- ପୋଡ଼ିୟମ ନିକଟରେ ବିଜେଡିର ହଙ୍ଗମା
- ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି
- ୪ଟା ଯାଁଏ ବିଧାନସଭା ମୁଲତବୀ
ମୁଖ୍ୟମନ୍ତ୍ରୀଙ୍କ ଏଏସଓ ଚାକିରି ବିକ୍ରି ମନ୍ତବ୍ୟକୁ ନେଇ ଆଜି ସରଗରମ ହୋଇଛି ବିଧାନସଭା। ଶନିବାର ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ବିବୃତିକୁ ବିରୋଧ କରି ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିବା ସହିତ ନାରାବାଜି କରିଥିଲେ। ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେଡି ସଭ୍ୟମାନେ ଗୃହ ମଝିରେ ଆସି ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବିକରି ସ୍ଲୋଗାନ ଦେଇଥିଲେ। ମାତ୍ର ୩ ମିନିଟ୍ ପାଇଁ ଗୃହ ଚାଲିପାରିଥିଲା, ପରେ ବାଚସ୍ପତି ସୁରମା ପାଢ଼ୀ ଆନ୍ଦୋଳନରତ ବିଜେଡି ସଦସ୍ୟମାନେ ନାରାବାଜି ବନ୍ଦ କରିବାକୁ ମନା କରିବାରୁ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ।
ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ଥିବାବେଳେ ତାଙ୍କ ଦଳର ସଦସ୍ୟମାନେ କୂଅ ଭିତରକୁ ଆସିଥିଲେ। ଶୁକ୍ରବାର ମୁଖ୍ୟମନ୍ତ୍ରୀ କହିଥିଲେ ଏଏସଓ ଚାକରି ୨୫ରୁ ୩୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ଶନିବାର ବିରୋଧୀ ଏହାକୁ ନେଇ ଗୃହରେ ନାରାବାଜି କରିଥିଲେ । କିଏ ଏବଂ କେଉଁଠି ଏଏସଓ ଚାକିରି ବିକ୍ରି କରିଥିଲେ, ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିରୋଧୀ ଦାବି କରିଥିଲେ । ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ବିଜେଡି ବିଧାୟକମାନେ ହଙ୍ଗାମା କରିବା ଯୋଗୁ ଗୃହକୁ ମୁଲତବୀ ରଖାଯାଇଥିଲା।
ଶୁକ୍ରବାର ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବ ସରକାରଙ୍କ ଅମଳରେ ରାଜ୍ୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ଚାକିରି ୨୫-୩୦ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା । ନିଯୁକ୍ତି ଦାୟିତ୍ୱରେ ଯେଉଁ ଅଧିକାରୀମାନେ ରହୁଥିଲେ, ସେମାନଙ୍କର ପରୀକ୍ଷା ପ୍ରଶ୍ନ ପତ୍ର ପ୍ରଘଟରେ ସମ୍ପୃକ୍ତି ଥିଲା ।୨୦୨୩ ବର୍ଷରେ ହୋଇଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ)ରେ ତ୍ରୁଟି ହୋଇଥିବା ବେଳେ ସଚିବାଳୟ ନିଯୁକ୍ତିରେ ବଡ଼ ଧରଣରର ଚଞ୍ଚକତା ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ଭବିଷ୍ୟତ ପିଢ଼ିଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ । ପୂର୍ବ ସରକାରର ଏହି କାର୍ଯ୍ୟଧାରାକୁ ବର୍ତ୍ତମାନର ସରକାର ବନ୍ଦ କରିଛନ୍ତି। ପୂର୍ବ ସରକାର ସମୟରେ ରାଜ୍ୟରେ ନିଯୁକ୍ତିରେ କୌଣସି ସ୍ୱଚ୍ଛତା ନ ଥିଲା। ପ୍ରଶାସନ ଦୁର୍ନୀତି ହିଁ ଭରି ରହିଥିଲା। ନିଯୁକ୍ତି ପରୀକ୍ଷା ଦାୟିତ୍ୱରେ ରହୁଥିବା ଅଧିକାରୀମାନେ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ରାକେଟରେ ଲିପ୍ତ ରହୁଥିଲେ।
ଶୁକ୍ରବାର ବିଧାନସଭାରେ ଓଡ଼ିଶା ପବ୍ଲିକ୍ ଏକ୍ଜାମିନେସନ୍ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର ମିନ୍ସ) ବିଲ୍ ୨୦୨୪ ଉପସ୍ଥାପନ କରି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି ଯେ ପୂର୍ବ ବିଜେଡି ଶାସନ କାଳରେ ସରକାରୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିଲା ଏବଂ ଲକ୍ଷାଧିକ ଟଙ୍କାରେ ଚାକିରି ବିକ୍ରି ହୋଇଥିଲା। ବିଜେଡି ଏହି ବୟାନକୁ ତୀବ୍ର ନିନ୍ଦା କରିବା ସହ ଅଭିଯୋଗ ପ୍ରମାଣ କରିବାକୁ କହିଛି।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରି ବିଜେଡି ସଭ୍ୟ ଗଣେଶ୍ୱର ବେହେରା କହିଛନ୍ତି, ଅନିୟମିତତାରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ମାମଲା ରୁଜୁ କରନ୍ତୁ। ସମସ୍ତଙ୍କୁ କ୍ୟାମେରା ସାମ୍ନାକୁ ଆଣନ୍ତୁ। ଦିନ ସାଢ଼େ ୧୧ଟାରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟମାନେ ହୋହାଲ୍ଲା କରିଥିଲେ। ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ। ଫଳରେ ବାଧ୍ୟ ହୋଇ ବାଚସ୍ପତି ଦିନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ତେବେ ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଇଥିବାରୁ ସେ ଗୃହରେ ଉପସ୍ଥିତ ନଥିଲେ।
previous article: https://purvapaksa.com/collector-will-be-like-this/
