ପ୍ରକୃତିର କରାଳ ରୂପ ଆଗରେ ଆଜି ପୁଣିଥରେ ମାଟିର ମଣିଷ ଅସହାୟ ହୋଇପଡ଼ିଛି । ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସମଗ୍ର ଦକ୍ଷିଣ ଓଡ଼ିଶାରେ ଯେଉଁ ବନ୍ୟା ଓ ଭୂସ୍ଖଳନର ତାଣ୍ଡବଲୀଳା ଦେଖାଦେଇଛି, ତାହା କାହାରିକୁ ବି ବିଚଳିତ କରିଦେବ। ସବୁଠାରୁ ବେଶୀ ପ୍ରଭାବିତ ହୋଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବର ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଗୃହଜିଲ୍ଲା ଗଞ୍ଜାମ ଏବଂ ପଡ଼ୋଶୀ ଗଜପତି ଜିଲ୍ଲା। ଋଷିକୂଲ୍ୟା ନଦୀର ହଠାତ୍ ବନ୍ୟା ଆସିବା ଫଳରେ ହଜାର ହଜାର ଲୋକଙ୍କ ଜନଜୀବନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଘରଦ୍ୱାର, ଧାନଜମି, ରାସ୍ତାଘାଟ ସବୁକିଛି ପାଣିରେ ଲୀନ ହୋଇଯାଇଛି।
ଏଭଳି ଏକ ଜଟିଳ ଓ ଜରୁରୀକାଳୀନ ପରିସ୍ଥିତିରେ ରାଜ୍ୟ ସରକାରଙ୍କ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିରୋଧୀ ବିଜୁ ଜନତା ଦଳ (ବିଜେଡି) ସରକାରଙ୍କୁ କାଠଗଡ଼ାକୁ ଟାଣିଛି। ପ୍ରତାପ ଜେନା, ପ୍ରମିଳା ମଲ୍ଲିକଙ୍କଠାରୁ ଆରମ୍ଭ କରି ଦଳର ଅନେକ ନେତୃବୃନ୍ଦ ପ୍ରେସ୍ କନଫରେନ୍ସ କରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏପରିକି ଦଳର ସାଧାରଣ କର୍ମୀରୁ ଅସାଧାରଣ ନେତ୍ରୀ ହୋଇଥିବା ସୁଜାତା ରାଉତ କାର୍ତ୍ତିକେୟନ ମଧ୍ୟ ରିଲିଫ କାମକୁ ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି। ସେମାନଙ୍କର ଅଭିଯୋଗ— ଗଞ୍ଜାମ ଓ ଗଜପତିରେ ବନ୍ୟା ପରିଚାଳନା କ୍ଷେତ୍ରରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ। ଲୋକଙ୍କ ଦୁର୍ଦ୍ଦଶା ବୁଝିବା ପରିବର୍ତ୍ତେ ସରକାର କେବଳ ନିଜର ପ୍ରଚାର-ପ୍ରସାରରେ ମସ୍ଗୁଲ୍ ଅଛନ୍ତି । କିନ୍ତୁ, ଏହି ରାଜନୈତିକ ବୟାନବାଜି ଭିତରେ ଗୋଟିଏ ବଡ଼ ପ୍ରଶ୍ନ ଆଜି ସାଧାରଣ ଜନତାଙ୍କ ମନରେ ଉଠୁଛି— ବିଜେଡି ନିଜେ ଏହି ବିପର୍ଯ୍ୟୟ ସମୟରେ କେଉଁଠି ଅଛି? ଆଉ ଏହାର ଉତ୍ତର ଖୋଜିବାକୁ ଗଲେ ଆମକୁ ଟିକିଏ ପଛକୁ ଫେରିବାକୁ ପଡ଼ିବ, ୨୦୨୪ ଜୁଲାଇ ୧୭ ତାରିଖକୁ।

ଛାୟା ମନ୍ତ୍ରିମଣ୍ଡଳ ଏବଂ ଏହାର ଉଦ୍ଦେଶ୍ୟ
ଆପଣମାନଙ୍କର ମନେଥିବ, ଗତ ୨୦୨୪ ମସିହା ଜୁଲାଇ ୧୭ ତାରିଖରେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ବାଚନ ହାରି କ୍ଷମତା ହରାଇବା ପରେ ଏକ ବଡ଼ ଏବଂ ନିଆରା ପଦକ୍ଷେପ ନେଇଥିଲେ। ସେ ପ୍ରାୟ ୫୦ ଜଣ ବିଧାୟକଙ୍କୁ ନେଇ ଏକ ‘ଛାୟା ମନ୍ତ୍ରିମଣ୍ଡଳ’ ଗଠନ କରିଥିଲେ।
ଏହି ଛାୟା ମନ୍ତ୍ରିମଣ୍ଡଳ ଗଠନର ମୂଳ ଉଦ୍ଦେଶ୍ୟ କ’ଣ ଥିଲା? ଲକ୍ଷ୍ୟ ଥିଲା ଯେ, ଶାସକ ଦଳର ମନ୍ତ୍ରୀମାନଙ୍କ କାର୍ଯ୍ୟକଳାପ ଉପରେ ଏହି ଛାୟା ମନ୍ତ୍ରିମଣ୍ଡଳର ସଦସ୍ୟମାନେ କଡ଼ା ନଜର ରଖିବେ। ଯଦି କୌଣସି ବିଭାଗରେ ସରକାର ବିଫଳ ହୁଅନ୍ତି, ତେବେ ଏହି ଛାୟା ମନ୍ତ୍ରୀମାନେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବେ, ଜନସମସ୍ୟାକୁ ରାଜ୍ୟ ସମ୍ମୁଖକୁ ଆଣିବେ ଏବଂ ପ୍ରଭାବଶାଳୀ ବିରୋଧୀ ଭୂମିକା ନିର୍ବାହ କରିବେ। ବିଜେଡି ସେତେବେଳେ ଖୁବ୍ ଗର୍ବର ସହ ଏହି ଘୋଷଣା କରିଥିଲା ଯେ, ସେମାନେ ଜନସାଧାରଣଙ୍କ ସ୍ୱାର୍ଥର ଜଗୁଆଳି ସାଜିବେ। କିନ୍ତୁ ଆଜି ଯେତେବେଳେ ଦକ୍ଷିଣ ଓଡ଼ିଶାରେ ବାତ୍ୟା ଓ ବନ୍ୟାର ପ୍ରଳୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି, ସେତେବେଳେ ପ୍ରଶ୍ନ ଉଠୁଛି— ବିଜେଡିର ଏହି ଆଖିଦୃଶିଆ ‘ଛାୟା ମନ୍ତ୍ରିମଣ୍ଡଳ’ ଏବେ କେଉଁଠି ଲୁଚି ରହିଛି?
ଛାୟା ମନ୍ତ୍ରୀମାନଙ୍କର ଦାୟିତ୍ୱ ଓ ବାସ୍ତବ ଚିତ୍ର
• ରାଜ୍ୟରେ ଏବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁକାବିଲା ପାଇଁ ସବୁଠାରୁ ବଡ଼ ଦାୟିତ୍ୱ ରହିଛି। ବିଜେଡିର ଛାୟା ମନ୍ତ୍ରିମଣ୍ଡଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦାୟିତ୍ୱରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆଜି ଯେତେବେଳେ ବନ୍ୟା ପ୍ରପୀଡ଼ିତମାନେ ଆଶ୍ରୟସ୍ଥଳୀ ପାଇଁ ଡାକ ପକାଉଛନ୍ତି, ସେତେବେଳେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କ’ଣ ବନ୍ୟାଞ୍ଚଳରେ ଉପସ୍ଥିତ ରହି ଉଦ୍ଧାର ଓ ସହାୟତା କାମକୁ ତଦାରଖ କରୁଛନ୍ତି କି?
• ପାନୀୟ ଜଳ ବିଭାଗର ଦାୟିତ୍ୱରେ ଅଛନ୍ତି ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ। ବନ୍ୟାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳର ସବୁଠାରୁ ବଡ଼ ସଙ୍କଟ ଦେଖାଦେଇଛି। ପ୍ରମିଳା ମଲ୍ଲିକ ପ୍ରେସମିଟ୍ କରି ସରକାରଙ୍କୁ ସମାଲୋଚନା କରିବା ଯଥାଯଥ, କିନ୍ତୁ ଜଣେ ଛାୟା ମନ୍ତ୍ରୀ ଭାବରେ ସେ ନିଜେ କ’ଣ ଗଞ୍ଜାମ କିମ୍ବା ଗଜପତିର କୌଣସି ପ୍ରଭାବିତ ଗାଁକୁ ଯାଇ ଲୋକଙ୍କୁ ପାଣି ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି?
• ମହିଳା ଓ ଶିଶୁକଲ୍ୟାଣ ବିଭାଗ ଦାୟିତ୍ୱରେ ଅଛନ୍ତି ବଦ୍ରୀନାରାୟଣ ପାତ୍ର। ବନ୍ୟା ସମୟରେ ମହିଳା, ଶିଶୁ ଓ ଗର୍ଭବତୀ ମାଆମାନେ ସବୁଠାରୁ ଅଧିକ ଦୁର୍ଦ୍ଦଶାର ସମ୍ମୁଖୀନ ହୁଅନ୍ତି। ବଦ୍ରୀବାବୁ କ’ଣ ସେମାନଙ୍କ ପାଖରେ ପହଞ୍ଚିଛନ୍ତି?
• ଯୋଗାଣ ବିଭାଗ ଦାୟିତ୍ୱରେ ଅଛନ୍ତି ନିରଞ୍ଜନ ପୂଜାରୀ, ଏବଂ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଅଛନ୍ତି ବ୍ରଜକିଶୋର ପ୍ରଧାନ। ବନ୍ୟା ପରେ ପରେ ମହାମାରୀ ଓ ଖାଦ୍ୟାଭାବର ଭୟ ରହିଥାଏ। ଏହି ଦାୟିତ୍ୱପୂର୍ଣ୍ଣ ପଦବୀରେ ଥିବା ନେତାମାନେ କାଗଜ କଲମରେ କିମ୍ବା କେବଳ ଗଣମାଧ୍ୟମର ବୟାନରେ ସୀମିତ ନ ରହି, କାହିଁକି ପ୍ରକୃତ କ୍ଷେତ୍ରକୁ ଓହ୍ଲାଇଲେ ନାହିଁ?
ଏହା କେବଳ କେତେଜଣ ନେତାଙ୍କ ପ୍ରଶ୍ନ ନୁହେଁ, ଏହା ସମଗ୍ର ଓଡ଼ିଶାର ଜନସାଧାରଣଙ୍କ ପ୍ରଶ୍ନ। ଯଦି ବିପର୍ଯ୍ୟୟ ସମୟରେ ଛାୟା ମନ୍ତ୍ରୀମାନେ ସରକାରଙ୍କୁ ଘେରିବା ଓ ସଠିକ ପରାମର୍ଶ ଦେବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜନ୍ତି, ତେବେ ଏହି ‘ଛାୟା ମନ୍ତ୍ରିମଣ୍ଡଳ’ର ଆଉ ଅର୍ଥ କ’ଣ ରହିଲା?
ଗଞ୍ଜାମର ବରିଷ୍ଠ ନେତୃତ୍ୱ ଏବଂ ନବୀନ ପଟ୍ଟନାୟକଙ୍କ ଭୂମିକା
ଏବେ ଆସନ୍ତୁ ଦୃଷ୍ଟି ଦେବା ଗଞ୍ଜାମ ଜିଲ୍ଲାର ନେତୃତ୍ୱ ଉପରେ। ଗଞ୍ଜାମ ଜିଲ୍ଲା କେବଳ ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା ନୁହେଁ, ଏହା ହେଉଛି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା।
ଏହି ଜିଲ୍ଲାରେ ବିଜେଡିର ଏକାଧିକ ଦକ୍ଷ ଓ ବରିଷ୍ଠ ନେତା ଅଛନ୍ତି। ଯେପରିକି ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ଏବଂ ଡା. ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ। ଏମାନେ ସମସ୍ତେ ଗଞ୍ଜାମ ମାଟିରୁ ଦୀର୍ଘଦିନ ଧରି ରାଜନୀତି କରିଆସୁଛନ୍ତି ଏବଂ ଲୋକଙ୍କ ନିକଟତର ବୋଲି ପରିଚିତ। କିନ୍ତୁ ଆଜି ଯେତେବେଳେ ସେହି ଗଞ୍ଜାମର ଲୋକେ ବନ୍ୟା ପାଣିରେ ଘେରି ହୋଇ ଭୋକ ଉପାସରେ ଦିନ କାଟୁଛନ୍ତି, ସେତେବେଳେ ବିକ୍ରମ କେଶରୀ ଆରୁଖ ଏବଂ ଡା. ରମେଶ ଚ୍ୟାଉପଟ୍ଟନାୟକ କେଉଁଠି ଅଛନ୍ତି? କେଉଁ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ସେମାନେ ଲୋକଙ୍କୁ ସହାନୁଭୂତି ଦେଉଛନ୍ତି କିମ୍ବା ରିଲିଫ୍ ବଣ୍ଟନ କରୁଛନ୍ତି?
ସବୁଠାରୁ ବଡ଼ କଥା ହେଲା— ନବୀନ ପଟ୍ଟନାୟକ କ’ଣ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇ ରିଲିଫ ଓ ଉଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାର ଉଦ୍ୟମ କରିଛନ୍ତି?
ଅତୀତରେ ଆମେ ଦେଖିଛୁ, ଯେତେବେଳେ କୌଣସି ବାତ୍ୟା କିମ୍ବା ବନ୍ୟା ଆସେ, ନବୀନ ପଟ୍ଟନାୟକ ନିଜେ ସ୍ଥିତି ସମୀକ୍ଷା କରନ୍ତି ଏବଂ କ୍ଷେତ୍ର ପରିଦର୍ଶନ କରି ଲୋକଙ୍କ ପାଖରେ ପହଞ୍ଚିଥା’ନ୍ତି। କିନ୍ତୁ ଏଥର, ଯେତେବେଳେ ତାଙ୍କର ନିଜ ଜିଲ୍ଲାରେ ଏତେବଡ଼ ବିପର୍ଯ୍ୟୟ ଘଟିଛି, ସେତେବେଳେ ଦଳୀୟ ସ୍ତରରୁ ଯେପରି ଏକ ବଳିଷ୍ଠ, ପ୍ରତ୍ୟକ୍ଷ ଓ ଆକ୍ରମଣାତ୍ମକ ତୃଣମୂଳ ନେତୃତ୍ୱ ଦେଖାଯିବା କଥା, ତାହା କେଉଁଠି ନା କେଉଁଠି ଅନୁପସ୍ଥିତ ଥିଲା ପରି ମନେ ହେଉଛି। କେବଳ ରାଜଧାନୀରେ ବସି ପ୍ରେସମିଟ୍ କରିଦେଲେ କିମ୍ବା ସୋସିଆଲ ମିଡିଆରେ ବୟାନବାଜି କରିଦେଲେ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ପେଟ ପୁରେ ନାହିଁ କି ସେମାନଙ୍କ ଦୁଃଖ କମେ ନାହିଁ।
ଓଡ଼ିଆରେ ଗୋଟିଏ ଲୋକ କଥା ରହିଛି, ବୁଦ୍ଧି ନ ଦିଶଇ ଘରକୁ କହି ଦେଉଥାଏ ପରକୁ। ସୁଜାତା ରାଉତ କାର୍ତ୍ତିକେୟନଙ୍କ ସ୍ୱାମୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ନିଜକୁ ବିପର୍ଯ୍ୟୟ ବିଶେଷଜ୍ଞ ବୋଲି ଦେଶବିଦେଶରେ ପ୍ରଚାର କରୁଛନ୍ତି। କିନ୍ତୁ ଯେଉଁ ରାଜ୍ୟରେ ସେ ପରିଚୟ ପାଇଛନ୍ତି ସେହି ରାଜ୍ୟର ଲୋକମାନେ ଯେତେବେଳେ ବିପର୍ଯ୍ୟୟରେ ଅଛନ୍ତି ତାଙ୍କ ଦେଖାଦର୍ଶନ ମିଳୁନାହିଁ। ସେହିପରି ମିଶନଶକ୍ତିର ସ୍ରଷ୍ଟା କୁହାଯାଉଥିବା ସୁଜାତା ରାଉତ କାର୍ତ୍ତିକେୟନଙ୍କ ମିଶନ ଶକ୍ତି କୁଆଡ଼େ ଗଲା। ଯଦି ସେମାନେ ମିଳିତ ଭାବରେ ସହାୟତାର ହାତ ବଢ଼ାନ୍ତେ ତେବେ ଗଞ୍ଜାମ ଓ ଗଜପତିର ବନ୍ୟାପୀଡ଼ିତମାନେ ଅସୁବିଧାରୁ ବାହାରି ଆସନ୍ତେ। ବିପର୍ଯ୍ୟୟକୁ ନେଇ ରାଜନୈତିକ ରୁଟି ସେକିବା ବହୁତ ସହଜ, କିନ୍ତୁ ସହାୟତା କରିବା ବହୁତ କଠିନ ବୋଲି ଲଥିରୁ ପ୍ରମାଣିତ ହେଉଛି।
ଆମେ କୌଣସି ନିର୍ଦ୍ଦିଷ୍ଟ ଦଳକୁ ସମାଲୋଚନା କରିବା ପାଇଁ ଏଠାରେ ବସିନାହୁଁ। ଶାସକ ଦଳ ଯଦି ରିଲିଫ୍ ଓ ପରିଚାଳନାରେ ବିଫଳ ହୁଏ, ତେବେ ସେମାନଙ୍କୁ ସମାଲୋଚନା କରିବାର ପୂର୍ଣ୍ଣ ଅଧିକାର ବିରୋଧୀଙ୍କର ଅଛି, ଏବଂ ବିଜେଡି ସେହି କାମ କରୁଛି ମଧ୍ୟ।
କିନ୍ତୁ ପ୍ରଶ୍ନ ହେଉଛି— ରାଜନୀତି କେବଳ କ୍ୟାମେରା ଆଗରେ କିମ୍ବା ପ୍ରେସ୍ ସମ୍ମିଳନୀରେ ସୀମିତ ରହିବ କି?
ଯେତେବେଳେ ଗଞ୍ଜାମ ଓ ଗଜପତିର ମାଆ, ଭଉଣୀ, ଭାଇମାନେ ଛାତ ଉପରେ କିମ୍ବା ଉଚ୍ଚା ସ୍ଥାନରେ ରାତି କାଟୁଛନ୍ତି, ସେତେବେଳେ ବିରୋଧୀଙ୍କର ଦାୟିତ୍ୱ କେବଳ ସରକାରଙ୍କୁ ଦୋଷ ଦେଇ ଚୁପ୍ ରହିବା ନୁହେଁ, ବରଂ ନିଜେ ମଇଦାନକୁ ଓହ୍ଲାଇ ଲୋକଙ୍କ ସାଥୀରେ ଠିଆ ହେବା। ବିଜେଡି ଯେତେବେଳେ ‘ଛାୟା ମନ୍ତ୍ରିମଣ୍ଡଳ’ ଗଠନ କରିଥିଲା, ସେତେବେଳେ ଏହା ଏକ ବଡ଼ ରାଜନୈତିକ ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଇଥିଲା। କିନ୍ତୁ ଆଜି ପ୍ରକୃତ ପରୀକ୍ଷାର ସମୟ ଆସିଥିବାବେଳେ, ସେହି ଛାୟା ମନ୍ତ୍ରୀମାନେ ଯଦି ଦୃଶ୍ୟମାନ ନ ହୁଅନ୍ତି, ତେବେ ଜନସାଧାରଣ ଏହି ବ୍ୟବସ୍ଥାକୁ ଏକ ‘କାଗଜ କଲମି ଷ୍ଟଣ୍ଟ୍’ ବୋଲି ଭାବିବାକୁ ବାଧ୍ୟ ହେବେ।
ସରକାର ନିଜର ଦାୟିତ୍ୱ ଠିକ୍ ଭାବେ ତୁଲାନ୍ତୁ, ବନ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଆଶ୍ରୟସ୍ଥଳୀ, ବିଶୁଦ୍ଧ ପାନୀୟ ଜଳ ଏବଂ ଯଥାର୍ଥ ରିଲିଫ୍ ବଣ୍ଟନ ସୁନିଶ୍ଚିତ କରାଯାଉ। ସେହିପରି ବିରୋଧୀ ମଧ୍ୟ କେବଳ ରାଜନୈତିକ ବୟାନବାଜିରେ ସୀମିତ ନ ରହି, ତୃଣମୂଳ ସ୍ତରରେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରନ୍ତୁ— ଏହାହେଉଛି ଆଜିର ସବୁଠାରୁ ବଡ଼ ଆବଶ୍ୟକତା।
also read
Will the Legislative Assembly session take place? II ବିଧାନସଭା ଚାଲିବ ତ?
https://purvapaksa.com/will-the-legislative-assembly-session-take-place/


