Sambhal to Ajmer : କାଶି, ମଥୁରା କିମ୍ବା ସମ୍ଭଲ ସହିତ ବିବାଦର ତାଲିକା ସମ୍ପୂର୍ଣ୍ଣ ବୋଲି ଯଦି ଆପଣ ଭାବୁଛନ୍ତି ତେବେ ଭୁଲ। ଅତିକମରେ ୧୨ଟି ହାଇପ୍ରୋଫାଇଲ ମାମଲା ଏବେ ମଧ୍ୟ ଅଦାଲତରେ ଲମ୍ବିତ ଅଛି।
ଅଯୋଧ୍ୟାରେ ଯେତେବେଳେ ରାମ ଜନ୍ମଭୂମି ଆନ୍ଦୋଳନ ଚରମ ସୀମାରେ ଥିଲା, ସେତେବେଳେ ଗୋଟିଏ ସ୍ଲୋଗାନ ପ୍ରସିଦ୍ଧ ହୋଇଥିଲା। ଆଉ ସେହି ସ୍ଲୋଗାନ ଥିଲା, ଅଯୋଧ୍ୟା ତ ଟ୍ରେଲର, କାଶୀ-ମଥୁରା ଏବେ ବାକି ଅଛି।
ରାମ ଜନ୍ମଭୂମି ବିବାଦ ଶେଷ ହେବା ପରେ କାଶୀର ଜ୍ଞାନବାପି ମସଜିଦ ଏବଂ ମଥୁରାର ସାହି ଇଦ୍ଗାହ ମସଜିଦକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ଦୁଇସ୍ଥାନରେ ହିନ୍ଦୁ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିଲା ବୋଲି ହିନ୍ଦୁ ପକ୍ଷ ଦାବି କରନ୍ତି। ଏନେଇ ସେମାନେ ଐତିହାସିକ ଦଲିଲ ମଧ୍ୟ ରଖୁଛନ୍ତି। ଏହି ଦୁଇ ମାମଲା ଏବେ ଅଦାଲତରେ ବିଚାରାଧିନ ଥିବାବେଳେ ଉତ୍ତର ପ୍ରଦେଶରେ ସମ୍ଭଲକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି। କାଶି, ମଥୁରା କିମ୍ବା ସମ୍ଭଲ ସହିତ ବିବାଦର ତାଲିକା ସମ୍ପୂର୍ଣ୍ଣ ବୋଲି ଯଦି ଆପଣ ଭାବୁଛନ୍ତି ତେବେ ଭୁଲ। ଅତିକମରେ ୧୨ଟି ହାଇପ୍ରୋଫାଇଲ ମାମଲା ଏବେ ମଧ୍ୟ ଅଦାଲତରେ ଲମ୍ବିତ ଅଛି। ଆସନ୍ତୁ ତାହା ମଧ୍ୟରୁ ୧୦ଟି ବିବାଦୀୟ ମାମଲା ଉପରେ ନଜର ପକାଇବା।
ଶେଖ ସଲିମ ଚିସ୍ତି ଜାମା ମସଜିଦ୍ ଓ ଦରଗାହ- ଫତେପୁରସିକ୍ରି, ଉତ୍ତରପ୍ରଦେଶ
ଆଗ୍ରାଠାରୁ ୪୦ କିଲୋମିଟର ଦୂରରେ ରହିଛି ଫତେପୁରସିକ୍ରି। ଶୋଡ଼ଶ ଶତାବ୍ଦୀରେ ନିର୍ମିତ ଜାମାମସଜିଦରେ ସୁଫି ସନ୍ଥ ସଲିମ ଚିସ୍ତିଙ୍କ ଦରଗାହ ମଧ୍ୟ ରହିଛି। ୨୦୨୪ରେ ଆଇନଜୀବୀ ଅଜୟ ପ୍ରତାପ ସିଂହ ଆଗ୍ରା କୋର୍ଟରେ ମାମଲା ରୁଜୁ କରିଥିଲେ। କାମାକ୍ଷାଦେବୀଙ୍କ ମନ୍ଦିର ଭାଙ୍ଗି ତାହା ଉପରେ ସଲିମ ଚିସ୍ତିଙ୍କ ଦରଗାହ ନିର୍ମାଣ କରାଯାଇଥିଲା ବୋଲି ସେ ଆବେଦନରେ ଦାବି କରିଥିଲେ। ସେ କହିଥିଲେ ଯେ ଏହି ଦରଗାହ ଷୋଡ଼ଶ ଶତାବ୍ଦୀରେ ନିର୍ମିତ ହୋଇଥିଲା, କିନ୍ତୁ ତାହାପୂର୍ବରୁ ସେଠାରେ ଏକ ମନ୍ଦିର ଥିଲା। ଏହା ପୂର୍ବରୁ ଅଜୟ ପ୍ରତାପ ସିଂହ ଆଗ୍ରା କୋର୍ଟରେ ଆଉ ଏକ ମାମଲା ଦାୟର କରିଥିଲେ ଯେ ଆଗ୍ରାର ଜାମା ମସଜିଦ ତଳେ କଟାର କେଶବ ଦେବ ମୂର୍ତ୍ତି ରହିଛି। ହିନ୍ଦୁମାନଙ୍କୁ ସେମାନଙ୍କ ସ୍ଥାନ ଫେରାଇ ଦିଆଯାଉ ବୋଲି ସେ ଅଦାଲତରେ ଆବେଦନ କରିଛନ୍ତି। ଏହି ମାମଲା ଏବେ ବିଚାରାଧିନ ରହିଛି।
ଅତାଲା ମସଜିଦ୍-ଜୌନପୁର, ଉତ୍ତରପ୍ରଦେଶ
ଉତ୍ତରପ୍ରଦେଶର ଜୌନପୁରରେ ମଧ୍ୟ ମସଜିଦକୁ ନେଇ ବିବାଦ ରହିଛି। ଏଠାରେ ହିନ୍ଦୁ ପକ୍ଷ ଅତଳା ମସଜିଦକୁ ନେଇ ଅଲଗା ଦାବି ରଖନ୍ତି। ସେମାନଙ୍କ ଦାବୀ ଯେ, ଦେବୀ ଅତଳାଙ୍କ ମନ୍ଦିର ଭାଙ୍ଗି ତାହା ସ୍ଥାନରେ ମସଜିଦ ନିର୍ମାଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ,ଅତାଲା ମସଜିଦ ୧୪୦୮ମସିହାରେ ନିର୍ମିତ ହୋଇଥିଲା। ୨୦୨୪ରେ ହିନ୍ଦୁ ସଂଗଠନ ସ୍ୱରାଜ ବାହିନୀ ଜୌନପୁରରେ ଏକ ପିଟିସନ ଦାୟର କରି ଫିରୋଜ ଶାହା ତୁଘଲକ ହିନ୍ଦୁମନ୍ଦିର ଭାଙ୍ଗି ଏହି ମସଜିଦକୁ ନିର୍ମାଣ କରିଥିବା ଦାବି କରିଥିଲା। ଏହାକୁ ବିରୋଧ କରିଥିଲା ଉତ୍ତର ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ଓ୍ଵାକଫବୋର୍ଡ ବିରୋଧ।
ଅକ୍ଟୋବର ୨୦୨୪ରେ ଜୌନପୁରର ଏକସିଭିଲ କୋର୍ଟ ମଥୁରା ଏବଂ ଜ୍ଞାନବାପି ମନ୍ଦିର-ମସଜିଦ ମାମଲା ଭଳି ଅତାଲା ମସଜିଦ ମାମଲାର ମଧ୍ୟ ଶୁଣାଣି ହୋଇପାରିବ ବୋଲି କହିଥିଲେ।
ଶାମସୀ ଜାମା ମସଜିଦ, ବଦାୟୁନ୍, ଉତ୍ତରପ୍ରଦେଶ
ଏହି ମସଜିଦକୁ ତ୍ରୟୋଦଶ ଶତାବ୍ଦୀରେ ଦିଲ୍ଲୀ ସୁଲତାନ ଶାମସୁଦ୍ଦିନ ଇଲତୁତମିସ୍ ନିର୍ମାଣକରିଥିଲେ।
୨୦୨୨ମସିହାରେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଆବାହକ ମୁକେଶ ପଟେଲ ବଦାୟୁଁ ଜିଲ୍ଲାକୋର୍ଟରେ ଏକ ପିଟିସନ ଦାୟର କରି ନୀଳକଣ୍ଠ ମହାଦେବଙ୍କ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ ହୋଇଥିବା ଦାବି କରିଥିଲେ। ତେଣୁ ମସଜିଦରେ ହିନ୍ଦୁଙ୍କୁ ପୂଜା କରିବାକୁ ଅନୁମତି ଦେବାକୁ ସେ ଦାବି କରିଥିଲେ।
ମସଜିଦ ପରିଚାଳନା କମିଟି ଏବଂ ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ଓ୍ଵାକଫ ବୋର୍ଡ ମଧ୍ୟ ଏହି ପିଟିସନରେ ପକ୍ଷଭୁକ୍ତ ଅଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଏହି ମାମଲାର ଶୁଣାଣି କୋର୍ଟରେ ହୋଇପାରିବ ନାହିଁ। ମୁସଲମାନ ପକ୍ଷ ଦାବି କରିଛି ଯେ ଏହି ମାମଲା ପୂଜା ସ୍ଥାନ ଆଇନ ୧୯୯୧ର ବିରୋଧାଚରଣ କରେ।
ଟିଲେୱାଲି ମସଜିଦ- ଲକ୍ଷ୍ନୌ, ଉତ୍ତରପ୍ରଦେଶ
ଏହା ଏକ ପୁରୁଣା ମାମଲା ଯାହା ୨୦୧୩ମସିହାରୁ ଚାଲି ଆସୁଛି। ଭଗବାନ ଶେଷ ଗଣେଶ ତିଲେଶ୍ୱର ମହାଦେବ ବିରାଜମାନଙ୍କ ନାମରେ ଏକ ପିଟିସନ ଦାଖଲ କରାଯାଇଥିଲା। ମୋଗଲ ଶାସକ ଔରଙ୍ଗଜେବ ଏହି ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରିଥିବା ପିଟିସନରେ ଦାବି କରାଯାଇଛି।
୨୦୧୭ରେ ଲକ୍ଷ୍ନୌର ଏକ ସିଭିଲ ଜଜ୍ ଏହି ମାମଲାର ଶୁଣାଣି ହୋଇପାରିବ ବୋଲି ରାୟ ଦେଇଥିଲେ ଏବଂ ଏହା ଉପାସନା ସ୍ଥଳ ଆଇନ, ୧୯୯୧ର ବିରୁଦ୍ଧରେ ନୁହେଁ ବୋଲି ଅଦାଲତ କହିଥିଲେ। ଏହି ଆବେଦନ ଏବେ ବି ଆହ୍ଲାବାଦ ହାଇକୋର୍ଟରେ ବିଚାରାଧୀନ ରହିଛି।
କମଲ ମୌଲା ମସଜିଦ୍- ଧର, ମଧ୍ୟପ୍ରଦେଶ
ହିନ୍ଦୁ ଫ୍ରଣ୍ଟ ଫର ଜଷ୍ଟିସ ନାମକ ଏକ ସଂଗଠନ ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛି।ଏଥିରେ କୁହାଯାଇଛି ଯେ ଅଲାଉଦ୍ଦିନ ଖିଲଜୀଙ୍କ ଶାସନରେ ତ୍ରୟୋଦଶରୁ ଚତୁର୍ଦ୍ଦଶ ଶତାବ୍ଦୀରେ ମସଜିଦ ନିର୍ମାଣ ଆରମ୍ଭ ହୋଇଥିଲା। ଭୋଜଶାଳା ୱାଘାଦେବୀଙ୍କ ମନ୍ଦିର ଭାଙ୍ଗି ଏହି ମସଜିଦ ନିର୍ମାଣ କରାଯାଇଥିଲା। ୨୦୨୨ ରେ ଏହି ପିଟିସନରେ ମସଜିଦର ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ପାଇଁ ଦାବି କରାଯାଇଥିଲା। ମାର୍ଚ୍ଚ ୨୦୨୪ରେ ହାଇକୋର୍ଟ ଏହି ସର୍ଭେକୁ ଅନୁମତି ଦେଇଥିଲେ। ସର୍ଭେ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିନା ମସଜିଦକୁ ନଛୁଇଁବାକୁ ହାଇକୋର୍ଟ କହିଥିଲେ। ଏହିମାମଲାଏବେ ବିବିଚାରାଧୀନ ରହିଛି ଏବଂ ଏଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗର ସର୍ଭେ ଶେଷ ହୋଇଛି।
ଅଜମେର ସରିଫ ଦରଗାହ, ରାଜସ୍ଥାନ
ଅଜମେରର ସୁଫି ସନ୍ଥ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଦରଗାହ ଆଜମେର ସରିଫକୁ ହିନ୍ଦୁ ମନ୍ଦିର ଭାଙ୍ଗି ନିର୍ମାଣ କରାଯାଇଛି ବୋଲି ଦାବି ହେଉଛି। ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ଏନେଇ ଅଜମେରର ଏକ ସ୍ଥାନୀୟ ଅଦାଲତରେ ପିଟିସନ ଦାୟର କରିଛନ୍ତି। ଦରଗାହ ତଳେ ଏକ ଶିବମନ୍ଦିର ଅଛି ବୋଲି ସେମାନେ ଦାବି କରିଛନ୍ତି। ବିଷ୍ଣୁଗୁପ୍ତା ତାଙ୍କ ପିଟିସନରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାଦ୍ୱାରା ସର୍ଭେ କରିବାକୁ ଦାବିକରିବା ସହ ଦରଗାହ ସ୍ଥାନରେ ମନ୍ଦିରର ପୁନଃନିର୍ମାଣ କରିବାକୁ କହିଛନ୍ତି।
ଆଜମେର ପଶ୍ଚିମର ସିଭିଲ ଜଜ୍ ଏହି ଆବେଦନର ଶୁଣାଣି କରି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ, ଦରଗା କମିଟି ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ଏହି ମାମଲାରେ ପିଟିସନ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଏଏସଆଇଙ୍କୁ ନୋଟିସ ଜାରି କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୦ରେ ହେବ।
ବାବା ବୁଦାନା ଗିରି ଦରଗାହ- ଚିକମାଙ୍ଗାଲୁର, କର୍ଣ୍ଣାଟକ
ଚିକମାଙ୍ଗାଲୁରର ବାବା ବୁଦାନଗିରିରେ ସୁଫି ସନ୍ଥ ଦାଦାହୟାତ (ବାବା ବୁଦାନ)ଙ୍କ ଏକ ଦରଗାହ ରହିଛି। ଏଠାରେ ହିନ୍ଦୁମାନଙ୍କର ଦତ୍ତାତ୍ରେୟ ମନ୍ଦିର ମଧ୍ୟ ରହିଛି। ଏହି ସ୍ଥାନକୁ ସାଧାରଣତଃ ଦକ୍ଷିଣର ଅଯୋଧ୍ୟା ମଧ୍ୟ କୁହାଯାଏ । ୧୯୭୦ ଦଶକରେ କର୍ଣ୍ଣାଟକ ସରକାର ଓ୍ଵାକଫ୍ବୋର୍ଡକୁ ଏହି ସ୍ଥାନ ଦେଇଥିଲେ। ଏହାପରେଏହାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା ଏବଂ ମାମଲା ମଧ୍ୟ କୋର୍ଟରେ ପହଞ୍ଚିଥିଲା। ୧୯୮୦ ମସିହାରେ ଅଦାଲତ କହିଥିଲେ ଯେ ଏହା ୱାକଫ୍ସ ସମ୍ପତ୍ତି ନୁହେଁ ଏବଂ ଉଭୟ ହିନ୍ଦୁ ଓ ମୁସଲମାନ ଏଠାରେ ପ୍ରାର୍ଥନା କରନ୍ତି।ଏହି ମାମଲା ଏବେ ବି କର୍ଣ୍ଣାଟକ ହାଇକୋର୍ଟରେ ବିଚାରାଧୀନ ଅଛି। ୨୦୨୧ରେ ଭାରତୀୟ ଜନତା ପାର୍ଟି ବିଧାୟକ ସିଟି ରବି କହିଥିଲେ ଯେ ଏହି ପୂଜାସ୍ଥଳୀ ଉପରେ କେବଳ ହିନ୍ଦୁମାନଙ୍କର ଅଧିକାର ରହିଛି।
କୁତୁବ ମିନାର, ଦିଲ୍ଲୀ
ଦିଲ୍ଲୀର ପ୍ରସିଦ୍ଧ କୁତୁବ ମିନାରରେ ଥିବା କୁୱାତ-ଉଲ-ଇସଲାମ ମସଜିଦକୁ ନେଇ ମଧ୍ୟ ବିବାଦ ଲାଗି ରହିଛି। ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କ ଦ୍ୱାରା ଦାୟର ପିଟିସନରେ କୁହାଯାଇଛି ଯେ ଅନେକ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିଲା ଏବଂ ଭିତରେ ମସଜିଦ ନିର୍ମାଣ କରାଯାଇଥିଲା। ସେ ସେଠାରେ ହିନ୍ଦୁମାନଙ୍କୁ ପୂଜା କରିବା ପାଇଁ ଅନୁମତି ମଧ୍ୟ ମାଗିଥିଲେ।
୨୦୨୧ରେ ଏକ ସିଭିଲ କୋର୍ଟ ଏହି ଆବେଦନକୁ ଖାରଜ କରି କହିଥିଲେ ଯେ ଅତୀତର ଭୁଲ ବର୍ତ୍ତମାନ ଓ ଭବିଷ୍ୟତର ଶାନ୍ତିକୁ ବାଧା ଦେଇପାରିବ ନାହିଁ କହି ମାମଲାକୁ ଖାରଜ କରିଦେଇଥିଲେ। କିନ୍ତୁ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପୁଣିଥରେ ଆବେଦନ କରାଯାଇଥିଲା, ଯାହା ଏବେବି ବିଚାରାଧୀନ ରହିଛି।
ଜୁମ୍ମାମସଜିଦ, ମାଙ୍ଗାଲୁରୁ, କର୍ଣ୍ଣାଟକ
ମାଙ୍ଗାଲୁରୁର ଜୁମ୍ମା ମସଜିଦ ମଧ୍ୟ କିଛି ବର୍ଷ ହେବ ବିବାଦ ଘେରରେ ରହିଛି।୨୦୨୨ରେ କର୍ଣ୍ଣାଟକର ଏକ ଅଦାଲତ ବିଶ୍ୱ ହିନ୍ଦୁ ପରିଷଦର ଜଣେ ସଦସ୍ୟଙ୍କ ଦ୍ୱାରା ଦାୟର ଏକ ପିଟିସନ ଉପରେ କହିଥିଲେ ଯେ ଅଦାଲତ ଉପାସନା ସ୍ଥଳୀ ଆଇନ ବିରୁଦ୍ଧରେ ଯାଇପାରିବେ ନାହିଁ। ତେବେ ବିଶ୍ୱହିନ୍ଦୁ ପରିଷଦ ଏବେ ମଧ୍ୟ ନିଜ ଦାବି ଉପରେ କାଏମ ଅଛି ଓ ମସଜିଦର ସର୍ଭେ କରିବାକୁ ଦାବି କରୁଛି । ଏହି ମାମଲା ବର୍ତ୍ତମାନ ମାଙ୍ଗାଲୁରୁର ଜିଲ୍ଲା ଅଦାଲତରେ ବିଚାରାଧୀନ ରହିଛି।
Also readhttps://purvapaksa.com/when-will-the-old-age-pension-increase/
