ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା
ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ସମସ୍ୟା ଶୁଣି ଲୋକଙ୍କ ସରକାର ଆଖ୍ୟା ପାଇଥିଲେ। ମାଆ ମାନଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ଦେଇ ମାଆ ମାନଙ୍କ ସରକାର ଭାବେ ମଧ୍ୟ ସୁନାମ କରିଥିଲେ। ଏବେ ଚାଷୀ ମାନଙ୍କୁ ଧାନ କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡି ଦେଇ ସରକାର ହୋଇଛନ୍ତି ‘ଚାଷୀଙ୍କ ସରକାର’। ବରଗଡର ସୋହେଲାରେ ଚାଷୀ ଭାଇମାନଙ୍କ ମଧ୍ୟରେ ଖୁସିର ଲହର ଖେଳିଛି । ଲୋକଙ୍କ ସରକାର ଆଜି ଚାଷୀଭାଇମାନଙ୍କୁ ଦେଉଛନ୍ତି ସେମାନଙ୍କ ପରିଶ୍ରମର ମୂଲ୍ୟ। ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଚାଷୀମାନଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ୨୩୦୦ ଟଙ୍କା ଉପରେ ଆଜି ଅତିରିକ୍ତ ୮୦୦ ଟଙ୍କା ଇନ୍ପୁଟ ସବ୍ସିଡି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଚାଷୀମାନେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇଛନ୍ତି।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୁନ୍ ୧୨ ତାରିଖରେ ଆମ ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟରେ ଯେଉଁ ଚାରିଟି ପ୍ରମୁଖ ନିଷ୍ପତ୍ତି ନେଇଥିଲେ, ସେ ସବୁ ନିଷ୍ପତ୍ତି ୬ ମାସ ମଧ୍ୟରେ ପୂରଣ କରାଗଲା । ୪ଟି ନିଷ୍ପତ୍ତି ମଧ୍ୟରୁ ଧାନ କିଣା ବାବଦକୁ ୩୧୦୦ ଟଙ୍କା ପ୍ରଦାନ କରିବା ଏକ ମୁଖ୍ୟ ନିଷ୍ପତ୍ତି ଥିଲା। ବରଗଡର ଏହି ସୋହେଲା ମାଟିରେ ଆପଣମାନଙ୍କୁ ଆମେ ଯେଉଁ ପ୍ରତିଶୃତି ଦେଇଥିଲୁ ତାହା ପୂରଣ କଲୁ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଭାଷାରେ, “ମୋଦୀ କି ଗ୍ୟାରେଣ୍ଟି ମତଲବ, ଗ୍ୟାରେଣ୍ଟି ପୂରି ହୋନେ କି ଗ୍ୟାରେଣ୍ଟି”। ଆଜି ଆମର ସେଇସବୁ ଗ୍ୟାରେଣ୍ଟି ପୂରଣ ହୋଇଛି । ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ହେବା ହେଉ କିମ୍ବା ଶ୍ରୀମନ୍ଦିର ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ହେଉ; ସୁଭଦ୍ରା ଯୋଜନା ହେଉ କିମ୍ବା ଚାଷୀଭାଇମାନଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ହେଉ – ଆଜି ଆମ ସରକାର ଆପଣମାନଙ୍କୁ ଦେଇଥିବା ଚାରିଟି ଯାକ ପ୍ରତିଶୃତି ଆଜି ପୂରଣ ହୋଇଛି ବୋଲି ସେ କହିଥିଲେ ।
ଆଜି ଦିନଟି ସାରା ଓଡିଶା ପାଇଁ ଏକ ଐତିହାସିକ ଦିନ। ବିଶେଷ କରି କୃଷି ଓ କୃଷକମାନଙ୍କ ପାଇଁ ଆଜିର ଦିନଟି ନିଶ୍ଚିତ ଭାବରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଆଜି ଆପଣମାନଙ୍କ ସରକାର, ଆପଣମାନଙ୍କୁ, ଓଡିଶାର ଲକ୍ଷ ଲକ୍ଷ ଚାଷୀ ଭାଇଭଉଣୀ ମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି । ବରଗଡ ଜିଲ୍ଲା ହେଉଛି ଓଡିଶାର ଭାତ ହାଣ୍ଡି। ଏ ଜିଲ୍ଲାର ଚାଷୀଭାଇ ଓ ଭଉଣୀମାନେ କଠିନ ପରିଶ୍ରମ କରି ସାରା ଓଡିଶାରେ ସବୁଠାରୁ ଅଧିକ ଧାନ ଉତ୍ପାଦନ କରିଥାନ୍ତି। ରାଜ୍ୟର ଖାଦ୍ୟ ସୁରକ୍ଷା ପାଇଁ ବରଗଡ ଜିଲ୍ଲାର ଅବଦାନ ମହତ୍ତ୍ୱପୂର୍ଣ୍ଣ। ଆମ ଚାଷୀଭାଇ ଓ ଭଉଣୀମାନେ ହେଉଛନ୍ତି ଦେଶର ଅନ୍ନଦାତା। ସେମାନଙ୍କ ପ୍ରଗତି ନ ହେଲେ, ଦେଶର ପ୍ରଗତି ଅସମ୍ଭବ। ଚାଷୀ ତାର ଉତ୍ପାଦର ଉଚିତ ମୂଲ୍ୟ ପାଇବା ନିତାନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ନଭେମ୍ବର ୨୦ ତାରିଖ ଠାରୁ ଧାନସଂଗ୍ରହ ଆରମ୍ଭ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ୨୧,୫୦୦ ଚାଷୀ ଇନପୁଟ ସହାୟତା ପାଇଲେ। ଆଜି ଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଆପଣମାନେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଡିବିଟି ଜରିଆରେ ପାଇବେ ବୋଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ।
ମଣ୍ଡିରୁ ଧାନ ନେଇ ଯାଉଥିବା ଗାଡ଼ି ଉପରେ ମଧ୍ୟ ଏନ୍ଫୋର୍ସମେଣ୍ଟ ଟିମ୍ କଡ଼ା ନଜର ରଖିଛନ୍ତି । ବିଭିନ୍ନ ଅଭିଯୋଗର ତ୍ୱରିତ ଶୁଣାଣି ପାଇଁ ପ୍ରତ୍ୟେକ ଜିଲ୍ଲାରେ ନୋଡାଲ ଅଧିକାରୀମାନେ ନିଯୁକ୍ତ ଅଛନ୍ତି । ଧାନକିଣା ବ୍ୟବସ୍ଥାକୁ Full Proof କରାଯାଇଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ଧାନ କିଣାରେ କୌଣସି ସମସ୍ୟା ଥିଲେ କିମ୍ବା ଅଭିଯୋଗ ଥିଲେ ଆପଣ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗ କରିପାରିବେ । ଏହା ସହିତ ଟୋଲ ଫ୍ରି ନଂ ୧୯୬୭ ମାଧ୍ୟମରେ ଯୋଗାଯୋଗ କରି ନିଜର ସମସ୍ୟା ଜଣାଇପାରିବେ ବୋଲି ସେ ସୂଚନା ଦେଇଥିଲେ।
ଓଡିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଓଡିଶା ସମୃଦ୍ଧି ପଥରେ ଦୃତ ଅଗ୍ରସର ହେଉଛି ବୋଲି ମତ ଦେଇ ସେ କହିଥିଲେ ଯେ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ କୃଷି କ୍ଷେତ୍ରରେ ସଶକ୍ତ କରିବାର ମୂଳ ଲକ୍ଷ୍ୟ ରଖି ସରକାର ସର୍ବଦା କାର୍ଯ୍ୟ କରୁଛନ୍ତି। ଚାଷୀ ଭାଇ ମାନଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଆମ ସରକାର ପ୍ରସ୍ତୁତ ଅଛନ୍ତି। ସେହିଭଳି ମାଣ୍ଡିଆ ଉତ୍ପାଦନକୁ ସରକାର ଆହୁରି ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ଆମେ ଯେଉଁ ସ୍ଥାନରେ ଛିଡ଼ା ହୋଇଛୁ ଏହି ଜିଲ୍ଲା ଐତିହାସିକ ଓ ଭୌଗୋଳିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ଜିରାନଦୀ କୂଳରେ ଅବସ୍ଥିତ ଏହି ଜିଲ୍ଲାର କର୍ମକୌଶଳ, ଭାଷା, ପର୍ବପର୍ବାଣିର ସ୍ୱତନ୍ତ୍ର ସ୍ଥାନ ରହିଛି। ୧୯୯୨ ମସିହା ପୂର୍ବରୁ ଏହା ସମ୍ବଲପୁର ଜିଲ୍ଲାର ଅଂଶବିଶେଷ ଥିଲେ ମଧ୍ୟ ଏହି ଜିଲ୍ଲାର ସ୍ୱତନ୍ତ୍ରତା ରହିଛି ।
ଏଠାରେ କୃଷି ହେଉଛି ରୋଜଗାରର ପ୍ରଧାନ ମାଧ୍ୟମ । କୃଷି ଓ କୃଷକମାନଙ୍କୁ ଏଠାରେ ବିଶେଷ ଗୁରୁତ୍ୱ ଦିଆଯାଏ । ଏଥି ସହ ଏଠାକାର ବୁଣାକାରମାନେ ପ୍ରସ୍ତୁତ କରୁଥିବା ଶାଢ଼ିର ଚାହିଦା ବିଶ୍ୱପ୍ରସିଦ୍ଧ । ସେହିଭଳି ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଈଙ୍କ ପୀଠରୁ ଆରମ୍ଭ କୃଷିଭିତ୍ତିକ ନୂଆଖାଇ ପର୍ବ ଏହି ମାଟିର ଭାଇଚାରା, ପାରିବାରିକ ସଦ୍ଭାବର ନୂତନ ସନ୍ଦେଶ ପ୍ରଦାନ କରେ, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ରହିଛି ବୋଲି ସେ କହିଥିଲେ । ତେଣୁ ଆମେ ସମସ୍ତେ ପାରସ୍ପରିକ ଭେଦଭାବ ଭୁଲି, ସମସ୍ତ ସଂକୀର୍ଣ୍ଣତାକୁ ଦୂରେଇ ଆମେମାନେ ଏକମନ ଏକପ୍ରାଣ ହୋଇ ଆଗକୁ ବଢ଼ିବାର ସଂକଳ୍ପ ନେବାକୁ ସେ ଆହ୍ବାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ବରଗଡ ସାଂସଦ ପ୍ରଦୀପ ପୁରୋହିତ, ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ବିଜେପୁର ବିଧାୟକ ସନତ କୁମାର ଗର୍ତିଆ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ରଖିଥିଲେ । ପଦ୍ମଶ୍ରୀ ହଳଧର ନାଗ ଓ ପଦ୍ମଶ୍ରୀ ଭାଗବତ ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
previous article: https://purvapaksa.com/rs-161-crore-more-to-private-hospitals-for-covid-treatment/
