ଶ୍ୱେତ କ୍ରାନ୍ତି’ର ସ୍ୱପ୍ନ ଧୂଳିସାତ ହୋଇଗଲା। ଏହି ସମୟରେ ମୌଲବୀମାନେ ଶ୍ୱେତ କ୍ରାନ୍ତିକୁ ଇସଲାମ ଉପରେ ଆଘାତ ବୋଲି କହିଥିଲେ। ମୌଲବୀମାନଙ୍କୁ ଖୋମୈନୀ ନିର୍ଦ୍ଦେଶ ଦେଉଥିଲେ।
ଶାହ ୧୯୪୧ରୁ କ୍ଷମତାରେ ଥିଲେ, ଇରାନକୁ ଆଧୁନିକ ଦେଶ କରିଥିଲେ
ଶାହ ପହଲଭୀ ୧୯୪୧ରୁ କ୍ଷମତାରେ ଥିଲେ। କିନ୍ତୁ ସେମାନଙ୍କୁ ନିରନ୍ତର ଧାର୍ମିକ ନେତାମାନଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡୁଥିଲା। ଏହାର ମୁକାବିଲା କରିବା ପାଇଁ ଶାହ ଇସଲାମର ଭୂମିକା ହ୍ରାସ କରିବା, ଇସଲାମ ପୂର୍ବରୁ ଇରାନୀ ସଭ୍ୟତାର ଉପଲବ୍ଧି ଗଣନା କରିବା ଏବଂ ଇରାନକୁ ଏକ ଆଧୁନିକ ରାଷ୍ଟ୍ର ଗଠନ କରିବା ପାଇଁ ଅନେକ ପଦକ୍ଷେପ ନେଇଥିଲେ । ଏହା ଦ୍ୱାରା ଇରାନର କଠୋରବାଦୀ ମୌଲବୀମାନେ ବିରକ୍ତ ହୋଇ ତାଙ୍କୁ ଆମେରିକାର ଦାସ ବୋଲି କହିବା ଆରମ୍ଭ କରିଥିଲେ ।
ଗୋଟିଏ ଦେଶ ଦୁଇ ଦୁଇ ପ୍ରଧାନମନ୍ତ୍ରୀ !
୧୬ ଜାନୁଆରୀ ୧୯୭୯ରେ ଶାହ ନିଜ ପରିବାର ସହ ଇରାନ ଛାଡ଼ି ଆମେରିକା ଚାଲିଯାଇଥିଲେ । ପଳାୟନ ପୂର୍ବରୁ ଶାହ ବିରୋଧୀ ନେତା ଶାପୋର ବଖତିୟାରଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥିଲେ। ନୂତନ ପ୍ରଧାନମନ୍ତ୍ରୀ ଖୋମୈନୀଙ୍କୁ ଫେରିବାକୁ ଅନୁମତି ଦେଇଥିଲେ। ୧୨ ଫେବୃଆରୀ ୧୯୭୯ରେ ଖୋମୈନୀ ଫ୍ରାନ୍ସରୁ ଇରାନ ଫେରିଥିଲେ। ଲକ୍ଷ ଲକ୍ଷ ଜନତା ତାଙ୍କୁ ସ୍ୱାଗତ କରିଥିଲେ। ଖୋମୈନୀ ବଖତିୟାର ସରକାରକୁ ମାନିବାକୁ ମନା କରି ଘୋଷଣା କରିଥିଲେ ଯେ ସେ ନିଜେ ସରକାର ଗଠନ କରିବେ। ୧୬ ଫେବୃଆରୀରେ ସେ ମେହଦୀ ବାଜାରଗାନଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଦେଶରେ ଦୁଇ ଜଣ ପ୍ରଧାନମନ୍ତ୍ରୀ ହୋଇଗଲେ। ଇରାନର ବାୟୁସେନା ଖୋମୈନୀଙ୍କୁ ନିଜ ନେତା ମାନିଥିଲା। ୨୦ ଫେବୃଆରୀରେ ଶାହ ସମର୍ଥକ ଇମ୍ପିରିୟାଲ ଗାର୍ଡ ଓ ବାୟୁସେନା ମଧ୍ୟରେ ଯୁଦ୍ଧ ହୋଇଥିଲା, ଯେଉଁଥିରେ ଶାହ ସମର୍ଥକ ସେନା ପରାଜିତ ହୋଇଥିଲା।
ଆମେରିକା ଯେତେବେଳେ ଇରାନ ଉପରେ ନିୟନ୍ତ୍ରଣ ହରାଇଥିଲା
୧୯୭୯ ଏପ୍ରିଲରେ ଇରାନରେ ଏକ ଜନମତ ସଂଗ୍ରହ କରାଯାଇଥିଲା। ଏହା ପରେ ଇରାନକୁ ଇସଲାମୀ ଗଣତନ୍ତ୍ର ଘୋଷଣା କରାଯାଇଥିଲା। ଏକ ସରକାର ନିର୍ବାଚିତ ହୋଇଥିଲା ଏବଂ ଖୋମୈନୀଙ୍କୁ ଦେଶର ସର୍ବୋଚ୍ଚ ନେତା ମନୋନୀତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ପଦ ବଦଳରେ ରାଷ୍ଟ୍ରପତି ପଦ ସୃଷ୍ଟି ହୋଇଥିଲା। ଏହି କ୍ରାନ୍ତି ସହିତ ଆମେରିକାର ଇରାନ ଉପରେ ପ୍ରଭାବ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଗଲା । ଶାହଙ୍କ ସମୟରେ ବନ୍ଧୁ ଥିବା ଦୁଇ ଦେଶ ଏବେ ଶତ୍ରୁ ହୋଇଗଲେ । ଇରାନ ଓ ଆମେରିକା ପରସ୍ପର ମଧ୍ୟରେ କୂଟନୈତିକ ସମ୍ପର୍କ ବିଚ୍ଛିନ୍ନ କରିଦେଲେ । ତେହେରାନରେ ଇରାନୀ ଛାତ୍ରମାନଙ୍କ ଏକ ଦଳ ଆମେରିକୀୟ ଦୂତାବାସରେ ୫୨ ଜଣ ଆମେରିକୀୟ ନାଗରିକଙ୍କୁ ବନ୍ଦୀ କରିଥିଲେ । ସେମାନେ ଆମେରିକୀୟ ରାଷ୍ଟ୍ରପତି ଜିମି କାର୍ଟରଙ୍କୁ ଶାହଙ୍କୁ ଇରାନକୁ ହସ୍ତାନ୍ତର କିବାକୁ ଦାବି କରିଥିଲେ। କିନ୍ତୁ ଏହା ହୋଇ ନଥିଲା। ୧୯୮୦ ଜୁଲାଇରେ ମିଶରରେ ଶାହଙ୍କ ମୃତ୍ୟୁ ହୋଇଥିଲା।
୪୪୪ ଦିନ ଧରି ଆମେରିକୀୟ ଦୂତାବାସ କର୍ମୀ ପଣବନ୍ଦୀ
୧୯୮୧ରେ ରୋନାଲ୍ଡ ରେଗାନ ଆମେରିକୀୟ ରାଷ୍ଟ୍ରପତି ହେବା ପରେ ୪୪୪ ଦିନ ପରେ ଏହି ବନ୍ଦୀମାନଙ୍କୁ ମୁକ୍ତ କରାଯାଇଥିଲା । ୧୯୮୦ରେ ସଦ୍ଦାମ ହୁସେନଙ୍କ ଶାସନାଧୀନ ଇରାକ ଇସଲାମୀ କ୍ରାନ୍ତିର ଭୟରେ ଇରାନ ଉପରେ ଆକ୍ରମଣ କରିଥିଲା । ଆମେରିକା, ବ୍ରିଟେନ ଓ ରୁଷ ଏହି ଯୁଦ୍ଧରେ ଇରାକର ସମର୍ଥନ କରିଥିଲେ। ୮ ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧରେ ଇରାକକୁ କ୍ଷତି ସହିବାକୁ ପଡ଼ିଥିଲା ଏବଂ ଏକ ଚୁକ୍ତି ମାଧ୍ୟମରେ ଏହି ଯୁଦ୍ଧ ସମାପ୍ତ ହୋଇଥିଲା । ଖୋମୈନୀ ଏହା ପରେ ଆହୁରି ଲୋକପ୍ରିୟ ହୋଇଥିଲେ। ଏହା ସହିତ ଆମେରିକା ସହ ଶତ୍ରୁତା ଆହୁରି ଗଭୀର ହେଉଥିଲା।
ତେଲର ଖେଳରୁ ଆରମ୍ଭ ହୋଇଥିଲା ଆମେରିକା-ଇରାନ ଶତ୍ରୁତା
୧୯୪୯ ମସିହାର କଥା, ଯେତେବେଳେ ଇରାନରେ ନୂତନ ସଂବିଧାନ ଲାଗୁ ହୋଇଥିଲା। ସେହି ସମୟରେ ଇରାନର ରାଜା ଥିଲେ ମୋହମ୍ମଦ ରେଜା ଶାହ ପହଲଭୀ । ୧୯୫୨ରେ ପ୍ରଧାନମନ୍ତ୍ରୀ ହୋଇଥିବା ମୋହମ୍ମଦ ମୋସାଦ୍ଦିକ ଇରାନର ତେଲ କମ୍ପାନୀଗୁଡ଼ିକୁ ରାଷ୍ଟ୍ରୀୟକରଣ କରିବାକୁ ଚାହୁଁଥିଲେ । ଯାହାକୁ ନେଇ ଆମେରିକା, ବ୍ରିଟେନ ଓ ଇରାନ ମୁହାଁମୁହିଁ ହୋଇଥିଲେ । ୧୯୫୩ରେ ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ବ୍ରିଟେନ ସହ ମିଶି ଇରାନରେ କ୍ଷମତା ପରିବର୍ତ୍ତନ କରାଇଥିଲା । ମୋହମ୍ମଦ ରେଜା ଶାହ ପହଲଭୀ ଦେଶର ସର୍ବେସର୍ବା ହୋଇଥିଲେ । ଏହି ଘଟଣାରୁ ଆମେରିକା ଓ ଇରାନ ମଧ୍ୟରେ ରକ୍ତାକ୍ତ ଶତ୍ରୁତାର ଆରମ୍ଭ ହୋଇଥିଲା, ଯାହା ଇସଲାମୀ କ୍ରାନ୍ତି ପରେ ଆହୁରି ଗଭୀର ହୋଇଥିଲା।
ଖାମେନେଇଙ୍କ ହତ୍ୟା କରାଇପାରେ ଇସ୍ରାଏଲ
ବର୍ତ୍ତମାନର ଇରାନର ସର୍ବୋଚ୍ଚ ନେତା ଅଲୀ ଖୋମୈନୀ ଇରାନୀ କ୍ରାନ୍ତିରେ ଏକ ପ୍ରମୁଖ ବ୍ୟକ୍ତି ଥିଲେ ଏବଂ ରୁହୋଲ୍ଲାହ ଖୋମୈନୀଙ୍କ ନିକଟତମ ବିଶ୍ୱସ୍ତ ବ୍ୟକ୍ତି ଥିଲେ । ଇସଲାମୀ ଗଣତନ୍ତ୍ର ପ୍ରତିଷ୍ଠା ପରେ ଖୋମୈନୀ ଅନେକ ସରକାରୀ ପଦବୀରେ କାର୍ଯ୍ୟ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ତାଙ୍କ ହତ୍ୟା କରାଇପାରେ । ଏହି କାର୍ଯ୍ୟରେ ମୋସାଦ ଭଳି ବିପଜ୍ଜନକ ଗୁଇନ୍ଦା ସଂସ୍ଥା ନିୟୋଜିତ ହୋଇଛି। ମୋସାଦ ପୂର୍ବରୁ ମଧ୍ୟ ଇରାନର ଅନେକ ବରିଷ୍ଠ ନେତାଙ୍କ ହତ୍ୟା କରିଛି।
ଇରାନ-ଇସ୍ରାଏଲ ଯୁଦ୍ଧରେ ଉପସାଗର ଦେଶମାନଙ୍କ ସମ୍ପର୍କ
ପୂର୍ବ ସୂଚନା ଅନୁଯାୟୀ, ଇରାନ ଉପସାଗର ଦେଶମାନଙ୍କ ମାଧ୍ୟମରେ ସଙ୍କେତ ଦେଇଛି ଯେ ସେ ତୁରନ୍ତ ପରମାଣୁ ମୁଦ୍ଦାରେ ଆଲୋଚନା କରିବାକୁ ଏବଂ ଉତ୍ତେଜନା କମାଇବାକୁ ପ୍ରସ୍ତୁତ । ଏହା ସହିତ ଆମେରିକାର ପରମାଣୁ ବିମାନବାହୀ ଜାହାଜ ୟୁଏସଏସ ଦକ୍ଷିଣ ପୂର୍ବ ଏସିଆରୁ ଉପସାଗର ଦେଶ ଆଡ଼କୁ ଅଗ୍ରସର ହେଉଛି । ପେଣ୍ଟାଗନ ଘୋଷଣା କରିଛି ଯେ ଇରାନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସେ ‘ଅତିରିକ୍ତ ଯୁଦ୍ଧଜାହାଜ’ ପଠାଉଛନ୍ତି । ଏହି ବିମାନବାହୀ ଜାହାଜ ମଲାକ୍କା ଷ୍ଟ୍ରେଟ ରାସ୍ତାରେ ହିନ୍ଦ ମହାସାଗରରେ ପ୍ରବେଶ କରିଛି ଏବଂ ବର୍ତ୍ତମାନ ଫାରସ ଉପସାଗର ଆଡ଼କୁ ଅଗ୍ରସର ହେଉଛି।
ALSO READ https://purvapaksa.com/bjp-govt-first-year-gift-diarrhea/
BJP Govt. first year gift: diarrhea ପ୍ରଥମ ବର୍ଷର ଉପହାର: ଝାଡ଼ାବାନ୍ତି
