ଓଡ଼ିଶା ରାଜନୀତିରେ ପୁଣିଥରେ ରାଜନୀତିକ ତାତି ବଢ଼ିବାରେ ଲାଗିଛି। ରାଜ୍ୟରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ବା ବିଜେପି ସରକାର ଏବେ ଏକ ବଡ଼ ଧରଣର ରାଜନୈତିକ ଏବଂ ପ୍ରଶାସନିକ ସଙ୍କଟର ସମ୍ମୁଖୀନ ହୋଇଛି। ପ୍ରଶ୍ନ ଉଠୁଛି— କାହିଁକି ଆଜି ବିଜେପି ସରକାର, ମନ୍ତ୍ରୀ ଏବଂ ଦଳୀୟ ନେତାମାନେ ଜନମାନସରେ ନିନ୍ଦିତ ହେଉଛନ୍ତି? କାହିଁକି ଲୋକମାନଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳୁଛି? ଏବଂ ଏହି ସୁଯୋଗକୁ ନେଇ କିପରି ପୁଣିଥରେ ଟ୍ରାକକୁ ଫେରିବାକୁ ପ୍ରୟାସ କରୁଛନ୍ତି ଗତ ନିର୍ବାଚନରେ କ୍ଷମତା ହରାଇଥିବା ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ?
ବାତ୍ୟା ‘ଅର୍ଣ୍ଣବ’ ଓ ଗଞ୍ଜାମ-ଗଜପତିର ଦୁର୍ଦ୍ଦଶା
ନିକଟରେ ହୋଇଯାଇଥିବା ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଦୁଇଟି ପ୍ରମୁଖ ଜିଲ୍ଲା— ଗଞ୍ଜାମ ଏବଂ ଗଜପତିରେ ଯେପରି ପ୍ରଳୟଙ୍କରୀ ବନ୍ୟା ଏବଂ ଧ୍ୱଂସଲୀଳା ଘଟିଲା, ତାହା ସମସ୍ତଙ୍କୁ ଡହଳ ବିହଳ କରିଦେଇଛି। ହଜାର ହଜାର ଲୋକ ଘରଦ୍ୱାର ହରାଇ ବାସହରା ହୋଇପଡ଼ିଲେ। କିଛି ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି, ଧୀରେ ଧୀରେ ସେମାନଙ୍କ ଶବ ବାହାରକୁ ଆସିବାରେ ଲାଗିଛି। କିନ୍ତୁ ଦୁଃଖର କଥା ହେଲା, ଏହି ବିପର୍ଯ୍ୟୟର ମୁକାବିଲା କରିବାରେ ରାଜ୍ୟର ନୂଆ ବିଜେପି ସରକାର ଯିଏକି ଜିରୋ କାଜୁଆଲିଟି କଥା ବଡ଼
ଜନସାଧାରଣ ଆଜି ପଚାରୁଛନ୍ତି— ସରକାର କେଉଁଠି ଥିଲେ? ପ୍ରଶାସନିକ କଳ କାହିଁକି ଶୋଇଥିଲା? ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ଏତେ ବିଳମ୍ବ କାହିଁକି ହେଲା? ଫଳସ୍ୱରୂପ, ସାଧାରଣ ଜନତାଙ୍କ ମଧ୍ୟରେ ବିଜେପି ସରକାର, ଏହାର ମନ୍ତ୍ରୀ ଏବଂ ସ୍ଥାନୀୟ ନେତାମାନଙ୍କ ପ୍ରତି ତୀବ୍ର ଆକ୍ରୋଶ ସୃଷ୍ଟି ହୋଇଛି। ଆଜି ସ୍ଥିତି ଏପରି ହୋଇଛି ଯେ, ଏହି ଜନଆକ୍ରୋଶ ଓ ନିନ୍ଦାର କ୍ଷତି ଭରଣା କରିବା ବିଜେପି ପାଇଁ ଆଗାମୀ ଦିନରେ ଆଦୌ ସହଜ ହେବ ନାହିଁ।
ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ଏବଂ ବିଜେଡିର ‘ଷଣ୍ଢୁଆସି ଆକ୍ରମଣ’
ଯେତେବେଳେ ଗଞ୍ଜାମ ଓ ଗଜପତିର ଲୋକମାନେ ପାଣିଘେରରେ ଥାଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ, ଠିକ୍ ସେହି ସମ୍ବେଦନଶୀଳ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତକୁ ରାଜନୈତିକ ମହଲରେ ଆଦୌ ଭଲ ଭାବରେ ଗ୍ରହଣ କରାଯାଇ ନାହିଁ। ଲୋକମାନେ ଯେତେବେଳେ ସହାୟତା ଲୋଡ଼ୁଥିଲେ, ମୁଖ୍ୟମନ୍ତ୍ରୀଙ୍କ ଏପରି ଗସ୍ତ ଜନସାଧାରଣଙ୍କ ମନରେ ସରକାରଙ୍କ ପ୍ରତି ବୀତସ୍ପୃହତା ବଢ଼ାଇ ଦେଇଛି।
ଏହି ସୁଯୋଗକୁ ହାତଛଡ଼ା କରି ନାହିଁ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ ବା ବିଜେଡି। ଏହାକୁ ବିଜେଡି ଏବେ ଅସ୍ତ୍ରଭାବରେ ବ୍ୟବହାର କଲା। ଦଳ ପକ୍ଷରୁ ସରକାରଙ୍କ ବିରୁଦ୍ଧରେ ଏକ ପ୍ରକାର ‘ଷଣ୍ଢୁଆସି ଆକ୍ରମଣ’ କରାଗଲା। ପ୍ରତ୍ୟେକଟି ପ୍ରସଙ୍ଗରେ ସରକାରଙ୍କୁ ଘେରାଗଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ରାଜ୍ୟରେ ଏତେ ବଡ଼ ଘଟଣା ଘଟୁଥିବାବେଳେ ଏବଂ ବିଜେଡି ଏପରି ଆକ୍ରମଣ କରୁଥିବାବେଳେ ବିଜେପିର ମିଡିଆ ସେଲ୍ ଏହାର ପ୍ରତିବାଦ କରିବା, କାଉଣ୍ଟର ଦେବା କିମ୍ବା ସତ୍ୟତା ଜନସାଧାରଣଙ୍କ ସାମ୍ନାରେ ରଖିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବିଜେପିର ପ୍ରଚାର ବିଭାଗ ଯେପରି ଶୀତଳ ନିଦ୍ରାରେ ଶୋଇଛି, ତାହା ଦଳୀୟ କର୍ମୀଙ୍କୁ ମଧ୍ୟ ନିରାଶ କରିଛି। ବିଜେଡି ମିଛ ପ୍ରଚାରକୁ ପ୍ରତିହତ କରିବାରେ ମିଡିଆ ସେଲ ସମ୍ପୂର୍ଣ୍ଣ ବିଫଳ ହୋଇଛି। ସତେ ଯେପରି ସରକାର ବିଫଳ ହେଲେ ଦଳର କିଛି ଯାଏ ଆସେ ନାହିଁ।
ଜନତାଙ୍କ ରୋଷ ଓ ବିଜେପି ବିଧାୟକଙ୍କ ଦାଦାଗିରି
ପ୍ରଶାସନିକ ଅପାରଗତା କେତେ ସ୍ତରକୁ ଚାଲିଯାଇଛି ତାହାର ପ୍ରମୁଖ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। ବନ୍ୟା ପରିଚାଳନାରେ ପ୍ରଶାସନ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ସବୁଠୁ ବଡ଼ କଥା ହେଲା, ସଙ୍କଟ ସମୟରେ ଶାସକ ଦଳର ଲୋକପ୍ରତିନିଧିମାନେ ଜନତାଙ୍କ ପାଖରେ ନଥିଲେ। ସେମାନେ ନିଜ ନିଜ ସୁରକ୍ଷିତ ସ୍ଥାନରେ ଲୁଚି ରହିଥିଲେ ବୋଲି ଅଭିଯୋଗ ହେଉଛି।
ଯେତେବେଳେ ଜନସାଧାରଣଙ୍କ ଧୈର୍ଯ୍ୟଚ୍ୟୁତି ଘଟିଛି, ସେତେବେଳେ ସେମାନେ ପ୍ରତିବାଦ କରିବାକୁ ପଛାଇ ନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ବନ୍ୟା ପ୍ରକୋପରେ କାନ୍ଦୁଥିବା ଜନତା ବିଜେପିର ସ୍ଥାନୀୟ ବିଧାୟକମାନଙ୍କ ବେକରେ ଗାମୁଛା ପକାଇ ପ୍ରଶ୍ନ କରିବାକୁ, ଘେରାଉ କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି। କେବଳ ସେତିକି ନୁହେଁ ବିଜେପିର ମନ୍ତ୍ରୀ ଓ ବିଧାୟକମାନେ ଏତେ ଭୟଭୀତ ଯେ ପାଇଲଟ ଗାଡ଼ି ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ନ ହେଲେ ବାହରକୁ ବାହାରୁ ନାହାନ୍ତି। ଏଥିରୁ ଜଣାପଡ଼ୁଛି ଦିନେ ଯେଉଁ ନେତାମାନେ ରାଜ୍ୟର ମତଦାତାମାନଙ୍କ ପାଖରେ ଏକୁଟିଆ ପହଞ୍ଚି ଭୋଟ ମାଗୁଥିଲେ, କ୍ଷମତାକୁ ଆସିବା ପରେ କିପରି ଅଂହକାରୀ ହୋଇପଡ଼ିଛନ୍ତି।
ବିଶେଷକରି, ବିଜେପି ବିଧାୟକ ସରୋଜ ପାଢ଼ୀଙ୍କ କଥିତ ‘ଦାଦାଗିରି’ ଓ ଦୁର୍ବ୍ୟବହାରକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ଏହି ପ୍ରସଙ୍ଗକୁ ହାତକୁ ନେଇ ବିଜେଡି ଏବେ ବିଜେପିକୁ ଘାଇଲା କରୁଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ, ବିଜେପି ନେତାମାନେ ଏସବୁ ଦେଖି ମଧ୍ୟ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି। ନା ଅଛି ସରକାରଙ୍କ ପାଖରେ କୌଣସି ଆକ୍ସନ ପ୍ଲାନ, ନା ଅଛି ମିଡିଆ ସେଲ୍ ପାଖରେ ଏହାର ଜବାବ ଦେବାର କ୍ଷମତା।
ନବୀନ ପଟ୍ଟନାୟକଙ୍କ ସକ୍ରିୟତା ଓ ଗଞ୍ଜାମ ଗସ୍ତ
ଏହି ସବୁ ପରିସ୍ଥିତିର ଫାଇଦା ଉଠାଇବା ପାଇଁ ଏବେ ପଡ଼ିଆକୁ ଓହ୍ଲାଇଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଗତ ସାଧାରଣ ନିର୍ବାଚନରେ କ୍ଷମତା ହରାଇବା ପରେ ନବୀନ ପଟ୍ଟନାୟକ କିଛି ମାତ୍ରାରେ ନୀରବ ଥିଲେ, କିନ୍ତୁ ଏହି ବନ୍ୟା ବିପର୍ଯ୍ୟୟ ତାଙ୍କୁ ପୁଣିଥରେ ରାଜନୈତିକ ଭାବେ ଅତ୍ୟନ୍ତ ସକ୍ରିୟ କରିଦେଇଛି। ତେଣୁ ସେ ବିଜେପି ସରକାର ପ୍ରତିଟି ପଦକ୍ଷେପକୁ ସମାଲୋଚନା କରିବାକୁ ପଛଘୁଞ୍ଚା ଦେଉନାହାନ୍ତି।
ଆସନ୍ତାକାଲି ନବୀନ ପଟ୍ଟନାୟକ ସିଧାସଳଖ ବନ୍ୟା ପ୍ରପୀଡ଼ିତ ଗଞ୍ଜାମ ଜିଲ୍ଲା ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଚୂଡ଼ାନ୍ତ ହୋଇସାରିଛି। ରାଜନୈତିକ ସମୀକ୍ଷକମାନଙ୍କ ମତରେ, ଏହି ଗସ୍ତ କେବଳ ଏକ ସାଧାରଣ ପରିଦର୍ଶନ ନୁହେଁ, ବରଂ ଏହା ଏକ ବଡ଼ ରାଜନୈତିକ ମାଷ୍ଟରଷ୍ଟ୍ରୋକ୍। ଏହି ଗସ୍ତକାଳରେ ନବୀନ ପଟ୍ଟନାୟକ ବନ୍ୟାଞ୍ଚଳର ଲୋକଙ୍କୁ ସାକ୍ଷାତ୍ କରିବେ ଏବଂ ବିଜେପି ସରକାର, ମନ୍ତ୍ରୀ, ବିଧାୟକ ଓ ସାଂସଦମାନଙ୍କର ଅପାରଗତା, ବେପରୁଆ ନୀତି ଏବଂ ସରକାରଙ୍କ ଜନବିରୋଧୀ ଚେହେରାକୁ ଲୋକଙ୍କ ମନରେ ଆହୁରି ଉଜାଗର କରିବେ। ଲୋକମାନେ ଯେତେବେଳେ ଶାସକ ଦଳ ଉପରେ ବିରକ୍ତ, ଠିକ୍ ସେହି ସମୟରେ ନବୀନଙ୍କ ଏହି ଏଣ୍ଟ୍ରି ବିଜେପି ଶିବିରରେ କମ୍ପନ ସୃଷ୍ଟି କରିଛି।
ବିଜେପିର ଭୁଲ୍ ରଣନୀତି ଓ ବୁଦ୍ଧିଜୀବୀ ସମ୍ମିଳନୀ
ଏତିକି ବେଳେ ବଡ଼ କଥା ହେଲା, ଯେତେବେଳେ ରାଜ୍ୟରେ ଏତେ ବଡ଼ ବନ୍ୟା ବିପର୍ଯ୍ୟୟ ଘଟିଛି ଏବଂ ଜନସାଧାରଣ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି, ସେତେବେଳେ ବିଜେପି ନେତାମାନଙ୍କ ବୁଦ୍ଧି କେଉଁଠି ଅଛି? ସେମାନେ କେନ୍ଦ୍ରରୁ ବଡ଼ ବଡ଼ କୁହାଳିଆ ନେତାମାନଙ୍କୁ ଓଡ଼ିଶା ଆଣି ରାଜନୀତିକ ଭାବରେ ‘ମୃତ କଂଗ୍ରେସ’ ବିରୁଦ୍ଧରେ ବୁଦ୍ଧିଜୀବୀ ସମ୍ମିଳନୀ କରିବାରେ ବ୍ୟସ୍ତ ଅଛନ୍ତି! ଯେଛଁ ଦଳ ଓଡ଼ିଶାରେ ଜନମାନସରୁ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି ତାକୁ ସମାଲୋଚନା କରି ଜୀବିତ କରିବାର ପ୍ରୟାସ କରୁଛନ୍ତି। ଅଥଚ ବିଜେପି ପାଇଁ ରାଜ୍ୟରେ ଯିଏ ବିପଦ ହେବ ସେହି ଦଳ ବିରୋଧରେ ଏମାନେ ପଦୁଟିଏ କହିବାକୁ ଡରୁଛନ୍ତି ନାଁ ଭବିଷ୍ୟତର ମେଣ୍ଟ ପାଇଁ ଚତୁରତାର ସହ ଦୂରେଇ ରହୁଛନ୍ତି।
ରାଜ୍ୟର ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ କଟାକ୍ଷ କରାଯାଉଛି। ଯେଉଁ କଂଗ୍ରେସର ସ୍ଥିତି ଓଡ଼ିଶାରେ ଆଜି ଆଉ ନାହିଁ, ଯାହାକୁ ରାଜ୍ୟର ଜନସାଧାରଣ ପ୍ରାୟ ୨୬ ବର୍ଷ ତଳୁ ପ୍ରତ୍ୟାଖାନ କରିସାରିଛନ୍ତି, ତା’ ବିରୁଦ୍ଧରେ ବୁଦ୍ଧିଜୀବୀ ସମ୍ମିଳନୀ କରି କାନ୍ଦିଲେ ବା ବିରୋଧ କଲେ ବିଜେପିକୁ କ’ଣ ବା ସୁଫଳ ମିଳିବ? ବାସ୍ତବ ସମସ୍ୟାରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ଏହା ଏକ ବିଫଳ ପ୍ରୟାସ ବୋଲି ଚର୍ଚ୍ଚା ହେଉଛି।
also read
Naveen, the Merchant of ‘Letter Politics’ II ଚିଠି ରାଜନୀତିର ସୌଦାଗର ନବୀନ
https://purvapaksa.com/naveen-the-merchant-of-letter-politics/


